ଚଉଠେ ଚିଠିର ଚିତ୍ର

ପୂର୍ଣ୍ଣ ଦାସ

ତୁ ଇତିହୀନ ଚିଠିରୁ ଚଉଠେ
ଭୋଦେଇ ମେଘର ବାଦ,
ତୁ ଶୀତ ସକାଳ, କଅଁଳ ଖରା ମୁଁ
ଅତୀତର ଅପବାଦ ।

ବୁଢ଼ୀ ବାସୁଳେଇ ନେତ ପରି ତୁହି
ମୁଁ ମଉନ ମାଟିଘୋଡ଼ା,
ଝୁଣା, ପଣା, ଧୂପ ଧୂଆଁର ଛବିରେ
ତୋର ମୋର ଭାବ ଯୋଡ଼ା ।

ଆଷାଢ଼ ଆସିଲେ ନଭରୁ ମାଟିକୁ
ଉଡ଼ିଆସେ ମେଘ ଚିଠି,
କଇଁର ଲୁହରେ ମୁହଁ ଧୁଏ ଦୂରେ
ନିଶବଦ ଜହ୍ନରାତି ।

ଭାରି ଭଲଲାଗେ ତୋ’ଦିଆ ଯାତନା
ଯେଣୁ ତୁ ତହିଁରେ ଥାଉ,
ତୋ ମିଠା ମହକ, ମହକାଇ ଦିଏ
ମନତଳ ଦୁଃଖ ଦାଉ ।

ଦୁଃଖ ନଥିଲେ ସ୍ଵପ୍ନକୁ କିଏ
ନାଉ କରୁଥାନ୍ତା କୁହ,
ନିଦାଘର ତାତି ଅଛି ବୋଲି ସିନା
ଆଖିରୁ ଝରଇ ଲୁହ ।

ପ୍ରୀତିପୁର, ଯାଜପୁର-୭୫୫୦୧୩, ସମ୍ପର୍କ : ୯୩୩୭୫ ୪୮୮୯୩

ଲେଖକ ପରିଚୟ

ପ୍ରତିଦିନ ଅନ୍ତତଃ ପଦଟିଏ ଲେଖେ । ଏଯାବତ ଖଣ୍ଡିଏ କବିତା ସଂକଳନ “ତମ ଗାଁ ନଈ” । ପାଠକଙ୍କ ଭଲପାଇବା ହିଁ ମୋର ପୁଞ୍ଜି ।

Related Posts

Leave a Reply

Your email address will not be published. Required fields are marked *