ଯେତେବେଳେ ତୁମ ସପକ୍ଷରେ କେହି ନଥିବେ ଜାଣିବ ସମୟ ତୁମ ସହ ଅଛି

ସାହିତ୍ୟିକା ଏଲି ମହାନ୍ତିଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କର ଏକ ସାକ୍ଷାତକାର :

ଜଣେ ଏକୁଟିଆ ସ୍ତ୍ରୀଲୋକ ହିସାବରେ ଆବଶ୍ୟକୀୟ ଚରିତ୍ରମାନଙ୍କରେ କିଛିକିଛି ସମୟ କାମ କରିବା ପରେ ବିଶ୍ରାମ ପାଇଁ ଅଳ୍ପ ସମୟ ମିଳେ । ସେତିକି ସମୟ ଐକାନ୍ତିକ ଭାବେ ନିଜ ସହ ରହିବା ପାଇଁ କବିତା ଲେଖେ । କବିତା ପ୍ରତିପକ୍ଷରେ ରହିଲେ ନିଜ କଥା କିଛି କହିହୁଏ ଆଉ ସେସବୁ ସେ ଶୁଣେ ବି । ଏମିତି କିଛିକିଛି କବିତା ଲେଖିବା ପରେ, “ଚିତ୍ର ଆଖିର ବାଘ” ନାମରେ ଗୋଟିଏ କବିତା ବହି ୨୦୧୯ ଡିସେମ୍ବରରେ ପ୍ରକାଶିତ ହେଇଛି । ମୋ ପାଇଁ ସଚ୍ଚୋଟତା ହିଁ ସାହିତ୍ୟର ମୂଳଦୁଆ ।

କବିତା ସବୁ ସମୟରେ ମୋତେ ଗୋଟେ ନୂଆ ଭାବରେ ଗଢି ଦିଏ ଓ ସେ ପ୍ରତିବିମ୍ବ ଅନ୍ୟମାନଙ୍କ ଆଖିରେ ବାରମ୍ବାର ଦେଖିବାକୁ ଭଲ ଲାଗେ । ଅନେକ ସମୟରେ କବିତା ଓ ମୋ ଭିତରେ ମୁଁ ପାର୍ଥକ୍ୟ ଦେଖିପାରେନି ।

ହଁ, ମୁଁ କବିତା ବ୍ୟତୀତ ଛୋଟ ଗଳ୍ପ କିଛି ଲେଖିଛି । ବହିର ଆଲୋଚନା ବି ଲେଖିଛି । ମୋତେ କିନ୍ତୁ କବିତାରେ କସରତ କରିବାକୁ ଭଲ ଲାଗେ ।

ସାଧାରଣ ଅର୍ଥରେ ଯିଏ ଲେଖେ ସେ ଲେଖକ । ହେଲେ ମୋ ମତରେ ଲେଖକ ସିଏ, ଯିଏ ନିଜ ଲେଖାକୁ ଘଷିମାଜି ଏତେ ଚିକ୍କଣ କରିପାରେ ଯେ ପାଠକ ସେ ଲେଖାକୁ ପଢୁପଢୁ ନିଜକୁ ଦେଖିଦେଖି ଯାଏ କିମ୍ବା ସାମ୍ନା ଦୃଶ୍ୟକୁ ଦେଖିପାରେ ଅବିକଳ । ବିସ୍ମରି ଯାଏ ପାରିପାର୍ଶ୍ଵିକ ସ୍ଥିତି ଓ ସମୟ ।

ସାହିତ୍ୟିକ ସବୁ ସମୟରେ ସବୁ ଅବସ୍ଥାରେ ସବୁ ଦୃଶ୍ୟକୁ ଗୋଟେ ଅଲଗା ନଜରରେ ଦେଖିପାରେ ଯାହା ସାଧାରଣ ଦୃଷ୍ଟିଠୁ ଅଲଗା । ସେଥିପାଇଁ ସେ ପ୍ରାୟ ଅନ୍ୟମନସ୍କ ଓ ଚୁପଚାପ ରହିଥାଏ । ସେହି ଦୃଷ୍ଟିକୁ ସେ ନିଜ ଲେଖା ମାଧ୍ୟମରେ ପାଠକ ଭିତରେ ସ୍ଥାପିତ କରିବାକୁ ଚେଷ୍ଟା କରେ । ପ୍ରଭାବଶାଳୀ ଲେଖା ଦ୍ୱାରା ଅନେକ ଲୋକ ନିଜ ଦୃଷ୍ଟିକୋଣ ବଦଳେଇ ପାରନ୍ତି । ତେଣୁ ସାହିତ୍ୟିକ ଯଦି ପ୍ରଗତିଶୀଳ ଓ ପ୍ରତି ସମୟକୁ ନେଇ ସକରାତ୍ମକ ଚିନ୍ତନର ସର୍ଜନା କରେ ସମାଜ ବି ବଦଳିପାରେ । ଗୋଟିଏ ସମ୍ଭାବନା ତ ନିଶ୍ଚୟ ଅଛି କହିବା ଭୁଲ ହେବନି ।

ଆଧ୍ୟାତ୍ମ ଅର୍ଥ ନିଜକୁ ଅତି ସୁକ୍ଷ୍ମ ଭାବେ ଅଧ୍ୟୟନ କରିବା,ମୁଁ ବୁଝେ । ଜଣେ ଯେତେବେଳେ ନିଜ ସାମ୍ନାରେ ଛିଡ଼ା ହୁଏ, ସେ ଯେପରି ଭାବେ ନିଜକୁ ଦେଖେ, ନିଜର ଠିକ ଭୁଲକୁ ଅନୁଶୀଳନ କରେ ଓ ସେଥିରୁ ଯୋଉ ନିଷ୍କର୍ସ ପାଏ ତାକୁ ଯଦି ସେ ବ୍ୟାପକ ରୂପ ଦେଇ ଲେଖିପାରେ ତେବେ ଗୋଟେ ଚେତନଶୀଳ ସାହିତ୍ୟ ସୃଷ୍ଟି ହୁଏ ।

ମୋତେ ଲାଗେ ଶୀର୍ଷକ ଓ ବିଷୟ ସର୍ଜନ ଦୁଇଟା ଅଲଗା କଥା । ମୋତେ ପ୍ରଥମେ କୌଣସି ବିଷୟ ଦେଖାଯାଏ ଓ ମୁଁ ସେ ବିଷୟ ଉପରେ ଆସ୍ତେ ନିଜକୁ ଗଡ଼େଇ ଦିଏ । ଢେର ଦିନ ଯାଏ ମଜା ନିଏ । ନିଜକୁ ଭାଗଭାଗ କରି ସେ ବିଷୟ ଉପରେ ଗପେ । ମୋର ପ୍ରତିଭାଗ ସେତେବେଳେ ପ୍ରଖର ଓ ପାରିପାର୍ଶ୍ଵିକ ସ୍ଥିତିଠୁ ଖୁବ ଦୂରରେ ଥାନ୍ତି । ଶେଷରେ ବିଷୟକୁ ଦେଖି ଶୀର୍ଷକ ରଖେ । ଅନେକ ସମୟରେ ପାଠକ ଶୀର୍ଷକ ପଢି ନେଇ ଗପ କି କବିତାକୁ ଅନୁମାନ କରିନିଅନ୍ତି ନିଜ ଅନୁସାରେ ଓ ଯଦି ତାଙ୍କ ମାନସିକତା ମିଶେ ଖୁସି ହେଇଯାଆନ୍ତି ।

କବିତାର ପରିସୀମା ପାଠକ ହୃଦୟର କାନ୍ଥ ଯାଏ । ପ୍ରକୃତରେ କବିଟିଏ ଲେଖିବାବେଳେ ନିଜ ଭିତରେ ନଥାଏ । ଜଣେ ଯଦି ନିଜକୁ ଭୁଲିଗଲା ସେ କୋଉ ନିୟମ ମନେ ରଖିବା ଅବସ୍ଥାରେ ଥିବ ଯେ ଶୃଙ୍ଖଳା ମାନିବ ? ଏ ପ୍ରକୃତିର କୋଣେକୋଣେ କବିତା ରହିଛି । ସଦ୍ୟଜାତ ଶିଶୁର କାନ୍ଦରେ, ଅବୋଧ ପକ୍ଷୀର ଥରଥର ଚଞ୍ଚୁରେ, ଭଅଁରର ଗୁଣୁଗୁଣୁରେ, ପିମ୍ପୁଡ଼ି ଧାଡ଼ିରେ, ଧୀରେଧୀରେ ପାଖେଇ ଆସୁଥିବା କୁହୁଡ଼ିରେ କି ଶୃଙ୍ଖଳା ଥାଏ ? ସବୁ ଦୃଶ୍ୟକୁ ସ୍ଥିର ଭାବେ ଦେଖିଲେ ଧାଡ଼ିଧାଡ଼ି କବିତାର ଭଉଁରୀରେ ଥିବା ପରି ଅନୁଭବ ହେବ । ମୁଁ ଭାବେନି କବିତା ପାଇଁ କିଛି ବି ନିୟମ ଥାଏ ବୋଲି । କବିତାର ବିଭାଗୀକରଣ ଅଛି ଯାହା ବିଜ୍ଞ ମଣିଷ ସୁନ୍ଦର ଭାବେ ତିଆରି କରିଛି ନିଜ ସୁବିଧା ପାଇଁ । ମୋ ମତରେ ଜଣେ ସର୍ଜକ ପାଇଁ କିଛି ପ୍ରଶିକ୍ଷଣର ଆବଶ୍ୟକତା ନାହିଁ ।

ଶ୍ରେଷ୍ଠ ଲେଖାଟିଏ ବାଛିବା ସମ୍ଭବ ନୁହେଁ । ଯାହା ମୋ ପାଇଁ ଶ୍ରେଷ୍ଠ ତାହା ଆଉ କାହା ପାଇଁ ସାଧାରଣ ହେବା ଅସମ୍ଭବ ବି ନୁହେଁ । ତେଣୁ ମୁଁ ଜୁରୀ ହେବାକୁ କେବେ ପସନ୍ଦ କରେନି । ଦୁନିଆରେ ଅନେକ ବହି କି ସୃଜକଙ୍କୁ ମୁଁ ପଢି ନାହିଁ । ତେଣୁ ଅଳ୍ପ ଭିତରୁ ସମଗ୍ରକୁ ବାଛିବା ମୋତେ ଅଦ୍ଭୁତ ଲାଗେ । ଜଣେ ସଫଳ ଲେଖକ ନିଜ ଆଖି ଓ ପାଠକର ଆଖି ଏତେ ସମାନ କରିଦିଏ ଯେ ପାଠକ ସେ ଲେଖା ଭିତରେ ଆସ୍ତେ ଛୁଇଁଯାଏ ନିଜ ଦୁର୍ବଳତା ଅନ୍ୟକୁ ବିଲକୁଲ କିଛି ନକହି ।

Related Posts

Leave a Reply

Your email address will not be published. Required fields are marked *