ବିନୟ ମହାପାତ୍ର

ଧୂଳି ଧୂସରିତ ଏଇ କଙ୍କରିତ ପଥ..
ରଙ୍କ ନୁହେଁ ମୁଁ,
କି ଖୋଜି ନାହିଁ ଅଙ୍କ ପଲଙ୍କ ଦିନେ
ଲୋଡ଼ି ନାହିଁ ତୂଳୀତଳ୍ପ ଶେଯ ଅବା
ରାଜକୀୟ ଐଶ୍ୱର୍ଯ୍ୟର ଲୋଭି ନୁହେଁ ଚିତ୍ତ ।
ଜୀବନର ଏଇ ମୋର ଅଙ୍କାବଙ୍କା ପଥେ
ରଥକୁ ମୋ ବାହି ଚାଲେ,
ଖୋଜିବୁଲେ
ଜନପଦେ ଅରଣ୍ୟ କାନ୍ତାରେ
କାଳେ, ମିଳିଯିବେ ମୋତେ
ବୋଧିସତ୍ୱ ଅବା ଇପ୍ସିତ ବୋଧିଦୃମ
ଏଇ ମୋର ଜୀବନରେ ପଥେ ।

ନିର୍ବାଣର କାମନା ନାହିଁ ମନେ
ଇଚ୍ଛା ନାହିଁ ବୁଦ୍ଧତ୍ୱ ପ୍ରାପ୍ତିର,
ଖୋଜେ ନାହିଁ, ବ୍ରହ୍ମ ପରଂବ୍ରହ୍ମ ତତ୍ତ୍ବ
ନା’ ଚାହିଁଅଛି କେବେ
ଦର୍ଶନର ଗୁଢ ଗୁଢତର ତର୍କ,
‘ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା’
ଶୁଣେ ଖାଲି, ବୁଝେ ନାହିଁ
ବୁଝିବାକୁ ଚେଷ୍ଟା କରିନାହିଁ କେବେ ।
କିପରି ନକାରି ଯିବି
ଜଳଜଳ ଆଖି ଖୋଲି
ଚଉଦିଗେ ଦେଖୁଅଛି ଯାହା ।
ଶୁଣେ ଯେଉଁ ଆର୍ତ୍ତନାଦ ବ୍ୟାକୁଳ କ୍ରନ୍ଦନ,
ଦିନ ଦିପହରେ ଲୁଣ୍ଠିତା ଅବଳାର ରାହା,
ଅନ୍ନ ବିହୁନେ କ୍ଷୁଧାର୍ତ୍ତ କ୍ରନ୍ଦନ ଶିଶୁର,
ଲୋଭ, ହିଂସା ଧର୍ମାନ୍ଧତା ପ୍ରାଣ କରେ ସ୍ୱାହା ।

ଖୋଜୁଛି ସେ ଜ୍ଞାନ,
ଖୋଜୁଛି ସେ ପ୍ରଭୁକୁ
ମୁକ୍ତି ପାଇଁ ନୁହେଁ, ଶକ୍ତି ଟିକେ ଲୋଡ଼େ
ଯିଏ ଭରିଦେବ ପ୍ରତିଟି ଶିଶୁର ମୁହଁରେ
ତୃପ୍ତିର ହସ ଧାର ଟିକେ,
ରୋପିଯିବ ପ୍ରତିଟି ନାରୀ ହୃଦୟରେ
ସ୍ୱାଭିମାନ, ନିର୍ଭୟର ବୀଜ,
ପ୍ରତିଟି ଯୁବା ହାତକୁ ଯଥୋଚିତ କର୍ମ
ପ୍ରତିଟି ଭୋକିଲା ପେଟକୁ ପେଟଭରା ଅନ୍ନ ।

ହୋଇପାରେ ବ୍ରହ୍ମ ସତ୍ୟ,
ଜଗତ କିନ୍ତୁ ମିଥ୍ୟା ନୁହେଁ,
ମିଥ୍ୟା ନୁହେଁ ଜଠରାଗ୍ନି,
ଯେବେ ତିଳତିଳ ଜାଳିଦିଏ,
ଜୀବନ୍ତ ମଣିଷ ଶରୀର ଆଉ,
ଭୋକିଲା ମଣିଷ କର୍ମକୁ
ପାପପୂଣ୍ୟର ରୂପ ଦେଇଯାଏ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *