ଆହା ଯଉବନ ଥରେ ଗଲେ ଆଉ ଆସେ ନା !

ଅନ୍ନଦା ଶଙ୍କର ରାୟ

ଆହା ଯଉବନ ଥରେ ଗଲେ 

ଆଉ ଆସେ ନା !

ବୃଥା ବିଧୂର ପରାଣପୁରେ 

ଝୁରେ ବାସନା

ଫୁଲ ଫୁଟେ ଫୁଲ ଝଡେ,

ଫୁଣି ଫୁଟେ ସେ,

ପୂରନିମା ଶଶୀ ବୁଡେ

ପୁଣି ଉଠେ ସେ ।

ବରଷକେ ଆସେ ପୁଣି

ମଧୁ-ଚଇତ

ବିରହିଣୀ ଧରଣୀର 

ପ୍ରାଣଦୟିତ ।

ମାତର ନ ଆସେ ଫେରି 

ଯଉବନ ଗୋ,

ବାହୁଡଇ ନାହିଁ ଗୋପେ 

ଗୋପଧନ ଗୋ !

ନ ଫେରଇ ଥର-ଥର

ଚୋରା ଚାହାଣୀ,

ନ ଫେରଇ ଛନ-ଛନ

ମନକାହାଣୀ,

ପରଥମ ପ୍ରଣୟ ଗୋ

ସରମରଙ୍ଗା,

ବିରହ ଦୀରଘଶ୍ୱାସ

ମରମ ଭଙ୍ଗା,

ସୁଖର ବେଦନା ମୋର

ନୀରବ ପ୍ରୀତି,

ନ ଫେରିବ କଣ୍ଠେ ଗୋ

ତା ମଧୁଗୀତି !

ଅଧର ଅଳକ ଆଖି 

ଆଉ ହସେ ନା-

ଆହା, ଯଉବନ ଥରେ ଗଲେ 

ଆଉ ଆସେ ନା !

ଛୋଟ ଏ ଜୀବନ ବୋଲି 

ଦୁଃଖ ନାହିଁ ତ,

ଯଉବନ ବିହୁନେ ମୋ 

ସୁଖ ନାହିଁ ତ !

ହିମ ନ ହେଉଣୁ ଗାଲେ 

ତପତ ଚୁମ, 

ବାସି ନ ହେଉଣୁ ଗଳେ

ସଜ କୁସୁମ,

ଯଉବନ ସାଥେ ଯାଉ 

ଜୀବନ ମୋର,

ଜରା-ଚୋର ସାଥେ ଆସୁ 

ମରଣ ଚୋର ।

ଫୁଲ ଝଡେ, ଫୁଲ ଫୁଟେ

କାନ୍ଦେ ନା ବନ,

ଶଶୀ ବୁଡେ, ଶଶୀ ଉଠେ

ସହେ ଗଗନ,

ମଧୁଋତୁ ଯାଏ ଆସେ

ଲୁଚି ନ ରହେ;

ଅବନୀ ଉଦାସୀ ହେବ 

କାହା ବିରହେ?

ଲୁଚୁକାଳି ଖେଳେ ଭବେ 

ସବୁ ସୁଷମା

ହୋଇ ହାତ ଧରାଧରି ନାଚେ

ଆଲୋକ ଅମା ।

ଜଗତେ ହଜେ ନା କିଛି,

ହଜେ ଜୀବନେ,

ବାହାରେ ବେଦନା ନାହିଁ,

ବେଦନା ମନେ ।

ବୃଥା ବିଧୁର ପରାଣପୁରେ 

ଝୁରେ ବାସନା

ଆହା ଯଉବନ ଥରେ ଗଲେ

ଆଉ ଆସେନା !

ଅନ୍ନଦା ଶଙ୍କର ରାୟ ସବୁଜଗୋଷ୍ଠୀର ଜଣେ ଲେଖକ ଓ କବି ଥିଲେ । ସେ ୧୯୨୧-୨୩ ମଧ୍ୟରେ ଓଡିଆରେ କେତେକ କବିତା ଓ ପ୍ରବନ୍ଧ ରଚନା କରି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ କରିଥିଲେ । ତାହାର ପରବର୍ତ୍ତୀ ସମୟରେ ‘ବାସନ୍ତୀ’ ଉପନ୍ୟାସର କେତେକ ପରିଚ୍ଛେଦ ଏବଂ ସାହିତ୍ୟ ସମାଲୋଚନା ମୂଳକ ଉଚ୍ଚକୋଟୀର ପ୍ରବନ୍ଧ ଲେଖି ପ୍ରସିଦ୍ଧ ହୋଇଥିଲେ ।

Related Posts

Leave a Reply

Your email address will not be published. Required fields are marked *