ବିନୟ ମହାପାତ୍ର
ତୁମେ କହିଥିଲ,
ବସନ୍ତ ଆସିଲେ, ତୁମେ ବି ଆସିବ,
ତୁମରି ସେ ସୁକୁମାରୀ କୁମାରୀ ଅଙ୍ଗଲତାକୁ
ସୋରିଷ ଫୁଲର ହଳଦିଆ ଶାଢୀରେ ସଜାଇ
ମୋତେ ପ୍ରୀତି ଉପହାର ଦେବ ।
ତୁମେ କହିଥିଲ,
ତୁମେ ନିଶ୍ଚୟ ଆସିବ,
ଥିରିଥିରି ମଳୟ ପବନରେ
ତୁମରି ସେ କସ୍ତୁରୀ ମହକ ଆଣିବ ।
କୃଷ୍ଣଚୁଡ଼ାର ନାଲିନାଲି ଫୁଲର ରଙ୍ଗରେ,
ତୁମରି ସେ ମଖମଲି ଓଠକୁ ସଜେଇ,
ତୁମେ ମୋର ଅଗଣାରେ ରଙ୍ଗ ଭରିଦେବ ।
ଫୁଲରେ ଫୁଲରେ
ଭ୍ରମରର ଗୁଣୁଗୁଣୁ ସୁରେ
ତୁମର ସେ ରୁଣୁଝୁଣୁ,
ପାଉଁଜିର ଗୁଞ୍ଜରଣ ଖେଳିଯିବ,
ତୁମର ନରମ ବାହୁ ବନ୍ଧନରେ
ମଳୟର ମଧୁରତା ନେଇକି ଆସିବ ।
କୃଷ୍ଣଚୁଡ଼ାର ନାଲିନାଲି
ଫୁଲ ସମ୍ଭାରରେ ଆମ୍ବ ବଉଳର ମହକ,
ମହମହ ବାସି ଯାଉଥିବା
ମହୁଲ ଫୁଲର ମଧୁ ମହକରୁ
ବସନ୍ତ ଆସୁଛି ବୋଲି ଜାଣି ସାରିଲିଣି ।
କୋଇଲି ତ ଏ ଯାଏ ଆସିନି,
ହେଲେ ଆସିବ ନିଶ୍ଚୟ,
ହୋଇପାରେ, ଟିକେ ଡେରି ହୋଇଯିବ
ଶିଶିର ଯେ ନେଲାଣି ମେଲାଣି !
ହେଲେ ତୁମେ ଆସିବ କି ନାହିଁ,
ତାର କିଛି ଠିକ୍ ଠିକ୍
ଠିକଣା ପାଉନି
ନା କଛି ସନ୍ଦେଶ ଆସିଛି ତୁମର
ତୁମ ପ୍ରତୀକ୍ଷାରେ
ମନ ମୋର ଅଧିର ହେଲାଣି ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।