ଦୁର୍ଗା ପ୍ରସାଦ ମଲ୍ଲିକ
ହେ ମହାତ୍ମା, ହେ ଜାତିର ପିତା
ସତ କହୁଛି, ବିଶ୍ୱାସ କର
ସବୁରି ମୂଳରେ ତୁମେ ।
କିଛି ବଦଳି ନାହିଁ କି
ବଦଳିବ ନାହିଁ
ଆଜି ବି ତୁମେ ନମସ୍ୟ, ଚିର ପୂଜନୀୟ
ଆଜି ବି ସବୁରି ମନରେ ତୁମେ ।
ଶୁଣିଛି !
ତୁମ ମହାନତା ମୁଁ,
କେତେ ଜାଗାରୁ, କେତେ ମୁହଁରୁ
ଆଉ କେତେ ବହିରୁ…
ତାର ହିସାବ ନାହିଁ ମୋ ପାଖରେ ।
ତୁମର କେଇପଦ କଥାରେ ବାହାରି ଆସୁଥିଲେ ଆବାଳ-ବୃଦ୍ଧ-ବନିତା
ଝାସ ଦେଉଥିଲେ,
ସ୍ୱାଧୀନତାର ମହା ସଂଗ୍ରାମରେ ।
ଭୁଲି ଯାଉଥିଲେ ଭୋକ ଶୋଷ
ସତ୍ୟାଗ୍ରହରେ ମଜ୍ଜି ଯିବା ପାଇଁ,
ଛାଡ଼ି ଯାଉଥିଲେ ଘର-ଦ୍ୱାର
ଆନ୍ଦୋଳନରେ ହଜିଯିବା ପାଇଁ ।
ଆଜି ବି ସବୁ ଠିକ ସେମିତି ଅଛି
ଯେମିତି ତୁମେ ଛାଡ଼ି ଯାଇଥିଲ
ହୁଏତ ତୁମ ସ୍ୱପ୍ନର ଭାରତ
ଏବେ ବି…
ସ୍ୱପ୍ନ ଦେଖାରେ ବିଭୋର ଅଛି
ଫେରିବାକୁ ଅନିଚ୍ଛୁକ ଅଛି ବାସ୍ତବତାକୁ,
ହେଲେ ସେ ଜାଣିଛି ଯେ
ସବୁରି ସ୍ୱପ୍ନରେ ତୁମେ ।
ବିଶ୍ୱାସ କରୁନ କି ବାପୁ !
କରିବ ବି କେମିତି
କିଛି କହୁଛନ୍ତି
ତୁମେ ଛାଡ଼ି ଦେଇ ଯାଇଥିବା
ଭାରତ ଭୂଇଁ ପରା ବଦଳି ଯାଇଛି ।
ଲୋକ ଏଠି ଦରିଦ୍ର, ଅବହେଳିତ
ବୋଲି ଭାବୁଛ କି ?
ନା
କେବଳ ଆଜିର ଦିନରେ ତୁମକୁ
ଆମେ ଲୋଡୁଛୁ ବୋଲି ଅଭିମାନ କରୁଛ ।
ହୁଏତ ତୁମେ ଠିକ ଭାବୁଥାଇ ପାର ।
ହେଲେ ମୋତେ
କୁହ ତ ଦେଖି
ତୁମେ କଣ ଜାଣିନ ଯେ
ସବୁରି ଧ୍ୟାନରେ ବି ତୁମେ ।
ତୁମର ସେଇ କଳା ମଚମଚ ମୁଗୁନି ପଥରର ମୂର୍ତ୍ତି ହେଉ
କି ପାସପୋର୍ଟ ସାଇଜର ସେଇ
ନୀଳରଙ୍ଗର ପୃଷ୍ଠଭୂମି ଥିବା ଫୋଟୋକୁ
ହୁଏତ ଆଜି ସମସ୍ତେ
ସଫା କରୁଛନ୍ତି, ଉତ୍ତରୀୟଟେ ଦେଇ ଫୁଲ-ଧୂପ-ଚନ୍ଦନରେ ପୂଜା କରୁଛନ୍ତି ।
ଏଥିପାଇଁ
ଅଭିମାନ କରୁଛ କି ବାପୁ !
ତୁମେ ବୋଧହୁଏ ଭୁଲିଯାଉଛ ଯେ
ଏବେ ବି ତୁମେ ନମସ୍ୟ, ପୂଜନୀୟ ।
ସେବେ ବି ଲୋକେ ଥିଲେ
ଏବେ ବି ଲୋକ ଅଛନ୍ତି…
ତୁମ ଇନ୍ଦ୍ରଜାଲ ଭଳି ମାୟାରେ ।
ହୁଏ ତ ରକ୍ତ, ମାଂସର ଗଢା ସେ ମାନବ ହେଇ ଜନ୍ମିଥିବା ଗାନ୍ଧୀ
କେବଳ ଆଜି ଦିନଟିଏ ପାଇଁ ଲୋଡ଼ା,
ହେଲେ
ରିଜର୍ଭ ବ୍ୟାଙ୍କରୁ ଆସୁଥିବା
ସେ ନେଳୀ, ସବୁଜ, ବାଇଗଣୀ ଗାନ୍ଧୀ ପାଇଁ ସମସ୍ତେ
ନେଉଛନ୍ତି କେତେ ପ୍ରକାରର ଯାତନା, ଦେଉଛନ୍ତି କେତେ ନାମର ପୀଡ଼ା ।
ଏବେ ରାଗ ଅଭିମାନ ଛାଡ଼ି
ଥରେ ଖାଲି କହିଦିଅ
ସ୍ୱପ୍ନରେ ହଜିଥବା
ଏ ମାଟିକୁ !
ଯାହା ଘଟିଲା, ଘଟୁଛି ଆଉ ଘଟିବ,
ସବୁରି ମୂଳରେ ତୁମେ ହିଁ ଥିବ ।
କଲେଜ ସ୍କୋୟାର, ଘଟଗାଁ, କେନ୍ଦୁଝର, ୭୫୮୦୨୭
ଲେଖକ ପରିଚୟ
ଇଂରାଜୀରେ ସ୍ନାତକୋତ୍ତର କରି ବି ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କ ଅବଦାନ ଉଲ୍ଲେଖନୀୟ । ଓସିଏ ଶ୍ରେଷ୍ଟ ଯୁବ ନିର୍ଦ୍ଦେଶକ/ନାଟ୍ୟକାର-୨୦୧୭, ଗଳ୍ପଝର ସମ୍ମାନ-୨୦୧୯, ଉଦୟରାଗ ସମ୍ମାନ-୨୦୨୦ ଆଦି ତାଙ୍କ ଲେଖକୀୟ ଜୀବନର ପାଥେୟ ପାଲଟିଥିଲାବେଳେ ନାନା ଗଳ୍ପ ଓ କାହାଣୀ ଲେଖି ସେ ସାଉଁଟି ପାରିଛନ୍ତି ସବୁ ବର୍ଗର ପାଠକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ । ନିକଟରେ ତାଙ୍କ ରଚିତ ଏକ କାହାଣୀକୁ ନେଇ ଜାପାନରେ ପ୍ରସ୍ତୁତ ହେବାକୁ ଯାଉଛି ଏକ ସିନେମା ।