କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କୁ ଜନ୍ମଦିବସରେ ଆଭୂମ ପ୍ରଣାମ

ଭୁବନେଶ୍ୱର : ପ୍ରଣମ୍ୟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଁରେ ୧୯୨୨ ମସିହା ଜୁନ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଏକାଧାରରେ ସେ ଥିଲେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ଵାଧୀନତା ପରବର୍ତ୍ତୀ ସମୟରେ ଜଣେ ଲବ୍ଧ ପ୍ରତିଷ୍ଠିତ କଥାଶିଳ୍ପୀ ଭାବେ ଖୁବ ଖ୍ୟାତି ଲାଭ କରିଥିଲେ ସେ । ସମାଜରେ ବଦଳୁଥିବା ନାନାଦି ଘଟଣାକୁ ସେ ନିଜ ଲେଖନୀ ମାଧ୍ୟମରେ ଗପରେ ପରିଣତ କରିଛନ୍ତି । ଅନନ୍ୟ ପ୍ରତିଭା ସୁରେନ୍ଦ୍ର ମହାନ୍ତି ବିଦ୍ୟାଳୟରେ ପଢୁଥିବା ବେଳେ “ମାଧବୀ ମାଳତୀ” ଗୀତିନାଟ୍ୟ ଲେଖିଥିଲେ । ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ ତଥା ସାହିତ୍ୟ ସମୀକ୍ଷକ ହିସାବରେ ସେ ବେଶ ପରିଚିତ ଥିଲେ ।

ଗଦ୍ୟ ସାହିତ୍ୟର ସମସ୍ତ ବିଭାଗରେ ଅବିରତ ଲେଖି ସେ ନିଜ ଲେଖନୀ ଚାଳନା କରି ନିଜ ଅନନ୍ୟ ସାରସ୍ଵତ ପ୍ରତିଭାର ପରିଚୟ ଦେଇଥିଲେ ସେ । ୧୯୫୨ ମସିହାରେ ରାଜ୍ୟସଭାର ସାଂସଦ ହୋଇଥିବା ସୁରେନ୍ଦ୍ର ମହାନ୍ତି ଥିଲେ ସେ ସମୟରେ ଭାରତର ସର୍ବକନିଷ୍ଠ ସାଂସଦ । ଏପରିକି ରାଜ୍ୟସଭା ସାଂସଦ ହେବାର ସର୍ବନିମ୍ନ ୩୦ ବର୍ଷ ମଧ୍ୟ ତାଙ୍କୁ ପୁରିନଥିଲା । ସେଥିପାଇଁ ଦାଖଲ ହୋଇଥିବା ପ୍ରମାଣପତ୍ରରେ ତାଙ୍କୁ ବୟସ ବଢାଇବାକୁ ପଡିଥିଲା ବୋଲି ସେ ନିଜର ଆତ୍ମଜୀବନୀ ‘ପଥ ଓ ପୃଥିବୀ’ ରେ ଲେଖିଛନ୍ତି ।

‘ସବୁଜ ପତ୍ର ଓ ଧୂଷର ଗୋଲାପ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ‘ନୀଳଶୈଳ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା । ଓଡ଼ିଆ ସାହିତ୍ୟ ଜଗତର କାଳଜୟୀ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ୧୯୯୦ ଡିସେମ୍ବର ୨୧ ତାରିଖରେ ଆଖି ବୁଜିଥିଲେ ।

Related Posts

Leave a Reply

Your email address will not be published. Required fields are marked *