ଶ୍ରୀ ଜଗନ୍ନାଥ ସାହିତ୍ୟ ପରିଷଦର ଚତୁର୍ଦଶ ବାର୍ଷିକୋତ୍ସବ ଉଦଯାପିତ

ଖୋର୍ଦ୍ଧା : ଖୋର୍ଦ୍ଧା ସ୍ଥିତ ଶ୍ରୀ ଜଗନ୍ନାଥ ସାହିତ୍ୟ ପରିଷଦର ଚତୁର୍ଦଶ ବାର୍ଷିକୋତ୍ସବ ରବିବାର ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ଗୀତା ଭବନ ପରିସରରେ ସଭାପତି ଶିବ ସୁନ୍ଦର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହ ସ୍ଵାଗତ ଭାଷଣ, କବି ରାଜକିଶୋର ପାଣିଗ୍ରାହୀ ଅତିଥି ପରିଚୟ ଓ ସମ୍ପାଦିକା ବିମଳା ସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ପ୍ରାକ୍ତନ ଶାସନ କମିଶନର ଡ. ଅଲେଖ ଚନ୍ଦ୍ର ପଢିଆରୀ ମୁଖ୍ୟ ଅତିଥି, ଉତ୍କଳ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଗାଳ୍ପିକ ଡ. ଶରତ କୁମାର ରଥ ମୁଖ୍ୟ ବକ୍ତା, ବିଶିଷ୍ଟ ନାଟ୍ୟକାର ବିଜୟ କୁମାର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଖୋର୍ଦ୍ଧା ଅଞ୍ଚଳର ବହୁ କବି, ଲେଖକ ମାତୃଭାଷାର ଶ୍ରୀବୃଦ୍ଧି କରି ସ୍ଵାଭିମାନର ପରିଚୟ ଦେଇଛନ୍ତି ବୋଲି କହିଥିଲେ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ, ରାଧାନାଥ ରାୟ, ଫକୀର ମୋହନ ସେନାପତି, ଜଗନ୍ନାଥ ଦାସ, ସାରଳା ଦାସଙ୍କ ଭଳି ଖୋର୍ଦ୍ଧା ଜିଲ୍ଲାର କବି ଜୟଦେବ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ଭକ୍ତଚରଣ ଦାସ, ଅନଙ୍ଗ ନରେନ୍ଦ୍ର, ବୃନ୍ଦାବତୀ ଦାସୀ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ସଚ୍ଚି ରାଉତରାୟ ସତ୍ୟାନନ୍ଦ ଚମ୍ପତ୍ତିରାୟ ସାହେବ ପଦ୍ମ ଚରଣ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ବହୁ ସାରସ୍ଵତ ସାଧକ ଏ ମାଟିକୁ ଧନ୍ୟ କରିଛନ୍ତି । ଅତିଥିମାନେ ମତ ଦେଇଥିଲେ ଯେ ଯେଉଁ ରାଜ୍ୟର ମାତୃଭାଷା ଯେତେ ସୁଦୃଢ ସେ ରାଜ୍ୟ ସେ ଅନୁପାତରେ ସେତେ ବିକାଶଶୀଳ । କିନ୍ତୁ ଆମ ରାଜ୍ୟରେ ମାତୃଭାଷା ପ୍ରତି ମମତା ଦିନକୁ ଦିନ କମିବାରେ ଲାଗିଛି ବୋଲି ପ୍ରକାଶ କରି ସେମାନେ ଉଦବେଗ ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ପ୍ରତି ଦଶ ବର୍ଷିଆ ଜନଗଣନାରେ ଓଡ଼ିଆ ଭାଷାଭାଷୀ ସଂଖ୍ୟା ଶତକଡ଼ା ତିନି ଭାଗ କମି ଯାଉଥିବା ଏବଂ ଓଡ଼ିଆ ପାଠକଙ୍କ ସଂଖ୍ୟା ହ୍ରାସ ପାଉଥିବା ନେଇ କ୍ଷୋବ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ପ୍ରଫେସର ରଥ ସାହିତ୍ୟରେ ବସନ୍ତ ଋତୁ ଶୀର୍ଷକ ଏକ ଆଲୋଚନା କରି ଦର୍ଶକମାନଙ୍କୁ ମୁଗ୍ଧ କରିଥିଲେ ।

ଗଞ୍ଜାମ ଗାଙ୍ଗପୁରର କବୟତ୍ରୀ ଡ. ନଳିନୀପ୍ରଭା ଦାସଙ୍କ ‘ପିଲାଙ୍କ ଗୀତ’ ଶୀର୍ଷକ ଏକ କବିତା ପୁସ୍ତକ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଇତିଶ୍ରୀ ସାହୁ ଓ ଶ୍ରାବଣୀ ଦାସଗୁପ୍ତା ଭିନ୍ନ ଭିନ୍ନ କବିତାମାନ ପଠନ କରି ଅତିଥିମାନଙ୍କୁ ସ୍ଵାଗତ କରିଥିଲେ । ସାହିତ୍ୟ ପରିଷଦ ପକ୍ଷରୁ ପ୍ରଫେସର ଡ. ଶରତ ଚନ୍ଦ୍ର ମହାପାତ୍ରଙ୍କୁ କବି ଜୟଦେବ ସମ୍ମାନ, ଡ. ଅଲେଖ ଚନ୍ଦ୍ର ପଢିଆରୀଙ୍କୁ ପଠାଣି ପଟ୍ଟନାୟକ ସମାଲୋଚନା ସାହିତ୍ୟ ସମ୍ମାନ, ଶ୍ୱେତ ପଦ୍ମାସିନୀ ମହାନ୍ତିଙ୍କୁ ସଚ୍ଚି ରାଉତରାୟ ଗଳ୍ପ ସମ୍ମାନ, ଆରତି ମହାନ୍ତିଙ୍କୁ ଡମ୍ବରୁଧର ପରିଡ଼ା ଶିଶୁ ସାହିତ୍ୟ ସମ୍ମାନ, ଅଧ୍ୟାପିକା ଡ. ଅଞ୍ଜଳି ତ୍ରିପାଠୀଙ୍କୁ ବୃନ୍ଦାବତୀ ଦାସୀ ଆଧ୍ୟାତ୍ମିକ ସମ୍ମାନ ଓ ଅଧ୍ୟାପିକା ଡଃ ନଳିନୀପ୍ରଭା ଦାସଙ୍କୁ କୁନ୍ତଳା କୁମାରୀ ଗୀତି କବିତା ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ କବି ଗୋବିନ୍ଦ ଚନ୍ଦ୍ର ମହାରଣା, ପ୍ରଫୁଲ୍ଲ କୁମାର ସାମନ୍ତରାୟ ଜ୍ୟୋତିପ୍ରଭା ପଟ୍ଟନାୟକ ଓ କବିତା ପଟ୍ଟନାୟକଙ୍କ ସଂଯୋଜନାରେ କବିତାପାଠ ହୋଇଥିଲା । ଅବିଭକ୍ତ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୭ ଜଣ କବି କବୟତ୍ରୀ କବିତାପାଠ କରିଥିଲେ । ସହ ସମ୍ପାଦିକା କବିତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଇତିଶ୍ରୀ ସାହୁ, ଦେବଦତ୍ତ ବିଶ୍ଵାଳ ସହଯୋଗ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *