ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ବଂଶଧାରା ଟପୁଟପୁ ଆସେ ଗୁମୁଡ଼ା । ଲାଗେ ରାୟଗଡ଼ା ଆଉ ଅଳ୍ପ ଦୂର । ଗୋଟେ ଭୟଙ୍କର ଘାଟି ଚଢ଼ି, ବୁଲେଇ ବଙ୍କେଇ ରାସ୍ତାରେ ପାହାଡ଼ ଓ ଗଛଙ୍କ ମେଳି ଦେଇ ରାସ୍ତା କାଟି ଗଲାପରେ ତ ରାୟଗଡ଼ା ! ନୂଆ ସହର । ମଣିଷ କିନ୍ତୁ, ସେଇ ଆଦିମ ।

ଗୁମୁଡ଼ା ସହ ପରିଚୟ ଚାହାରୁ । ତପ୍ତପାଣି ଘାଟି ପରେ ତ ଆଗରୁ ମୋବାଇଲ ନେଟୱର୍କ ନଥିଲା, ତେଣୁ ସାଙ୍ଗରେ କିଏ ଥିଲେ, ଗପିବା ପାଇଁ ସୁବିଧା ହୁଏ, ସୁଯୋଗ ବି ମିଳେ ।

ସେଥର କିନ୍ତୁ ଆମେ ଚାରି ଜଣ ଯାଉଥାଉ କୋରାପୁଟ । ଅଡ଼ବା ପରେ ଟିକେ ଥକ୍କା ଲାଗୁଥାଏ, ଗପ କିନ୍ତୁ ଜମାଣିଆ । ସେଇଠୁ ଇଚ୍ଛା ହେଲା – କୋଉଠି ଟିକିଏ ଚାହା ମିଳନ୍ତା କି ? ଆଉ ଅଚାନକ ଗୁମୁଡାରେ “ଟି ଆଣ୍ଡ କାଫେ ଷ୍ଟଲ୍” ଦେଖି ସେଇଠି ଅଟକି ଯାଇଥିଲୁ । ଏଡ଼େ ସୁନ୍ଦର ଚାହା, ପାହାଡ଼ର ମେଳି ଭିତରେ ଯେ ମିଳିପାରେ, କଳ୍ପନା ହିଁ ନଥିଲା ।

ପରେ ଯେବେ ଯାଏ, ସେଇଠି ରହେ – ଚାହା ପିଏ । ସକାଳ, ଦିନ କି ଅପରାହ୍ନ ହେଉ, ଭାତ ଖାଇବା ବେଳ ହେଉ ପଛେ ।

ପ୍ରଥମ ଦିନ ଦୁଇଟି ଗ୍ଲାସରେ ଦି’ ଜଣ ଆମେ ପିଇଥିଲୁ ଚାହା । ପରେ ସେ ଗୋଟିଏ ଗ୍ଲାସରେ ହିଁ ରହିଗଲା ସୀମିତ ।

କିଏ ଥିଲେ, ନଥିଲେ କି ଜୀବନ ଅଟକିଛି କେବେ ? ଜୀବନ ଚାଲେ ତା’ ଲୟରେ, ତା’ ସୁଅରେ, ବଂଶଧାରାର ପାଣି ପରି । କୋଉଠି ବାଲି ମାଡ଼ି ଯାଇଥିବ, ସୁଅ ହୋଇଥିବ ପତଳା, ଜାଗାଏ ନଈ ଛାତି ଖୋଳି ନେଇଥିବ କିଏ କି ପ୍ରକୃତି ତିଆରି କରିଥିବ ଅକାତ କାତ ଖାଲ – ଗଣ୍ଡ; ନଈ ଭିତରେ, ଯୋଉଠି ଥଳ ପାଏନି, ମଣିଷ ଝୁଲେ ପାଣିର ନହଡ଼ିରେ, ହାବୁକା ହାବୁକା ପାଣି ତା’ ପ୍ରଶ୍ଵାସରେ ଆଣେ ବାଧା, କିନ୍ତୁ ମଣିଷ ଖସି ଆସେ । ପୁଣି କୋଉଠି ଚୋରାବାଲି ଗୋଡ଼କୁ ଟାଣେ, ଭିତରକୁ, ତଳକୁ ତଳକୁ- ମାଟି ଛାତିକୁ । ମଣିଷ କୋଉଠି ହାରେ, କୋଉଠି ଜିତେ – କିନ୍ତୁ ଅଟକେ ନାହିଁ ସେ, ଚାଲୁଥାଏ ତ, ଥମ୍ବେ ନାହିଁ ସେ, ପାଦ ବଢ଼ାଉ ଥାଏ ଆଗକୁ ଆଗକୁ ସେ ।

ଗୁମୁଡ଼ାର ଚାହା ଦୋକାନଟି କିନ୍ତୁ ନାହିଁ ଆଉ । କେତେ ଗପ ସେ କୁଞ୍ଚୁକୁଞ୍ଚିକା ବାଳ ପିଲା ସହ, ତା’ ଚାହାର ସୁଆଦ ନେଇ ।

