ବିନୟ ମହାପାତ୍ର
ହେ ପୃଥିବୀ,
ତୁମେ କାଳେ ସର୍ବଂସହା ଧରିତ୍ରୀ,
ତୃମେ ସୃଷ୍ଟି, ତୁମେ ଜନନୀ
ତୁମରି କାରଣ ଏଇ ସମଗ୍ର ସୃଜନୀ ।
ନାରୀ ବି ତ ସବୁ କିଛି ସହିଯାଏ,
ପଣତରେ ଲୁହ ପୋଛି ଦୁଃଖ ସବୁ ପିଇ ନିଏ
ତୁମଠାରୁ ଶିଖିଅଛି ପରା ସହିବାର ଗୁଣ
ଅନ୍ତର ବେଦନା ହୃଦୟେ ଲୁଚାଇ ନିଏ ।
ହେ ମାତା,
ତୁମର ଏ କନ୍ୟାମାନଙ୍କୁ
ବତେଇ ଦିଅନ୍ତନି ଥରେ,
ତୁମ ପରି ନାରୀରେ ବି ଲୁଚିଛି,
ଅଜସ୍ର ଗରମ ଲାଭାର ସ୍ରୋତ,
ଖାଲି ଏକ ବିଷ୍ଫୋଟର ଆବଶ୍ୟକ !
ତୁମେବି ତ ଉଦ୍ଗାରୀ ଯାଅ,
ଆଗ୍ନେୟଗୀରିର ସେହି
ଉତ୍ତପ୍ତ ଲାଭାର ସ୍ରୋତ,
ତୁମେବି ତ କମ୍ପି ଉଠ କ୍ରୋଧର ଭୂକମ୍ପ ।
ଅନ୍ୟାୟକୁ ନିରବରେ ସହିଯିବା,
ଲୁହ ପୋଛି ଚୁପ୍ ରହିଯିବା,
ନୁହେଁ କିଛି ମହାନତା ବିଧି ।
କେବେ ବି ନୁହଁଇ ସିଏ
ସର୍ବସଂହା ନାରୀର ଉପାଧୀ ।
ଧିକ ସେ ଜୀବନ ମାତା,
ଯିଏ ନିଜକୁ ଅସହାୟ ମଣେ
ଅବଳା ଦୁର୍ବଳାରେ ଗଣେ,
ଅନ୍ୟର ଦୟାକୁ ନିଜର ଢାଲ ମାନିନିଏ ।
ବିଧାତା ନାରୀକୁ ଦେଇଛି
କୋମଳ ହୃଦୟ ଆଉ
ମମତାର ମଧୁରତା
ପ୍ରେମ ସୁଧା ବାଣ୍ଟିବାକୁ ଶତ କୋମଳତା ।
କେବେବି ଦେଇନି ଏହି ସରସତା
ଖାଲି ଅତ୍ୟାଚାର ସହିବାକୁ ସହନଶୀଳତା !
ବିଧାତା ଦେଇଛି ନାରୀକୁ ବି ସବୁକିଛି,
ପୁରୁଷ ସମାନ ନୁହେଁ,
ପୁରୁଷଠୁ ଅଧିକ ଦେଇଛି ।
ତଥାପି କାହିଁକି ନାରୀ
ଅବଳାର ପଣତରେ ନିଜକୁ ଲୁଚାଇ ନିଏ,
ପୁରୁଷର ମନଗଢା ରୀତି ପରମ୍ପରା
ଆଖି ବୁଜି ମାନିନିଏ ?
ଭୂଲିଯାଏ ନିଜର ଶକ୍ତିକୁ
ଦୂର୍ଗା କାତ୍ୟାୟନୀ ଅବା
ଯେତେ ବିଦୂଷୀ, ବୀରାଙ୍ଗନା
ନିଜର ମହାକାଳୀ ରୂପକୁ !
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।