ସ୍ୱପ୍ନର ରାମରାଜ୍ୟ

ପୂର୍ଣ୍ଣ ଦାସ

ଅଚାନକ ଆଜି ଦେଖା ହୋଇଗଲେ
ସ୍ୱପ୍ନରେ ଆସି ଗାନ୍ଧୀ,
ପଚାରିଲି, ‘ବାପୁ, କୁଆଡ଼େ ଯାଉଛ
ଉଟୁଳି ପୁଟୁଳି ବାନ୍ଧି ?

ଜନମ ଦିନ ତ ଆଗକୁ ଆସୁଛି
ଏବେଠୁଁ କାହିଁକି ସଜ,
ଲୁହପୋଛି ବାପୁ କହିଲେ,’ବାବୁରେ
ଜୀବନଟା ଏଠି ବୋଝ !

ଭୁଲିଗଲିଣି ମୋ ଜନମ ଦିନକୁ
ଭୁଲିଚି ଅରଟ କଥା,
ଖୋଲିଦେଇଛି ମୋ ତିନି ମାଙ୍କଡ଼ଙ୍କୁ
ବସିବା ତାଙ୍କର ବୃଥା ।

ସବୁଠି ଏବେ ତ କୋଳାକୋଳି ଚାଲେ
ଅନ୍ୟାୟ ଅନୀତି ପାଇଁ,
ଆଉ ଏ ରାଇଜ, ଭଲ ଲାଗୁନାହିଁ
ଯାଉଛି ଏଠୁ ପଳାଇ !’

କଣ୍ଟାବଣିଆ, ଛତ୍ରପଡ଼ା, ପ୍ରୀତିପୁର, ଯାଜପୁର, ଭ୍ରାମ୍ୟଭାଷ : ୯୩୩୭୫ ୪୮୮୯୩

ଲେଖକ ପରିଚୟ

ଆଦିନେତା ବିଚିତ୍ରାନନ୍ଦ ଓ ଦେଶପ୍ରାଣ ବ୍ରଜସୁନ୍ଦରଙ୍କ ଜନ୍ମମାଟିରେ ମୋ ଜନ୍ମ । ଏକପଦୀ କବିତା ‘ତମ ଗାଁ ନଈ’ ମୋର ଏକମାତ୍ର ସଂକଳନ । ଚାକିରି ଜୀବନରୁ ଅବସର ପରେ ମୁଁ କବିତା ଲେଖୁଛି । କ୍ଳାନ୍ତ ଜହ୍ନ ପାଇଁ, ପାନ୍ଥଶାଳା କେବେ ମନୋଇ ମୌସୁମୀ ପାଇଁ, ମଧୁଶାଳା ତ କେବେ ନଈ ପାଇଁ ତିଆରି କରେ ନକ୍ସା ଓ ପ୍ରଜାପତି ପାଇଁ ପଞ୍ଜୁରୀ ତିଆରୁଥାଏ ଏକାଏକା ଶବ୍ଦଙ୍କୁ ନେଇ । ଜହ୍ନକୁ, ମେଘକୁ, ଚଇତି ପବନ ଏମିତିକି ଶବ୍ଦରେ ଚିତ୍ର ଆଙ୍କୁଥିବା ପ୍ରତିଟି ପ୍ରାଣକୁ ମୁଁ ଭଲପାଏ । ଏ ଭଲପାଇବା ଏବେ ବି ସରିନି …

Related Posts

Leave a Reply

Your email address will not be published. Required fields are marked *