ଯୋଗଜନ୍ମା ସାହିତ୍ୟିକ ଶ୍ରୀ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀ

ପ୍ରତିଭା ପ୍ରିୟଦର୍ଶିନୀ

ବିଶିଷ୍ଟ ସାହିତ୍ୟିକ, କବି, ଲେଖକ, ଶିକ୍ଷକ, ତଥା ବିଶ୍ୱ ବିଖ୍ୟାତ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ୱ ବିହାରୀ’ ର ରଚୟିତା ଶ୍ରୀ ରାମକୃଷ୍ଣ ନନ୍ଦଙ୍କର ଆଜି ଜନ୍ମଦିନ । ‘ଆହେ ଦୟାମୟ ବିଶ୍ୱ ବିହାରୀ’ ଓଡ଼ିଶାର ଘରେ ଘରେ ପରିଚିତ ଏକ ପ୍ରାର୍ଥନା । ବିଦ୍ୟାଳୟ ହେଉ କିମ୍ବା ସନ୍ଧ୍ୟାଆଳତୀ କଲାପରେ ଘରେ, ପିଲାମାନେ ଖୁବ ଆଗ୍ରହର ସହିତ ପ୍ରାର୍ଥନାଟିକୁ ବୋଲିଥାନ୍ତି । ଏହି ଗୀତଟି ଶିକ୍ଷକ ତଥା କବି ରାମକୃଷ୍ଣ ନନ୍ଦଙ୍କ “ଝୁମୁକା” କବିତା ସଂକଳନରୁ ଆନୀତ । ପାରମ୍ପରିକ ଭାବେ ଏହି ଗୀତଟିକୁ ଓଡ଼ିଶୀ ସଙ୍ଗୀତର ଚକ୍ରକେଳୀ ବୃତ୍ତର ଛାନ୍ଦ ଭାବେ ଗାୟନ କରାଯାଏ । ଗୀତଟି ଓଡ଼ିଆ ଚଳଚ୍ଚିତ୍ର ବଳିଦାନରେ ମଧ୍ୟ ସ୍ଥାନ ପାଇଥିଲା ।

ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ଜଳ ସ୍ଥଳ ବନ ଗିରି ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ ||

ତୁମେ ଶୁଭ ବୁଦ୍ଧି ପରା ସିଖାଅ, ତୁମେ ଭଲ ବାଟ ପରା ଦେଖାଅ |
ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରଷ ||

ତୁମ ଚରଣରେ ମୋର ଭକତି, ଦିଅ ବିପଦେ ସାହସ ଶକତି |
କୂଟ କପଟ ସ୍ୱଭାବ ଯାହାର, ତାଙ୍କୁ ଦୂରୁ ମୁଁ କରଇ ଜୁହାର ||

ମୋତେ ନମିଶାଅ ତାଙ୍କ ସାଥିରେ, ସଦା ରଖ ସାଧୁଜନ କତିରେ |
ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ନଦିଏ ମୁଁ କଷଣ ||

ଦୁଃଖୀ ଅରକ୍ଷିତ ସେବା କାରଣେ, ବଳ ଦିଅ ମୋର କର ଚରଣେ |
ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ||

ମୋତେ ଏତିକି ସିଖାଅ ସାଇଁ ହେ, ମୋର ଧନଜନ ଲୋଡା ନାହିଁ ହେ |
ତୁମେ ସବୁଠାରୁ ବଡ଼ ଠାକୁର, ସଦା ରହିବି ମୁଁ ତୁମ ପୟର ||

ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି …. (ଘୋଷା)

ରାମକୃଷ୍ଣ ନନ୍ଦ (୧୫ ଫେବୃଆରୀ ୧୯୦୬ – ୨୮ ସେପ୍ଟେମ୍ବର ୧୯୯୪) ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟକ ଓ ଗୀତିକାର । ସେ ଛାପାଖାନା ଓ ମୁଦ୍ରଣାଳୟ ପ୍ରତିଷ୍ଠା କରି, ବହୁ ଓଡ଼ିଆ ପୁସ୍ତକ ଓ ପତ୍ରିକା ପ୍ରକାଶନ କରିଥିଲେ । ୧୯୦୬ ମସିହା ଫେବୃଆରୀ ୧୫ ତାରିଖରେ କଟକ ଗୋବିନ୍ଦପୁର ଅନ୍ତ୍ରର୍ଗତ ବାଇରୋଇ ଠାରେ ସେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ସେଥିଯୋଗୁ, ରାମକୃଷ୍ଣଙ୍କୁ ପାଠ ପଢ଼ିବା ଛାଡ଼ି ଚାକିରି କରିବାକୁ ପଡିଥିଲା। ମାଟ୍ରିକ ପାସ କରିବା ଆଗରୁ ତାଙ୍କର ବିବାହ ହୋଇଥିଲା । ବିବାହ ପରେ ଚାକିରି ଛାଡ଼ି, ପୁଣି ପାଠ ପଢ଼ିବା ଆରମ୍ଭ କରିଥିଲେ । ସ୍ନାତକୋତ୍ତର ପାଠ ପଢ଼ିଥିଲେ ସୁଦ୍ଧା ଅଭାବ ଅନଟନ ଯୋଗୁ ସମାପ୍ତ କରି ପାରିନଥିଲେ ।

୧୯୪୬ ମସିହାରେ ସେ କଟକ ତଳ ତେଲେଙ୍ଗା ବଜାରରେ ଜାଗା କିଣି ଘର ତିଆରି କରିଥିଲେ ଓ ସେଠାରେ “ପାରିଜାତ” ଛାପାଖାନା ବସେଇଥିଲେ । ଏହା ଏକ ବିବାଦୀୟ ପରିସ୍ଥିତିରେ ବନ୍ଦ ହୋଇଥିଲା ଓ ତା ପରେ ସେ “ସଂସାର ପ୍ରେସ” ସ୍ଥାପନା କରିଥିଲେ । ୧୯୫୧ ମସିହାରେ ଏହି ପ୍ରେସରୁ “ସଂସାର” ପତ୍ରିକା ପ୍ରକାଶନ ଆରମ୍ଭ କରାଗଲା । ପାଠ୍ୟ ପୁସ୍ତକର ଜାତୀୟକରଣ ପୂର୍ବରୁ, ସେ ବହୁ ପୁସ୍ତକ ଛାପିଥିଲେ । ୧୯୩୩ ମସିହାରେ ବାରିପଦାରେ ଶିକ୍ଷକତା କରୁଥିବା ସମୟରେ, ସେ “ଆହେ ଦୟାମୟ ବିଶ୍ୱ ବିହାରୀ” ରଚନା କରିଥିଲେ। ଏହାବ୍ୟତୀତ ତାଙ୍କର ଅନ୍ୟ ରଚନାବଳୀ ଗୁଡ଼ିକ

୧୯୩୦ – ତୁଳସୀଦାସ
୧୯୩୧ – ତୁଳସୀଦାସ ଦୋହାବଳୀ
୧୯୩୩ – ପ୍ରତିଧ୍ୱନୀ
୧୯୩୪ – ୩୭ – ସାହିତ୍ୟ ସୋପାନ (ପାଠ ବହି)
୧୯୩୮ – ସାହିତ୍ୟ ବୋଧ (ପାଠ ବହି)
୧୯୪୦ – ରଚନା ଦର୍ପଣ (ପାଠ ବହି)
୧୯୪୪ – ୪୫ – ପାଠ ସୋପାନ (ପାଠ ବହି)
୧୯୩୬–୪୬ – ସଂଗ୍ରାମ ଓ ସାଧନା (ଭାଗ ୧ ଓ ୨)
୧୯୪୮ – ଡନ କ୍ୱିକ୍ସୋଟ (ଅନୁବାଦ)
୧୯୪୯ – ବିଜ୍ଞାନ କୁହୁକ
୧୯୬୨ – ବିଶ୍ୱ ପରିଚୟ (ଓଡ଼ିଆ ଭାଷାକୋଷ)
୧୯୬୯ – ଜୀବନ ତରଙ୍ଗ
୧୯୭୫ – ଝୁମୁକା
୧୯୭୭–୮୪ – ଛଅଟି ଗଛ ଶୃଙ୍ଖଳା (ଅଠର ଫୁଲ, କୋଡିଏ ଫୁଲ, ବାଇଶି ଫୁଲ, ତେଇଶି ଫୁଲ, ଚବିଶି ଫୁଲ, ସୁବର୍ଣ୍ଣ ସେଉ, ମରଣ ଦୋଳି, ସାଗର କନ୍ୟା)
୧୯୮୨ – ଓଡ଼ିଆ ଶିଶୁ ସାହିତ୍ୟ ଓ ସଙ୍ଗୀତ ସଙ୍କଳନ
୧୯୮୨ – ପ୍ରକୃତିର ଗଳ୍ପପୁରୀ
୧୯୮୨ – ଇନ୍ଦ୍ରଧନୁ (ଅନୁବାଦ)
୧୯୮୩ – ଆମ ବଣ ଜଙ୍ଗଲ କଥା (ଅନୁବାଦ)
୧୯୮୩ – ଆମ ଶରୀର (ଅନୁବାଦ)
୧୯୮୪ – ସୁନା ପାହାଚ
୧୯୮୪ – ଆମ ଜାତୀୟ ପଶୁ, ଜାତୀୟ ପକ୍ଷୀ
୧୯୮୫ – ଆମ ଜାତୀୟ ପତାକା ଓ ଜାତୀୟ ସଂଗୀତ, ଜାତୀୟ ପୁଷ୍ପ ଓ ଜାତୀୟ ପ୍ରତୀକ
୧୯୮୬ – ଜୀବନ ରହସ୍ୟ
୧୯୮୮ – ରତ୍ନ ପାଖୁଡ଼ା (ଭାଗ ୧ ଓ ୨)
୧୯୮୯ – ସତର ଫୁଲ
୧୯୮୯ – ଅଦେଖା ବଣର ଫୁଲ
୧୯୮୯ – ପଞ୍ଚତନ୍ତ୍ର କାହାଣୀ (ଭାଗ ୧, ୨ ଓ ୩)
୧୯୯୨ – ଲେଖନୀର ପାଠଶାଳା
୧୯୯୩ – ଭାବି ଦେଖନ୍ତୁ
୧୯୯୪ – ଟୁଣଟୁଣିର ବହି
୧୯୯୪ – ବିଶ୍ୱ ପରିଚୟ

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୭ – (ଝୁମୁକା ପାଇଁ) । ଆଜି ଜୟନ୍ତୀ ଅବସରରେ ସେହି ଯୋଗଜନ୍ମା ସାହିତ୍ୟିକଙ୍କୁ ଭକ୍ତିପୂତ ପ୍ରଣାମ ଓ ସମସ୍ତ ଓଡ଼ିଆ ଜାତି ତରଫରୁ ଶ୍ରଦ୍ଧାଞ୍ଜଳି ।

କଟକ

ଲେଖକ ପରିଚୟ

ପ୍ରତିଭା ପ୍ରିୟଦର୍ଶିନୀ ପିଲାଦିନରୁ ବହିପଢିବା ଓ ଲେଖିବାରେ ଆଗ୍ରହ। ବିଶେଷତଃ ପ୍ରବନ୍ଧ ସାହିତ୍ୟ ଲେଖିବାରେ ଆଗ୍ରହ। ନାମରେ ସମାନତା ଯୋଗୁଁ ପିଲାଦିନରୁ ପ୍ରତିଭା ରାୟଙ୍କ ପଢି ପଢି ତାଙ୍କୁ ନିଜର ଆଦର୍ଶ ମାନି ନେଇଥିଲି। ଏଯାବତ ଗୋଟିଏ ଗଳ୍ପ ସଂକଳନ “ସମର୍ପିତା” ପ୍ରକାଶ ପାଇଛି। ତେବେ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ଶହେରୁ ଉର୍ଦ୍ଧ୍ବ ଆଲେଖ୍ୟ ପ୍ରକାଶିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *