ମାୟାଧର ମାନସିଂହ

ସକଳେ ଡାକନ୍ତି ‘ତମେ’ ‘ତମେ’ ବୋଲି
ସେ ‘ତମେ’ର ମୂଲ ନାହିଁ,
ତମେ ଯେବେ ମତେ ‘ତମେ’ ବୋଲି କହ
ଏତେ ମିଠା କାହିଁ ପାଇ?

ଦୁଇଟି ଅକ୍ଷରେ କିଣିନେଲା ପରି
କାନକୁ ମୋହର ଲାଗେ,
ଓଠ ତବ ସଖୀ ଭରିଦିଏ ତାକୁ
କି ଗଭୀର ଅନୁରାଗେ?

କେତେ ତ ଡାକନ୍ତି ଦିନ ରାତି ସଦା
‘ଶୁଣ’ ‘ଶୁଣ’ ବୋଲି ମତେ,
ତମେ ଯଦି ପଛୁ ଡାକ ‘ହଇକିଓ’
ସୁଧା ଧାରା ଢାଳ କିଓ?

ହେ ପ୍ରେମ-ଦେବତା ଏ ପ୍ରେମୀ-ଯୁଗଳେ
କରୁଣା ତମର ଥାଉ,
‘ତମେ’- ‘ଶୁଣ’ ତଳେ ଦୁଇଟି ଛାତିର
ଡାକ ଦୁହେଁ ଯେହ୍ନେ ପାଉ ।

୦୦୦

ମାୟାଧର ମାନସିଂହଙ୍କୁ ପ୍ରେମର କବି ବୋଲି କୁହାଯାଏ । ସେ ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମଗ୍ରହଣ କରିଥିଲେ । କବିତା, କାବ୍ୟ ରଚନାରେ ଯେପରି ସେ ପ୍ରସିଦ୍ଧି ଅର୍ଜନ କରିପାରିଥିଲେ, ସେମିତି ସମାଲୋଚନା, ଗଦ୍ୟ ରଚନାରେ ମଧ୍ୟ ତାଙ୍କର ସ୍ୱତନ୍ତ୍ରତା ଫୁଟି ଉଠିଥିଲା । ଓଡିଆ ସାହିତ୍ୟ ଭଣ୍ଡାରକୁ ସେ ଅନେକ ଭାବରେ ଋଦ୍ଧିମନ୍ତ କରିଯାଇଛନ୍ତି । 

Related Posts

Leave a Reply

Your email address will not be published. Required fields are marked *