ସର୍ବଭାରତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ ରୋଜାଲିନ

ଭୁବନେଶ୍ୱର : ପି.ଏମ୍. ୟୁବା ମେଣ୍ଟରସିପ୍-୨୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବ ଲେଖିକା ରୋଜାଲିନ ମହାନ୍ତି ।। ଏହି ଯୋଜନାରେ ସେ ମାସିକ ୫୦ ହଜାର ଟଙ୍କା ଲେଖାଏଁ ଛଅ ମାସ ପର୍ଯ୍ୟନ୍ତ ପାଇବେ । ଏହାସହିତ ତାଙ୍କର ପାଣ୍ଡୁଲିପି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଦ୍ଵାରା ପୁସ୍ତକ ରୂପେ ପ୍ରକାଶ ପାଇବ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁଦିତ ହେବ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବ ଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ଵାନ କରାଯାଇଥିଲା । ‘ଗଣତନ୍ତ୍ର’ ବିଷୟକୁ ନେଇ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପରେ ଲିଖିତ ଶ୍ରୀମତୀ ମହାନ୍ତିଙ୍କ ପାଣ୍ଡୁଲିପି ମନୋନୀତ ହୋଇଛି । ଗତ ୧୦ ତାରିଖ ଦିନ ଏନ୍. ବିଟି. ଦ୍ଵାରା ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ୱାର୍ଲ୍ଡ ବୁକ୍ ଫେୟାର୍ ରେ ସମସ୍ତ ଯୁବ ଲେଖକଙ୍କୁ ବିଭିନ୍ନ କାର୍ଯକ୍ରମରେ ଯୋଗ ଦାନ ଏବଂ ୧୧ ତାରିଖରେ ରାଷ୍ଟ୍ରପତିଙ୍କ ସହ ଭେଟ ତଥା ଭାବ ବିନିମୟର ସୁଯୋଗ ଦିଆଯାଇଥିଲା ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସିଦ୍ଧପୋଖରୀ ଗ୍ରାମର କୁମରବର ମହାନ୍ତି ଓ ସ୍ଵର୍ଗତ ସୁଧାଂଶୁବାଳା ମହାନ୍ତିଙ୍କ ସୁକନ୍ୟା ରୋଜାଲିନ ଗଳ୍ପ, କବିତା ରଚନା ସହ ଆକାଶବାଣୀ ଓ ଦୂରଦର୍ଶନ ଉପସ୍ଥାପିକା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସାମ୍ବାଦିକତାରେ ସ୍ନାତକତ୍ତୋର କରିଥିବା ରୋଜାଲିନ ପୂର୍ବରୁ ଖବରକାଗଜରେ କାମ କରିବା ସହ ସାହିତ୍ୟ ସାଧନା ପାଇଁ କଥା ନବପତ୍ରିକା ପୁରସ୍କାର, କାଦମ୍ବିନୀ ନବଉନ୍ମେଷ ପୁରସ୍କାର ପାଇଛନ୍ତି । ସମ୍ପ୍ରତି ଭୁବନେଶ୍ୱରରେ ଅବସ୍ଥାନ କରୁଥିବାବେଳେ ସେ ମୟୂରଭଞ୍ଜ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପ୍ରାପ୍ତ ଗାଳ୍ପିକା ଡ. ଦିଲ୍ଲୀପ ବେହେରାଙ୍କୁ ବିବାହ କରିଛନ୍ତି । ଦେଶର ବିଭିନ୍ନ ଭାଷାରୁ ମନୋନୀତ ମୋଟ ୪୪ ଲେଖକଙ୍କ ମଧ୍ୟରେ ଶ୍ରୀମତୀ ମହାନ୍ତି ଏକମାତ୍ର ଓଡ଼ିଆ ଲେଖକ ଭାବେ ନିର୍ବାଚିତ ହୋଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *