ସ୍ମୃତି ଅପାସୋରା : ଗାଳ୍ପିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଲକ୍ଷ୍ମୀପ୍ରିୟା ଓଝା

କେଉଁଠୁ ଆରମ୍ଭ କରିବି ?

ସମସ୍ତେ ଜାଣନ୍ତି ବିଶିଷ୍ଠ ଗାଳ୍ପିକା କେନ୍ଦ୍ର ସାହିତ୍ୟ ପୁରସ୍କାର ବିଜେତା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ | ତାଙ୍କ ସାହିତ୍ୟର ସବୁଠି ଆଲୋଚନା | କିନ୍ତୁ ଅନାଲୋଚିତ ସେ ବିଶିଷ୍ଠ ବ୍ୟକ୍ତିଙ୍କର ବିଶାଳ ବ୍ୟକ୍ତିତ୍ୱ | ତାଙ୍କ ସହ ବିତାଇଥିବା ତିନି ବର୍ଷର ହଷ୍ଟେଲ ରହଣି ସମୟର ମୋ ବ୍ୟକ୍ତିଗତ ଅନୁଭୂତିରୁ ଜାଣିବା ଆସନ୍ତୁ ଗାଳ୍ପିକା ନୁହେଁ, କେବଳ ବୀଣାପାଣି ମହାନ୍ତିଙ୍କୁ ହଷ୍ଟେଲ ୱାର୍ଡନ ରୂପରେ |

ଏ ଭିତରେ ବିତି ଗଲାଣି ନଦୀର ପାଣି ପରି ବତିଶ ବର୍ଷ | ଅନେକ ସ୍ମୃତି ବିସ୍ମୃତ,ଅନେକ ଅପାସୋରା | ହଁ, ସେଇ ଅପାସୋରା ସ୍ମୃତିରୁ କିଛି ନେଇ ସେଇଠୁ ଆରମ୍ଭ କରୁଛି, ମୋ ଶୈଳବାଳା ଓ଼ଲ୍ଡ ହଷ୍ଟେଲର ପ୍ରଥମ ରହଣି ଦିନରୁ | ତାଙ୍କ ସହ ମୋର ପ୍ରଥମ ସାକ୍ଷାତରୁ |

କଲେଜ ଆଉ ହଷ୍ଟେଲର ଆଡ଼ମିସନ ପରେ ବାପା ମୋତେ ଛାଡି ଦେଇଗଲେ ହଷ୍ଟେଲର ବଡ଼ ମାଉସୀଙ୍କ ଜିମାରେ | ମାଉସୀ ମୋତେ ଦେଖେଇ ଦେଲେ ରୁମ ନ ୧୫ | ମୋ ଆଲମରୀ ଆଉ ମୋ ବେଡ଼ | ମୋ ଜିନିଷ ରଖି ସାବୁନ, ସର୍ଫ, ତେଲ ଆଦି କିଣି ହଷ୍ଟେଲ ଭିତରକୁ ପଶିଲା ବେଳକୁ ମାଡାମ ଓଲ୍ଲାଉଥିଲେ ସିଢ଼ିରୁ | ମୁଁ ତାଙ୍କ ଆଗ ଦେଇ ଜଲ୍ଦି ଜଲ୍ଦି ଚାଲିଯାଇ ଗ୍ରାଉଣ୍ଡ ଫ୍ଲୋରର ମୋ ରୁମରେ ପଶିଗଲି | ଜିନିଷ ଥୋଇ ବାହାରିଲା ବେଳକୁ ମ୍ୟାଡାମଙ୍କ ସହ ମୁହାଁ ମୁଁହି ହେଲା ମୋ ରୁମ ସାମ୍ନାରେ | ମ୍ୟାଡାମ ମୁହଁକୁ ମୋଡି କହିଲେ,” ହୁଁ , ଭୟ, ଭକ୍ତି କିଛି ନାହିଁ | ସାଧାରଣ ନମସ୍କାରଟିଏ ମଧ୍ୟ ନାହିଁ |” ମୁଁ ନ ଶୁଣିଲା ପରି ତାଙ୍କୁ କ୍ରସ କରି ଏମିତିକି କୁହାଯାଇ ପାରେ ଏକ ରକମ ଦୌଡିକି ଯାଇ ପଶିଗଲି ପ୍ରେୟାର ହଲରେ | ମନେ ମନେ ଦୀର୍ଘ ନିଶ୍ୱାସଟିଏ ନେଇ ରିଲାକ୍ସ ହେଲି | ଭାବିଲି ଯାହାହେଉ ମ୍ୟାଡାମ ଆସି ନାହାଁନ୍ତି | ପିଲାମାନେ କେବଳ ଆସିଛନ୍ତି ଯାହା |

ମୁଁ ସେ ଯାଏ ଜାଣି ନଥିଲି ସେ ଆମର ୱାର୍ଡନ ବୋଲି | ଏପର୍ଯ୍ୟନ୍ତ କେବେଳ ଭେଟ ହେଇଥିଲା ବଡ଼ ମାଉସୀଙ୍କ ସହ | ଯିଏ ମୋର ହଷ୍ଟେଲ ଆଡ଼ମିସନ କରିଥିଲେ | ଆଉ ଠିକ ୬ ଟା ବେଳେ ହଷ୍ଟେଲ ଗେଟ ବନ୍ଦ ହେଇଯିବ ଓ ପ୍ରେୟାର ଆରମ୍ଭ ହେବ | ଯେଉଁଠି ଆଟେଣ୍ଡାନସ ନିଆ ହେବ | ଆବସେଣ୍ଟ ହେଲେ ଘରକୁ ଖବର ଦିଆଯିବ | ଗେଟ ଥରେ ତାଲା ପଡିଗଲେ ଆଉ ଖୋଲା ଯିବନି | ସାରା ରାତି ବାହାରେ ରହିବାକୁ ପଡିବ ଆଦି ଆଦି ବଡ଼ ମାଉସୀଙ୍କ କଡା ନିର୍ଦେଶ ମୋ ଭିତରେ ଭୟ ସଂଚାର କରି ସାରିଥିଲା | ତେଣୁ ମାଉସୀଙ୍କୁ ମୁଁ ମ୍ୟାଡାମ ଭାବି ସାରିଥିଲି | ଜିନିଷ ନେଇ ହଷ୍ଟେଲରେ ପଶିଲା ବେଳକୁ ପ୍ରେୟାର ବେଲ ବାଜିବା ମୁଁ ଶୁଣିଥିଲି | ତେଣୁ ଅଣନିଶ୍ୱାସୀ ହେଇ ଦୌଡୁଥିଲି |

ମ୍ୟାଡାମ ପଶିଲେ ରୁମରେ | କେହିଜଣେ କହିଲା ମ୍ୟାଡ଼ାମ ଆସିଗଲେ | ପୁରୁଣା ଛାତ୍ରୀମାନେ ଠିଆ ହେଇଗଲେ | ତାଙ୍କୁ ଦେଖି ଆମେ ନୂଆ ଛାତ୍ରୀମାନେ ମଧ୍ୟ ଠିଆ ହେଇ ପଡ଼ିଲୁ | ମ୍ୟାଡ଼ାମଙ୍କ ଆଖିରେ ମୋ ଆଖି ମିଶିଗଲା | ମୁଁ ଜିଭ କାମୁଡି ହାଲକାରେ ନମସ୍କାର କରି ତଳକୁ ମୁହଁ ପୋତିଲି | ସେ ମୁହଁ ମୋଡି ସ୍ମିତା ହାସ୍ୟ ଦେଇ ଆଗକୁ ବଢିଲେ | ରୁମରେ ନୀରବତା | ପ୍ରେୟାର ଆରମ୍ଭ ହେଲା | ସରିଲା ପରେ ମ୍ୟାଡାମଙ୍କର ସେଇ ପ୍ରଥମ ଦିନର କହିଥିବା କଥାରୁ କିଛି ମନେଅଛି | ସେ କହିଥିଲେ, ” ଯାହା ସହ କଥା ହେବ ଦମ୍ଭର ସହ ବାରଣ୍ଡାରେ କି ହଷ୍ଟେଲ ସାମ୍ନା ଆମ୍ବ ଗଛ ମୂଳେ ଠିଆ ହେଇ କଥା ହେବ | ତାହାଲେ ମୁଁ ନିର୍ଭିକ ଭାବରେ ଅନ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଇପାରିବି | ସେ ଭଙ୍ଗା ବସ ପଛରେ ଲୁଚି କି ଚଣ୍ଡୀ ଛକରେ ଠିଆ ହେଇ କଥା ହେବନି | ଛି, ଛି , କେତେ ଖରାପ କଥା | ମୁଁ ଜବାବ ଦେଇ ପାରିବିନି |” ସେଦିନ ସେ କଥାର ତାତ୍ପର୍ଯ୍ୟ ବୁଝିନଥିଲି | ଏବେ ବୁଝୁଛି | ଯେଉଁଠି ମା ଟିଏ ଗୋଟିଏ ଝିଅକୁ ତା ଆଦ୍ୟ ଯୌବନରେ ସମ୍ଭାଳିବା ପାଇଁ ନିଜ ରାତିର ନିଦ ହଜେଇଦିଏ | ସେଇଠି ମ୍ୟାଡାମଙ୍କ ଉପରେ ନ୍ୟସ୍ତ ଥିଲା ଶହେରୁ ଅଧିକ ଝିଅଙ୍କ ଦାଇତ୍ୱ | ମା ପରି ମମତାର ପୁଟ ଦେଇ ପିଲାଙ୍କୁ ବିଶ୍ୱାସରେ ନେଇ କଡା ଶାସନରେ ତାଙ୍କ ଆଖି ସାମ୍ନାରେ ରଖିବାକୁ ଚାହୁଁଥିଲେ | ତା ସହ ଯତ୍ନବାନ ଥିଲେ ପିଲାଙ୍କ ସ୍ୱାଭିମାନରେ ଯେମିତି ଆଞ୍ଚ ନ ଆସିବ ଓ ପିଲାଟି ଆଗ୍ରେସିଭ ନହେବ |

ମୋର ମନେ ଅଛି ଅନେକ ସମୟରେ ପ୍ରେୟାର ହଲରେ ପଚାରନ୍ତି ପିଲାଙ୍କ ନାଁ ଧରି | “ତୁମେ ଆଜି ଦିପହର ବକ୍ସି ବଜାର କାହିଁ ଯାଇଥିଲ ? ଆଜି ତିନି କିଣିଆ ବଗିଚାରେ କାହିଁ ବୁଲୁଥିଲ ? ସେ ସମୟରେ ତୁମର ଅମୁକ କ୍ଲାସ ଥିଲା ” ଆଦି ପ୍ରଶ୍ନ | ପିଲା ଉତ୍ତର ଦିଅନ୍ତି | ତାପରେ କୁହନ୍ତି, “ମୋତେ ସେ ଅମୁକ ଲୋକ ପଚାରୁଥିଲା ମ୍ୟାଡାମ ଆପଣଙ୍କ ହଷ୍ଟେଲର ଦି ଜଣ ଝିଅଙ୍କୁ ତରଙ୍ଗିଣୀ ସିନେମା ହଲ ସାମ୍ନାରେ ଦେଖିଲି | ଟିକେ ପିଲାଙ୍କୁ କଣ୍ଟ୍ରୋଲ କରନ୍ତୁ |” ମୁଁ ମିଛ କହିଲି | କହିଲି, ” ମୋତେ ସେମାନେ କହି କି ଯାଇଥିଲେ | ବା ମୁଁ ସେମାନଙ୍କୁ ଅମୁକ କାମରେ ପଠାଇ ଥିଲି | ଯିଏ ଯୁଆଡେ ଯିବ ମୋତେ କହି କି ଯିବ | ତାହାଲେ ସେମାନଙ୍କ ମୁହେଁ ମୁହେଁ ମୁଁ ଜବାବ ଦେଇ ପାରିବି | ମୋ ପିଲାଙ୍କୁ କହିବାକୁ ସେମାନେ କିଏ ? ମୋ ପିଲା କୁଆଡେ ଗଲେ ସେମାନଙ୍କର କ’ଣ ହେଲା ?” ଏବେ ବୁଝୁଛି, ପରୋକ୍ଷରେ ମାଡାମ ଡିପ୍ଲୋମାଟିକ ୱେ ରେ ଆମ ବିଶ୍ୱାସ ଜିତୁଥିଲେ |

ମ୍ୟାଡ଼ାମଙ୍କ ରୁମ ଫାଷ୍ଟ ଫ୍ଲୋରରେ ଥିଲା | ଦିନରେ କେବଳ ଥରେ ସିଢ଼ିରୁ ଓଲ୍ହାଉଥିଲେ ଓ ଚଢ଼ୁଥିଲେ | କ୍ଲାସ ଯାଉଥିଲେ | ବାକି ସବୁବେଳେ ରୁମରେ | ତଥାପି କୋଉ ପିଲା କାହା ସହ ଗପୁଛି, କିଏ କୁଆଡେ ଯାଉଛି ଆଦି ତାଙ୍କ ପାଖରେ ସବୁ ଖବର ରହୁଥିଲା | ସେ କେମିତି ଜାଣୁଥିଲେ ଆଜି ବି ମୋ ପାଇଁ ଅମିମାଂସିତ | କିନ୍ତୁ ଆମେ କୁଆଡେ ଗଲେ ସବୁବେଳେ ଡର ଥାଏ, କାଳେ ମ୍ୟାଡ଼ାମ ଜାଣି ଦେବେ |

ଦିନେ ମୁଁ ବାରଣ୍ଡାରେ ଥିବା ଖଟ ଉପରେ ବସି ଗପ ଲେଖୁଛି | ସେ ଆସି ଖାତା ଟାଣି ନେଲେ | ବୋଧହୁଏ ମୋ ପଛରେ ଠିଆହେଇ କେତେବେଳ ଠୁ ଦେଖୁଥିଲେ | କହିଲେ, ” ଏମିତି ପାଠ ପଢା ହେଉଛି ? ହଉ ଏ ଖାତା ମୋ ପାଖରେ ଥାଉ | ସୁନ୍ଦର ଅକ୍ଷର ତ | କାଲିଠୁ ମୋ ଗପ ତୁମେ ଉତ୍ତାରିବୁ |” ମୁଁ ଡରି ଛାନିଆ | ସନ୍ଧ୍ୟାରେ ମାଉସୀ ଆସି ମୋ ଖାତା ଫେରେଇ ଦେଲେ ଆଉ ଗୋଟିଏ ସପ୍ତାହ ପରେ ମୋର ସେ ଗପ ବାହାରିଥିବା ପେପର ଆଣି ଦେଲେ | ମ୍ୟାଡ଼ାମ ପଠେଇ ଦେଇଥିଲେ ପେପରକୁ |

ସେଇ ପ୍ରଥମ ବର୍ଷ ମୁଁ ହେଲି ହଷ୍ଟେଲର ଆସିସଷ୍ଟାଣ୍ଡ ଲିଟେରାରି ସେକ୍ରେଟେରୀ | ତା ପର ବର୍ଷ ଲିଟେରାରି ସେକ୍ରେଟେରୀ | ପିଲାଙ୍କଠୁ ଲେଖା ନେବା, ଲେଖା ଚୟନ କରିବା, ମାତୃଭୂମି ପ୍ରେସରେ ଯାଇ ଲେଖା ଦେବା, ମଝିରେ ମଝିରେ ଯାଇ ଦେଖିବା ଆଦି ସମସ୍ତ କାର୍ଯ୍ୟ ମ୍ୟାଡ଼ାମ ମୋ ଉପରେ ନ୍ୟସ୍ତ କରିଥିଲେ | କହିଥିଲେ ଆଜି ଯାଏ ଏତେ ସ୍ୱତନ୍ତ୍ର ଭାବରେ କାହାକୁ କାମ ଦେଇନି | କିନ୍ତୁ ମୁଁ ଜାଣିଛି ତୁମେ ପାରିବ |” ସତରେ କେତେବଡ଼ ଦାଇତ୍ୱ, କେତେ ଆତ୍ମବିଶ୍ଵାସ ଭରିଦେଇଥିଲେ ମୋ ଭିତରେ ସେ | ମ୍ୟାଡ଼ାମଙ୍କ ଗପର ମୁଁ ଥିଲି ପ୍ରଥମ ପାଠିକା | ତାଙ୍କ ଗପକୁ ସୁନ୍ଦର ସୁନ୍ଦର ଅକ୍ଷରରେ ଉତ୍ତରିଲା ପରେ ସେ ପଠାଉଥିଲେ ପେପର, ମ୍ୟାଗାଜିନ ଆଦିକୁ |

ଧୀରେ ଧୀରେ ଜାଣିଲି ମ୍ୟାଡ଼ାମ ଜଣେ ସାହିତ୍ୟିକା | କିନ୍ତୁ କେତେବଡ଼ ସେ ସମୟରେ ଗୋଟେ ଷୋଳ ବର୍ଷ ଝିଅ ପକ୍ଷେ ବୁଝିବା ସମ୍ଭବ ନଥିଲା | ଏବେ ବୁଝୁଛି | ମୋତେ ବିଷୁବ ମିଳନ, ଟାଉନ ହଲ ଆଦି ସବୁ ସାହିତ୍ୟ ସଭାକୁ ନେଇକି ଯାଉଥିଲେ| କବିତା ପଢିବାକୁ କହୁଥିଲେ | ପଢିଛି ମଧ୍ୟ ସେଠି ଖୁବ ଖୁସିରେ | ବିଷୁବ ମିଳନ କଣ, ସେଠି କେତେ ବଡ଼ ବଡ଼ ସାହିତ୍ୟିକ ଆସନ୍ତି, ଗୋଟେ ଅନାମଧେୟ ଷୋଳ ବର୍ଷର ଝିଅ କବିତାଟିଏ ପଢିବାକୁ ସୁଯୋଗ ପାଇବା କେତେ କଷ୍ଟ ଏବେ ଅନୁଭବ କରୁଛି | ସେତେବେଳେ ଜାଣିଥିଲେ ହୁଏତ ଭୟରେ କବିତା ପଢ଼ିପାରି ନଥାନ୍ତି | ଲୋକ ସେବକ ମଣ୍ଡଳର ମିଟିଙ୍ଗରେ ଯିବା ପାଇଁ ସେ ହିଁ ମୋତେ କହିଥିଲେ | ମୋତେ ସେ ନେଇକି ଯାଇଛନ୍ତି ପ୍ରତିଭା ରାୟ, ଜୟନ୍ତ ମହାପାତ୍ର, ସାତକଡ଼ି ହୋତା, ମନୋରମ ମହାପାତ୍ର, ରମା କର, ସଦାଶିବ ମିଶ୍ର ଆଦି ଅନେକ ବଡ଼ ବଡ଼ ଲୋକଙ୍କ ଘରକୁ | ଗାଁ ରୁ ଆସିଥିବା ଗୋଟେ ଛୋଟ ଝିଅ କାହିଁ ବା ବୁଝିବ ଏମାନେ କିଏ ! ମୋ ଅଜାଣତରେ କେତେ ବଡ଼ ବଡ଼ ଲୋକଙ୍କ ସାନିଧ୍ୟ ମୁଁ ଲାଭ କରିନଥିଲି ସତେ |

ଥରେ ମୁଁ ଛାତରେ ସିଢି ଘର ଉପରେ ଚଢି ଦୀପ ସଜଉଥିଲି ଦୀପାବଳି ସାନ୍ଧ୍ୟରେ | ମ୍ୟାଡ଼ାମ ନିଜ ରୁମରୁ ଦେଖି ଡକେଇ ପଠେଇଲେ | ମୁଁ ଭୟରେ ଥରହର | ମ୍ୟାଡ଼ାମ କିଛି ଆଲୋଚନାରେ ବ୍ୟସ୍ତ ଥିଲେ ନଳିନୀ ଅପା, କୁନି ଅପା, ଡଲି, ଆଭା ଆଦି ପିଲାମାନଙ୍କ ସହ | ମୋତେ ଦେଖି କହିଲେ, ” ଲକ୍ଷ୍ମୀ, ମ୍ୟାଗାଜିନର ପ୍ରୁଫ ରିଡିଙ୍ଗ ସରିଲା ?” ମୁଁ ମୁଣ୍ଡ ହଲେଇ ହଁ କହିଲି | କହିଲେ, “ହଉ କାଲି ଯାଇ ମାତୃଭୂମି ପ୍ରେସରେ ରମା କରଙ୍କୁ ଦେଇଦେବ |” ମୁଁ ହଁ ମାରି ବାହାରି ଆସିଲି | ବାହାରେ ଠିଆ ହେଇଥିବା ପିଲା ଆଶ୍ଚର୍ଯ୍ୟ | ମ୍ୟାଡ଼ାମ ମୋତେ ଗାଳି ଦେଲେନି | ତା ପରଦିନ ସିଢ଼ିରୁ ଓ଼ଲ୍ଲାଉଥିବା ସମୟରେ ମୋତେ ଦେଖି ମ୍ୟାଡ଼ାମ କହିଲେ, ” ଆରେ ଲକ୍ଷ୍ମୀ, କାଲି ସାନ୍ଧ୍ୟରେ କିଏ ସିଢି ଘର ଉପରେ ଚଢ଼ିଥିଲା ଡାକ ତ ତାକୁ |” ମୁଁ ଡରିକି କହିଲି ମ୍ୟାଡ଼ାମ ମୁଁ ଥିଲି | କହିଲେ, ” କାଲି ଡ଼ାକିଥିଲି ଆସିଲନି କାହିଁକି ?” ମୁଁ କହିଲି, “ଆସିଥିଲି ନା ମ୍ୟାଡ଼ାମ ଆପଣ ମୋତେ ମ୍ୟାଗାଜିନ କଥା କହି ପଠେଇଦେଲେ |” ସେ ତାଙ୍କର ଚିର ପରିଚିତ ମୁହଁକୁ ମୋଡି ହୁଁ କହି ହସିଦେଲେ କେବଳ |

ଖାଇବା ଭଲ ନହେଲେ ଅନେକ ଥର ପିଲାମାନେ ହଙ୍ଗର ଷ୍ଟ୍ରାଇକ କରନ୍ତି | ମ୍ୟାଡ଼ାମ ମଜାକିଅ ଅନ୍ଦାଜରେ ପିଲାଙ୍କୁ ବୁଝେଇ ଷ୍ଟ୍ରାଇକ ଭାଙ୍ଗନ୍ତି | ଥରେ ବିନା ଇନଫର୍ମ କରି ଆମେ ଷ୍ଟ୍ରାଇକ କଲୁ | ଶହେରୁ ଅଧିକ ପିଲାଙ୍କ ଖାଇବା ସକାଳେ, ସନ୍ଧ୍ୟାରେ ରୋଷେଇ ହେଇ ଫୋପଡ଼ା ହେଲା | ପିଲା ବାହାରୁ ମଗେଇକି ଖାଉଥିଲେ ତିନିଦିନ ଧରି | ଶେଷରେ ମ୍ୟାଡ଼ାମ ହଷ୍ଟେଲ ଗ୍ରିଲ ତାଲା ପକେଇଦେଲେ | ବାହାରକୁ ଯିବା ବନ୍ଦ | ଯେହେତୁ ଆମେ ତାଙ୍କୁ ଆଗରୁ ଇନଫର୍ମ କରି ନଥିଲୁ ଷ୍ଟ୍ରାଇକ କରିବୁ ବୋଲି ସେ ମଧ୍ୟ ଆମକୁ ଡାକିଲେନି | ପିଲା ପାଖ ଦୋକାନରୁ ଝରକା ବାଟେ ଖାଇବା ମଗେଇ ଖାଉଥିଲେ | ମ୍ୟାଡ଼ାମ ଜାଣିଲେ କିଛି କହିଲେନି | ଯେତେବେଳେ ଜାଣିବାକୁ ପାଇଲୁ ମ୍ୟାଡ଼ାମ ମଧ୍ୟ ତିନି ଦିନ ହେଲାଣି ଖାଇ ନାହାଁନ୍ତି | ଶେଷରେ ବିନା ସର୍ତ୍ତରେ ଷ୍ଟ୍ରାଇକ ଭାଙ୍ଗି ଆମେ ଭୁଲ ମାଗିଥିଲୁ | ଏ ଥିଲା ଗୁରୁ ଶିଷ୍ୟଙ୍କ ସମ୍ପର୍କ | ଶହେ ପିଲାଙ୍କୁ ସେ ଝୁଂକେଇ ଦେଇଥିଲେ ତାଙ୍କ ଅନାବିଳ ମମତାରେ | ବିନା ବାକ୍ୟବ୍ୟୟରେ |

ଦି ପହରେ ଅନେକ ସମୟରେ ଅଧିକାଂଶ ପିଲା ବାହାରୁ ଗୁପ୍ଚୁପ ମଗାନ୍ତି ଶାନ୍ତି ଅପା, କସ୍ତୁରୀ ଅପା,ସରୋଜିନୀ ଅପାଙ୍କୁ ପଇସା ଦେଇ | ସାଙ୍ଗରେ ଗୁପ୍ଚୁପ ପାଣି ପାଇଁ ଗୋଟେ ଦି ଟା ପାଣି ଜଗ | ସାଙ୍ଗରେ ଦୋସା, ଚାଟ ଆଦି ବି ଥାଏ | ଫେରନ୍ତି ରାସ୍ତାରେ ସେମାନଙ୍କ ସହ ଭେଟ ହେଇଗଲେ ସେମାନଙ୍କ ହାତରୁ ଗୁପ୍ଚୁପ ପାଣି ଜଗ ମ୍ୟାଡ଼ାମ ଧରି ଆଣନ୍ତି |

ମ୍ୟାଡ଼ାମଙ୍କ ଝିଆରୀ ସୁଜାତା ମୋ ରୁମମେଣ୍ଟ ଥିଲା | ରାତିରେ ରୁଟି ହେବା ଦିନ ପ୍ରାୟ ଆମ ରୁମ ପିଲା ପଖାଳ ଖାନ୍ତି | ଭାତ ଆଣି ରୁମରେ ଖାଇବା ଶକ୍ତ ମନା | ଦି ପହରେ ଡାଇନିଂ ହଲ୍ରୁ ପାଣି ଭରିବା ବାହାନାରେ ପାଣି ଜଗରେ ଭାତ ଭରି ଆଣୁ ଆମେ ରାତି ପାଇଁ | ମ୍ୟାଡ଼ାମ ନଥିବା ସମୟରେ ସୁଜାତା ତାଙ୍କ ରୁମରୁ ଆଳୁ ଶିଝେଇ ଆଣେ | ଭିତରୁ କବାଟ ବନ୍ଦ କରି ଆମେ ଖାଉ | ଆମେ ଭାବୁ କେହି ଜାଣି ପାରୁନାହାଁନ୍ତି | ଦିନେ ମୁଁ ଜଗରେ ଭାତ ଭରି ନେଇକି ଆସିଲା ବେଳକୁ ମ୍ୟାଡ଼ାମଙ୍କ ସହ ଭେଟ ହେଲା ବାରଣ୍ଡାରେ | ମୁଁ ଟିକେ ଡରିଲେ ମଧ୍ୟ କନ୍ଫଇଡେଣ୍ଟଲି ନମସ୍କାର କରି ତାଙ୍କୁ କ୍ରସ କରିଗଲି | ସେ ମୋତେ ପଛରୁ ଡାକି କହିଲେ, “ଲକ୍ଷ୍ମୀ, ଆଜି ମୋତେ ପଖାଳ ଖାଇବାକୁ ଇଚ୍ଛା ହେଉଛି | ଟିକେ ଆଳୁ ଚକଟା ପଠେଇବ ତ |” ଏବେ ଭାବିଲେ ଖୁବ ଖୁସି ଲାଗୁଛି | କିନ୍ତୁ ସେଦିନ ମୁଁ ଗୋଟା ସୁଦ୍ଧା ଥରି ଥରି ଝାଳେଇ ଯାଇଥିଲି | ଏ ଥିଲା ମମତ୍ୱ ସହ ପିଲାଙ୍କ ପ୍ରତି ତୀକ୍ଷ୍ଣ ନଜର |

ଶୈଳବାଳା ପୁରାତନ ଛାତ୍ରୀ ନିବାସର ଏଗାର ନମ୍ବର ରୁମ | ହାମୁଡେଇ ପଡ଼ିଥିଲେ ଝରକା ପାଖରେ ମଙ୍ଗଳିକା, ମିନୁ, ଜୟନ୍ତୀ, ଆଉ ସୁଜାତା | ମାମି ଯାଇ ଡାକି ଆଣିଲା ପାଖ ରୁମରୁ ନିବେଦିତା, ଲିନା, ମଧୁସ୍ମିତା ଆଉ କସ୍ତୁରିକାଙ୍କୁ | ତନୁ ଦେଖିଦେଇ ଆସି ବସିଲା ନିଜ ବେଡ଼ରେ | ଜଲ୍ଲି ଉଠିଲାନି ମୋଟେ ନିଜ ପଢା ଟେବୁଲରୁ ପାଖରୁ | ମୁଁ ବି |

ଆମେ ଫାଷ୍ଟ ଇୟରରେ ତଳ ରୁମରେ ଥିଲାବେଳେ ସେକେଣ୍ଡ ଫ୍ଲୋରର ଏଗାର ନମ୍ବର ରୁମରୁ ମଝିରେ ମଝିରେ “ହୋ” ହେଇ ପାଟି ଶୁଭେ ଅପାମାନଙ୍କର | ଆମେ ବୁଝୁନା | ଏବେ ସେକେଣ୍ଡ ଇୟରରେ ଆମକୁ ଏଇ ରୁମ ଅଲଟ ହେଇଛି | ଏଇ ରୁମର ଝର୍କାରୁ ଦିଶେ ପଡିଶା ଘର | ତାଙ୍କ ବାରଣ୍ଡା | ଆଉ ବାହାରେ ତିନିପଟ ଆଜବେଷ୍ଟ ଘେରେଇ କବାଟ ଜାଗାରେ ଅଖାଟିଏ ଟାଣି କରାଯାଇଥିବା ବାଥରୁମ | ଉପରଟି ସମ୍ପୂର୍ଣ୍ଣ ଉନ୍ମୁକ୍ତ | ସେଠି ଗାଧାନ୍ତି ଘରର ଝିଅମାନେ | କିଏ ସାୟାଟିଏ ପିନ୍ଧି ତ କିଏ ସ୍କଟଟି ଉପରକୁ ଟାଣି | ଆମେ ଦେଖୁ ଆଉ ନ ଦେଖିଲା ପରି ନିଜ ନିଜ ପାଠ ପଢ଼ାରେ ବ୍ୟସ୍ତ ଥାଉ | ହେଲେ ଅପାମାନେ ସବୁ ଦିନ କାହିଁ ହାଲ୍ଲା କରୁଥିଲେ ବୁଝିପାରୁନା |

ଦିନେ ମଙ୍ଗଳିକା ଦେଖିଲା ଆମେ କ୍ଲାସ ଯାଇଥିବା ବେଳେ | ତା’ ପରଦିନ ସମସ୍ତେ ସେଇ ନିର୍ଦ୍ଧିଷ୍ଟ ସମୟରେ ଝର୍କା ପାଖରେ ଠୁଳ | ମଙ୍ଗଳିକା ଶୁଣାଉଥିଲା ଧାରା ବିବରଣୀ, “ଏଇ ଦେଖ ଦେଖ ଏବେ ଆଜବେଷ୍ଟ ଉପରେ ରଖିଲା ସେ ତାର ଶାଢ଼ୀ | ହେ, ହେ, ସେତିକି ଥାଉ | ଆଉ ଖୋଲ ନା କିଛି |” ଝର୍କା ପାଖରେ ନ ଟି ମୁଣ୍ଡ | ମୁଁ ଝର୍କା ପାଖ ମୋ ବେଡ଼ ଉପରେ ଠିଆ ହେଇଗଲି | ତଳେ ସେ ବାଥରୁମରେ ଗାଧୋଉଥିଲା ବସ୍ତ୍ର ରହିତ ବିବାହ ବୟସ ଅତିକ୍ରାନ୍ତ ଯୁବତୀଟିଏ | ସେଇ ସମୟରେ କେହିଜଣେ ହସି ଉଠିଲା | ଯୁବତୀଟି ଉପରକୁ ଅନେଇଲା | ମୋ ଆଖିରେ ତା ଆଖି ମିଶିଲା | ଆମକୁ ଦେଖି ସେଇ ଅବସ୍ଥାରେ ସେ ଚିତ୍କାର କଲା “ରୁହ ରୁହ ତମ ମ୍ୟାଡାମଙ୍କୁ କହୁଛି ରୁହ |”

