ମହାକବି ଜୟଦେବ ସାରା ବିଶ୍ୱକୁ ବାନ୍ଧି ରଖିଛନ୍ତି ଭାବ ଓ ଭକ୍ତିରେ

ଭୁବନେଶ୍ୱର : ମହାକବି ଜୟଦେବ ଗୀତଗୋବିନ୍ଦ ରଚନା କରି ସମଗ୍ର ବିଶ୍ୱକୁ ଭାବ-ଭକ୍ତିରେ ବାନ୍ଧି ରଖିଛନ୍ତି ବୋଲି ଅତିଥିମାନେ କହିଛନ୍ତି ।

ଅକ୍ଷୟ ତୃତୀୟା ତିଥିରେ ମହାକବି ଶ୍ରୀଜୟଦେବଙ୍କ ଜୟନ୍ତୀ ଉତ୍ସବ ରବିବାର ସନ୍ଧ୍ୟାରେ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଜୟଦେବ କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅତିରିକ୍ତ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ରାଜ୍ୟପାଳଙ୍କ ପ୍ରାକ୍ତନ ସଚିବ ସୁକାନ୍ତ ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ମାର୍କଫେଡ଼ର ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡ଼ା, ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ପ୍ରମୁଖ ଯୋଗ ଦେଇ ଜୟଦେବଙ୍କ ଲେଖାର ମାଧୁର୍ଯ୍ୟ ଓ ବାସ୍ତବତା ଅନନ୍ୟ ବୋଲି ମତ ଦେଇଥିଲେ । ଏହି ଅବସରରେ କଳ୍ପତରୁ ପ୍ରତିଭା ସମ୍ମାନ ଓ ଶିଳ୍ପୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ସହିତ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଚିତ୍ରଶିଳ୍ପୀ ଜନାର୍ଦ୍ଦନ ପରମଗୁରୁ, ସୁଶ୍ରୀ ଶ୍ଵେତପଦ୍ମା ମିଶ୍ର, ଓଡ଼ିଶୀ ନୃତ୍ୟାଙ୍ଗନା ଟ୍ଵିଙ୍କିଲ୍ ମିଶ୍ର, କଣ୍ଠଶିଳ୍ପୀ ବିଦ୍ୟାଧର ଶତପଥୀ, ଚିତ୍ରଶିଳ୍ପୀ ମୋହନ ସାହୁ, ଯୁବ କବି ରଞ୍ଜନ ମହାନ୍ତି, ଚିତ୍ରଶିଳ୍ପୀ ଡ. ସସ୍ମିତା କମିଳା, ଫଟୋଗ୍ରାଫର ଗଣେଶ ସାହୁ ପ୍ରମୁଖଙ୍କୁ କଳ୍ପତରୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସ୍ମୃତି ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ । ଶିଳ୍ପୀ ଚିନ୍ତାମଣି ବିଶ୍ଵାଳ, ଜିତେନ୍ଦ୍ର ସାହୁ, କଳ୍ପତରୁ ଅନୁଷ୍ଠାନର ମୁଖ୍ୟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *