ସ୍ୱର୍ଣ୍ଣ ଦେବୀ

ବେଳ ନାହିଁ ଆଉ ସଜାଡି଼ବାକୁ
ଏ ଅଡ଼ୁଆ ସୂତାର ଖିଅ
ଖିଅ ହଜିଲାଣି କାହିଁ କେତେବେଳୁ
ମିଳିବକି ଆଉ କୁହ ।

ହିସାବ କି ଅଛି ସାରା ଜୀବନରେ
କେତେ ଯେ ସୂତାରେ ଗଣ୍ଠି
ଇଡି଼ଗଲା ଜଳ ସରିଗଲା ବେଳ
ପାରିଲିନି ରଖି ସାଉଁଟି ।

ସୁଖ କିବା ଦୁଃଖ, ହସ କିବା ଲୁହ
ସବୁ ଆଜି ଏକା ପରି
ଉଦୟ କି ଅସ୍ତ କିରଣକୁ ଅବା
କିଏ ସେ ପାରିବ ବାରି ।

ସବୁ ଆରମ୍ଭର ଶେଷ ଥାଏ ପୁଣି
ଶେଷରୁ ଆରମ୍ଭ ନୂଆ
ବୁଝି ହେଲାନାହିଁ କାଳକ କଟିଲା
ସୂତା କେରାକ ଯେ ଅଡୁଆ ।

ଜୀବନ ମରଣ ସତ କି ସପନ
ଗଣ୍ଠି ଖୋଲା ସରେନାହିଁ
ଜଳ ଭଉଁରୀରେ ଘୂରୁଛି ଜୀବନ
ଚାଲିବାର ଶେଷ କାହିଁ ।

ସ୍ୱର୍ଣ୍ଣ ଦେବୀ ଜଣେ ଜଣାଶୁଣା ଲେଖିକା । କଥାକାର ଭାବେ ତାଙ୍କର ପ୍ରସିଦ୍ଧି । ଗତ କେଇ ମାସ ତଳେ ତାଙ୍କର ଦେହାନ୍ତ ହୋଇଯାଇଛି । ଏଠାରେ ତାଙ୍କ ଲିଖିତ ଏକ କବିତାକୁ ପ୍ରକାଶିତ କରି ଆମେ ଶ୍ରଦ୍ଧାଞ୍ଜଳି ଜଣାଉଛୁ ।

Related Posts

Leave a Reply

Your email address will not be published. Required fields are marked *