ନୂଆ ବର୍ଷ ଆସିଲାଣି

ଗୀତାଞ୍ଜଳି ପୃଷ୍ଟି

ନୂଆ ବରଷର ଶୀତୁଆ ସକାଳେ
କୁହୁଡି ଗାଆଁର ପ୍ରାନ୍ତେ
ସୁନେଲି ସୂରୁଜ ଉଙ୍କି ମାରିଲେଣି
ଘୋର ତମସାର ଅନ୍ତେ ll

ଧରଣୀ ବକ୍ଷରେ ତରୁଲତା ଡାଳେ
ନବ ଅରୁଣିମା ସ୍ପର୍ଶ
ଘୁଞ୍ଚି ଯାଉଛନ୍ତି କାକର ଗାଲିଚା
ସବୁ ଦିଶିଲାଣି ସ୍ୱଚ୍ଛ ll

ସୋରିଷ ଫୁଲର ଶିରାରେ ଶିରାରେ
ହଳଦିର ରଙ୍ଗ ବୁଣି
ପାଦ ଚିପିଚିପି ନୂଆ ବରଷଟା
ଧରା ପରେ ଆସିଲାଣି ll

ଦୂର ଦେବାଳୟେ ଭକତ ଗହଳେ
ଘଣ୍ଟଘଣ୍ଟା ଧ୍ୱନି ସହ
ନୂଆ ସକାଳରେ ଶୁଭ ମନାସିକି
ପୂଜିଲେଣି କେତେ ଦିଅଁ ll

ଶୁଭରେ ଶୁଭରେ କଟିଯାଉ ବର୍ଷ
ସୌଭାଗ୍ୟ ସମୃଦ୍ଧି ଧରି
ପ୍ରାଣେ ପ୍ରାଣେ ଭରି ସଂପ୍ରୀତି ସୋହାଗ
ହସିଉଠୁ ସୁଖ ଶିରୀ ll

ହିଂସା ଦ୍ୱେଷ ଭାବ ଅପସରି ଯାଉ
ପ୍ରତି ହୃଦୟରୁ ଦୂରେ
ସୌହାର୍ଦ୍ଧ୍ୟ ଶୁଭେଚ୍ଛା ସ୍ଵର୍ଗୀୟ ସମ୍ପତ୍ତି
ଭରୁ ଏ ମାନବ ଠାରେ ll

ଏମିତି ବରଷ ଆସି ଯାଉଥିବ
ସମୟ ସୁଅରେ ଚାଲି
କେତେବେଳେ କିଏ ଛାଡ଼ି ଚାଲିଯିବ
ଆସିଯିବ କାହା ପାଳି ll

ଜଗତର ନାଥ କାଳିଆ ସାଆନ୍ତ
ଶୁଭ ଦୃଷ୍ଟି ଦେଇ ବାରେ
ଭରି ଦିଅ ଖୁସି ଏ ନୂଆ ବର୍ଷରେ
ତବ ସୃଷ୍ଟ ଏ ସଂସାରେ ll

ଗତିରାଉତ ପାଟଣା, କଟକ, ମୋ – ୮୯୧୭୪୧୬୨୫୧

ଲେଖକ ପରିଚୟ

ଅଧୁନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ହେଲେ ସାହିତ୍ୟ ପ୍ରତି ପ୍ରଗାଢ ଦୁର୍ବଳତା । ଛନ୍ଦବଦ୍ଧ ଏବଂ ମୁକ୍ତ ଛନ୍ଦ କବିତା ସହିତ ଧନ୍ଦା, ପ୍ରବନ୍ଧ ଏବଂ ଗଳ୍ପ ରଚନା କରେ । ବାଲ୍ୟକାଳରୁ ମାଟି ମନସ୍କତା, ଦେଶ ଓ ଜାତି ପ୍ରୀତି ମୋତେ ଏହି ଦିଗରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହେବା ସହିତ ମୋର ୩ ଟି କବିତା ପୁସ୍ତକ ଏବଂ ଗୋଟିଏ ଶିଶୁ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *