ମାୟାଧର ମାନସିଂହ

ଦେଖା ହେଲା କିମ୍ପା ଦେଖା ହେଲା କିମ୍ପା
ହେ ସହଚରି,
ବାଜିଲା କିପାଇଁ ଅପବାଦ କହ
ଜଗତ ଭରି ।

ତୁମେ କାହିଁ ଥିଲ, ମୁହିଁ ଥିଲି କାହିଁ
ଥିଲା କି ଚିହ୍ନା?
ଦୁହିଙ୍କ ଜୀବନ ସୁଖେ ଚଳୁଥିଲା
ଦୁହିଙ୍କ ବିନା ।

ପରିହାସେ କିଗୋ ଦୁହିଙ୍କି ବିଧାତା
ଦେଲା ଭେଟାଇ?
ଭେଟୁ ଭେଟୁ ଦୁହେଁ ସରମ ଛାଡି଼ଲୁ
ପ୍ରଣୟ ପାଇଁ ।
ବହୁକାଳୁ ମତେ ଚାହିଁ ବସିଥିଲ
ଯେସନେ ସହି
ଯୁଗଯୁଗାନ୍ତ- ପ୍ରଣୟ-ପିପାସା
ହୃଦୟେ ବହି ।
ଅତି ପରିଚିତ ସମ ତେଣୁ ମତେ
ଡାକିଲ ପାଶେ
ଗୁରୁ ଅପମାନ ବରିନେଲ ମୋର
ପୀରତି ଆଶେ ।
ମନା ମାନିଲନି, ବନ୍ୟା-ନଦୀର
ପ୍ରବାହ ସରି
ମୋ ପାଶେ ଆସିଲ, କୁଳ, ମାନ, ଖ୍ୟାତି
କା’ରେ ନ ଡରି ।
ସକଳେ ଜାଣିଲେ ନିନ୍ଦା ରଟିଲେ
ମାରିଲେ ତାଳି
ଗୁରୁଜନେ ଦେଲେ ଲାଞ୍ଛନା ଶତ
ଉପରେ ଢାଳି ।
କୁସୁମ-କୋମଳ ତନୁରେ ଲାଗିଲା
କଠିନ ବ୍ୟଥା
ନିଠୁର ସରମେ ଇତରଙ୍କ ଆଗେ
ନଇଁଲା ମଥା ।
ଆହା ଏତେ କଥା ହେବ ବୋଲି କହ
କେ ଭାବିଥିଲା
ପ୍ରଥମେ ଯେ ଦିନ ସେ ଆଖିରେ ମୋର
ଆଖି ମିଶିଲା ।
ଦେଖୁ ଦେଖୁ ହାୟ, ଚୁମ୍ବକ ସମ
ହୋଇଲେଁ ଟାଣି
ପ୍ରଣୟେ ବିପଦ ଯାହା ସବୁ ତାହା
ଜାଣି ଗୋ ରାଣି !
ଫଳେ ତାର ରାଣି ସମାଜ ରଖିଛି
ଦୁହିଁଙ୍କି ବାରି
ଦେଖା ହେଲେ ଜନେ କହିଥାଁତି କଥା
ନୟନ ଠାରି ।
ହାୟ ରାଣି ଦୁଇ ଅଚିହ୍ନା ସେଦିନ
ମିଳିଲେ କାହୁଁ
ଜୀବନଟାଯାକ ସହିବାକୁ ହେଲା
ମିଳନ-ଦାଉ ।



Related Posts

Leave a Reply

Your email address will not be published. Required fields are marked *