ମାଆ ଆସୁଛନ୍ତି ସରଗୁ ଓହ୍ଲାଇ

ଗୀତାଞ୍ଜଳି ପୃଷ୍ଟି

ବରଷାର ଅନ୍ତେ ଆସିଛି ଶରତ
ଚପଳା ପ୍ରକୃତି ସାଥେ
ଚାମର ହଲେଇ ହସେ କାଶତଣ୍ଡୀ
ଶୁଭ୍ର ଧବଳ ପଥେ ।

ଆସିବ ଆସିବ ପାରବଣ ଋତୁ
ଧରା ହେବ ଚମତ୍କାର
ଘୁଞ୍ଚିଯିବ କ୍ଳେଶ ଭରିଯିବ ହସ
ପ୍ରାଣେ ପ୍ରାଣେ ପୁଲକର ।

ମାଆ ଆସୁଛନ୍ତି ସରଗୁ ଓହ୍ଲାଇ
ଦିବ୍ୟ ସାଜସଜା ନେଇ
ଦରଶନ କରି ମାନବ ପରାଣ
ଶାନ୍ତ ହେବ ଦୁଃଖ ଫେଇ ।

ପଡ଼ିଆ ପ୍ରାନ୍ତରେ ନଦୀପଠା ଧାରେ
ନୈସର୍ଗିକ ଶୋଭା ରାଶି
ଭରା କାଶତଣ୍ଡୀ ଧବଳ ମୂରତି
ସତେକି ଦେଉଛି ହସି ।

ନିର୍ମଳ ଗଗନେ ରୂପା ଜହ୍ନ ଶୋହେ
ଦିଶେ କେଡ଼େ ଶୋଭାମୟ
ସରସୀରେ ପଦ୍ମ,କଇଁ ଫୁଟିଲେଣି
ଚନ୍ଦ୍ରମାରେ ରଖି ଲୟ ।

ଶକ୍ତିଦାୟିନୀ ସେ ମୁକ୍ତି ପ୍ରଦାୟିନୀ
ମାଆଙ୍କର ଆବାହନ
ଉଛୁଳି ଉଠୁଛି ଦିବ୍ୟ ଶୋଭା ରାଶି
ମର୍ତ୍ତ୍ୟେ ରଚି ପୁଷ୍ପାଙ୍ଗନ ।

ହେନା,ଯାଈ,ଯୁଇ,ବଉଳ,ମାଳତୀ
ଧବଳ ଲୋହିତ ବର୍ଣ୍ଣେ
ବିଛାଡ଼ି ଦିଅନ୍ତି ସରଗ ସୁଷମା
ଦେବତାର ମନ ଜିଣେ ।

ଭଳିଭଳି ରଙ୍ଗ ସୁବାସ ସାଥୀରେ
ରହିଛି ଅମୀୟ ଭରି
କି ସୁନ୍ଦର ଶୋଭା କେଡ଼େ ମନଲୋଭା
ମରତ ଉଠୁଛି ପୂରି ।

ଘେନ ମାଆ ପ୍ରଣତି କରୁଛି ମିନତି
ଅଧମ ଏ ତୁମ ପଦେ
ତବ ଶ୍ରଦ୍ଧା ଦୃଷ୍ଟି ରଖିବ ମୋ ଠାରେ
ଛନ୍ଦ ତୋଳୁଥିବି ଶବ୍ଦେ ।

ସଫିପୁର, କଟକ ସଦର, ମୋ – ୮୯୧୭୪୧୬୨୫୧

ଲେଖକ ପରିଚୟ

ଅଧୁନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ହେଲେ ସାହିତ୍ୟ ପ୍ରତି ପ୍ରଗାଢ ଦୁର୍ବଳତା । ଛନ୍ଦବଦ୍ଧ ଏବଂ ମୁକ୍ତ ଛନ୍ଦ କବିତା ସହିତ ଧନ୍ଦା, ପ୍ରବନ୍ଧ ଏବଂ ଗଳ୍ପ ରଚନା କରେ । ବାଲ୍ୟକାଳରୁ ମାଟି ମନସ୍କତା, ଦେଶ ଓ ଜାତି ପ୍ରୀତି ମୋତେ ଏହି ଦିଗରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହେବା ସହିତ ମୋର ୩ ଟି କବିତା ପୁସ୍ତକ ଏବଂ ଗୋଟିଏ ଶିଶୁ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *