ମୁଁ କଂସାରି ଘରର ପାରା

ଶ୍ରୀଯୁକ୍ତ ସତ୍ୟାନାଶ

ହଁ.. ମୁଁ ‘କଂସାରି ଘରର ପାରା’… କିଏ ମନାକଲା ? ତୁମେ ମତେ କୁଲା ଢାଉଁଢାଉଁ କରିବ ତ ? କର । ହେଲେ ବାବୁ ମୁଁ ଜାଣିଚି ତମ ଘରେ ଆଉ କୁଲା ନାଇଁ । ତମ ବାବୁଆଣୀ ଆଉ କୁଲାରେ ପାଛୁଡୁଛନ୍ତି ଯେ ତମ ଘରେ କୁଲା ଆସିବ ? ପାରିଲେ ବୁଢ଼ାମଲାଟ ଖଡ଼ଖଡ଼ ଧଡ଼ଧଡ଼ କରିବ .. କର । ମୁଁ କିନ୍ତୁ ଡରିବା ଜନ୍ତୁ ନୁହଁ । ମୁଁ କଂସାରି ଘରର ପାରା ।

ଦିନେ କି ‘ ନୁହଁ ମୁଁ କୋଉକାଳୁ.. ମାନେ ତୁମ ଆଖି ଫିଟିନଥିବା ଦିନୁ କଂସାରି ଘରର ପାରା । ଏହାକୁ ବଦଳେଇ ତମେ ମତେ କେବେ ‘ବ୍ରାହ୍ମଣ ଘରର ପାରା’ କି ‘କରଣ ଘରର ପାରା’ କହିବା ମୁଁ ଶୁଣିନି ।

ପ୍ରଥମେ ପ୍ରଥମେ କଂସାରି ଘରର ପାରା ବୋଲି ଶୁଣି ମତେ ଭାରି ଖରାପ ଲାଗୁଥିଲା । ସେଥିପାଇଁ ଦିନେ କଂସାରି ଘରକୁ ଛାଡ଼ିକିରି ମୁଁ ବାରିକ ଘରକୁ ପଳେଇଲି । ତା ଘର ଭିତରେ ଚାଳର ଓରା ଉପରେ ବସିଲି । ବାରିକ ସକାଳୁ ଉଠି ମୁଠିଧରି ଖିଅର ପାଇଁ ପଳାଏ .. ବାରିକାଣୀ ବି କୁଆଡ଼େ ଯାଏ ମୁଁ ଜାଣିନି । ଘର ଶ୍ମଶାନ । ବାରିକ ବାହାଘର କାମ ସାରି ଫେରିଲାବେଳକୁ ଅଧା ରାତି । ଖାଇ ଦେଇ ମଲା ପରି ଶୋଇପଡ଼େ । ଖୁଡ୍ ନାଇଁ କି ଖାଡ୍ ନାଇଁ । ମତେ ତ ଢାଉଁଢାଉଁ ନଶୁଣିଲେ ଭଲ ଲାଗେନି । ଦିନରେ କି ରାତିରେ ଭଲରେ ମତେ ନିଦ ହେଲାନି । ଦି’ଦିନ ରହିକି ପୁଣି କଂସାରି ଘରକୁ ବାଧ୍ୟ ହେଇ ପଳେଇ ଆସିଲି ।

