ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ
ମୋତେ ଯଦି ମାଗିଥାନ୍ତ ଜୀବନ
ହସି ହସି ଦେଇଥାନ୍ତି ତୁମକୁ,
ବିନା ପ୍ରତିବାଦରେ ସମର୍ପଣ କରନ୍ତି
ଅନେକ ଦିନର ସାଇତା ସପନ
ଆଉ ସଞ୍ଚିଥିବା ଅମୂଲ୍ୟ ସମ୍ପଦ,
କିନ୍ତୁ ଏ କ’ଣ କଲ ଯେ !
ମନ ଦେଇ ପୁଣି ମାଗିନେଲ
ଉଦ୍ଧାରରେ ମୋର ଅମାନିଆ ମନ !
ସେ ଆଉ କ’ଣ ମୋର ହେବ
ନା ମୋ ଇଛାରେ ବିହରଣ କରିବ,
ତୁମେ ଦାନ କରିଥିବା ପ୍ରାଣଟି
ସେ ତ ସ୍ଵର୍ଗ ବଦଳେ ତୁମକୁ ହିଁ ଚାହିଁବ ।
ଜାଣିଛି ଏବେ କେବଳ ମେଘ ବତୁରି ଯାଇ
ମୋରି ଉପରେ ହିଁ ବର୍ଷୁଛି
ତା’ର କି ରାଗ ଅଛି କେଜାଣି !
ତାକୁ ସାଙ୍ଗରେ ନେଲିନି ବୋଲି
ନା ସେ ତୁମ ଆଲିଙ୍ଗନ ପାଇଲାନି ବୋଲି !
କୁହତ ଏଥିରେ ମୋର ଦୋଷ ବା କେଉଁଠି?
ସେ ତ ତୁମ ପାଖକୁ ଯିବାର ରାସ୍ତା ସଫା କରିଥିଲା
ଓଦା କରିଥିଲା ହୃଦୟଠାରୁ ଶରୀର,
କାନ ପାଶେ ମୃଦୁ ମଳୟର ସ୍ଵର
ଧିରେ ଧିରେ ଶୁଣାଉଥିଲା ମେଘ ମହ୍ଲାର ରାଗ,
ବଜାଇଣ ବିଦ୍ୟୁତ ଚମକ ବାଇଦ
ଉଜ୍ଜ୍ୱଳ ଦିଶୁଥିଲା ରଶ୍ମିରେ ଆକାଶ ।
ଏଥର ଭେଟିବାକୁ ଗଲେ ତୁମ ସହ
ସଙ୍ଗରେ ତାକୁ ବି ନେବି,
ସେ କାହିଁକି ନପାଇବ ଯେ ତୁମ କୋମଳ ଆଶ୍ଵାଦନ !
ଅସୀମ ଜଳ ଗର୍ଭେ ଧାରଣ କରି
ଯୁଗ ଯୁଗର ପିପାସା ମେଣ୍ଟାଇ ପାରିନି,
ତା ଓଠରେ ପଡୁ ଅମୃତ ଟୋପେ
ଭୋଗୁ ସେ ବି ଯନ୍ତ୍ରଣା,
ମନ ହଜିଗଲା ପରେ
ଦୂରରେ ରହି ସେ ବି ଝୁରି ହବ,
ମନ୍ତ୍ରମୁଗ୍ଧ ମାୟାବିନୀ ସାଜି
ଅବେଳରେ ଆବେଗମୟୀ ହୋଇ
ବର୍ଷିବ ଆକଶରୁ ଧରଣୀ ଆଡ଼କୁ,
ନଦୀରୁ ସମୁଦ୍ର ପଯ୍ୟନ୍ତ ପଡ଼ିବ ଚହଳ ।
ନୀଳ ମଦିରା ପ୍ରାପ୍ତ ପରେ ତୁମେ ହବ ଘନଶ୍ୟାମ
ମେଘକୁ ବି ମିଳିଯିବ ନିର୍ବାଣ,
ତୁମ ଆଲିଙ୍ଗନ ଆଶାରେ
ଦିପ ହୋଇ ଜଳୁଥିବି ପ୍ରହର ପ୍ରହର … ।
ଓଡ଼ିଆ ଅଧ୍ୟାପିକା, ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟ, ସୁବଳୟା, ଗଞ୍ଜାମ, ମୋବାଇଲ- ୭୮୫୨୯୩୫୭୫୦
ଲେଖକ ପରିଚୟ
କଲେଜ ସମୟରୁ ହିଁ ଲେଖେ କିନ୍ତୁ ଅଧ୍ୟାପିକା ହେବାପରେ ଟିକେ ଲେଖାକୁ ସାଇତି ରଖିଛି । ବିଶେଷ କରି କୁନ୍ତଳା କୁମାରୀ ସାବତଙ୍କ କବିତାରୁ ମୋତେ ଅନେକ ପ୍ରେରଣା ମିଳେ । ଏଯାବତ୍ ଗୋଟିଏ ମାତ୍ର କବିତା ପୁସ୍ତକ-“ଜୀବନ୍ୟାସ ପରେ” ପ୍ରକାଶିତ ହୋଇଛି । କବିତା ସହିତ ଗଳ୍ପ ମଧ୍ୟ ଲେଖେ ଏବଂ ଗଞ୍ଜାମ କବିତା ଘର ଜିଲ୍ଲା ସ୍ତରୀୟ ସମ୍ମାନ ଲେଖନୀକୁ ମୋର ଆହୁରି ରୁଦ୍ଧିମନ୍ତ କରିଛି ।