ଦୀଲିପା ପାତ୍ର

ହାଇ..ହାପି ବାର୍ଥ ଡେ ଅମିତ। ହଁ ଚାଲ ଚାଲ ଯିବା ଲେଟ୍ ହେଉଛି । ତମକୁ ପୁଣି ସନ୍ଧ୍ୟା ସୁଦ୍ଧା ଆଣି ହଷ୍ଟେଲରେ ଛାଡିବାକୁ ହେବ। ଆଜିକାଲି ଯୋଉ କଥା ଝିଅଙ୍କୁ ନେଇ ବୁଲିବା କେତେ ଯେ ଝାମେଲା। ଆଛା ମୋନା ମୋ ପାଇଁ ଆଜି କଣ ଗିଫ୍ଟ ରଖିଛ। କିଛି ସ୍ପେସିଆଲ? ହଁ..ହଁ.. ଏଇ ନିଅ ହାତ ଘଣ୍ଟା। ତମର କେତେ ସାରା ଫୋଟୋରେ ଦେଖିଛି ତମେ ଷ୍ଟାଇଲିସ ହାତ ଘଣ୍ଟା ସବୁ ପିନ୍ଧିଥାଅ ସେଥିପାଇଁ ଏଟା ତମପାଇଁ। ଆରେ ବାବରେ ତାମାନେ ତମେ ମୋର କେତେ ଧ୍ୟାନ ରଖୁଛ। ସତରେ ମାନିବାକୁ ପଡିବ। ଏ ଝିଅମାନଙ୍କ ମନକୁ ପଢିବା ଭାରି କଷ୍ଟ।
ଗାଡିର ସ୍ପୀଡ଼ ବଢୁଥାଏ। ମୋନା ଆଉ ଅମିତ ମଝିରେ ଥାଏ ପାଚେରୀ ସଦୃଶ ମୋନାର ବ୍ୟାଗ। ଅମିତକୁ କିନ୍ତୁ ଏ ସବୁ ଭଲ ଲାଗୁନଥାଏ। ମୋନାକୁ ବି ଅମିତର କାର୍ଯ୍ୟକଳାପ କିଛି ଠିକ ଲାଗୁନଥାଏ। ବାଧ୍ୟ ହେଇ ପଚାରିଲା ଅମିତ.. ଆମେ ଏବେ କୁଆଡେ ଯାଉଛେ? ଆରେ ସେଇ ତ.. ସରପ୍ରାଇଜ୍.. ଟିକେ ଅପେକ୍ଷା କର। କିନ୍ତୁ..ଆରେ ବାବା ତମେ ତ ଜାଣିଛ ମୁଁ ଏଇ ଭୁବନେଶ୍ୱର ପିଲା। ଏଠି ଯଦି ତମକୁ ନେଇ ବୁଲିବି ତାହେଲେ କୋଉଠି ନା କୋଉଠି କିଏ ବି ଦେଖିନବ। ସେଥିପାଇଁ ଟାଉନଠୁ ଟିକେ ଦୂର ଜାଗା ହିଁ ସବୁଠୁ ଭଲ। ଦୁହେଁ ଶାନ୍ତିରେ କଥା ହେଇପାରିବା। କଣ କଥା ହେବା ପାଇଁ ଏତେ ବଡ ସହର ଆମ ପାଇଁ ଉପଯୁକ୍ତ ନଥିଲା?
ଆରେ ତମେ ଏତେ କଣ ଭାବୁଛ ଯେ। ଦେଖ ଯାହା ହେଲେ ବି ତମେ ଝିଅ ପିଲା ତମର ତ ପୁଣି ଗୋଟେ ଇଜ୍ଜତ ଅଛି। ଆଉ ମୁଁ ବି ପୁଅ ପିଲାଟେ ମୋର ପୁଣି ଆତ୍ମସମ୍ମାନ କିଛି ଅଛି ନା ନାହିଁ। ସେଥିପାଇଁ ଆମ ପାଇଁ ସବୁଠୁ ବେଷ୍ଟ ଯୋଉ ଜାଗା ଆମେ ଏବେ ସେଠିକି ଯିବା। ବାସ୍ ଅମିତର ଏ ସବୁ କଥାରୁ ମୋନା ଠିକ ବୁଝିପାରୁଥିଲା। ଆଉ ମନେ ମନେ ଭାବୁଥିଲା ସେ ପୁରୁଣା କଥା। ଏଇ ନୂଆ ବର୍ଷରେ ହିଁ ତାଙ୍କ ଘରେ ସିଏ ଅମିତ କଥା କହିବ ଆଉ ଦୁହେଁ ନୂଆ ବର୍ଷରୁ ନୂଆ ଏକ ଜୀବନର ପରିକଳ୍ପନା କରିବେ। କିନ୍ତୁ ଗାଡିରେ ବସି ମୋନା ଭାବୁଥିଲା ବୋଧ ହୁଏ ଏଇ ପୁରୁଣା ବର୍ଷରେ ହିଁ ତା’ର ଏ ସମ୍ପର୍କରେ ଡୋରି ବାନ୍ଧି ଦେବାକୁ ହେବ । ନଚେତ ନୂଆ ବର୍ଷ କିଛି ନୂଆ ଭାବ ଭରିଦେବା ପରିବର୍ତ୍ତେ କେବଳ ଝଡଝଞ୍ଜା ଛାଡ଼ିଦେଇ ଯିବ।

ୟାରି ଭିତରେ ସେମାନେ ଆସି ପହଞ୍ଚି ଯାଇଥାନ୍ତି ଅମିତର ସାଙ୍ଗ ଘରେ। ଘର ଚାବି ଦେଇସାରି ସାଙ୍ଗ ବି କହିଗଲା ମୁଁ ଆସୁଛି। କିଛି ଅସୁବିଧା ହେଲେ ଜଣେଇବୁ। ଏବେ ମୋନାକୁ ଆଉ କିଛି ବୁଝିବାରେ ଅସୁବିଧା ନଥିଲା। ସବୁ କିଛି ଜାଣିପାରୁଥିଲା ସେ। ଅମିତ ତା’ ହାତ ଯେତେବେଳେ ମୋନା କାନ୍ଧରେ ଝୁଲେଇଦେଲା ମୋନା ଟିକେ ଉଚ୍ଚ ଗଳାରେ କହିଲା ଦେଖ..ତମ ହାତ ମୋ କାନ୍ଧ ଉପରେ.. ବାସ ଏଇ ଯାଏଁ ସବୁ ଠିକ। କିନ୍ତୁ ଏବେ ପାଇଁ ୟାଠୁ ଯଦି କିଛି ଅଧିକା ଭାବୁଥାଅ ତାହେଲେ ମୋ ବଦଳରେ ଆଉ ଗୋଟେ ଝିଅ ଖୋଜିପାର। କାରଣ ତମ କଥା ଆଉ ହବଭାବରୁ ମୁଁ ବେଶ୍ ବୁଝିପାରୁଛି। ପ୍ରେମ ନାଁରେ ମୋ ମନ ନୁହଁ ବରଂ ମୋ ଶରୀରର ସାନ୍ନିଧ୍ୟ ଟିକକ ପାଇବାପାଇଁ ତମେ ବ୍ୟଗ୍ର। କିନ୍ତୁ ତମେ ଗୋଟେ କଥା ଭୁଲିଯାଅନି ଯେ.. ତମ ଆତ୍ମସମ୍ମାନଠୁ ମୋ ପରିବାର ଆଉ ମୋ ଚରିତ୍ର ମୋ ପାଇଁ ସବୁଠୁ ବଡ। ଯେଉଁ ପୁରୁଷ ଆତ୍ମସମ୍ମାନର ଦ୍ୱାହି ଦେଇ ନିରୋଳା ଏକ ଜାଗାରେ ନିଜ କାମନା ବାସନାକୁ ଚରିତାର୍ଥ କରିବାକୁ ଚାହେଁ ସିଏ କେବେ ବି ପ୍ରକୃତ ପୁରୁଷ ହେଇନପାରେ। ଜଣେ କାମାନ୍ଧ ପୁରୁଷ ଆଉ ତମ ଭିତରେ ମୁଁ ଆଜି କିଛି ବି ଫରକ ଦେଖିପାରୁନି। ବାସ୍ ଫରକ ଏତିକି କାମାନ୍ଧ ମଣିଷଟି କାମର ବଶବର୍ତ୍ତୀ ସ୍ୱରୂପ ନିଜ ଆତ୍ମସନମାନକୁ ଭୁଲିଯାଏ ଆଉ ଶେଷରେ ଦୁନିଆ ଆଗରେ ବଳାତ୍କାରୀର ଆଖ୍ୟା ପାଇ ଦଣ୍ଡ ଭୋଗେ। କିନ୍ତୁ ତମେ ଆତ୍ମସମ୍ମାନ ନାଁରେ ଅନ୍ୟ ଝିଅଙ୍କ ଇଜ୍ଜତ ଲୁଟି ପୁନଶ୍ଚ ଆଉ ଏକ ଝିଅର ସନ୍ଧାନ ରେ ବାହାରିଯାଅ, ପୁଣି ଏକ ନୂଆ ଜାଗା ଆଉ ଆତ୍ମସମ୍ମାନକୁ ସାଙ୍ଗରେ ଧରି। ତମେ ଭୁଲି ଯାଅନି ଯେ ପ୍ରେମରେ ଦେହର ଆବଶ୍ୟକତା ଥାଇପାରେ କିନ୍ତୁ ଦେହ ଆଉ ଦହନ ପ୍ରେମର ମୂଳ ଭିତ୍ତିଭୂମି କେବେ ବି ହେଇପାରେନା।

