ପ୍ରଦୀପ କୁମାର ପଣ୍ଡା

ମରିବା ଆଗରୁ ଗଛମାନ ନଂଗଳା ହୋଇଯାନ୍ତି
ସଅଳ ସଅଳ ନୁହେଁ, ପ୍ରଥମେ ଫଳ ଧରିବା ଛାଡ଼ିଦିଅନ୍ତି
ଫୁଲ କି ବଉଳ ଆସେ କେବେକେମିତି ଅଦିନିଆ ଶୁଖି ଝଡ଼ିଯାଏ ।
ଶ୍ଵାସ ଟିକିଏ ପାଇଁ ପତ୍ରମାନ ଯୁଝୁଥାନ୍ତି ସୂର୍ଯ୍ୟକିରଣରେ ।
ଦିନ ଆସେ, ସବୁ ସମ୍ଭାବନାକୁ ପୋଛି ଦେଇ ସବୁଦିନ ପାଇଁ
ସେମାନେ ବି ଛାଡ଼ି ଦିଅନ୍ତି ତାର କୋଳ
ମୂଳ ଆଉ ଚୂଳ ଆଡୁ ମାଡ଼ି ଆସେ ମଉନ ଜଡ଼ତା ।
ଦେହ ଗୋଟିଏ, କାଠ ଛଅଖଣ୍ଡ ।
ଉଇ ଏକ ଅଦ୍ଭୁତ ପ୍ରାଣୀ
ନିଖୁଣ ଭାବେ ଗଢ଼ା ଇଷତ ନାଲି ମୁହଁଟିଏ
ଶୁଭ୍ର ସୁନ୍ଦର ଶରୀର
ହୃଦୟ ଫୃଦୟ ଆତ୍ମା ଫାତ୍ମା ତାର ଥାଏ କି ନଥାଏ
ଶ୍ଵାସପ୍ରଶ୍ଵାସ କିନ୍ତୁ ଚଳୁଥିବ ନିଶ୍ଚୟ
ଲୟପୂର୍ବକ ଧାଉଁଥାଏ ବିଲୟ ଆଡ଼କୁ ଅଣନିଶ୍ୱାସୀ ।
କେତେବା ତାର ଆୟୁଷ, ଦୁଇ କି ଅଢ଼େଇ
ଗଣନା କରେନି ସେ ।
ଦିନେ ସିଏ ଥିଲା କି ନଥିଲାର ହିସାବ ରଖନ୍ତି ନାଇଁ
ତାର ସହଜୀବିମାନେ ଯେବେ ତାର ଡେଣା ଗଜୁରେ ।
ସ୍ମରଣ ବିସ୍ମରଣ ଥାଏ କି ନଥାଏ
ଖୋଜ୍ କିନ୍ତୁ ଚାଲିଥାଏ
ମରି ପଡ଼ିଛି କେଉଁଠି ଗଛଟିଏ ।
ରାଣୀ ଉଇ ମକୁଟ ପିନ୍ଧେନା
ସେକୁ ଥାଏ ତାର ଯୋନି ଅନ୍ଧାରରେ ଅହରହ ।
ମୋର ପ୍ରଜାତିଟି ଭିନ୍ନ, ରକ୍ତ ମୋର ଗାଢ଼ ନିର୍ମଳ
ଉଦୟ ସୂର୍ଯ୍ୟର ବସ୍ତ୍ର ପିନ୍ଧିଥିବା ଗଛ ଓ
ମାଟିର ଗଳିକନ୍ଦିରେ ସଞ୍ଚରୁଥିବା ଅନ୍ଧାରର ଭବିଷ୍ୟକାଳ ପରି
ଉଇର ହସ ମୋର ଲେଶମାତ୍ର ବର୍ତ୍ତମାନ
ଶେଷ ନିଶ୍ଵାସଟି ଛାଡ଼ି ନପାରିବା ଦିନ
କାଳେ ପାରିବି ନାହିଁ କାନ୍ଦି ବୋଲି
ଜନ୍ମ ହେଉହେଉ କାନ୍ଦେ କୁଆଁକୁଆଁ ।
ଏମିତି ନୁହେଁ ଯେ ମୁଁ ହସିପାରେ ନାହିଁ
ଆଲୁଅ ସହିତ ଝଡ଼ିବର୍ଷା ସହିତ
ନଈର କୁଳୁକୁଳୁ ସହିତ ଖେଳେ ଡେଇଁଡେଇଁ
ମାଟିରେ ଗଡ଼େ ଆକାଶକୁ କହୁଣୀ ମାରେ ।
ମୁଁ ଦେଖିନଥିବା ସେଇ ଜାଗାଖଣ୍ଡକର ସନ୍ଧାନରେ
ଧଇଁସଇଁ ଯିବା ବାଟରେ
ଯେତେଯେତେ ପିଲାଙ୍କ ଖେଳପଡ଼ିଆ
ଦେବତାମାନଙ୍କର ଆଲୟ ମଶାଣିପଦା
କିଟିକିଟି ଜଙ୍ଗଲ ଗେରୁମାଟିର ହୁଂକା
ସବୁଠି ପକାଏ ଉପସ୍ଥାନ, ବାହୁଡ଼ି ଯାଏ ।
ମୁହଁ ନଥିବା କତେକେତେ ପେତିନୀ ପିତାଶୁଣୀ
ଅପଦେବତା ଖଣ୍ଡିଆଭୂତ ଛେକିହୁଅନ୍ତି ମୋର ଯିବା ବାଟରେ,
ଅକରୁଣାର ମୁହଁଟି ବି ଦିଶେ ଉଜ୍ଜ୍ବଳ
ଘନଘୋର ଅନ୍ଧାରରେ, ମୋର ଯିବା ବାଟରେ ।
ମୁଁ ଛାଡ଼ିଆସିଥିବା ଜାଗାଟି କଣ
ମୁଁ ଦେଖିନଥିବା ସେଇ ଜାଗା ?
ମୋର ବିତେଇଥିବା ଅଜ୍ଞାନ ଘଟଣାମାନ
ସେଠି କଣ ଘଟୁଛି ?
ମୁଁ ଯାଉଛି ନା ଫେରୁଛି ?
ଗଛ ପରି ବସ୍ତ୍ର ଉତାରି ଦେବାର
ଉଇ ପରି ଡେଣା ପିନ୍ଧିବାର ବେଳ କଣ ଉପଗତ ?
ନା ନା, ମୁଁ ଭିନ୍ନ ପ୍ରଜାତିର ଜୀବ
ମୋର ଯୋନିରେ ନାହିଁ ଗଛ ଆଉ ଉଇ
ଅନ୍ୟମନସ୍କତାର ସୁତାରେ ଗୁନ୍ଥିଛି ମୁଁ ମୋର ଅବୟବ
ଗୀତ ଗାଇ ଗାଇ ସୁମଧୁର ଅଶ୍ରୁତ ।
ବୃନ୍ଦାବନ ବିହାର, ସମ୍ବଲପୁର
ଲେଖକ ପରିଚୟ
ସଦ୍ୟ ପ୍ରକାଶିତ “ମାର୍ଗ ସହଜ” ସମେତ ଏଯାବତ ୯ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।

