ସାହିତ୍ୟିକ ବନ୍ଧୁ

ଶରତ କୁମାର ରାଉତ

ମେଡ଼ିକାଲକୁ ଚିଠି ଆସିଛି । ମାଝୀ ବାବୁ ଆମ ଘରକୁ ଆସି କହିବା ପରେ ମୁଁ ଖୁସିରେ ଆତ୍ମହରା ହୋଇଗଲି । ଦୀର୍ଘ ୫ ବର୍ଷ ପରେ ମୁଁ ମନଖୋଲା ହସିଲି ଓ ଏକ କଳାପାଣି ନିର୍ବାସନରୁ ମୁକ୍ତି ପାଇବା ପରି ଅନୁଭବ କଲି ।
ମୋ ସ୍ତ୍ରୀ ସ୍ୱାସ୍ଥ୍ୟ ସେବିକା । ୫ ବର୍ଷ ତଳେ ଏଇ ଆଦିବାସୀ ଅଞ୍ଚଳରେ ପ୍ରଥମ କରି ନିଯୁକ୍ତି ପାଇଥିଲେ । ସରକାରୀ ତାଲିମ ଶେଷ କରି ଛଅବର୍ଷ ପର୍ଯ୍ୟନ୍ତ ବେକାର ଥିଲେ । ଈଶ୍ୱର ହିଁ ସର୍ବଶକ୍ତିମାନ । ତାଙ୍କର କୃପା ହେଲେ ମଣିଷ ସୁଖ ଶାନ୍ତି ଲାଭ କରେ । ଦିନେ ତାଙ୍କର କୃପା ହେଲା ଓ ମୋ ସ୍ତ୍ରୀ ଏଠାରେ ସରକାରୀ ଚାକିରିରେ ଯୋଗ ଦେଲେ । ଚିର ଅବହେଳିତ ଏଇ ଆଦିବାସୀ ଅଞ୍ଚଳରେ ରହି ନିୟମିତ କର୍ତ୍ତବ୍ୟ କରିବାକୁ ହେଲା । ଏଠାରେ ଘର, ବିଜୁଳି, ରାସ୍ତାଘାଟ, ବିଦ୍ୟାଳୟ ଆଦିର କୌଣସି ସୁବିଧା ନଥିଲେ ମଧ୍ୟ ଆମର ଦୁଇପୁଅ ଝିଅକୁ ନେଇ ରହିଲୁ । ଭଲ ଲାଗିଲା, ଆଦିବାସୀ ମଣିଷ ସହ ମିଶିବାକୁ । ସେମାନଙ୍କ ଦୁଃଖ ଶୁଣିବାକୁ-ସେମାନଙ୍କ ସମସ୍ୟା ସହ ଏକାକାର ହୋଇଯିବାକୁ ।
କ୍ରମେ ଅନେକ ସମସ୍ୟା ଦେଖାଦେଇଥିଲା ଆମ ସାମ୍ନାରେ । ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବିକା ୨୪ ଘଣ୍ଟା କର୍ତ୍ତବ୍ୟରେ ରହନ୍ତି । ମୁଁ ଲେଖାଲେଖି କରେ । ପତ୍ରପତ୍ରିକା ଦେଖିବାରୁ ବଞ୍ଚିତ ହେଉଥିଲି । ସେହି ଅଞ୍ଚଳକୁ ପ୍ରାୟ କୌଣସି ସାହିତ୍ୟ ପତ୍ରିକା ଯାଏ ନାହିଁ । ପାଠକ ସଂଖ୍ୟା ହାତଗଣତି । ତଥାପି ଆଦିବାସୀ ମଣିଷର ସମ୍ୟା ନେଇ ମୁଁ ଗଳ୍ପ ଲେଖି ଖୁସି ହେଉଥିଲି ।
ଆଦିବାସୀ କହିଲେ, ଜଣେ ସରଳ, ନିରୀହ, ନିରକ୍ଷର, ଅସଚେତନଶୀଳ ମଣିଷ ବୋଲି ଅଣ-ଆଦିବାସୀମାନେ ବୁଝନ୍ତି । ଏଇ ସୁଯୋଗରେ ସେମାନଙ୍କୁ ସବୁସ୍ତରରେ ଶୋଷଣ କରାଯାଏ । ଆଦିବାସୀ ବର୍ଗର ଉନ୍ନତି ପାଇଁ ସରକାର ସେମାନଙ୍କ ପାଇଁ ସବୁ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ସେମାନେ ରାଜୀତିରେ ଭାଗ ନେଇ କ୍ଷମତା ପାଇଲେ, ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ସରକାରଙ୍କର ଆଶା । ମାତ୍ର ସରକାରଙ୍କ ଲକ୍ଷ୍ୟ ବିଫଳ ହୋଇଛି । କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଉନ୍ନୟନ ଯୋଜନା ଅସଫଳ ହୋଇଛି । ଲୋକ ପ୍ରତିନିଧି, ଅଧିକାରୀ ଓ ଗାଁର ପ୍ରଭାବଶାଳୀ ଅଣ-ଆଦିବାସୀଙ୍କର ମିଳିତ ସଲାସୁତୁରା କ୍ରମେ ବିଭିନ୍ନ ଯୋଜନା ଅର୍ଥ ବାଟମାରଣା ହୋଇଚାଲିଛି । ଶହ ଶହ କିଲୋମିଟର ଦୂରରୁ ଆସି ଏଠାରେ ରହୁଥିବା ଅଣ-ଆଦିବାସୀମାନେ ଏଠାରେ ପ୍ରଭାବଶାଳୀ । ସ୍ୱୟଂ ଲୋକପ୍ରତିନିଧି ଯେତେବେଳେ ନିଜ ଜାତିର ଉନ୍ନତି ନଚାହିଁ ସେମାନଙ୍କ ସ୍ୱାର୍ଥ ଲୁଟ୍‌ରେ ବ୍ୟସ୍ତ, ଆଉ ଅନ୍ୟମାନେ ତ ଏଇ ସୁଯୋଗକୁ ଚାହିଁ ବସିଛନ୍ତି ।
ଆଦିବାସୀ ମଣିଷ ସର୍ବଦା ଅଳ୍ପାହାର, ଅନାହାର ଓ ଅର୍ଦ୍ଧାହାର ଭିତରେ ଜୀବନ ବିତାଉଛନ୍ତି । ବେଳେ ବେଳେ ଅଖାଦ୍ୟ ଭକ୍ଷଣକରି ମରୁଛନ୍ତି ତ ମାରାତ୍ମକ ସଂକ୍ରାମକ ରୋଗରେ ପୀଡ଼ିତ ରହୁଛନ୍ତି । ଆଉ ଘର ଦ୍ୱାର କଥା ଛାଡ଼, ସେମାନଙ୍କୁ ଗୃହଶୂନ୍ୟ ହତଭାଗ୍ୟ ମଣିଷ ବୋଲି କୁହାଯିବା ଉଚିତ୍ ।
ଏଇ ସମସ୍ୟା ସମ୍ପର୍କରେ ମୁଁ ପତ୍ରପତ୍ରିକାରେ ବାରମ୍ବାର ଲେଖେ । ସେହି ବର୍ବରମାନଙ୍କ ସହ ସାଲିସ କରିବାର ନାହିଁ । ଅବହେଳିତ ଆଦିବାସୀ ମଣିଷର ଉତ୍କଟ ସମସ୍ୟା ହୃଦୟଙ୍ଗମ କରି ଜଣେ ସାହିତ୍ୟିକ କ’ଣ କେବେ ନୀରବ ରହିପାରେ …. ? କୌଣସି ଅଭିଯୋଗ ପାଇ ଯଦିଓ ଉପର ମହଲରୁ କେହି ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବାକୁ ଆସିଲେ, ସେମାନେ ମଧ୍ୟ ନିଜ ନିଜ ସ୍ୱାର୍ଥ ହାସଲ କରି ଫେରିଲେ । ଏହା ଦ୍ୱାରା କ୍ରମେ ମୋର ଟେନ୍‌ସନ୍ ବଢ଼ିଲା । ତେଣେ ଛଅଶହ କିଲୋମିଟର ଦୂରରେ ଥିବା ବାପା, ମା’, ଭାଇ, ଭଉଣୀଙ୍କର ଭଲ-ମନ୍ଦ ଖବର ଜାଣି ହେଉନଥିଲା କି ଜାଣିଲେ ବି କିଛି କରିପାରୁନଥିଲି ।
ଏସବୁ ଘଟଣାରୁ ମୋ ଭିତରେ ବସା ବାନ୍ଧିଲା ମୋ ସ୍ତ୍ରୀର ବଦଳି ହେବା ବିଷୟ । ରାଜ୍ୟ ସେବିକା ସଂଘ ପକ୍ଷରୁ ବଦଳିକୁ ନେଇ କୋର୍ଟରେ ମାମଲା ଚାଲିଥିଲା । ବଦଳି ଉପରେ କୋର୍ଟର ରହିତାଦେଶ ଥିଲା । ତଥାପି ମୋ ନିଜ ଉପରେ ଭରସା ଥିଲା । ରାଜଧାନୀରେ ମୋର ବହୁ ନେତା, ମନ୍ତ୍ରୀ ଓ ଅଫିସର ପରିଚିତ ଥିଲେ । ମାତ୍ର ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ, ସଚିବ କିମ୍ବା ନିର୍ଦ୍ଦେଶକଙ୍କ ସହ ପରିଚୟନଥିଲା । କେବଳ ଜାଣିଥିଲି ସଚିବ ଜଣେ ସାହିତ୍ୟିକ । ସେ ଆମର ସମସ୍ୟା ଶୁଣିଲେ, ସଂଗେ ସଂଗେ ସମାଧାନ କରିଦେବେ ବୋଲି ମୁଁ ନିଃସନ୍ଦେହ ଥିଲି । ଯେହେତୁ ସାହିତ୍ୟିକର ମନ, ମସ୍ତିଷ୍କ ଓ ହୃଦୟର ଭାବ ମୁଁ ସ୍ୱୟଂ ଅନୁଭବୀ । ମଣିଷର ଦୁଃଖରେ ସାହିତ୍ୟିକର ହୃଦୟ ତରଳିଯାଏ, ଦୁଃଖରେ ମ୍ରିୟମାଣ ହୋଇଯାଏ ଓ ଯଥା ସମ୍ଭବ ସାହାଯ୍ୟ କରିବାକୁ ଆଗେଇ ଆସେ । ସାହିତ୍ୟିକ ହିଁ ମାନବିକତାର ଏକ ପ୍ରତୀକ । ଏଣୁ ମୋ ସ୍ତ୍ରୀର ବଦଳି ନେଇ ନିଶ୍ଚିତ ଥିଲି ।
ଭୁବନେଶ୍ୱରରେ ପହଞ୍ôଚ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖକୁ ଗଲି । ସ୍ୱାସ୍ଥ୍ୟ ବିଭାଗ ଓ ମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ମୋର ସ୍ତମ୍ଭ ଲେଖା ଖବରକାଗଜ ମାନଙ୍କରେ ପ୍ରକାଶ ପାଉଥିଲା । ଏଥିପାଇଁ ସେ ମତେ ଜାଣିଥିଲେ । ମୋ ସମସ୍ୟା ଶୁଣି ସେ ମଧ୍ୟ ମୋ ସ୍ତ୍ରୀର ବଦଳି ସପକ୍ଷରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ ଓ ମତେ ଭରସା ଦେଲେ । ମାତ୍ର କୋର୍ଟ ରାୟ ପ୍ରକାଶ ନପାଇବା ଯାଏ ବଦଳି ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶକ ମତେ ସ୍ପଷ୍ଟ ବୁଝାଇଦେଲେ । ତେବେ ମୋର ସଚିବଙ୍କ ଉପରେ ଭରସା ଥିଲା । ରାଜ୍ୟ ନିର୍ଦ୍ଦେଶାଳୟର ୩ ମହଲାରୁ ତଳକୁ ଆସୁଥିଲା ବେଳେ ହଠାତ୍ ଦେଖାହେଲେ ମୋର ଅତି ଜଣାଶୁଣା ବନ୍ଧୁ ସରୋଜ । ମୋର ସମସ୍ୟା ଶୁଣି ସେ ମୋ ସହ ସ୍ୱାସ୍ଥ୍ୟ ସଚିବଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ ।
ମୋର ବନ୍ଧୁ ସଚିବଙ୍କର ମଧ୍ୟ ଜଣେ ଘନିଷ୍ଠ ବନ୍ଧୁ । ମୋର ପରିଚୟ ପାଇ ସଚିବ ମତେ ଘନିଷ୍ଠ ସ୍ନେହରେ ବାନ୍ଧି ପକେଇଲେ । ସମ୍ବାଦପତ୍ର ମାନଙ୍କରେ ପ୍ରକାଶିତ ମୋର ସ୍ତମ୍ଭଲେଖା, ଫିଚର, କାହାଣୀ ଆଦି ସେ ପଢ଼ନ୍ତି ବୋଲି କହିଲେ ।
ଜଣେ ସାହିତ୍ୟିକର ଭାବ ଉପରେ ମୋର ଧାରଣା ମଜଭୁତ ହୋଇଗଲା । ଲେଖକର ଦୂରବସ୍ଥା ସମ୍ପର୍କରେ ସେ ଅନେକ ଉଦାହରଣ ଦେଲେ । ଓଡ଼ିଆ ଲେଖକ କିପରି ଓଡ଼ିଶାରେ ପ୍ରୋତ୍ସାହିତ ହୋଇପାରୁନି, ବରଂ ଇର୍ଷାର ଶିକାର ହେଉଛି-ଆମ ଭିତରେ ଆଲୋଚନା ହେଲା । ତଥାପି ଓଡ଼ିଆ ଲୋଖକ ଲେଖିଚାଲିଛି । ଏହା ଆମ ଓଡ଼ିଆ ସାହିତ୍ୟ ପାଇଁ ଶୁଭ ସଂକେତ ନିଶ୍ଚୟ । ଦିନକୁ ଦିନ ଓଡ଼ିଶାର ସବୁ ସ୍ତରରେ ମାନବିକ ମୂଲ୍ୟବୋଧ କମିଚାଲିଛି କହି ସଚିବ ଦୁଃଖରେ ମ୍ରିୟମାଣ ହୋଇଗଲେ । ……. ମୋର ସମସ୍ୟା ହୃଦୟଙ୍ଗମ କରି ସଚିବ ମତେ ଆଶ୍ୱାସନା ଦେବା ଆରମ୍ଭ କଲେ ।
“ସ୍ୱାସ୍ଥ୍ୟସେବିକା ବଦଳି ଉପରେ କୋର୍ଟ ରହିତାଦେଶ ଅଛି ସତ, ମାତ୍ର ଆପଣଙ୍କ କାମ ମୁଁ ଯେମିତି ହେଲେ କରିବି! ଆପଣଙ୍କ ସ୍ତ୍ରୀ ସରକାରୀ ବଦଳି ନିୟମ ପରିସରଭୁକ୍ତା ଅଟନ୍ତି । ଆପଣ ଲେଖୁଛନ୍ତି ଏ ସମାଜ ପାଇଁ । ଏ ଦୃଷ୍ଟିରୁ ଆପଣଙ୍କ ସମସ୍ୟା ସମାଧାନ କରିବା ମଧ୍ୟ ସମାଜର କାମ । ତା’ଛଡ଼ା ଆଉ କେତୋଟି ମାସ ପରେ ମୁଁ ଅବସର ନେବି ଚାକିରିରୁ । ସେତେବେଳେ ମୋ ପାଖରେ ଏହିପଦବୀ କି କ୍ଷମତା ନଥିବ । ବରଂ ଆପଣଙ୍କ ଭଳି ସାହିତ୍ୟିକ ବନ୍ଧୁ ମାନଙ୍କ ସହିତ ମୁଁ ମୃତ୍ୟୁପର୍ଯ୍ୟନ୍ତ ଥିବି । ଜଣେ ସାହିତ୍ୟିକ ବନ୍ଧୁ ହିସାବରେ କ’ଣ ମୁଁ ଏତିକି ସାହାଯ୍ୟ କରିପାରିବିନି ।”
