ବଦଳି ଗଲାଣି ଧାରା

ଗୀତାଞ୍ଜଳି ପୃଷ୍ଟି

ସହରଟା ଆଉ ଶୋଉନି ରାତିରେ
ସକାଳେ ଶୋଉଛି ବେଶି
ସୂରୁଜ କିରଣ ବାଜିଲେ ଦେହରେ
ସରମେ ଦେଉଛି ହସି ll

ରୂପା ଜହ୍ନ ଭଳି ବିଦ୍ୟୁତ ଆଲୋକ
ରାସ୍ତା ଘାଟ ଦିଶେ ତୋଫା
ଦିନର ଝାଞ୍ଜିରେ ଜଳି ପୋଡ଼ିଯାଏ
ବୃକ୍ଷ ରାଜି ହୁଏ ସଫା ll

ସହରୀ ସଭ୍ୟତା କାୟା ମେଲାଉଛି
ସଂସ୍କାର ସଂସ୍କୃତି ଖାଇ
କ୍ଷୁଦ୍ର ପୋଷାକରେ ସହରୀ ଲଳନା
ଚାଲେ ହାଲୋ ହାଏ କହି ll

ପୁରୁଷ ପୁଅଟି ନିଶେ ହାତ ମାରି
ଏଠିସେଠି କରେ ଖଟି
ଘରେ ବୁଢ଼ା ବାପା ସତୁରି ବରଷେ
ଯାଉଛି ଦାଦନ ଖଟି ll

ଟେଲିଫୋନ ଧରି ଅନଲାଇନ ଗେମ
ଖେଳୁଛି ଯୁବତୀ ବୋହୂ
ଶାଶୁ ଖଟୁଅଛି ରାତି ଘଡ଼ିଯାଏ
କାନ୍ଦେ ଦୁଃଖ କହୁକହୁ ll

ଆଖିର ଲୁହକୁ ପଣତରେ ପୋଛି
କରମ ଆଦରେ ମାଆ
ସମୟ ସାଥୀରେ ସ୍ଵପ୍ନ ସରିଯାଏ
କିଏ ହେବ ତାର ସାହା ll

ଦୁର୍ବଳ ଅଣ୍ଟାରେ ବାସି ପାଇଟିରେ
ବେଳ ହୁଏ ଦୁଇ ଘଡ଼ି
ବେଡ୍ ଟି’ ପାଇଁ ବୋହୂ ଡାକ ଛାଡ଼େ
ପାଦକୁ ଦିଏ କଚାଡ଼ି ll

ମଣିଷପଣିଆ ହଜି ହଜିଯାଏ
ସମୟ ସରିତ ପରେ
ସହରୀ ସଭ୍ୟତା ଶବ ହୋଇ ଦିନେ
ଶେଷ ହେବ ଶ୍ମଶାନରେ ll

ଫେରିବକି ସତେ ପଲ୍ଲୀ ଜୀବନର
ସରଳ ସୁନ୍ଦର ଭାବ
ନଥିବ ଯେଉଁଠି ଈର୍ଷା ଅହଂକାର
ଅସହିଷ୍ଣୁ ଅନୁଭବ ll

ପରସ୍ପର ମଧ୍ୟେ ସ୍ନେହ ସଦ୍ଦିଛାର
ଆବେଗ ରହିବ ଭରି
ସରସ ସୁନ୍ଦର ସାବଲୀଳ ହେବ
ଜୀବନର ପୁଣ୍ୟ ତରୀ ll

ସଫିପୁର, କଟକ ସଦର, ମୋ – ୮୯୧୭୪୧୬୨୫୧

ଲେଖକ ପରିଚୟ

ଅଧୁନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ହେଲେ ସାହିତ୍ୟ ପ୍ରତି ପ୍ରଗାଢ ଦୁର୍ବଳତା । ଛନ୍ଦବଦ୍ଧ ଏବଂ ମୁକ୍ତ ଛନ୍ଦ କବିତା ସହିତ ଧନ୍ଦା, ପ୍ରବନ୍ଧ ଏବଂ ଗଳ୍ପ ରଚନା କରେ । ବାଲ୍ୟକାଳରୁ ମାଟି ମନସ୍କତା, ଦେଶ ଓ ଜାତି ପ୍ରୀତି ମୋତେ ଏହି ଦିଗରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହେବା ସହିତ ମୋର ୩ ଟି କବିତା ପୁସ୍ତକ ଏବଂ ଗୋଟିଏ ଶିଶୁ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *