ସବୁ ଖାଲି ପ୍ରହସନ

ଗୀତାଞ୍ଜଳି ପୃଷ୍ଟି

ଆଧୁନିକ ଏହି ସମାଜ ବକ୍ଷରେ
ଚିତ୍ର ଚରିତ୍ରଙ୍କ ମେଳି
ବଦଳି ଗଲାଣି ବାସ୍ତବତା ଏଠି
ପ୍ରହସନ ଯାଏ ବଳି ll

ଧୋବ ଧାଉଳିଆ ବ୍ୟକ୍ତିତ୍ଵ ପଛରେ
ଲୁଚିଥାଏ ସଇତାନି
ଦେଖାଇ ସୁନ୍ଦର ଲଗାନ୍ତି ହୁନ୍ଦର
କରୁଥାନ୍ତି ରାହାଜାନି ll

ଭଦ୍ର ମୁଖା ପିନ୍ଧି ତାଳୁରୁ ତଳିପା’
ଭାଷଣ ଦିଅନ୍ତି ଗର୍ଜି
ନିଜ ଘରେ ଢୋଲ ବାଜେ ଢାଉଁଢାଉଁ
କଳି ତକରାଳେ ମଜି ll

ବାଡ଼ ଖାଇଯାଏ କ୍ଷେତ ଏ ସଂସାରେ
ସବୁ ଖାଲି ପ୍ରହସନ
କାହାକୁ କରିବ ବିଶ୍ୱାସ ଭରସା
ତୁଟିଯାଏ ଅଭିମାନ ll

ପୁଅ ବୋଲାଉଛି ସମାଜ ସେବକ
ବୋହୂ ଏଠି ନାରୀନେତ୍ରୀ
ଘରେ ବୁଢ଼ାବୁଢ଼ୀ ଭୋକରେ ଶଢନ୍ତି
କୋହରେ ଫୁଲାଇ ଛାତି ll

ତୁଣ୍ଡ ଖୋଲିଦେଲେ ମୁଣ୍ଡ ରହିବନି
ବସିଯିବ ବେତ ମାଡ଼
ବୃଦ୍ଧାଶ୍ରମେ ନେଇ ଫିଙ୍ଗି ଦେବେ ଦର୍ପେ
କରି କେତେ ଆଡ଼ମ୍ବର ll

ଭକତିର ସୁଅ ଛୁଟୁଛି ଧରାରେ
ପ୍ରତିମାର ପୂଜା ପାଇଁ
ମନ୍ଦିରେ ଜମୁଛି ମାତ୍ରାଧିକ ଭିଡ଼
ମାଆ କାନ୍ଦେ କଇଁକଇଁ ll

ନେତା ଦେଖାଅନ୍ତି ସରଗକୁ ପଥ
ଶାନ୍ତିବନ ଦେବେ ଗଢ଼ି
ଭୋଅଟ ଖଣ୍ଡିଏ ପାଇବା ପାଇଁକି
ହେଉଥାନ୍ତି ଚଢ଼ାଚଢ଼ି ll

ପାଞ୍ଚଶ ଟଙ୍କାରେ ବିକିଦେଇ ମୁଣ୍ଡ
ଜନତା ଲଗାନ୍ତି ବାଜି
ଜିତିଗଲା ପରେ ଛାତିକୁ ଫୁଲାଇ
ନେତା ବୁଲେ ମାଳ ପିନ୍ଧି ll

ଚିହ୍ନି ନପାରନ୍ତି ନିଃସ୍ଵ ଜନତାଙ୍କୁ
ଆଖିରେ ଲଗାଇ କାଚ
କେତେ ପାଦ ଧରି କଳାଧନ ବାଣ୍ଟି
ହୋଇଯାନ୍ତି ସିଏ ସ୍ୱଚ୍ଛ ll

ବାହାରଟା ତାଙ୍କ ଚିକ୍କଣ ସୁନ୍ଦର
ଭିତରେ ଖେଳୁଛି ବିଷ
ନିଜ ସ୍ୱାର୍ଥପାଇଁ ଯିଏ ଦେବ ବାଧା
କରିଦେବେ ହେଳେ ଶେଷ ll

ଏତେ ରଣନୀତି ବୁଝି ନପାରଇ
ସରଳ ମଣିଷ ମନ
ଘରଠୁ ବାହାର ଦେବତା ମନ୍ଦିର
ଚାଲେ ମିଛ ପ୍ରହସନ ll

ଠାକୁର ଖାଇକି ଖଟୁଲି ଖାଆନ୍ତି
ସର୍ବଗିଳା ନେତା ମନ୍ତ୍ରୀ
ଓଡ଼ଶା ପରାଏ ରକ୍ତ ଶୋଷି ନେଇ
ଫୁଲାଇ ବୁଲନ୍ତି ଛାତି ll

ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରି
ଫଟୋରେ ପାଆନ୍ତି ଶୋଭା
ଶ୍ରଦ୍ଧାଠାରୁ ସ୍ୱାର୍ଥ ବଳି ପଡ଼େ ଏଠି
ଶୁଣିଲେ ହୋଇବ କାବା ll

ଦେଶ ଜାତି ପଛେ ଚୁଲିକୁ ଯାଆନ୍ତୁ
ବଢ଼ୁ ମୋ ଅମାର ଥଳୀ
ଚଉଦ ପୁରୁଷ ପାଇଁ ସାଇତିଵି
ନପାରିବେ କେହି କଳି ll

ମନରେ ବାନ୍ଧିଛି ବାଇଆ ବସାକୁ
ଦିନରେ ଦେଖୁଛି ସ୍ଵପ୍ନ
ଆଗ ଧାଡ଼ି ପରେ ସୁଉଚ୍ଚ ମଞ୍ଚରେ
ବସିଥିବି ହୋଇ ମଗ୍ନ ll

ଖବର କାଗଜ ଶିର ମଣ୍ଡନରେ
ହେଇଯିବା ପାଇଁ ଧନ୍ୟ
ବହିଯାଉ ପଛେ ରକତର ନଈ
ଭାସିଯାଉ ପାପପୁଣ୍ୟ ll

ଦିନେ କିନ୍ତୁ ମୁଖା ଖୋଲିଯିବ ବନ୍ଧୁ
ନିୟତିର ଦରବାରେ
ଯେତେ ପ୍ରହସନ କର ପଛେ ତୁମେ
ଧରା ପଡ଼ିବ ଅଚିରେ ll

ସଫିପୁର, କଟକ ସଦର, ମୋ – ୮୯୧୭୪୧୬୨୫୧

ଲେଖକ ପରିଚୟ

ଅଧୁନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ହେଲେ ସାହିତ୍ୟ ପ୍ରତି ପ୍ରଗାଢ ଦୁର୍ବଳତା । ଛନ୍ଦବଦ୍ଧ ଏବଂ ମୁକ୍ତ ଛନ୍ଦ କବିତା ସହିତ ଧନ୍ଦା, ପ୍ରବନ୍ଧ ଏବଂ ଗଳ୍ପ ରଚନା କରେ । ବାଲ୍ୟକାଳରୁ ମାଟି ମନସ୍କତା, ଦେଶ ଓ ଜାତି ପ୍ରୀତି ମୋତେ ଏହି ଦିଗରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହେବା ସହିତ ମୋର ୩ ଟି କବିତା ପୁସ୍ତକ ଏବଂ ଗୋଟିଏ ଶିଶୁ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *