ସୁପ୍ରିୟା ପ୍ରଶାନ୍ତ

ଭାଗ –୫

ବିବାହ ପ୍ରସ୍ତାବ

ରାତିଟା ଅନିଦ୍ରା ବିତିଲା। ତଥାପି ଖଟ ଉପରେ ପଡି ରହିଲି। ଏତେ ସକାଳୁ ଉଠିକି କଣ କରିବି? ବର୍ଷା ପାଗରେ ବାହାରକୁ ଯାଇ ଦି ଘେରା ଦୌଡିବାକୁ ବି ଇଛା ହେଉନଥାଏ।

ଆଚାର୍ଯ୍ୟ ବିହାରରେ ମୋ ଘର ପାଞ୍ଚ ନମ୍ବର ଜାତୀୟ ରାଜପଥ ତଳକୁ ଗଡି ଆସିଲେ ପ୍ରଥମ ବାମକୁ ଯାଇ ବଡ ପାଣିଟାଙ୍କି ପାଖରୁ ପୁଣି ଡାହାଣକୁ ବୁଲିଲେ ଦୁଇ ଚାରିଟା ଘର ପରେ। ରମେଶର ଘର ଟିକେ ଭିତରକୁ, ସେ ଏଠିକାର ସ୍ଥାୟୀ ବାସିନ୍ଦା। ମୁଁ  ଆମ କଟକ ଘର ଭଡା ଲଗେଇ ଦେଇ ଭୁବନେଶ୍ୱରରେ ରହିବା କେତେ ବର୍ଷ ହେଲାଣି। ଏଠି ରହିଲେ ସୁବିଧା, ଦୂରଦର୍ଶନ ଓ ଅନ୍ୟାନ୍ୟ ବେସରକାରୀ ଟିଭି ଚାନେଲରେ ବା ଅନ୍ୟ କିଛି ସଂଗୀତ ଉତ୍ସବରେ ବେଶି ରାତି ହେଲେ ଆଉ ଫେରିବାର ଚାପ ନ ଥାଏ। 

ନିତ୍ୟକର୍ମ ସାରି ମୁଁ ଜଳଖିଆ ଖାଇବାକୁ ବାହାରିଲି। ପାଖରେ ଗୋଟେ ଦକ୍ଷିଣ ଭାରତୀୟ ଜଳଖିଆ ଦୋକାନ, ସ୍ୱାଦିଷ୍ଟ ଦୋସା, ଇଡଲି, ଉପମା, ତେନ୍ତୁଳି ଭାତ ବରାଦ ମୁତାବକ ମିଳେ, ତା ସଙ୍ଗକୁ ବଢିଆ କଫି। ମୁଁ  ସେଠି ପହଞ୍ଚି ନିଜ ପାଇଁ ଗୋଟେ ମସାଲା ଦୋସା ମଗେଇଲି। ଦୋକାନର ମାଲିକ ଜଣେ ତେଲୁଗୁ, କିନ୍ତୁ ମୁଖ୍ୟ କାରିଗର ଓଡିଆ, ମୋର ପରିଚିତ। ସେ ମାଲିକଙ୍କଠୁଁ ଆଜ୍ଞା ପାଇ ତାୱାରେ ପାଣି ଛିଞ୍ଚିଲାରୁ ତତଲା ତାୱାରୁ ସିଁ ସିଁ ଶବ୍ଦ ଓ ଧୂଆଁ ଉଠିଲା, ନଡିଆ କଞ୍ଚିର ସରୁ ପହଁରାଟେରେ ବଳକା ପାଣି ସଫା କରି ସେ ପିଠଉ ଢାଳିଲେ। ସେ ଜାଣନ୍ତି ମୁଁ ଗୀତ ଗାଏ। ବେଳେ ବେଳେ ମୋ ଗୀତ ଦୋକାନ ରେଡିଓରେ ଲାଗିଥାଏ ଯାହା ଶୁଣିଲେ ମୁଁ ଅଦ୍ଭୁତ ଭାବେ ଆତ୍ମସଚେତନ ମନେ କରେ ଯଦିଓ ନିଜ ଲୋକପ୍ରିୟତାର ଅନୁଭବ ମୋତେ ପୁଲକିତ କରେ। ମୋତେ ପଚାରିଲେ, “ଆଜ୍ଞା, ନୂଆ ଗୀତ କେବେ ଆସୁଛି?”

“ସ୍ନାନ ପୂର୍ଣିମାରେ ଦୂରଦର୍ଶନରେ ଗୋଟେ ସଂଗୀତ ସନ୍ଧ୍ୟା ଅଛି। ନୂଆ ଆଲବମ୍ ବାହାରିବା ଡେରି ଅଛି। ଦେଖାଯାଉ।” ମୁଁ କହିଲି।

ସେ ପାଖରେ ଥିବା ଗୋଟେ ଗମଲାରୁ ଆଳୁ ମସଲା ନେଇ ଦୋସା ଉପରେ ଥୋଇଲେ। ରୋଷେଇ କରିବାରେ ମୋର ଆଗ୍ରହ କମ୍, କିନ୍ତୁ କିଛି ବି ଖାଇବା ଜିନିଷ କେମିତି ରନ୍ଧାଯାଏ ଦେଖିବାକୁ ମୋତେ ଭାରୀ ଭଲ ଲାଗେ। ଏ ଅଭ୍ୟାସ ଶ୍ରୀ ମୋ ଘରେ ବେଳେ ବେଳେ ଯୋଉ ରୋଷେଇ କରୁଥିଲା ତାକୁ ନିରେଖି ଦେଖି ଦେଖି ଆସିଛି। ତାର ସୁନ୍ଦର ହାତ ଆଙ୍ଗୁଳି ଏ ଦିଗ ସେଦିଗ ହେଉଥିଲା କେଜାଣି କେଉଁ ଛନ୍ଦରେ…ମୁଁ ମୁଣ୍ଡ ହଲେଇ ପ୍ରକୃତିସ୍ଥ ହେଲି।  

ଟହଲିଆ ଆଣି ଗୋଟେ ଥାଳିରେ ଦୋସା, ତିନୋଟି ଛୋଟ ଗିନା ଥୋଇ ଦେଇଗଲା। ଗୋଟେ ଗିନାରେ ସମ୍ବର, ଗୋଟେରେ ଲାଲ୍ ଚଟଣି ଆଉ ଗୋଟେରେ ନଡିଆବୁଟ ପୁଦିନାପତ୍ର ଚଟଣି। ମୁଁ ତାକୁ କଫି ଦେବାକୁ କହି ଖାଇବା ଆରମ୍ଭ କଲି। ସକାଳେ ଦୋକାନରେ ଭିଡ ପ୍ରବଳ, କିଏ ସେଠି ବସିକି ଖାଉଥାଏ ତ କିଏ ବନ୍ଧାବନ୍ଧି କରି ନେଇକି ଯାଉଥାଏ। କାରିଗରକୁ ଫୁରୁସତ୍ ନଥାଏ।

ଟହଲିଆ ଆସି କଫି ଆଉ ଗୋଟେ ଛୋଟ କାଗଜରେ ଟଙ୍କା ହିସାବ ଥୋଇଦେଇ ଗଲା — ଷାଠିଏ ଟଙ୍କା।

ମୁଁ କଫି ପିଇବା ଆରମ୍ଭ କରିଛି କି ନାହିଁ, ମୋ ଭ୍ରାମ୍ୟଭାଷ ଘଣ୍ଟି ବାଜିଲା। ସକାଳୁ ସକାଳୁ କୁସୁମ କାହିଁକି ଫୋନ୍ କଲା?

“ହଁ, କହ।” ମୁଁ କହିଲି।

“ଭାଇ, ତୁମକୁ ସକାଳୁ ଉଠାଇଦେଲି କି? ସକାଳୁ ନ ଉଠେଇଲେ ତୁମେ ପୁଣି  ରେକଡିଙ୍ଗ୍, ଷ୍ଟୁଡିଓ ଏମିତି ସବୁରେ ବ୍ୟସ୍ତ ରହିଯିବ, ସେଥିପାଇଁ ମୁଁ  କଲି,” କୁସୁମ ମୋତେ କିଛି କହିବାକୁ ନଦେଇ କହିଚାଲିଲା।

“ହଉ, କଣ ହେଲା କହ?”

“ଭାଇ, ତୁମେ ଏଥର ରାକ୍ଷୀ ପୂର୍ଣ୍ଣିମାରେ ଏଠିକି ଆସିବ ତ?”

“ଦେଖିବା କଣ ହେଉଛି।” ମୁଁ କହିଲି। ରାକ୍ଷୀ ପୂର୍ଣ୍ଣିମା କେବେ ପଡୁଛି ସୁଦ୍ଧା ମୋର ମନେ ନାହିଁ।

“ଭାଇ, ତୁମେ ଗଲା ବର୍ଷ ଆସିଲନି। କହିଥିଲ ଏଥର ନିଶ୍ଚେ ଆସିବ। ମୁଁ କିଛି ଶୁଣିବାକୁ ଚାହୁଁନି। ତୁମେ ଶୀଘ୍ର ବାଙ୍ଗାଲୋର ଟିକେଟ୍ କର।”

“ଆଲୋ ମା’, ମୋ ସୁନା ଭଉଣୀଟା ପରା, ମୋ କଥା ଟିକେ ଶୁଣୁ।” ମୋ କହିବା ସରିନି, କୁସୁମ କହିଲା, “ମୁଁ କିଛି  ଶୁଣିବାକୁ ଚାହୁଁନି, ତୁମେ ନ ଆସିଲେ ତୁମ ସହ କଥା ବନ୍ଦ।” କୁସୁମ  ଅଭିମାନଭରା ଗଳାରେ କହିକି ସେପଟୁ ତାର କାଟି ଦେଲା। 

ମୁଁ କଫି ପିଇବାରେ ମନ ଦେଲି, ଟଙ୍କା ପଇଠ କରି ଗୋଟେ ଗୋଟେ ପାହୁଲ ପକେଇ ଘରକୁ ଫେରିଲି। କାନ୍ଥରେ ରମେଶ ଆଣି ଗୋଟେ କୋହିନୂର କାଳନିର୍ଣ୍ଣୟକ ଝୁଲେଇଛି। ମୁଁ ଦେଖିଲି ବଳରାମ ଜନ୍ମ ଓ ଗମହା ପୂନେଇଁ ଯାଇ ଅଗଷ୍ଟ ୨୨ ତାରିଖରେ। ମୁଁ ପୃଷ୍ଠା ଓଲଟେଇଲି। ଛଅ ଅକ୍ଟୋବର ମହାଳୟା। ତାପରେ– ୧୫ ଅକ୍ଟୋବର, ଦଶହରା। ପଞ୍ଜରା ହାଡ ଭିତରେ ଥିବା ମୋର ଅଦେଖା ହୃତପିଣ୍ଡଟିରେ ଧକ୍ ଧକ୍ ଶବ୍ଦ ବଢିଗଲା କି କଣ। ମଝିରେ ଏଇ କେତେଟା ମାସ କେମିତି କଟିବ?

ମୁଁ କୁସୁମକୁ ଫୋନ୍ କଲି। ଅଭିମାନ କରି ବସିଥିବ, ତାକୁ ଟିକେ ମନେଇବାକୁ ପଡିବ। ନ ହେଲେ ସେ ଆହୁରି ରାଗିଯିବ।

“କୁହ?” କ୍ରୋଧିତ କୁସୁମର ସ୍ୱର। 

“କୁସୁମ, ତୁ ମୋ କଥା ନ ଶୁଣି ଖାଲି ରାଗୁଛୁ।”

“ତୁମେ କେବେ ଟିକେଟ୍ କାଟିବ ମୋତେ କୁହ ତ। ମୁଁ ଆଉ କିଛି ଶୁଣିବାକୁ ଚାହୁଁନି।” କୁସୁମ ଦାବୀ କଲା।

“ଆରେ ତୁ ମୋ ସମସ୍ୟା ବୁଝୁନୁଁ, ଏଥର ଦଶହରାରେ—”

“ଦଶହରା ଫସରା ମୁଁ କିଛି ଜାଣିନି। ତୁମେ ଆସିକି ପହଞ୍ଚ। ନନା ବି କହୁଥିଲେ ବର୍ଷେ ଉପରେ ହେଲାଣି ତୁମେ ଆସିନ। ତୁମେ ଆସ ତ, ମୋର ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ତୁମ ପାଖରେ।”

ଏଇ ଯେଉଁ “ଗୁରୁତ୍ୱପୂର୍ଣ୍ଣ କାମ” କଥା କୁସୁମ କହୁଛି, ତା ହେଉଛି ମୋ ପାଇଁ ଝିଅ ଦେଖା କଥା। ସେ ମଝିରେ ମଝିରେ ଏମିତି ବିବାହ ପ୍ରସ୍ତାବ ବନ୍ଧୁବାନ୍ଧବଙ୍କ ମାର୍ଫତରୁ ପାଇଥାଏ ଓ ମୋତେ  ଜଣାଏ। ମୁଁ ଟିକେ ପାଟି କଲେ ସେ କିଛି ଦିନ ଚୁପ୍ ରହିଯାଏ, ଆଉ ପୁଣି ଆରମ୍ଭ କରେ।

“ଆଉ ସେକଥା କହୁନୁ। ମୁଁ ସାଙ୍ଗେ ସାଙ୍ଗେ ଟିକେଟ୍ କାଟୁଛି!” ମୁଁ ତାକୁ ଚିଡେଇବାକୁ ବ୍ୟଙ୍ଗ କଲି।

“ଭାଇ, ତୁମେ ତା ଛବି ଦେଖିଲେ ଦେଖିକି ରହିଯିବ, ବୁଝିଲ। ଆଉ ସେ ବି ତୁମ ଗୀତ ଶୁଣି ପୁରା ପାଗିଳୀ ହେଇଯାଇଛି।”

“ବାଜେ କଥା କହନା।” ମୁଁ ତାକୁ କହିଲି।

“ବାଜେ କଥା ନୁହେଁ, ଭାଇ। ଠିକ୍ କଥା।” କୁସୁମ ଜୋର୍ ଦେଇ କହିଲା, “ତୁମେ କାହା କଥା ଶୁଣୁନ। ଏଥର ତୁମକୁ ବାହା ହେବାକୁ ହିଁ ପଡିବ।”

କୁସୁମ ହାକିମ ଭଳି କହିଲାରୁ ମୁଁ ହସିଲି।

“ମୋ କଥାକୁ ଏମିତି ହାଳୁକା କରି ନିଅନି। ଆଉ ଦି ଦିନରେ ତୁମକୁ  ୩୪ ବର୍ଷ ହେବ। ଆଉ କଣ ବୁଢା ହେଲେ ବାହା ହେବ?” ସାନ ଭଉଣୀଟି ମୋର ମା’ ଭଳି କହିଲା।

“ମୁଁ ବାହାଫାହା ହେବିନି।”

“ଓହୋଃଃଃଃଃ… ତୁମେ ତାକୁ ଥରେ ଦେଖ, ତା ସହ କଥା ହୁଅ।”

ମୁଁ ଏଥର ଟିକେ ଗମ୍ଭୀର ହେଇଗଲି।

“ଦେଖ୍, ତତେ ଗୋଟେ କଥା କେତେ ଥର କହିଲେ ତୁ ଶୁଣିବୁ?  ମୁଁ ପଚାରିଲି।

“ମୁଁ ତା ଫଟୋ ପଠଉଛି। ତୁମେ ଥରେ ଦେଖ, ତାପରେ କହିବ। କୁସୁମ ହସି ହସି କହିଲା, “ତୁମେ ଖାଲି ଟିକେ ଦେଖ, ହଁ। ମୋ ପସନ୍ଦ କେମିତି କୁହ।”

କୁସୁମ ଫୋନ୍ ରଖିବାର ମିନିଟିଏ ହେଇନି, ହ୍ୱାଟ୍ସ ଆପରେ ଜଣେ ଝିଅର ଛବି ପଠାଇଲା। ମୁଁ କ୍ଷୁବ୍ଧ ହେଇ ଦେଖିଲି—କୁସୁମ ଯାହା କହୁଥିଲା ଠିକ୍, ନିଖୁଣ ମୁହଁ, ବଡ ବଡ ଆଖି, ଗୋରା, ଗହଳ ବାଳ ବେକ ତଳକୁ ପଡିଛି। ଥରେ ଦେଖିଲେ ଆଉ ଥରେ ଦେଖିବାକୁ ମନ ହେବ।

କୁସୁମ ସେପଟୁ ଲେଖିଲା, “ଭାଇ, ତାଙ୍କ ନାଁ ହେଲା ଦେବଲୀନା।” ତାପରେ ଚାରୋଟି ମୁଚୁକୁନ୍ଦୁଆ ଇମୋଜି ମାରି ପୁଣି ଲେଖିଲା, “ଇଏ ଅତି ଶୀଘ୍ର ‌ମୋ ଭାଉଜ ହେବାକୁ ଯାଉଛନ୍ତି।”

ମୁଁ ନିରୁତ୍ତର ରହିଲି। କଣ ତାକୁ କହିବି? ଏ ବ୍ୟାପାରରେ ସେଇ ସମାନ ତର୍କ ଆମର କେତେ ଥର ହେଇସାରିଛି। ସେ ଏମିତି ଜଣେ ଜଣେ ଝିଅକୁ ନେଇ ମୋତେ ଦୁଇ ତିନି ମାସ ଫୁସୁଲେଇବାରେ ଲାଗିବ, ତାପରେ ରାଗିମାଗି ପାଞ୍ଚ ଛଅ ମାସ ଚୁପ୍ ରହିବ। ଏକଥା ପ୍ରାୟ ପାଞ୍ଚ ବର୍ଷ ହେଲାଣି ରୀତିମତ ଚାଲିଛି। ଏ ଖେଳରେ ମୁଁ  କ୍ଲାନ୍ତ ହେଇପଡିଲିଣି, କିନ୍ତୁ ସେ ପ୍ରତିଥର ନୂଆ ଉତ୍ସାହ, ଆଗଠୁଁ ବି ଆହୁରି ଅଧିକ ଆଶାବାଦୀ ଓ ନିଜ ବିଶ୍ୱାସରେ ଦୃଢରୁ ଦୃଢତର ହେବା ପରି ମନେ ହୁଏ। ଆଜି ତ ସେ ଏମିତି କହୁଥିଲା ଯେମିତି ଏଇ ଦେବଲୀନା ବୋଲି ଝିଅଟିକୁ ସେ ଭାଉଜ ନ କଲା ଯାଏ ଯେମିତି ଜମା ଶାନ୍ତିରେ ରହିପାରିବନି। ଗତବର୍ଷ ଆଉ ଜଣେ ଝିଅର ପ୍ରସ୍ତାବ ବଡ ମାଉସୀ ଦେଇଥିଲେ—କଣ ତା ନାଁ ଭୁଲିଯାଇଛି। କୁସୁମ ତା କଥା କହି ବାହା ହୁଅ ବାହା ହୁଅ କହି ମୋତେ ତିନିମାସ ରଖେଇ ଥୋଇ ଦେଲାନି। ମୁଁ ଏତେ ରାଗିଯାଇଥିଲିଯେ  ତାକୁ କେବେ ପାଟି କରେନି, ତାକୁ ତା ସୀମା ଭିତରେ ରହିବାକୁ କହିଥିଲି। ସେ ବି କାନ୍ଦି କାନ୍ଦି  ତା ପରଠୁଁ ବାହାଘର କଥା କେଇଟା ମାସ ଉଠେଇ ନଥିଲା। ହେଲେ ଲାଭ କଣ ହେଲା? ଯଥା ପୂର୍ବମ୍ ତଥା ପରମ୍! ଆଜି ପୁଣି ଗୋଟେ ନୂଆ ପ୍ରସ୍ତାବ। ଛାଡ, ତା କଥାକୁ ଗୁରୁତ୍ୱ ନ ଦେଲେ ହେଲା।  ଏଥର ବି ରାକ୍ଷୀ ପୂର୍ଣିମାରେ ମୋର ଯିବାକୁ ଇଛା ହେଉନି, ମୋତେ କେମିତି ଗୋଟେ ଅବସଦ ଘାରିଛି, କିନ୍ତୁ ଏକଥା ବି ସତ ମୁଁ ବର୍ଷେ ଉପରେ ତା ପାଖକୁ ଯାଇନି। ନନା କିଛି ନ କହିଲେ ବି ଗଲେ ନିଶ୍ଚୟ ଖୁସି ହେବେ। ଦୁଇ ତିନିଦିନ ବୁଲି ଆସିଲେ ହେବ ଯେ! ମୁଁ  ଉଡାଜାହାଜ ଟିକେଟ୍ ଭଡା ଦେଖିଲି। ଏବେଠୁଁ ଟିକେଟ୍ କରିଦେଲେ ଯିବା ଆସିବା ମିଶେଇ ଛଅହଜାର ଭିତରେ ହେଇଯିବ। ମୁଁ ରମେଶ ସହ ଆଲୋଚନା କରି ରାତିରେ ବାଙ୍ଗାଲୋର ଟିକେଟ୍ କରିବାକୁ ସ୍ଥିର କଲି। ସାନ ଭଉଣୀ ଘରକୁ ଯିବା ସହ ସେଠି ଯଦି କିଛି ଗୋଟେ ସଂଗୀତ ସନ୍ଧ୍ୟା ଡାକରା ମିଳନ୍ତା ଭଲ ହୁଅନ୍ତା।  ଦେଖେ, ଆମ କାର୍ଯ୍ୟକ୍ରମ ସଂଯୋଜକ କିଶୋରକୁ  ଟିକେ ଯୋଗାଯୋଗ କଲେ ହେବ।  ମୁଁ କିଶୋର ସହ କଥା ହେବାକୁ ଭାବିଲି, ତାପରେ ପୁଣି ଭାବିଲି ଥାଉ। କୁସୁମ ଘରେ ଦୁଇଦିନ ରହି ଖାଇପିଇ କୁନି କୁନି ଭଣଜାଭାଣିଜୀଙ୍କ ସହ ଖେଳି ଆସିଲେ ବରଂ ଭଲ। କାହିଁକି କାହାକୁ ଯୋଗାଡ କରିବାକୁ ଅନୁରୋଧ କରିବି?

ମୁଁ ଖଟ ଉପରେ ଗଡି ପଡିଲି। ହଠାତ୍ କାହିଁକି ଶ୍ରୀକୁ ନାଚିବାର ଦେଖିବାକୁ ମନ ହେଲା। ଶ୍ରୀ ବାହା ହେବା ପରେ ମୁଁ ଦିନେ ବି ତାକୁ କେଉଁଠି ନାଚିବା ଦେଖିନି କି ଖବର ରଖିନି। ସେ ବିବାହ ପରେ ବରହମପୁରରେ ରହୁଥିଲା। ତା ସ୍ୱାମୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଡାକ୍ତର। ମୁଁ  ନିମନ୍ତ୍ରିତ ହୋଇ ବରହମପୁର ଗୀତ ଗାଇବାକୁ ବହୁବାର ଯାଇଥିଲେ ବି କେବେ ତା ସହ ଦେଖା ହେବାକୁ ମନ ବଳାଇନି। ଏବେ ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗେ ମୁଁ କେମିତି ତାକୁ ଏମିତି ପାଶୋରି ଦେଲି ଯେମିତି ସେ କେବେ ମୋ ଜୀବନରେ ନଥିଲା। ମନେହୁଏ ଶ୍ରୀ ଯେଉଁ ଚାରି, ପାଞ୍ଚ ବର୍ଷ ଜୀବନରେ ଥିଲା ତାହା ସମୟର ବାହାରେ, ଜାଣିନି ତାକୁ ଭେଟିବା ଆଗରୁ ମୁଁ ଯେମିତି ଥିଲି, ଏବେ ହୁଏ ତ ମୁଁ ସେମିତି, କିନ୍ତୁ ସେ ଥିଲା ବେଳେ ମୁଁ ବୋଧହୁଏ ଅନ୍ୟ କେହି ଜଣେ ପାଲଟି ଯାଇଥିଲି। ଶ୍ରୀ ସହ ମୋର ସେଇ ସତ୍ତାଟିକୁ ବି ମୁଁ କୁଆଡେ ହଜାଇ ଦେଲି ନା ସେ ସତ୍ତାଟି ମୋର କେବେ ବି ନଥିଲା; ଶ୍ରୀର ନିଃସର୍ତ୍ତ ଭଲପାଇବାର କେବଳ ମାତ୍ର ପ୍ରତିଫଳନଟିଏ ଥିଲା?

ମୁଁ ୟୁ ଟ୍ୟୁବ ଖୋଲି ଭ୍ରାମ୍ୟଭାଷ ପରଦାରେ ଗୋଟେ ଗୋଟେ ଅକ୍ଷର ଟିପିଲି: ଶ୍ରୀଧାରା – ଓଡିଶୀ ନୃତ୍ର୍ୟଶିଳ୍ପୀ।

(କ୍ରମଶଃ)

ପ୍ରତିମାସ ପ୍ରଥମ ଓ ତୃତୀୟ ଶୁକ୍ରବାରରେ ପଢନ୍ତୁ ବିଶିଷ୍ଟ ଲେଖିକା ତଥା ଅନୁବାଦିକା ସୁପ୍ରିୟା ପ୍ରଶାନ୍ତଙ୍କ ଏହି ନୂତନ ଉପନ୍ୟାସ କେବଳ www.odishasahitya.com

Related Posts

One thought on “ଅସମାପ୍ତ

Leave a Reply

Your email address will not be published. Required fields are marked *