ମୁଁ ଅଭିଭୁତ ସଚିବଙ୍କ ଅମାୟିକତ୍ୱ ଓ ମଣିଷ ପଣିଆ ଦେଖି । ଆହା, ନିର୍ଲିପ୍ତ ମଣିଷଟିଏ । ମାନବିକତାର ପ୍ରଲେପ ସ୍ପଷ୍ଟ ବାରିହେଉଥିଲା ତାଙ୍କ ଭିତରେ । ହୁଏତ ସେ ଜୀବନର ଆରମ୍ଭରୁ ବୁଝିଥିଲେ ମଣିଷ ଭିତରେ ଭାବଅଭାବ ଓ ଆବଶ୍ୟକତାକୁ । ସେ ଜଣାପଡ଼ୁଥିଲେ, ଯେମିତି ସେ ସବୁଥିରେ ଥାଇ କୋଉଥିରେ ନାହାଁନ୍ତି । ଲୋଭ, ମୋହ , ବିଳାସର ବହୁ ଉର୍ଦ୍ଧ୍ୱରେ । ସ୍ଥିତପ୍ରଜ୍ଞ ସାଧୁଟିଏ ଭଳି । ତାଙ୍କ ଠାରେ ନଥିଲା, ଜଣେ ବରିଷ୍ଠ ଆଇ.ଏ.ଏସ୍ ଅଫିସରର ବେଶପୋଷାକ, ଚାଲିଚଳନ କି ଆଭିଜାତ୍ୟ । ତାଙ୍କର ସାଧାରଣ ପୋଷାକ ତଳେ ଲୁକ୍‌କାୟିତ ମଣିଷତ୍ୱ ମତେ ଅଭିଭୂତ କରିଥିଲା । ମୋ ପାଇଁ ସେ ହୋଇଯାଇଥିଲେ ଯେମିତି ସାହିତ୍ୟିକର ସଜ୍ଞା । ମୁଁ ବୁଝିଗଲି, ଜଣେ ସାହିତ୍ୟିକ ସହ ଆଉଜଣେ ସାହିତ୍ୟିକ ଭେଟ ହୋଇଗଲେ, ଉଭୟଙ୍କ ଭିତରେ ସୃଷ୍ଟି ସମ୍ପର୍କ ବାସ୍ତବ । ସେହି ସମୟରେ ଉଭୟ ଭୁଲିଯାଆନ୍ତି ନିଜକୁ, ନିଜ ପଦବୀକୁ ଓ ନିଜ କାର୍ଯ୍ୟବ୍ୟସ୍ତ ଜୀବନକୁ ।
ଆଜି ମୋ ମନରେ ଅଫୁରନ୍ତ ଆନନ୍ଦ । ସବୁ ପ୍ରତିବନ୍ଧକକୁ ଭେଦକରି ମୋ ସ୍ତ୍ରୀର ବଦଳି ନିର୍ଦ୍ଦେଶ ପହଞ୍ଚିଛି । ଏଥର ସବୁଦିନ ପାଇଁ ମତେ ରାଜଧାନୀରେ ରହିବାକୁ ହେବ । ନୀତି ସନ୍ଧ୍ୟାରେ ସାହିତ୍ୟ ସଭାକୁ ଯିବାକୁ ହେବ । ପ୍ରତିଦିନ ସକାଳ ସଞ୍ଜରେ ପତ୍ରିକା ଦୋକାନରେ ସାହିତ୍ୟିକ ବନ୍ଧୁମାନଙ୍କୁ ଭେଟିବାକୁ ହେବ । ସେ ଯେଉଁ ଆନନ୍ଦର ମୁହୂର୍ତ୍ତ, କୌଣସି ଦୁଃଖ ସମସ୍ୟା ମଧ୍ୟ ସ୍ପର୍ଶ କରିପାରିବ ନାହିଁ । ହେଲେ ମତେ କେବଳ ସାହିତ୍ୟିକ ବନ୍ଧୁମାନଙ୍କୁ ଭେଟିବାକୁ ହେବ । ଏଇ ସୁଯୋଗ ପାଇଁ ମୁଁ ଏଥର ପ୍ରସ୍ତୁତି ଆରମ୍ଭ କରିଦେଲି ।

କୋରିଅପଲ୍ଲା, ଓଉପଦା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା-୭୫୪୨୧୭, ମୋ:୯୩୩୭୩୬୯୪୪୮

Related Posts

Leave a Reply

Your email address will not be published. Required fields are marked *