ବ୍ୟଙ୍ଗକବିତା: କଟକି ମାଲ୍‌!

ଡଃ. କୁଳାଙ୍ଗାର

କଟକର ଭାଇଚାରା ପ୍ରସିଦ୍ଧ ଅତୁଲ୍ୟ
ବେଶି ହୁଏ ମିଳାମିଶା ଏଠି;
ଏହାର ପ୍ରଭାବ ଏବେ ମଣିଷକୁ ଟପି
ପଡିଲାଣି ଖାଦ୍ୟଦ୍ରବ୍ୟଙ୍କଠି!
ତେଣୁ କଟକି ମଣିଷ ଅବା କଟକି
ଦରବ ଯଦି ପଡିଲା ନକଲି;
ଜାଣିବ ସେ ସୁପ୍ରସିଦ୍ଧ ଭାଇଚାରା
ଦ୍ୱାରା ଅତି ପ୍ରଭାବିତ ବୋଲି!!

ପ୍ରଥମେ ପ୍ରଥମେ ଧରା ପଡିଥିଲା
ନକଲି ଟମାଟ ଓ ଲଙ୍କା ଚଟଣି;
ପ୍ରସ୍ତୁତକାରୀ ଓଲଟି ପଚାରିଲେ ଏତେ
ଶସ୍ତାରେ କୋଉଠି କିଏ ଅସଲି ଦେଲାଣି?
ତା ଛଡା ଆପଣମାନେ ଅଭ୍ୟସ୍ତ ଫାଷ୍ଟଫୁଡ୍‌ରେ ପଚା କଖାରୁ ଭଣ୍ଡା ସସ୍ ଖାଇ;
ଏବେ ଅସଲି ସସ୍ ଗୋଳାଇ ଖାଇଲେ
ଆଗପରି ସ୍ୱାଦ ଆଉ ପାଇବେ ହିଁ ନାହିଁ!!

ତା ପରେ ନକଲି ତେଲ ଆଉ ଘିଅ
ବିକୁଥିଲେ କହି ତାକୁ ଅସଲି ନିଅ;
ନିଜେ ଖାଅ କୃପାପାଇଁ ଦୀପ ଏବଂ
ହୋମଯଜେ୍ଞ ଠାକୁରଙ୍କୁ ଦିଅ!
ତେଲମରା ମଣିଷ ତ ତେଲମରା
ତେଲର ନକଲ ତେଣୁ ଧରିପାରେ ନାଇଁ;
ହେଲେ ଇଶ୍ୱର ବି ନକଲି ବୋଧେ
ନହେଲେ ତାଙ୍କର ଏଥିକୁ ପ୍ରତିକ୍ରିୟା କାଇଁ?

ମସଲା ହଳଦି ଜୀରା ଏବଂ ଲଙ୍କାଗୁଣ୍ଡ
ଦାମୀବ୍ରାଣ୍ଡର ନକଲି ଜବତ ବସ୍ତାବସ୍ତା;
ଦୋକାନୀ ରଖି ବିକନ୍ତି ଗ୍ରାହକେ
ସୁଖେ କିଣନ୍ତି ଯେଣୁ ଏହା ଶସ୍ତା!
ଡାକ୍ତର କହନ୍ତି ଦେହକୁ ଅଡୁଆ ତାହା
ବେଶି ତେଲମସଲା ଦ୍ରବ୍ୟ ତମେ ଖାଅନାଇଁ
କଟକି ମାଲିକେ ତେଣୁ ଅଳ୍ପ ଅସଲି ମିଶାଇ
ନକଲି ଦ୍ରବ୍ୟ ବନାନ୍ତି ଆମ ହିତ ପାଇଁ!!

ଜବତ ହୋଇଲା ପୁଣି ନକଲି ପନୀର୍‌
ପ୍ରସ୍ତୁତ ହୁଏ ତାହା ଭିଜେଇ କାଗଜ;
କେହି ଦେଶପ୍ରେମୀ ଏହା କରୁଥିଲେ ବୋଧେ
ରକ୍ଷା କରିବା ପାଇଁକି ଗୋମାତା ବଶଂଜ!
ସବୁ କ୍ଷୀରରେ ଯଦି ଆପଣ ପନୀର୍ ଖାଇବେ
ଗୋବର୍ଛାମାନେ ତ ନିଶ୍ଚେ ଭୋକରେ ମରିବେ;
ଘିଅ ଓ ପନୀର୍ ତ ଦେଖିଲେ ଏବେ ଖୀର କିଣିଲା
ବେଳେ ବି ମୋ କଥାକୁ ମନେ ପକାଇବେ!!

ଆପଣ ଅସଲି ସିମେଂଟରେ ଘରତୋଳି ଯଦି ସୁରକ୍ଷିତ ଭାବେ ବସବାସ କରିବେ;
ତେବେ ତ ଚୋରଠୁ ପୁଲିସ୍ ଯାଏଁ
ସଭିଏଁ ହାତ ବାନ୍ଧି ଘରେ ହିଁ ବସିବେ!
ତେଣୁ ଆପଣଙ୍କୁ ସୁରକ୍ଷା ଓ ନ୍ୟାୟର
ସେବା ପ୍ରଦାନର ସୁଯୋଗ ପ୍ରଦାନ ପାଇଁ;
କଟକରେ ନକଲି କାରଖାନା ଚଳାଇ
ଧରାପଡିଛନ୍ତି ଜଣେ ବୁଦ୍ଧିମାନ ଭାଇ!!

ଏ କବିତାଟି ପଢି କଟକିଆ ମାନେ କାଳେ
କିଛି ଖରାପ ଭାବିବେ ବୋଲି;
ପରୀକ୍ଷା କରିବା ଉଦ୍ଦେଶ୍ୟରେ ସର୍ବ ପ୍ରଥମେ
ଜଣେ କଟକିଆ ସ୍ରୋତାକୁ ଡାକି ଶୁଣେଇଲି!
ସିଏ କହିଲେ ସେମିତି କହିବେନି
ମଦପିଇ ଦେଖ ଏଠି ନିଶା ଅଛି;
ଏଠି ବିଜୁଳି ଓ ଗାଳି ଉଭୟ ଖାଂଟି
ଥରେ ହାତମାରି ଦେଖ କେମିତି ଲାଗୁଛି!!

ମାର୍ଫତ- ଗାନ୍ଧୀ ପଣ୍ଡା, କଳାଘର-ଲେମ୍ବୋ, ଡା-ଅଲରା, ନରସିଂହପୁର, କଟକ
କ୍ରିଂ କ୍ରିଂ- ୮୮୯୫୮୨୫୮୬୩

Related Posts

Leave a Reply

Your email address will not be published. Required fields are marked *