ଏଥର କୋରାପୁଟ ଗଲାବେଳେ ବାଟର ସମସ୍ତ ଚାହା ଦୋକାନ ଛାଡ଼ି ସେଠି ପହଞ୍ଚିଲା ବେଳକୁ ଦୋକାନ ଆଉ ମିଳିଲା ନାହିଁ, ମିଳିଲା ଆନ୍ଧ୍ର ଟିଫିନ୍ ଦୋକାନ ବୋର୍ଡ଼ ।

ସେ ରାସ୍ତାର ଗୋଟେ ଚମତ୍କାର ମାଇଲଖୁଣ୍ଟ ଥିଲା ଦୋକାନଟି, ଚାହାର ସ୍ଵାଦ ବି । ଏଣିକି ଆଉ ସେ ନାହିଁ, ନୂଆ ସାଇନ୍ ବୋର୍ଡ଼, ନୂଆ ଦୋକାନ – ନୂଆ ରକମର ଗରାଖ ବି ବୋଧେ !!

ଲାଗେ – ଗୁମୁଡ଼ା ସହ ସଂପର୍କ ସରିଗଲା କି ?? ଆଉ ତ ଚାହା ଦୋକାନ ନାହିଁ, ଅଟକିବି କାହିଁକି ? ଆଗରେ କୋଉଠି ନୂଆ ଚାହା ଦୋକାନ ଖୋଜିବି, ତା’ ସହ ତେଣିକି ଗପ, ତା’ ଚାହା, ତା’ ଜୀବନ ଦୁନିଆ ।

ପୁଣି ଲାଗିଛି – ଯାବତୀୟ ଯେତେକ ସରିଗଲେ, ନିଭି ପୋଛି ହୋଇଗଲେ ବି ଯାହା ବଞ୍ଚେ, ଜୀଏଁ ଯାହା – ତାହା ତ ସ୍ମୃତି !!

ତେଣୁ ପୁରୁଣା ତମାମ ମୁହୁର୍ତ୍ତ ତୋଳିବାକୁ ହେଲେ ଗୁମୁଡ଼ାରେ ତ ଓହ୍ଲେଇବାକୁ ପଡ଼ିବ, ତେଣୁ ଅଟକିବା ନିଶ୍ଚିତ ।

ଯୋଡ଼ିଏ ଚାହା କପ୍, ଗୋଟେ ହେଉ କି ଚାହା ଆଉ ନମିଳୁ, ତେବେ ବି ତ ଅନେକ ହସ, ଫଟୋରେ ସନ୍ତକ, ବଂଶଧାରାରେ ଲମ୍ବା କ୍ୟାମେରା ଲଗେଇ ଅସ୍ତ ସୂର୍ଯ୍ୟଙ୍କ କିରଣ ତୋଳି ଧରିବା, ଅନ୍ଧାର ସେଇ ପୋଲ ଉପରେ ମାଡ଼ି ଆଇଲା ବେଳେ – ଟିପି ଟିପି ତାରାଙ୍କୁ ଦେଖିବା, ଅଳ୍ପ ଅଦା ଚାହା ପିଇ ଦିଅନ୍ତୁ ମୁଣ୍ଡ ବିନ୍ଧା ଉଶ୍ୱାସ ଲାଗିବ ପରି ଆଦର ଓ ସ୍ନେହ – ଆଦି ଭିତରେ ଗୁମୁଡ଼ା ସବୁଦିନେ ରହିବ ସତେଜ, ବିଗତ ଉଷୁମ ଆଲିଙ୍ଗନ ପରି ।

ଯାଜପୁର

ଲେଖକ ପରିଚୟ

ଡ. ମହାପାତ୍ର ଜଣେ ଗଣମାଧ୍ୟମ ଶିକ୍ଷାବିତ ଓ ସାମ୍ବାଦିକ ଭାବେ ଢେର ବର୍ଷ କାର୍ଯ୍ୟ କରିଛନ୍ତି । ସେ ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖନ୍ତି । ମାଟି ଓ ମଣିଷଙ୍କୁ ନେଇ ଗପ ଓ କବିତା ଲେଖୁଥିବା ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ‘ଯାଜପୁର-ସେ ସମ୍ପର୍କ ସେଇମିତି’ ନାଁରେ ସଂକଳନଟିଏ ପ୍ରକାଶିତ ହୋଇସାରିଛି । ଏହା ବେଶ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି ।

Related Posts

One thought on “ଚାହାର ଚମକ

  1. ଖୁବ୍ ସୁନ୍ଦର ଓ ସଦା ସତେଜ ଅନୁଭୂତି ! ହୃଦୟଗ୍ରାହୀ

Leave a Reply

Your email address will not be published. Required fields are marked *