ସେଦିନ ସେଇଠୁ ଫେରିଥିଲା ମୋନା। ଅମିତ ସହ ତୁଟିଯାଇଥିଲା ତା’ ବନ୍ଧୁତ୍ୱ। ମନେ ମନେ ଭାବୁଥିଲା କାମନା କାମନାତୀତ ଓ ଦେହ ଦେହାତୀତ ନ ହେବା ଯାଏଁ ପ୍ରକୃତ ପ୍ରେମର ପରିଚୟ ମିଳିପାରେନା। ନୂଆ ବର୍ଷ ପାଇଁ ସଂକଳ୍ପବଦ୍ଧ ହେଉଥିଲା ମୋନା। ଆଉ କାହାକୁ ଭଲ ପାଇବନି ସେ। କଅଁଳିଆ ମନରେ ବସା ବାନ୍ଧୁଥିବା କୁନି କୁନି ସ୍ୱପ୍ନ ସବୁ କାମ ରୂପୀ ଅଗ୍ନିରେ ଜଳି ପୋଡି ପାଉଁଶ ହୋଇଯାଇଥିଲେ। ଅନ୍ତତଃ କାମାନ୍ଧ ପୁରୁଷଠୁ ସର୍ବଦା ନିଜ କୁ ଦୁରେଇ ରଖିବ। ଏଇଟା ହିଁ ତା’ର ନୂତନ ବର୍ଷର ସଙ୍କଳ୍ପ ।


ଲେଖିକା ଓଡିଆ ସାହିତ୍ୟର ଜଣେ ମୁଗ୍ଧ ପାଠକ । ବ୍ରହ୍ମପୁର ସହରରେ ତାଙ୍କ ଘର । ସେ କ୍ଷୁଦ୍ର ଗଳ୍ପ ଲେଖିବାରେ ରୁଚି ରଖନ୍ତି ।

Related Posts

Leave a Reply

Your email address will not be published. Required fields are marked *