ଭାନୁଜୀ ରାଓ

ମୁଁ ଗୋଟିଏ ନଈକୁ ଚିହ୍ନିଥିଲି- ଭଲ ପାଇଥିଲି ।
ଯିଏ ଏକ ବେଗବାନ ଘୋଡ଼ା ପରି
ଦୌଡୁଥିଲା ଭେଟିବାକୁ ସମୁଦ୍ର ।
ସେ ଧାଉଁଥିଲା ଦୂର ବନସ୍ତର ବସନ୍ତକୁ ଛୁଇଁବାକୁ,
ମଞ୍ଜରିତ ଡାଳ ସବୁ ଶିହରିତ ହେଉଥିଲେ ତାର ଉଚ୍ଛ୍ୱାସରେ ।

ମୁଁ ପୁଣି ଦେଖିଛି ତାକୁ
ପବିତ୍ର ବିଧବା ପରି
ଶୀର୍ଣ୍ଣ ଦେହ ଜାକିଜୁକି
ଶୋଇଛି ସେ ଧବଳ ବାଲିରେ,
ହାତ ମୁଠାରେ ପୁଳାଏ ବାରିଗରଡ଼ା ।

ହୁଏତ ସେ ମରିଯିବ, ସରିଯିବ ଦିନେ
ବାଲିର ପିରାମିଡ୍‍ ସବୁ ଗ୍ରାସିଯିବେ ତାକୁ
କିଛି ଦିନ ପାଇଁ ।

ଉଠିବ ସେ ଜାଗି ପୁଣି,
ନୀଳ ଢେଉ ନାଚି ନାଚି
ତା ଦେହକୁ ଓହ୍ଲାଇ ଆସିବେ ।
ନିଃସଙ୍ଗ କିଶୋରୀମାନେ
ଗଡି଼ବେ ପାଣିକୁ,
ମହମରେ ଗଢ଼ା ତାଙ୍କ ଗୋଡ଼ ଧୋଇବାକୁ
ନିର୍ଜନ ଜହ୍ନ ଆଲୁଅରେ ।


ଭାନୁଜୀ ରାଓ (୦୩ ନଭେମ୍ବର ୧୯୨୬ – ୧୫ ନଭେମ୍ବର ୨୦୦୧) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡିଆ କବି ଥିଲେ । ସେ ଭକ୍ତକବି ମଧୁସୂଦନ ରାଓଙ୍କର ନାତି ଥିଲେ ।

Related Posts

Leave a Reply

Your email address will not be published. Required fields are marked *