ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର

‘ଛାମୁ ଯାହା ଦେଲେ ହରଷେ …’ ଏହି ପଦଟି ଶୁଣିଲା ମାତ୍ରେ ମନକୁ ଚାଲିଆସେ ହାସ୍ୟରସର ପ୍ରଖ୍ୟାତ କବି ଯଦୁମଣି ମହାପାତ୍ରଙ୍କ କଥା । ପୁରାଣ, କାବ୍ୟ, ଅଳଙ୍କାର, ଶିଳ୍ପଶାସ୍ତ୍ର, ସଙ୍ଗୀତଶାସ୍ତ୍ର, ଜ୍ୟୋତିଷ ଓ ଦର୍ଶନଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଘଣ୍ଟର ଧ୍ୱନି ଭଳି ତାଙ୍କ କବିତା ସମସ୍ତଙ୍କୁ ସତର୍କ କରାଇ ଦେଉଥିବାରୁ ଯଦୁମଣି ନିଜକୁ ନିଜେ ‘ଉତ୍କଳ ଘଣ୍ଟ’ ନାମରେ ପରିଚୟ ଦେଉଥିଲେ ବୋଲି ଲୋକମତ ଅଛି । ୧୭୮୧ ମସିହା ଆଜିର ଦିନରେ ଗଞ୍ଜାମ ଜିଲ୍ଲା ଆଠଗଡ଼ର ପାଟଣାଗ୍ରାମରେ ଯଦୁମଣି ମହାପାତ୍ର ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ମୁକୁନ୍ଦ ମହାପାତ୍ର ଓ ମାଆ ଶୋଭଦେଇ । ଯଦୁକୃଷ୍ଣଙ୍କୁ ପୂଜା କରି ପୁତ୍ର ଲାଭ କରିଥିବାରୁ ପିତା ମୁକୁନ୍ଦ ମହାପାତ୍ର ପୁରଟିର ନାମ ଯଦୁମଣି ରଖିଥିଲେ ।

ଯଦୁମଣିଙ୍କ ଜନ୍ମସ୍ଥାନ ଗଞ୍ଜାମ ହୋଇଥିଲେ ସୁଦ୍ଧା ତାଙ୍କ କର୍ମଭୂମି ଥିଲା ନୟାଗଡ଼ । ଓଡ଼ିଆ ସାହିତ୍ୟର ରୀତିଯୁଗୀୟ କବି ମଧ୍ୟରେ ଯଦୁମଣି ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲେ । ପିଲାଦିନରୁ ସେ ସଂସ୍କୃତ ଭାଷାର କାବ୍ୟ, ନାଟକ, ଅମରକୋଷ ଆଦି ପାଠ କରିଥିଲେ । ସ୍ଥପତି ପରିବାରରେ ଜନ୍ମ ହୋଇଥିବାରୁ ଦେବ ବିଗ୍ରହମାନଙ୍କ ରୂପ ଚିତ୍ରଣ, କାଠ ଓ ପଥର ବିଗ୍ରହ ନିର୍ମାଣ, ପଟ୍ଟଚିତ୍ର ଅଙ୍କନ ଆଦିରେ ମଧ୍ୟ ସେ ଧୁରନ୍ଦର ଥିଲେ । ସେ ବିଭିନ୍ନ ରାଗରାଗିଣୀ, ଅଳଙ୍କାର ସମନ୍ଵିତ କାବ୍ୟ, ଚଉପଦୀ, ଭଜନ ଜଣାଣ ଓ ଗୀତ, କବିତା ମାନ ସୃଷ୍ଟି କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି ।

ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ସେ ‘ରାଘବ ବିଳାସ’ ଓ କୃଷ୍ଣଙ୍କୁ ନେଇ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ରଚନା କରିଥିଲେ ଯାହାକୁ ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ସର୍ବଶ୍ରେଷ୍ଠ କୃତି ବୋଲି କହିହେବ । କବି ହେବା ପାଇଁ ସେ ପିଲାଦିନୁ ପ୍ରବଳ ଆଗ୍ରହ ରଖିଥିଲେ । ଗାଁ ଚାଟଶାଳୀରେ ଶିକ୍ଷା ଶେଷ କରି ସଂସ୍କୃତି ଶିକ୍ଷା ପାଇଁ ସେ ମାନଧାତାପୁର ଗ୍ରାମର ଜଣେ ସଂସ୍କୃତ ପଣ୍ଡିତଙ୍କ ନିକଟକୁ ଯାଇଥିଲେ । ସେଠାରେ ଶିକ୍ଷା ସମାପ୍ତ ପରେ ସଂସ୍କୃତରେ ଉଚ୍ଚ ଶିକ୍ଷା ପାଇଁ ଘୁମୁସର ନିକଟବର୍ତ୍ତୀ ବିଷ୍ଣୁଚକ୍ର ଗ୍ରାମକୁ ଗଲେ । ସେଠାରେ ସେ ପଞ୍ଚମୁଖ ଭଗବାନ କବିରାଜ ବାହିନୀପତି ନାମକ ବିଖ୍ୟାତ ସଂସ୍କୃତ ପଣ୍ଡିତଙ୍କ ପାଖରୁ ଶିକ୍ଷା ଲାଭ କରିଥିଲେ । ସେଠାରୁ ଯଦୁମଣି ‘ହୟଗ୍ରୀବ’ ମନ୍ତ୍ର ପ୍ରାପ୍ତ ହୋଇ ସାଧନା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଯଦୁମଣି ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ଦରବାରରେ ରାଜକବି ଥିଲେ । ୧୮୬୬ ମସିହା ଜୁଲାଇ ୨ ତାରିଖରେ ତାଙ୍କର ପରଲୋକ ହୋଇଥିଲା । ଯଦୁମଣି ସବୁବେଳେ ଏକ ମାଳି ଓ କୁଣ୍ଡଳ ପିନ୍ଧୁଥିଲେ । ସେହି କୁଣ୍ଡଳ ଯଦୁମଣି ନିଜେ ହାତୀ ଦାନ୍ତରେ ତିଆରି କରିଥିଲେ । ନୟାଗଡ଼ ଜିଲ୍ଲାର ଉଦୟପୁର ଗ୍ରାମରେ ଦାସିଆ ଅଜାଙ୍କ ସଂଗ୍ରହାଳୟରେ ତାଙ୍କର ସାହିତ୍ୟ କୃତି ସମେତ ଏବେ ବି ସେହି କାନଫୁଲ ସାଇତା ହୋଇ ରହିଛି । ତାଙ୍କର ସ୍ମୃତିରେ ୧୯୯୮ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ରାଜ୍ୟସ୍ତରୀୟ ଯଦୁମଣି ଜୟନ୍ତୀ ପାଳନ କରୁଛି ଏବଂ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକଙ୍କୁ ‘ଯଦୁମଣି ସମ୍ମାନ’ରେ ସମ୍ମାନିତ କରାଯାଉଛି ।

Related Posts

Leave a Reply

Your email address will not be published. Required fields are marked *