ବିଶିଷ୍ଟ ଲେଖକ ରାଜକିଶୋର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‍ ତଥା ଲେଖକ ପ୍ରଫେସର ରାଜକିଶୋର ମିଶ୍ରଙ୍କର ଆଜି ସକାଳେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ପ୍ରଫେସର ମିଶ୍ର ୧୫ ଜାନୁଆରୀ ୧୯୪୨ରେ ଜଗତସିଂହପୁର ଜିଲ୍ଲାର ବାଇଶିମୌଜା ଅନ୍ତର୍ଗତ ଡିହସାଇବିରି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍‍ସା ମହାବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଡିଗ୍ରୀ ଏବଂ ୧୯୬୫ ମସିହାରେ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିବା ପରେ ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଭାବେ ସେ ସେବା ନିବୃତ୍ତ ହୋଇଥିଲେ ।

ଦୁଇଟି ପର୍ଯ୍ୟାୟରେ ୧୯୯୪ରୁ ୯୬ ଏବଂ ୨୦୦୩ରୁ ୦୪ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବେ ଦାୟିତ୍ୱ ତୁଲାଇବା ସହ ଓଡ଼ିଶା ସରକାରଙ୍କ ସୂଚନା ଲୋକସଂପର୍କ ବିଭାଗ ତରଫରୁ ପ୍ରକାଶିତ ମାସିକ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ ଓ ‘ଓରିସା ରିଭ୍ୟୁ’ର ସଂପାଦନା କାର୍ଯ୍ୟ ମଧ୍ୟ ସେ ନିର୍ବାହ କରିଥିଲେ । ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ଭାଷାରେ ଆଗାଧ ପାଣ୍ଡିତ୍ୟ ଥିବା ପ୍ରଫେସର ମିଶ୍ର ଅନେକ ମୌଳିକ, ଅନୂଦିତ ଓ ଗବେଷଣାଲବ୍ଧ ପୁସ୍ତକର ମଧ୍ୟ ସ୍ରଷ୍ଟା ଥିଲେ । ‘ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସର ମରମ କଥା’, ଜଗନ୍ନାଥ ଭଜନ ସାର ସଂଗ୍ରହ, ଓଡ଼ିଆ ଭାଷାକୋଷ (୧୦ ଖଣ୍ଡ), ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ (୪ ଖଣ୍ଡ), ବିଫଳତା ସପକ୍ଷରେ (କବିତା ସଂକଳନ), ଶ୍ରୀଗୁରୁ ଭାଗବତ – ଏକ ଦିବ୍ୟାନୁଭୂତି ଓ ବିଦ୍ୟାନୁଭବ, ବିପ୍ଳବୀ ଚାଖି ଖୁଣ୍ଟିଆ, ଉତ୍କଳଗୌରବ ମଧୁସୂଦନ ଦାସ, ଚଳନ୍ତି ଓଡ଼ିଆ ଅଭିଧାନ, ପ୍ରଶାସନ ଶବ୍ଦକୋଷ, Fakirmohan Senapati: the Precursor of a New Ara, A sketch of Spring, Grome’s Report on Lord Jagannath, George Web’s Report on Jagannath, Navakalebar, Shifting Capital from Cuttack to Bhubaneswar, The Great Famine ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ କୃତି । ଏତଦ୍‍ବ୍ୟତୀତ ବେଦ, ଉପନିଷଦ, ଦର୍ଶନ, ସଙ୍ଗୀତ, ଜ୍ୟୋତିଷଶାସ୍ତ୍ର ଆଦି ଉପରେ ସେ ଶତାଧିକ ପ୍ରବନ୍ଧ ରଚନା କରିଛନ୍ତି ।

ଜଣେ ପ୍ରଚଣ୍ଡ ବାଗ୍ମୀ ଭାବେ ମଧ୍ୟ ତାଙ୍କର ସୁଖ୍ୟାତି ରହିଛି । ଓଡ଼ିଆ, ଇଂରାଜୀ ଓ ସଂସ୍କୃତ ଭାଷାରେ ବୈଦିକ ସାହିତ୍ୟଠାରୁ ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ଅନର୍ଗଳ ବକ୍ତୃତା ପ୍ରଦାନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେବାର ଅପୂର୍ବ ଦକ୍ଷତା ଥିଲା ତାଙ୍କର । ଜଣେ ସଂଗଠକ ଭାବରେ ପ୍ରଫେସର ମିଶ୍ର ଇମ୍ଫା ଚାରିଟେବଲ୍‍ ଟ୍ରଷ୍ଟ୍‍ ଦ୍ୱାରା ପରିଚାଳିତ ଶାରଳା ପୁରସ୍କାର କମିଟି ତଥା ଓଡ଼ିଶା ସଂସ୍କୃତି ପରିଷଦର ସଂପାଦକ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ।

ସବୁଠୁ ଉଲ୍ଲେଖନୀୟ ଦିଗଟି ହେଲା, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଶିଖାଇବା ପାଇଁ ନିଯୁକ୍ତ ହୋଇଥିଲେ ବି ସେଥିରେ ସଫଳ ହୋଇପାରି ନଥିଲେ । ତେଣୁ ସେ ଏହାର ବିକଳ୍ପ ସ୍ୱରୂପ ରୋମାନ ଲିପିରେ ଓଡ଼ିଆ ଅକ୍ଷର ଲେଖିବା ବ୍ୟବସ୍ଥା ସୃଷ୍ଟି କରିଥିଲେ ଯାହା ଆଜିକାଲି ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଓଡ଼ିଆ ଭାଷଣ ଦେଉଛନ୍ତି, ତାହା ରୋମାନ ଲିପିରେ ଲିଖିତ ଓଡ଼ିଆ ଭାଷଣ, ଯାହାର ଆଦ୍ୟ ଉଦ୍ୟୋକ୍ତା ଥିଲେ ପ୍ରଫେସର ରାଜକିଶୋର ମିଶ୍ର ।

Related Posts

Leave a Reply

Your email address will not be published. Required fields are marked *