ବାପୁ ! ଆମେ ଦୌଡୁଚୁ !!

ସତ୍ୟନାରାୟଣ ଗନ୍ତାୟତ

ପ୍ରପଞ୍ଚର ସବୁଠୁ ବଡ଼ ଧନୀ ହେବାକୁ
ଯାବତ ପେଞ୍ଚ କରୁ ଆମେ
ସବୁଠୁ ସ୍ୱଚ୍ଛ ଦେଖାଇ ହେବାକୁ ବି
ଏଣେ ଆମ ଇଚ୍ଛା !

ଭଳିକି ଭଳି ଖାଦ୍ୟ ଆମର !
ଯେତେ ଖାଇଲେ ବି
ଆଉଟୁପାଉଟୁ ହେଉଥାଉ
ନାହିଁ ନଥିବା ଭୋକରେ
ଆମକୁ ମହାଖାଦକ
ବୋଲି ପାର !!

ଲାଭଲୋଭରେ ଆମେ ଜରଜର
କଥାରେ, କାମରେ
ସବୁକିଛି ଚରି ଯିବାକୁ
ଆମେ ସଦା ଜାଗତିଆର୍ !

ଆମ ଦ୍ୱାରା
କିଛି ହେଉ ନହେଉଣୁ
ଦେଖୁଚଟି, କେମିତି ତ୍ରସ୍ତ କରୁଚି
ଆମ ଆସ୍ଫାଳନ
ମୁଁ’ତ୍ୱର ଫୁତ୍କାର !
ମିଛିମିଛିକା ଆମ ରୂପ
ପ୍ରଚାର ଓ ପ୍ରଳାପର ପ୍ରଲେପରେ
କେମିତି ଏଠି ସତସତିକା
ପାଲଟି ଯାଉଥାଏ ସତ !

ନିରବତା
ଆମକୁ ଲାଗେ ବିଷପିତା !

ଆମ ପାଇଁ
ଆମେ ଦେଖୁଥିବା
ଚୌଦିଗର ଅଧୀଶ୍ୱର ବନିବା ଇ ଧ୍ୟେୟ
ତା’ ପାଇଁ ସବୁକିଛି
ଆମ କରଣୀୟ
କେଉଁ ପଥ କଦାଚିତ୍ ନୁହଁଇ ଅଗମ୍ୟ !!

ଆମେ କିଛି କରୁ
କି ନକରୁ
ଆମେ କିନ୍ତୁ
ଜରୁର୍ ମାରୁ
ବିଦାରି ପକାଉ
ଜୀବନକୁ, ଜଗତକୁ
ଗଢିବା ଦ୍ୱାହିରେ ଭାଙ୍ଗିପାରୁ
ସଭ୍ୟତାକୁ, ମୂଲ୍ୟବୋଧକୁ !

ଧାଡ଼ିର ସବାଶେଷେ ଠିଆ
ସବୁଠୁ ଦୁଃଖୀ ଲୋକଟି
ଆହୁରି ଦୁଃଖୀ ହେବା ଲୋଡ଼ା
ଆମ ସୁଖର
ଆକାଶ ଛୁଆଁ ବଢତି ପାଇଁ
ଆମ ଛଡ଼ା
ଆଉ କାହା ସୁଖ ଯେଣୁ
ଆମେ କେବେ
ପାରୁନାହୁଁ ସହି !!

ବାପୁ !
ସତ୍ୟ ଆଉ ଅହିଂସାରେ
କ୍ଷୀଣ ତନୁ ଢାଙ୍କି
ତୁମେ ସିନା ଥିଲ
ଅଧା ଲଙ୍ଗଳା ଫକିରଟେ
ଲୁହରେ ବତୁରା
ଦୁଃଖୀ ଜନେ ଦେଖି

ହେଲେ ଦେଖ ବାପୁ !
ଆମେ କେମିତି ଏବେ
ଲଙ୍ଗଳା ମୁକୁଳା
ମଣିଷପଣିଆର ଆବରଣ
ଫୋପାଡ଼ି ଦେଇ
ହରଦମ୍ ଦୌଡୁଚୁ
ଅସତ୍ୟ ଓ ହିଂସାର ପଥରେ !

ହଁ, ବାପୁ !
ଆମେ ଏବେ ନିୟତ ଦୌଡୁଚୁ
ଫି’ ବର୍ଷ ଦିନଟିଏ ଯାହା
ତୁମ ଜନ୍ମ ଜୟନ୍ତୀ
ପାଳନର ଭେଳିକି ଭିଆଇ
ତୁମ ପଥ କିନ୍ତୁ ପରିହରି
ଅସତ୍ୟ ଓ ହିଂସାର ପଥରେ !!

“ସୁହାସିତମ୍”,କସ୍ତୁରୀ ନଗର, ରାୟଗଡା : ୭୬୫୦୦୧, ମୋବାଇଲ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା ସହ ସ୍ତମ୍ଭ ନିବନ୍ଧାଦି ବିବିଧ ବିଷୟକ ଗଦ୍ୟ ରଚନାରେ ରୁଚି ରଖି ଆସିଥିବା ଲେଖକଙ୍କ “ଥୁଣ୍ଟାଗଛ” ଓ “ଛବିର ମଣିଷ” ଶୀର୍ଷକ ଦୁଇଟି କବିତା ବହି ପ୍ରକାଶିତ । ଏଲ.ଆଇ.ସି, ରାୟଗଡ଼ା ଶାଖାର ସେବାରତ ଲେଖକ ସମ୍ପ୍ରତି ନିଜ ଦିବଙ୍ଗତ ଅନୁଜ ଗନ୍ତାୟତ ଶିବପ୍ରସାଦ ଓ ଅଗ୍ରଜା ନିର୍ମଳାଙ୍କ ଅପ୍ରକାଶିତ ରଚନାବଳିଙ୍କ ସଙ୍କଳନ ଓ ସଂକରକ୍ଷଣର ଭଳି ସାରସ୍ୱତ କର୍ମରେ ନିମଗ୍ନ ।

Related Posts

3 thoughts on “ବାପୁ ! ଆମେ ଦୌଡୁଚୁ !!

Leave a Reply

Your email address will not be published. Required fields are marked *