କଂସାରି ଘରର କଂସା ତିଆରି ଶବ୍ଦ ଶୁଣିଶୁଣି ମୋ ଅଭ୍ୟାସ ପଡ଼ିଯାଇଚି; ସାହସ ଓ ଶକ୍ତି ବଢ଼ି ଯାଇଚି । ତମେ ଟିଭିରେ ଫେଭିକଲର ଆଡଭଟାଇଜମେଂଟ ଦେଖିଥିବ । ଜଣେ ଗୋଟେ ଅଣ୍ଡାକୁ ହାତୁଡ଼ିରେ ବାଡେଇଲେ ସେଇଟା ଭାଙ୍ଗୁନି । ଶେଷରେ ସେ କହିବ କ’ଣ ନା.. ୟେ ଫେଭିକଲ୍ କା କମାଲ ହୈ । ଅସଲରେ ୟେ ଫେଭିକଲ୍ କା କମାଲ ନୁହଁ.. ୟେ କଂସାରି ଘର କା କମାଲ ହୈ । କଥା କ’ଣ କି … ଆମ ପରୀ ..ପରୀ ମାନେ ପାରାର ସ୍ତ୍ରୀ ନୁହେଁ କି ? ହଁ .. ଆମ ପରୀ ଅଣ୍ଡା ଦେଲାବେଳେ ତାକୁ ବିଶେଷ ଗର୍ଭକଷ୍ଟ ହୁଏନି । କଂସାରି ଘରର କଂସା ବାଡିଆରେ ଥରୁଥିବା କାନ୍ଥମାନେ ପ୍ରସୂତୀଗୃହର କାମ କରନ୍ତି । ପରୀ ଅଣ୍ଡାଟିଏ ଦେଲା । ଅଣ୍ଡାଟି ତଳେ ପେଟରୁ ପଡ଼ିବା ଦିନଠୁ କଂସାରି ଘରର ବାଡ଼ିଆ ଶବ୍ଦ ଶୁଣିଲା । ବସା ଭିତରେ ଡିଆଁଉକୁଚା ହେଲା । ପରୀ ତା’ ଉପରେ ପଚାଶ ଦିନ ବସିଲେ ବି ଅଣ୍ଡାଟା ଫୁଟିଲା ନାଇଁ । ରାଗରେ ପରୀ ତାକୁ ଗୋଡ଼ରେ ତଳକୁ ଫୋପାଡ଼ି ଦେଲା । ଅଣ୍ଡା ଫୁଟିବା ତ ଦୂରର କଥା; ଖୋଳପା ଟିକିଏ ଖଣ୍ଡିଆ ହେଲାନି । କଂସାରି ଝିଅ ସେଇଟାକୁ ଗୋଲ ପଥର ଭାବି ଖେଳିଲା । ଫେବିକଲ ବାଲା କଂସାରି ଝିଅକୁ ଚକୋଲେଟ ଦିଇଟା ଦେଇ ସେଇଟା ନେଇଗଲେ । ଟିଭିରେ ସେଇଦିନଠୁ ଅଣ୍ଡାକୁ ହାତୁଡିରେ ଛେଚୁଛନ୍ତି ହେଲେ ବି ସେଇଟା ଫାଟୁନି କି ଭାଙ୍ଗୁନି । ୟେ’ କଂସାରି ଘରର କମାଲ ହୈ ।

ପ୍ରତ୍ୟେକ ଜାଗାର ଗୋଟେ ମହିମା ଅଛି । ନେତାଙ୍କ ପାଇଁ ଚୌକି ତାଙ୍କ ମହିମା । ଆଗରୁ ଅନେକ କଥା କହୁଥିବେ .. ଚୌକିରେ ବସି ପଡ଼ିଲାପରେ ସବୁ ଭୁଲିଯିବେ । ତାଙ୍କ ଆଖିକୁ ଖାଲି ସେମାନଙ୍କ ଛୁଆପିଲା ଆଉ ସୁଇସ୍ ବ୍ୟାଙ୍କ ଦିଶେ । ହଁ .. ନେତାଙ୍କ କଥା କହିବାରୁ ମନେ ପଡିଲା .. କଂସାରିଘରର ପାରାର ଅର୍ଥ ଡିହଗାଲୁଆ ବୋଲି କେହିକେହି କଥା ହଉଥିବାର ଶୁଣିଚି । ଏଇକଥାଟା ମଣିଷମାନେ ନିଜକୁ ହିସାବ କରି ଅର୍ଥ ବାହାର କରିଛନ୍ତି । ନେତାଙ୍କଠାରୁ ଡିହ ଗାଲୁଆ ଆଉ କିଏ ଅଛି ? ସେମାନେ ତ ଆସେମ୍ବ୍ଲିକୁ ଯାଉଛନ୍ତି । ତମେ ତାଙ୍କୁ ଆସେମ୍ବ୍ଲି ଘରର ପାରା କହୁନ ।

ଅନେକ ଜ୍ଞାନୀ, ଗୁଣୀ, ପଣ୍ଡିତ, କବି ପାରାକୁ ଉପହାସ ନକରି ବହୁତ ସମ୍ମାନ ଜଣେଇଛନ୍ତି । ପାରା ଶବ୍ଦଟିରେ କେତେ ଭକ୍ତିଭାବ ତାଙ୍କ ହୃଦୟରେ ଫୁଟିଉଠିଚି ସତେ ! କବି ଲେଖିଛନ୍ତି – ମୁଁ ତ ବଡ଼ଦେଉଳର ପାରା ରେ… ଆହା ! ପାରାର ସ୍ଥାନ କୋଉଠି ଦେଖ ! କ’ଣ ନା.. ନୀଳଚକ୍ର ମୋର ଆଶରା.. । ବାଃ… ୟାଙ୍କୁ ହିଁ କହନ୍ତି କବି । ଆଉ ଜଣେ ଲେଖିଲେ .. ମନପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି … ଜଣେ ବିଶିଷ୍ଟ ଜ୍ଞାନୀକବି ପାରାକୁ ବିଶେଷ ସମ୍ମାନ ଦେଇ ଚମତ୍କାର ଗୀତଟିଏ ଲେଖିଛନ୍ତି – ଓଲଟ ବୃକ୍ଷେ ଖେଳୁଚି ଲୋଟଣି ପାରା .. ଅଠାକାଠି ପଞ୍ଜିୁରୀରେ ନଦିଏ ଧରା । ଆହାଃ .. ଯିଏ ପଢୁଚି ସିଏ କହୁଚି .. ଏଇଟା ବ୍ରହ୍ମଜ୍ଞାନ.. ଜୀବନ ଦର୍ଶନ ..। ଅସଲରେ ଏଇଟା ମୋ ବିଷୟରେ ଅର୍ଥାତ୍ ‘କଂସାରି ଘରର ପାରା’ ବିଷୟରେ ଲେଖା ହେଇଚି । ‘କଂସାରିଘର’ ଜାଗାରେ କବି ‘ଓଲଟବୃକ୍ଷ’ ଲେଖିଛନ୍ତି.. ବୁଝିବା ଲୋକ ବୁଝିବ । କାରଣ ମୁଁ ଅଠାକାଠି କି ପଞ୍ଜୁରୀରେ ଧରା ଦିଏନା । ମତେ ଦାନା ଗଣ୍ଡେ ପକେଇଦେଲେ ଧରାଦିଏ । ପଞ୍ଜୁରୀରେ ନୁହେଁ ଭାଡ଼ିରେ ରହେ । କବି ପୁଣି ଲେଖିଲେ – “ପାରାଟି ଯେ ପଂଚବର୍ଣ୍ଣି.. ନାହିଁ ଇନ୍ଦ୍ରି ନାହିଁ ଯୋନି.. ଜଳ ଫଳ ନଭୁଞ୍ଜଇ ଅଟେ ଅମରା” । କବି କହିବା କଥା ଆମେ ପାରାମାନେ ପାଂଚ ବର୍ଣ୍ଣର .. ଯଥା . ଧଳା, କଳା, ମାଟିଆ, ନୀଳ ଓ କାବେରା । କାବେରା ମାନେ ଫୁଟିଫୁଟିକିଆ । ଆମେ ଜଳ ଫଳ ଭୁଞ୍ଜୁ ନାହୁଁ । କାରଣ ଫଳ ଶୁଆ ଖାଏ .. ଆମେ ନେତାଙ୍କ ପରି ଦାନା ସାଙ୍ଗେ ଗୋଡ଼ି ହଜମ କରୁ । ଜଳକୁ କ’ଣ କେହି ଭୁଞ୍ଜେ କି ? ଜଳକୁ ପାନ କରାଯାଏ ମାନେ ପିଆ ଯାଏ । ଅଟେ ଅମରା, କହିଲେ ଜଣାପଡୁଚି ଯେ ‘କଂସାରି ଘରର ପାରା’ ଉକ୍ତିଟି କୋଉକାଳୁ ହେଲେ ବି ଏପର୍ଯ୍ୟନ୍ତ ରହିଛି.. ଆଗକୁ ବି ରହିବ । ହେଲେ କବି ଗୀତ ମଝିରେ ଅଶ୍ଳୀଳ ଓ ଭୁଲ କଥା ପଦିଏ ଲେଖିଦେଲେ .. ନାହିଁ ଇନ୍ଦ୍ରି ନାହିଁ ଯୋନି । ପ୍ରକୃତରେ ଆମର ସବୁ ଅଛି.. କିନ୍ତୁ ଆମର ସଂଖ୍ୟା ବଢୁ ନଥିବାରୁ ସେ ଏପରି ସନ୍ଦେହ ପ୍ରକଟ କରିଛନ୍ତି । ଆରେ ଭାଇ, ପାରା ଭିତରେ କେବଳ ପକ୍ଷୀକୁ ନଦେଖି ମଣିଷମାନଙ୍କୁ ଦେଖ । ମଣିଷମାନଙ୍କୁ ଗଣ । ଦେଖୁନ.. ଯଦି କୌଣସି ଚୋରକୁ ଥାନାକୁ ଡକାଯାଏ .. ସେ କହୁଛି.. ଚାଲୁନ.. ତମ ଥାନାକୁ ମୁଁ କଣ ଡରିଚି.. ମୁଁ ପରା କଂସାରି ଘରର ପାରା । ଦୁର୍ନୀତି ଅଥବା ବଳାତ୍କାରର କେସ୍ ରେ ଯଦି କୌଣସି ନେତାଙ୍କୁ କୋର୍ଟ ରୁ ସମନ ଆସେ.. ସେ କହୁଚି.. ମୋର କୋର୍ଟ କୁ ଭୟ ନାହିଁ .. ଆଇନ ତା’ ବାଟରେ ଯିବ .. ମୁଁ କଂସାରି ଘରର ପାରା .. ମତେ କୋର୍ଟ୍ ଡରାଉଚ କ’ଣ ?

ଏଥିରୁ କ’ଣ ବୁଝାପଡ଼ିଲା ? ବୁଝାପଡ଼ିଲା ଯେ କଂସାରି ଘରର ପାରାମାନଙ୍କର ସଂଖ୍ୟା ବଢିଚି । ଏହା କେବଳ କଂସାରି ଘର ଯୋଗୁ ସମ୍ଭବ ହେଲା । ତେଣୁ କଂସାରି ଘରକୁ ମୋର କୋଟିକୋଟି ପ୍ରଣାମ ।

ସତ୍ୟଭାମାପୁର , ଭୁବନେଶ୍ୱର, ପିନ୍ – ୭୫୨୧୦୦

ଲେଖକ ପରିଚୟ

ପେଶାରେ ସରକାରୀ କର୍ମଚାରୀ ହେଲେ ନିଶା ସାହିତ୍ୟ । ସାହିତ୍ୟ ଭିତରେ ବ୍ୟଙ୍ଗ ବିଭାଗରେ ଜଣେ ନାମକରା ନାଁ ଶ୍ରୀଯୁକ୍ତ ସତ୍ୟାନାଶ । ଆକାଶବାଣୀଠାରୁ ଆରମ୍ଭ କରି ଆଜିର ଅର୍ଗସ ଟେଲିଭିଜନ ପ୍ରୋଗ୍ରାମ ଯାଏଁ ନିଜର ବ୍ୟଙ୍ଗ ସୃଜନ ଦ୍ଵାରା ସେ ସଭିଙ୍କୁ ପ୍ରଭାବିତ କରିପାରିଛନ୍ତି । ତାଙ୍କୁ ମିଳିଥିବା ସମ୍ମାନ, ସମ୍ବର୍ଦ୍ଧନା ଓ ପୁରସ୍କାରର ଗଣତି କରିବା ମୁସ୍କିଲ । ଧାରାବାହିକ ଭାବେ ନାନା ଟେଲିଭିଜନ ଚ୍ୟାନେଲ୍ ରେ ନାନା ନାମରେ ସେ ପ୍ରୋଗ୍ରାମ କରିଥାନ୍ତି ଓ ଅଧୁନା ବ୍ୟଙ୍ଗବାଣୀ ନାମରେ ଏକ ତ୍ରୟମାସିକ ବ୍ୟଙ୍ଗ ପତ୍ରିକା ସମ୍ପାଦନ କରୁଛନ୍ତି ।

Related Posts

Leave a Reply

Your email address will not be published. Required fields are marked *