ଅଧା ଲେଖା କାହାଣୀ

ଇଂ ସଚିଦାନନ୍ଦ ବାରିକ

ମୁଁ ଜାଣିନି
ତୋ ପାଖେ ମୋର ବାର୍ତ୍ତା ପହଞ୍ଚେ କି ନା
ହେଲେ
ଏ ପଟେ ଦିନ ରାତି
ଏମିତି ବି ନିଦ ଲାବିବା ଯାଏଁ
କେବଳ ତୁ ହି ତୁ …

ଏବେ ତୁ କହିପାରୁ
ନିହାତି ବାଜେ ଲୋକଟିଏ
ବାରମ୍ବାର ସେଇ ଗୋଟିଏ ବାର୍ତ୍ତା
କିନ୍ତୁଁ ମୋ ପାଇଁ ତ ସବୁବେଳେ ନୂଆ
ମୋତେ ଲାଗେ ତୁ ଉତ୍ତର ନିଶ୍ଚୟ ଦେବୁ …

ଯଦିଓ ମୁଁ ଜାଣେ
ଠିକଣା ଜାଣି ଜାଣି ହଜେଇଲା ପରେ
ଅପେକ୍ଷା ନିରର୍ଥକ

ହେଲେ ଆଜିର ଯୁଗରେ
କେତେବେଳେ କିଛି ବି ହେଇପାରେ
ତୋ ପାଖରୁ କିଛି ବାର୍ତ୍ତା ଆସିପାରେ
କାରଣ ମୁଁ ଏବେ ବି ସେଇ ଠିକଣାରେ

ଆଉ ଏଠି ଅନେକ ନଜିର ଅଛି
ଚିଠି କେବେକେବେ ଭୁଲ ଠିକଣାରେ ଆସିବାର …

ମୁଁ ଜାଣିଛି
ଏ ପୃଥିବୀ ଗୋଲ
ଆସିବ ନିଶ୍ଚୟ ଖବର
ଆଜି ନହେଲେ କାଲି
କାଲି ନହେଲେ ବି ଦଶ ବର୍ଷ ପରେ
କିଛି ନ ହେଲା ନାହିଁ କେବେ ନା କେବେ ମୋ ଜୀବଦଶାରେ

ଅତପକ୍ଷା ଠିକ ସେମିତି ଥିବ
ଯେବେ ପ୍ରଥମ କରି ଭେଟିଥିଲେ
ପାଟି ଅଠା ଅଠା
ଛାତିରେ ଛାତିଏ ସ୍ପନ୍ଦନ ନେଇ

ବିଶ୍ଵାସ କର
ଏବେ ବି ଘରକୁ ଚିଠି ଆସିଲେ
କେଜାଣି କାହିଁକି ହୃତସ୍ପନ୍ଦନ ବଢେ
ତୋ ଚିଠି ଭାବି …

ଯଦିଓ ମୁଁ ଜାଣେ
ସେମିତି କିଛି ଲେଖା ନଥିବ
ସେ ଚିଠିରେ

ମୁଁ ଏବେ ନିରବି ଗଲିଣି
କିଛି କାରଣକୁ
କିଛି ସମ୍ପର୍କକୁ
ଜାଣି ଜାଣି ଛାଡି ଆେିଛି ଅଧା ବାଟରେ
ଅତୀତକୁ ଭୁଲିବା ବାହାନାରେ ।

ସଚ୍ଚିଦାନନ୍ଦ ବାରିକ, ଗ୍ରାମ/ପୋଷ୍ଟ – ଝୁଁମ୍ପୁଁରା, ଜିଲ୍ଲା – କେନ୍ଦୁଝର – ୭୫୮୦୩୧, ମୋବାଇଲ- ୯୭୭୬୩୫୦୫୮୦
ମେଲ – sachikjr@gmail.com

ଲେଖକ ପରିଚୟ

ଛୋଟବେଳେ ବାପା ଘରକୁ ବିଭିନ୍ନ ଗଳ୍ପ ବହି ଯେପରି କି ଜହ୍ନମାମୁଁ, ମିନାବଜାର, ପ୍ରଜାତନ୍ତ୍ର ସାପ୍ତାହିକୀ ଆଣୁଥିଲେ । ସେ ବହି ସବୁରେ ପ୍ରକାଶିତ ପ୍ରତ୍ୟେକଟି ଗଳ୍ପ କବିତା ଭଲ ଲାଗୁଥିଲା । ୨୦୧୨ ରୁ ମୁଁ ଏ କବିତା ଲେଖା ଆରମ୍ଭ କଲି । କେତେବେଳେ କବିତା ପ୍ରେମରେ ପଡ଼ିଲି ନିଜେ ବି ଜାଣିପାରିନି । ବିଭିନ୍ନ ପତ୍ରପତ୍ରିକା ତଥା ଖବରକାଗଜରେ ମୋର କବିତାମାନ ପ୍ରକାଶିତ ହୋଇଛି । ପେନ୍ ଇନ୍ ଦ୍ୱାରା ପ୍ରକାଶିତ ‘୩୦ ଭିତରେ ୩୦’ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲି । ମୋ ପ୍ରକାଶିତ କବିତା ପଢି ଅନେକ ପାଠକ ଫୋନ କରି ପରାମର୍ଶମାନ ଦିଅନ୍ତି ଯାହାକୁ ଗ୍ରହଣ କରି ନିଜକୁ ସୁଧାରିବାକୁ ମୁଁ ଚେଷ୍ଟା କରିଚି । ମୋତେ ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ, ସାମ୍ପ୍ରତିକି, ପ୍ରେମ ଓ ପ୍ରତାରଣାକୁ ନେଇ ଲେଖିବାକୁ ଭଲ ଲାଗେ ।

Related Posts

Leave a Reply

Your email address will not be published. Required fields are marked *