ବିନେଶ ସାମଲ
ସେମାନେ ଆଉ ଫେରିବେନି
ଏଇ ଯୁଦ୍ଧଖୋର ଗ୍ରହକୁ
ନିରବରେ ଚଢ଼ିବାକୁ ଶୁନଶାନ ପାହାଚ
ଯାହାଙ୍କ ପାଦ ଭିଜୁଥିଲା ଭୋର ମୋତିର ଓଦାପଣରେ ।
ସେମାନେ କାହିଁକି ଆସିବେ
ଆମ ବାଲକୋନୀରେ ଘୁମେଇ ପଡ଼ିଥିବା ହଳେ ହଳେ
ବିବଶ ଛାଇଙ୍କ ଦୁଃଖରେ ସାମିଲ ହେବାକୁ !
ଆମେ ଜାଣୁ ଆମ ଘର ଆଜି କେତେ ଭଙ୍ଗୁର !
ଆପଣାର ଏବେ ସବୁ ଦୂରଦେଶେ ଛାୟାଛବି
ସ୍କ୍ରିନ୍ ରେ ଦିଶେନି ଆଖିତଳ ଶିରାଳ ସିଆରରେ
ଲୁହର ଅମାନିଆ ସୁଅ ।
ଦିଶେନି ହାତ ପାପୁଲିର ହେମାଳେଇ ଯାଇଥିବା
ସେଇ ପୁରୁଣା ଉଷୁମ ଲବଣୀମଖା ଆଦର ।
କାହିଁକି ଆସିବେ ସେମାନେ !
ରଙ୍ଗ, ଋତୁ କଥା ପଚାରିବାର ସମୟ ଆଉ ନାହିଁ ।
ଋତୁ ସବୁ ଛୁଟିବେଳାର ଡିଜିଟାଲ ଛବି
ଆଉ ରଙ୍ଗ ! ରଙ୍ଗ ପାଇଁ ଆମେ ଆଜି କାଟି ସାରିଛେ
ନାଲି ଗାରଟିଏ ହୃଦୟରେ
କାହିଁକି ଆସିବେ ସେମାନେ
ପୋଷେ ହଳଦୀକାଠୁଆ ପାଇଁ
ଭଙ୍ଗା ହୃଦୟର ରଙ୍ଗରେ ହାତ ରଙ୍ଗେଇବାକୁ !
କେଇଜଣ ତ ଅଛନ୍ତି ଆଉ
ବାଡ଼ିପଟେ ଜଳୁଛି ଏକ ପୁରୁଣା ଶୀତ
ବୋଉ ମଝିରେମଝିରେ ପରଖୁଛି ଯାଇ
ଦି’ ବିଡ଼ା ଛଣ ଓଟାରି, ଉଠାଚୁଲିରେ ଗଇଁଠା ସିଝେଇ ।
ବାପା ବି ବ୍ୟସ୍ତ ହେବାର ବାହାନା କରୁଛନ୍ତି
ଧୂସର ଚାଦର ତଳେ ଗୋଟେ ଲମ୍ବା ପ୍ରତୀକ୍ଷାକୁ ଲୁଚେଇ ।
ହାଟ ସଉଦା, ଘାଟ ଅପେକ୍ଷା,ଏବେ ଏକ ଏକ ରୂପକ
ସେମାନେ ନଫେରିବାର କବିତା ପାଇଁ ।
ଇଏ ଏକ ଦୁର୍ଦ୍ଦଶ କ୍ରୁର କାଆଁଳ ବେଳ !
ଏଇବେଳେ ଚାଲେ ଆକାଶରେ ହିଂସ୍ର ବାଦଲଙ୍କ
ବାଘ ମଞ୍ଜାରି ଖେଳ ।
ପବନରେ ଦିଗହଜାଙ୍କ ବିଷାକ୍ତ ନିଃଶ୍ଵାସ ।
ଏଇବେଳରେ ହିଁ ଫାଶୀରେ ଝୁଲି ଯାଆନ୍ତି
ସ୍ମୃତିରଙ୍କ ମଣିଷଙ୍କ ସବୁ ଚିହ୍ନ, ସବୁ ଛାଇ ।
ନଆସନ୍ତୁ ସେମାନେ..
ଏଇ ଗ୍ରହ ସାରା ତ ଶବ, ମୁଁ ବା କେଉଁ ଶିବ
ଫେରେଇ ଆଣିବି ତାଙ୍କୁ..
ନଆସନ୍ତୁ ସେମାନେ..
ଏବେ କେବେଳ ଝୁରି ହେବାର ବେଳ ।
ପ୍ରଶାନ୍ତି ବିହାର, ଭୁବନେଶ୍ୱର
ଲେଖକ ପରିଚୟ
ମୁଁ ଏମିତି ସବୁବେଳେ ଫେସବୁକରେ ଲେଖାଲେଖି କରେ । ଲେଖିବାର ସ୍ପୃହା ଛୋଟବେଳୁ ଅଛି ଯାହାକି ମୋତେ ଲେଖିବାର ପ୍ରେରଣା ଦିଏ । ଏଯାବତ ମୋର ଖଣ୍ଡିଏ ବହି ପ୍ରକାଶିତ ହୋଇଛି । ବହିର ନାମ “ଏ ରୂପକ କେବେ ମୋର ନୁହେଁ ।”