ସତ୍ୟନାରାୟଣ ଗନ୍ତାୟତ

“ମିଛୁଆ ଗାଈଆଳ ଟୋକା ମଲା ପୂର୍ବରୁ ଗାଇଥିବା ଗୀତ” କବିତା ବହିଟି କିଣି ଏକାନଟେ ପଢି ପକାଇ ଏହାର କବି ଭାବେ ଶୈଳଜ ରବିଙ୍କ ସହ ଆନ୍ତରିକ ଭାବଦୋସ୍ତି ଯୋଡ଼ିଥିବା ଏ ପାଠକ, ଯେବେ ବହୁବର୍ଷ ପରେ ତାଙ୍କୁ ଚାନ୍ଦୋଳର ପୁନର୍ଣ୍ଣବା ସାହିତ୍ୟ ସଭାରେ ଭେଟେ, ତ ଦେଖେ, ସେ ସମ୍ମାନିତ ହେଉଛନ୍ତି ଜଣେ ପୁସ୍ତକପ୍ରାଣ ପ୍ରକାଶକ ଭାବେ । ଆଚମ୍ବିତ ହୁଏ ପୁସ୍ତକର ପ୍ରସାରାର୍ଥେ ତାଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଅବଗତ ହୋଇ !! ଆଳାପାନ୍ତେ ସେ ରାୟଗଡ଼ାର ଭୂଦାନ-ଗ୍ରାମଦାନ ସର୍ବୋଦୟାଦି ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ବିଷୟରେ ପଚାରନ୍ତେ ସ୍ୱତଃ ପ୍ରାଞ୍ଜଳ ହୋଇଯାଏ ସେ ସମାଜପ୍ରାଣ ମଣିଷ ଜଣେ, ସର୍ବାଗ୍ରେ !! କବିପଣ ତାଙ୍କର ସମାହିତ ଆତ୍ମଭୁଲା ସମାଜଚିନ୍ତନ ଓ ତଦନୁରୂପ ଅହରହ କର୍ମ ସମ୍ପାଦନ ଭିତରେ l ସୁତରାଂ ତାଙ୍କର ପ୍ରତିଟି କବିତାର ଏ ବିମୁଗ୍ଧ ପାଠକ ମଥା ନୁଆଁଏ ତାଙ୍କ ପାଠକ ନିର୍ବାଚିତ ଚାଳିଶିଟି କବିତା ପାଇଁ !! ବିପୁଳ ପାଠକାଦୃତ ଏ ଅନନ୍ୟ ପୁସ୍ତକ ସମେତ ବହୁ ଆଦୃତି ପ୍ରାପ୍ତ କବିତା ପୁସ୍ତକର କବି ହୋଇଥିଲେ ହେଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପ୍ରଦତ୍ତ କବିତା ପୁରସ୍କାର ବିନମ୍ରତାର ସହ ଗ୍ରହଣ ନକରନ୍ତେ ତାଙ୍କ ସମୁନ୍ନତ ସ୍ୱାଭିମାନପୁଷ୍ଟ ବ୍ୟକ୍ତିତ୍ୱ ସ୍ୱତଃ ଝଲସି ଉଠେ ! ନୃତତ୍ୱ,ସଂସ୍କୃତି, ଚିତ୍ରକଳା,ମୌଳିକ ପ୍ରବନ୍ଧ ତଥା ଉଚ୍ଚାଙ୍ଗ ଆଲୋଚନା ସମେତ ସମ୍ପାଦନା ଓ ଅନୁସୃଜନାଦି ବିବିଧ କ୍ଷେତ୍ରରେ ପ୍ରତିଭାତ ହୋଇଥିଲେ ହେଁ ସର୍ବତ୍ର ମନ ହିଁ ହୋଇ ଆସିଛି ତାଙ୍କର ନିଜ ଗୁରୁ !!

ମୋତେ, ମୋ ଦିବଙ୍ଗତ ଭାଇ ଶିବ ଓ ନାନୀ ନିର୍ମଳାଙ୍କୁ ସେ ନିଜ ଆଗ୍ରହ ଚାଳିତ ହୋଇ ଭେଟିଛନ୍ତି । ଆମ ଦୁଃଖରେ ସେ ସହଭାଗୀ ହୋଇ ସତକୁ ସତ ଧକେଇ କାନ୍ଦିଚନ୍ତି ଆପଣାର ମଣିଷଙ୍କୁ ଭଳି !! ଆମ ପିଲାଙ୍କୁ କୋଳେଇ ଉପହାର ଦେବାବେଳେ ତାଙ୍କ ଭିତରର ସରଳ ଗାର୍ଜନ ରୂପ ଦେଖି ପୁଲକିତ ହେବା ସହ ଅପରପକ୍ଷେ କେବେକେବେ ତାଙ୍କ ବିଚାରଠୁ ସମ୍ପୂର୍ଣ୍ଣ ବିପରୀତ ଆମ ବିଚାର ସତ୍ତ୍ୱେ ତାଙ୍କ ଉଦାତ୍ତ ପଣର ଦାମ୍ଭିକତା ବି ପ୍ରତ୍ୟକ୍ଷ କରି କିଞ୍ଚିତ ତ୍ରସ୍ତ ହୋଇଚି । ସେ ଭଲପାଆନ୍ତି ତ ସତସତିକା ଭଲପାଆନ୍ତି, ପାଇ ଚାଲନ୍ତି ଏବଂ ଏମିତି ଅସାମାନ୍ୟ ଭଲପାଇବା ଅଜାଡ଼ି ଦେଇ ହେବ ବୋଲି କି କ’ଣ ମୂଳରୁ ହିଁ ଆମେ ଯେମିତି ତାଙ୍କୁ ମଉସା ଡାକୁ ସେ ନେଇ ଆମକୁ ତାଗିଦ କରିଥିଲେ । ଅନ୍ୟଥା ସେ ଆମ ପ୍ରିୟକବି ଶୈଳଜ ରବି : ବହୁଜନ ପ୍ରିୟ ଅନେକଙ୍କ ସଦା ସମ୍ମାନନୀୟ ରବି ଭାଇ !!

ଶୈଳଜ ରବିଙ୍କୁ ମୁଁ ଏମିତି ମୌଳିକ ମହତ୍ତ୍ୱରେ ଉଚ୍ଛଳ ଆତ୍ମୀୟୋପମ ଆପଣାର ମଣିଷଟିଏ ଭାବେ ହିଁ ମୋ ଅନ୍ତରରେ ସାଇତିଚି, ଯାହାଙ୍କୁ ମୋ ପ୍ରତିଟି ଅସହଜ କ୍ଷଣରେ ଲୋଡ଼ି ଆସୁଚି ଏବଂ ସିଏ ବି ମୁଁ “ମଉସା, ଦିଅନ୍ତୁ ଭରସା” ବୋଲି ମନେମନେ ଉଚ୍ଚାରିବା ମାତ୍ରେ ଇ ମୋତେ ପ୍ରତିଥର ତାଙ୍କ ଅକୃପଣ ଭରସାରେ ଭରପୁର କରି ଆସିଛନ୍ତି !!

“ସୁହାସିତମ୍”,କସ୍ତୁରୀ ନଗର, ରାୟଗଡା : ୭୬୫୦୦୧, ମୋବାଇଲ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା ସହ ସ୍ତମ୍ଭ ନିବନ୍ଧାଦି ବିବିଧ ବିଷୟକ ଗଦ୍ୟ ରଚନାରେ ରୁଚି ରଖି ଆସିଥିବା ଲେଖକଙ୍କ “ଥୁଣ୍ଟାଗଛ” ଓ “ଛବିର ମଣିଷ” ଶୀର୍ଷକ ଦୁଇଟି କବିତା ବହି ପ୍ରକାଶିତ । ଏଲ.ଆଇ.ସି, ରାୟଗଡ଼ା ଶାଖାର ସେବାରତ ଲେଖକ ସମ୍ପ୍ରତି ନିଜ ଦିବଙ୍ଗତ ଅନୁଜ ଗନ୍ତାୟତ ଶିବପ୍ରସାଦ ଓ ଅଗ୍ରଜା ନିର୍ମଳାଙ୍କ ଅପ୍ରକାଶିତ ରଚନାବଳିଙ୍କ ସଙ୍କଳନ ଓ ସଂକରକ୍ଷଣର ଭଳି ସାରସ୍ୱତ କର୍ମରେ ନିମଗ୍ନ ।

Related Posts

2 thoughts on “ମଉସା : ଭରସା

  1. ଆତ୍ମିକ ଭାବରେ ଲେଖା ବେଶ ହୃଦୟକୁ ଛୁଇଁ ଗଲା । ଖୁବ୍ ସୁନ୍ଦର ।

  2. ଜଣେ ଜୀବନ୍ତ କିମ୍ବଦନ୍ତୀଙ୍କୁ ନିଜର ସୁସଂଯୋଜିତ ଶବ୍ଦସବୁ ଦ୍ଵାରା ସମୁଚିତ ସମ୍ମାନ ପ୍ରଦାନ କରିଛନ୍ତି ଦାଦା, ଉଭୟଙ୍କୁ ମୋର ଭକ୍ତିପୂତ ସମ୍ମାନ

Leave a Reply

Your email address will not be published. Required fields are marked *