ଆମେସବୁ ସେଠୁ ଛତ୍ରଭଙ୍ଗ ଦେଲୁ | ଠିକ ଦଶ କି ପନ୍ଦର ମିନିଟ ପରେ ହଷ୍ଟେଲ ମାଉସୀ ଆସି କହିଲେ, ମ୍ୟାଡାମ ଡାକୁଛନ୍ତି | ଆମ ନାଁ ରେ କମ୍ପ୍ଲେନ ଆସିଛି | ଆମେ ସବୁ ଡରି ଛାନିଆ | ଆମେ ବାହାରିଛୁ ମାଉସୀ କହିଲେ ଆଲୋ ସେମିତି ନୁହେଁ, ସମସ୍ତେ ପିନ୍ଧିଥିବା ଡ୍ରେସ ବଦଳେଇ ଦିଅ | ଏବେ ଏବେ ନିଦରୁ ଉଠିଥିବାର ଅଭିନୟ କରି ଯାଅ | ଆମେ ସମସ୍ତେ ଗଲୁ | ମୁଁ ଆଗରେ | ସ୍ତ୍ରୀ ଲୋକଟି ସେତେବେଳକୁ ଭଲ ଗୋଟେ କଟନ ଶାଢ଼ୀ ପିନ୍ଧି ପୋନି କରି ଆସି ମ୍ୟାଡାମଙ୍କ ଅଫିସରେ ପାଟି କରୁଥାଏ | ମୋତେ ଦେଖିଦେଇ ସେ କହିଲା, ” ଏଇ ଝିଅ ତ | ଏଇ ଝିଅ ଦେଖୁଥିଲା ମୋତେ |” ମ୍ୟାଡାମ ବାକିମାନଙ୍କୁ ଆଖିର ଇସାରାରେ ଠାରିଦେଲେ ୱାପସ ଯିବାକୁ | ମ୍ୟାଡାମ କହିଲେ, ” ନା, ନା ଏ ତ ବହୁତ ଭଲ ଝିଅ | ବହୁତ ଭଦ୍ର ଆଉ ଶାନ୍ତ |” ସେ କହିଲା, “ନା ଏଇ ଝିଅ | ମୁଁ ଦେଖିଛି |” ମ୍ୟାଡାମ କହିଲେ,” ଏବେ ଏବେ ଆପଣ କହୁଥିଲେ ସେ ନାଲି ଡ୍ରେସ ପିନ୍ଧିଥିଲା, ଦି ଟା ବେଣୀ କରିଥିଲା | ଆର ତ ବାଳ ଖୋଲା, ଡ୍ରେସ ବି ନୀଳ ପିନ୍ଧିଛି | ଦେଖୁ ନାହାଁନ୍ତି ଏବେ ଏବେ ଶୋଇକି ଉଠିଛି |”

ସେ କିନ୍ତୁ ତା ଜିଦରେ ଅଟଳ ଥିଲା | ମ୍ୟାଡାମ ତାଙ୍କୁ ଆଉ ଏମିତି କେବେ ହେବନି ଓ ଝରକାରେ ପେପର ଦେଇ ବନ୍ଦ କରିବାର ପ୍ରତିଶୃତି ଦେଇ ବିଦା କଲେ | ସେ ଆଶ୍ୱସ୍ତ ହେଇ ଫେରିଗଲା | ମୁଁ ଫେରି ଆସିଲା ବେଳକୁ ମାଡାମ ମୋତେ ପଛରୁ ଡାକି ପଚାରିଲେ, ” ଲକ୍ଷ୍ମୀ, ସେ କେମିତି ଗାଧୋଉଥିଲା ?” ମୁଁ ପଛକୁ ଫେରି ମ୍ୟାଡାମଙ୍କୁ ଅନେଇଲି | ମ୍ୟାଡାମଙ୍କ ମୁହଁରେ ସ୍ମିତ ହାସ୍ୟ ଥିଲା | ମୁଁ ହସିଦେଇ ଲାଜରେ ଫେରି ଆସିଲି | ତା ପରଦିନ କୃଷ୍ଣ ନାନା ଖବର କାଗଜ ମାରି ରସି ବାନ୍ଧି ଆମ ଝରକା ବନ୍ଦ କରିଦେଇଥିଲା |

ହଷ୍ଟେଲ ଛାଡିବାର ଅନେକ ବର୍ଷ ପରେ ପୁଣି ଥରେ ଯାଇଥିଲି ହଷ୍ଟେଲ | ମ୍ୟାଡ଼ାମଙ୍କୁ ଦେଖାକଲି | ଫେରିଲା ବେଳକୁ ନିଜ ଡ୍ରାୟରରୁ ନିଜ ଫୋଟଟିଏ ବାହାର କରି ସେଥିରେ ମୋ ନାଁ ସହ ଦସ୍ତଖତ କରି ମୋତେ ବଢ଼େଇ ଦେଉ ଦେଉ କହିଲେ, ” ଲକ୍ଷ୍ମୀ ଅନେକ ପିଲା ଆସନ୍ତି ଯାନ୍ତି | କିଛି ପିଲା ମନେ ରହିଯାନ୍ତି | ସେମାନଙ୍କୁ ଏଇଠି ବସି ବସି ମୁଁ ଖୋଜେ | ନିଅ ଏ ଫୋଟଟି ରଖିଥାଅ | କେତେବେଳେ ଇଚ୍ଛା ହେଲେ ଦେଖିବ |” ମୋ ଆଖି ଜକେଇ ଆସିଲା | ଆଶ୍ଚର୍ଯ୍ୟ ଲାଗିଲା ଏତେ ବର୍ଷ ପରେବି ମୋ ନାଁ ମନେରଖିଛନ୍ତି ମ୍ୟାଡ଼ାମ | ମୋ ଭଳି ଅନେକ ପିଲାଙ୍କୁ ନୀରବରେ ଖୋଜିବା ଭିତରେ କେତେ କଷ୍ଟ ନ ପାଉଥିବେ ସତରେ ସେ |

ବରୋଦା, ଗୁଜରାଟ
ଫୋନ - 7490996865

Related Posts

2 thoughts on “ସ୍ମୃତି ଅପାସୋରା : ଗାଳ୍ପିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି

Leave a Reply

Your email address will not be published. Required fields are marked *