ସ୍ମୃତି ଓ ବିସ୍ମୃତି : ଘଟଣାକ୍ରମ ୨୦୨୨

ସୁଶ୍ରୀ ଶୁଭସ୍ମିତା ମହାନ୍ତି

ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପ୍ରଥମ ନିବନ୍ଧ ସଂକଳନ ନିକଟ ଅତୀତରେ ପ୍ରକାଶିତ ହୋଇଯାଇଛି । ୨୦୨୨ ମସିହାରେ ଘଟିଥିବା ପ୍ରାୟ ସମସ୍ତ ଘଟଣାମାନଙ୍କ ଏକ ଶୈକ୍ଷିକ ବିଷ୍ଳେଷଣ ଯୁକ୍ତ ଏହି ପୁସ୍ତକଟି । ମୋଟ ୬୫ ଟି ଘଟଣାବଳୀକୁ ନେଇ ପୁସ୍ତକଟି ସମୃଦ୍ଧ ଯେଉଁ ପ୍ରସଙ୍ଗ ଓଡ଼ିଶାର ପ୍ରମୁଖ ଖବରକାଗଜଗୁଡ଼ିକରେ ପୂର୍ବରୁ ପ୍ରକାଶିତ ହୋଇ ବିପୁଳ ପାଠକୀୟ ଆଦୃତି ସାଉଁଟି ସାରିଛି । ବିଶେଷତଃ ସାମ୍ପ୍ରତିକ ପ୍ରସଙ୍ଗଗୁଡ଼ିକର ଗବେଷଣାତ୍ମକ ବିଶ୍ଳେଷଣ କରି ଉପସ୍ଥାପନ କରାଯାଇଛି ଯାହା ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଆସିଥାଏ । ଏଣୁ ପୁସ୍ତକଟି ପଢି ଯୁବପିଢି ଉପଯୁକ୍ତ ମାର୍ଗଦର୍ଶନ ପାଇବେ ବୋଲି ଲେଖକ ଆଶା ପ୍ରକାଶ କରିଛନ୍ତି । ଓଡ଼ିଶାର କେତେକ ଧର୍ମପୀଠ ସମ୍ବନ୍ଧିତ ବିବରଣୀ ରହିଛି ଯାହା ଗୃହିଣୀ ତଥା ବରିଷ୍ଠ ନାଗରିକମାନଙ୍କ ଅବସର ସମୟରେ ଚିତ୍ତବିନୋଦନ ପାଇଁ ବିଶେଷ ଭାବରେ ସହାୟକ ହେବ ବୋଲି ଲେଖକଙ୍କ ଦୃଢୋକ୍ତି ।

ସମାଜରେ ଆଦିବାସୀଙ୍କ ସ୍ଥିତି, ସେମାନଙ୍କ ପର୍ବପର୍ବାଣୀ ତଥା ସାଂସ୍କୃତିକ ବୈଭବ ଆଦି ପୁସ୍ତକଟିରେ ସ୍ଥାନିତ କରି ଲେଖକ ପୁସ୍ତକାଗାରର ଶୋଭାବର୍ଦ୍ଧନ ଦିଗ ପ୍ରତି ବି ଧ୍ୟାନ ରଖିଛନ୍ତି କହିଲେ ଭୁଲ ହେବନି । ତତସହିତ ସମାଜରେ ଦେଖାଦେଉଥିବା ଦୁର୍ନୀତି, ଦୂରାଚାର ତଥା ସାମାଜିକ ସମସ୍ୟାଗୁଡ଼ିକୁ ଏପରି ଢଙ୍ଗରେ ବିଶ୍ଳେଷଣ କରିଛନ୍ତି ଯାହା ଏକ ଆଦର୍ଶ ସମାଜ ଆଡ଼କୁ ପଥ ପ୍ରଦର୍ଶନ କରିବ । ନାରୀ ସ୍ୱାଭିମାନ ହେଉ କି ସ୍ଥାନୀୟ, ଜାତୀୟ ତଥା ଆନ୍ତର୍ଜାତୀୟ ସମସ୍ୟା କିମ୍ବା ସମ୍ଭାବନା ସବୁକୁ ନ୍ୟାୟ ଦେବାକୁ ଯଥେଷ୍ଟ ପ୍ରୟାସ କରିଛନ୍ତି ଲେଖକ ନିଜର ଏହି ନିବନ୍ଧ ସଂକଳନଟିରେ । ସେହିଭଳି ଶିଶୁମାନଙ୍କ ଯୌନଦ୍ଦୀପକ ଦୃଶ୍ୟଚିତ୍ର ସବୁ ହଟାଇବା ପାଇଁ ହୋଇଥିବା ଅପରେସନ ‘ମେଘଚକ୍ର’ ହେଉ କି ‘ମି’ ଠୁ’ ର ଲହର ସହିତ ବିନା ସୁଧ ବିକାଶ ନିମନ୍ତେ ରାଜ୍ୟ ସରକାର ‘ସ୍ୱୟଂ ସହାୟକ ଗୋଷ୍ଠି’ମାନଙ୍କୁ ସହାୟତାର ଓସାରିଆ ରାସ୍ତା ପ୍ରଦାନ କରେଇବା ହେଉ, ଏମିତି ଅନେକ ପ୍ରକାର ଛୁଙ୍କ ଥାଇ ସୁନ୍ଦର ଭାବରେ ପ୍ରସ୍ତୁତ ହେଇଛି ପୁସ୍ତକଟି । ଅତଏବ ବର୍ଷ ୨୦୨୨ର ଏକ ସଂକ୍ଷିପ୍ତ ଇତିହାସ ଏଥିରେ ସନ୍ନିବେଶିତ, ଯାହା ଯୁଗଯୁଗ ଧରି ନିଜ କଳେବରରେ ସାଇତି ରଖିଲା ଭଳି ଏକ ନିରବ ଇତିହାସ ପାଲଟିବ ।

ପୁସ୍ତକ : ସ୍ମୃତି ଓ ବିସ୍ମୃତି : ଘଟଣାକ୍ରମ ୨୦୨୨ (ନିବନ୍ଧ ସଂକଳନ)
ଲେଖକ : ଅରୁଣ କୁମାର ତ୍ରିପାଠୀ
ପ୍ରକାଶକ : ପଶ୍ଚିମା ପ୍ରକାଶନୀ, ଭୁବନେଶ୍ୱର
ମୂଲ୍ୟ : ₹୨୫୯/- (ଆମାଜନରେ ₹୨୪୫ ରେ ଉପଲବ୍ଧ)

ନବରଙ୍ଗପୁର

ଲେଖକ ପରିଚୟ

ବୃତ୍ତିରେ ଅଧ୍ୟାପିକା ହେଲେ ସାହିତ୍ୟ ପ୍ରତି ରୁଚି ରହିଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନମାନଙ୍କରେ ସେ ଜଣେ ଆଧ୍ୟାତ୍ମବାଦୀ କବି ଭାବେ ପରିଚିତା ।

Related Posts

Leave a Reply

Your email address will not be published. Required fields are marked *