ଡ. କାର୍ତ୍ତିକେଶ୍ବର ଜେନା

ବାଣୀ ବିହାର ଅଟୋ ଷ୍ଟାଣ୍ଡ, ନଟ ଶୋଇଥିଲା ତା’ ଅଟୋ ଭିତରେ l କିଏ ଜଣେ ଆସି ଡାକ ପକେଇଲେ “ଏ ଅଟୋଵାଲା, ବରମୁଣ୍ଡା ଯିବୁ? ” ନଟ ଆଖି ବି ନ ଖୋଲି ସଫା ସଫା କହିଲା ” ହୋଇ ହୋ ବାବୁ, ମୁଁ ପରା ଶୋଇଛି l ତମ ଆଖିକୁ ଦିଶୁନି କି? ” ଏମିତି ଶୁଣି ଲୋକଟି ଫେରି ଯାଉଥିଲା l ନଟକୁ ମନେ ମନେ ଭାବିଲା, ଆରେ ତା’ ଆବାଜ ରୁ ତ ଲାଗୁଥିଲା ବୁଢ଼ା ଲୋକଟିଏ ହେଇଥିବ ନିଶ୍ଚୟ l ନଟ ହଠାତ ଉଠି ପଡି ପଛରୁ ଡାକିଲା “ଓ ବାବୁ ଆସ ଆସ, ବରମୁଣ୍ଡା ଯିବ, ଆସ l” ବୁଢ଼ା ଲୋକଟି ଆସିଲା ଆଉ ଅଟୋ ରେ ବସିଛି କି ନାଇଁ କହିଲା “ଧନ୍ୟବାଦ ବାବୁ l”
ବୁଢା ର ସେଇ ଟିକକ ସ୍ୱର ନଟକୁ କେଜାଣି କାହିଁକି ପୁରା ଖୁସ କରି ଦେଲା l ନଟ ଅଟୋ ର ମିରର ରେ ସେ ବୁଢ଼ା ମଣିଷ ଟାକୁ ଦେଖିବାକୁ ଚେଷ୍ଟା କଲା l
ସେଇ ଗୋଲ ଚଷମା, ସେଇ ଧଳା କୁର୍ତା, ସେଇ ଛତା, ବାଟା ଚପଲ l ଯାହା ଖାଲି ଚୁଟି ଗଣ୍ଡାକ ବେଶୀ ବେଶୀ ଧଳା ଦିଶୁଚି, ଚଷମା ର କାଚ ଟା ବି ଟିକେ ମୋଟା ଦିଶୁଛି l ଆଉ କିଛି ବି ବଦଳିନି l ନଟ ସାଙ୍ଗେ ସାଙ୍ଗେ ଖଣ୍ଡି ହସ ଟିଏ ଦେଇ କହିଲା “ଦୀନା ମାଷ୍ଟ୍ରେ ନମସ୍କାର l” ଅଟୋ ଟାକୁ ରାସ୍ତା ସାଇଡ ରେ ରଖି ଦେଇ ଆଗ ଆସି ପାଦ ଦି’ଟା ଛୁଇଁ ଦେଇ ପ୍ରଣାମ କଲା l ଦୀନା ମାଷ୍ଟ୍ରେ ଖୁସିରେ କୁଣ୍ଢେ ମୋଟ ହେଇଗଲେ ଆଉ ନଟ ର ମୁଣ୍ଡ ଉପରେ ହାତ ଟା ବୁଲେଇ ଆଣି କହିଲେ ” ଆରେ ନଟ ତୁ !” ନଟ କହିଲା “ହଁ ଆଜ୍ଞା ମୁଁ l” ନଟ ର ବି ଖୁସିର ସୀମା ନଥାଏ l ପିଲାଦିନ ର ସବୁ କଥା ଜଳ ଜଳ ହେଇ ତାକୁ ଦିଶୁଥାଏ l ନଟ ପୁଣି ଅଟୋ ଷ୍ଟାର୍ଟ କଲା l ୟା ଭିତରେ ବରମୁଣ୍ଡା ବସ ଷ୍ଟାଣ୍ଡ ଆସି ସାରିଥିଲା l ନଟ ଦୀନା ମାଷ୍ଟ୍ରେ ଙ୍କ ସହ ବସ ଷ୍ଟାଣ୍ଡ ଭିତରକୁ ଗଲା ବସ ପାଖେ ଛାଡି ଦେବା ପାଇଁ l ହେଲେ ବସ ଛାଡିବାକୁ ଆହୁରି ଗୋଟେ ଘଣ୍ଟା ବାକି ଅଛି l ନଟ ଦୀନା ମାଷ୍ଟ୍ରେ ଙ୍କୁ ବିଶ୍ରାମଗାର ରେ ବସେଇ ଦେଇ ପାଖ ଦୋକାନ କୁ ଯାଇ ଗୋଟାଏ ଥଣ୍ଡା ପାଣି ବୋତଲ ଆଉ ପକୁଡି ଦଶ ଟଙ୍କାର ନେଇ ଆସିଲା l ଦୀନା ମାଷ୍ଟ୍ରେ ଏସବୁ ଦେଖି କହିଲେ “କଣ ଦରକାର ଥିଲା ଯେ ଏସବୁ ଆଣିବା? ଆଛା ଏବେ ବି ତୋର ମନେ ଅଛି, ପକୁଡି ମୋର ପସନ୍ଦ ବୋଲି? ” ନଟ କହିଲା “କି କଥା କହିଲେ, ମନେ ରହିବନି କେମିତି ଯେ? “
ଦୀନା ମାଷ୍ଟ୍ରେ ଲୁହ ଲୁଚେଇବାକୁ ଚେଷ୍ଟା କରୁଥିଲେ ବୋଧେ l ଲୋଚାକୋଚା ହସଟିଏ ହସି ଦେଇ ନଟ ର ମୁଣ୍ଡରେ ହାତ ବୁଲେଇ ଆଣି କହିଲେ “ହୋଉ ରେ ନଟ ତୁ ଏଥର ଯା l ଭଗବାନ ତୋର ମଙ୍ଗଳ କରନ୍ତୁ l” ନଟ ମୁଣ୍ଡିଆ ଟିଏ ମାରି ବାହାରି ଗଲା ତା’ ଅଟୋ ନେଇ l
ନଟ ରାସ୍ତା ସାରା ମୁଚୁମୁଚିଆ ହସ ହସୁଥିଲା ତା’ପିଲାଦିନ କଥା ମନେ ପକେଇ l ଏଇ ପରା ସେଇ ନଟ ମାଷ୍ଟ୍ରେ, ସାଧାରଣ ହର୍ଷ ଇ ଆଉ ଦୀର୍ଘ ଇ ଖାଲି ଟିକେ ଭୁଲ ହେଇ ଯାଉଥିଲା ବୋଲି ପିଠି ରେ ନୋଳା ଫଟେଇ ପିଟୁ ଥିଲେ l ନଟ ବି କୋଉ ବିଛୁଆତି ଠୁ କମ ଥିଲା କି ଯେ, ନଟ ରାଗରେ ସବୁଦିନ ଦୀନା ମାଷ୍ଟ୍ରେ ଙ୍କ ସାଇକେଲ ଚକା ପଞ୍ଚର କରି ଦେଉଥିଲା l ଏମିତି କେତେ କଥା ମନେ ପକେଇ ନଟ ହସୁଥିଲା l ହଠାତ ନଟ ର ଆଖିରେ ଲୁହ ଟୋପେ ଆସିଗଲା l ନଟ ଭାବିଲା, ସତରେ କଣ ଦୀନା ମାଷ୍ଟ୍ରେ ବଦଳି ନାହାନ୍ତି l
ନିଜକୁ ନିଜେ ଉତ୍ତର ବି ଦେଲା, ହଁ ହଁ, ଟିକେ ନୁହଁ ବହୁତ ବଦଳି ଯାଇଛନ୍ତି l କୁଆଡେ ଗଲା ସେ ଦୀନା ମାଷ୍ଟ୍ରେ ଙ୍କ ସେଇ କର୍କଶ ସ୍ୱର? ଦୀନା ମାଷ୍ଟ୍ରେ ନାଁ ଶୁଣିଲେ ପିଲାଏ ପେଣ୍ଟ ରେ ଶୁଶୁ କରି ଦେଉଥିଲେ l ହେଲେ ଦୀନା ମାଷ୍ଟ୍ରେ ଆଜି ଏତେ ଉଦାସ କାହିଁକି?
ନଟ ଅଟୋ ବୁଲେଇଲା ପୁଣି ବରମୁଣ୍ଡା ଆଡକୁ l ପାଇଗଲା ଦୀନା ମାଷ୍ଟ୍ରେ ଙ୍କୁ l ଖୁବ ଅଳି କରି ସେ ନେଇ ଆସିଲା ତାଙ୍କୁ ତା’ ଛୋଟ କୁଡ଼ିଆ କୁ ଆଉ କହିଲା “ଆଜି ଦିନ ଟା ମୋ ଛୋଟ କୁଡ଼ିଆ ଟା ରେ ରହି ଯାଆନ୍ତୁ, କାଲି ମୁଁ ଆପଣଙ୍କୁ ଛାଡି ଆସିବି ବସ ଷ୍ଟାଣ୍ଡ ରେ l “
ରାତିରେ ଖାଇ ସାରି ବିଛଣା କୁ ଗଲେ ଦୀନା ମାଷ୍ଟ୍ରେ, ଦୀନା ମାଷ୍ଟ୍ରେ ଙ୍କ ଗୋଡ ମୋଡ଼ୁ ମୋଡ଼ୁ ନଟ ପଚାରିଲା ” ଆଉ ରାହୁଲ? ” ନଟ ର ପ୍ରଶ୍ନ ନ ସରୁଣୁ ସେ କହିଲେ “ହଁ ହଁ, ସେ ବହୁତ ଭଲରେ ଅଛି l” ୟା ଭିତରେ ଦୀନା ମାଷ୍ଟ୍ରେ ଙ୍କ ଆଖି ଲାଗି ଯାଇଥିଲା l ନଟ କିନ୍ତୁ ଭାବୁଥିଲା, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ଶିଖେଇ ଥିବା ଦୀନା ମାଷ୍ଟ୍ରେ ଆଜି କାହିଁକି ଏତେ ମିଛ କହିଲେ? ସେ ତ ହସ୍ପିଟାଲ କୁ ଆସିଥିଲେ ହେଲେ ପେନସନ ପାଇଁ କୋଉ ଅଫିସ କୁ ଆସିବା କଥା କାଇଁ କହିଲେ l ନଟ ଫେସବୁକ ଖୋଲିଲା, ଅନଲାଇନ ଥିଲେ ରାହୁଲ ମିଶ୍ର l ଦୀନା ମାଷ୍ଟ୍ରେ ଙ୍କ ପୁଅ ଆଉ ତା’ ପିଲାଦିନ ସାଙ୍ଗ l ନମ୍ବର ମାଗି ଫୋନ କଲା ରାହୁଲ କୁ, ଆଉ ସେ ମେଡିକାଲ ରିପୋର୍ଟ ରେ ଯାହା ଲେଖା ହେଇଥିଲା ସବୁ ଶୁଣେଇଲା l ରାହୁଲ ଠୁ ଏତିକି ଖାଲି ଜାଣିଲା ଯେ ରାତିରେ ନିଦ ହେଉ ନଥିବାରୁ ଏସବୁ ରୋଗ, ଆଉ କିଛି ନୁହଁ l ଆଉ କଣ କଣ ଏମିତି କଥା ହେଲା ରାହୁଲ ସହ l
ଚାରିଦିନ ହେଇ ଗଲାଣି, ଦୀନା ମାଷ୍ଟ୍ରେ ନିଜ ଘରକୁ ଫେରି ଆସିଥିଲେ l ଏକା ମଣିଷ ଟିଏ, ଏମିତି ବସି ଟିଭି ଦେଖୁଥିଲେ l ଡାକ ଵାଲା ଆସି ଚିଠି ଟିଏ ଦେଲା, ଲଫାପା ରେ ରାହୁଲ ମିଶ୍ର ଲେଖା ଥିଲା l ଆଉ ଚିଠି ଭିତରେ ଲେଖା ଥିଲା ” ବାପା, ମୋର ଭୁଲ ହେଇ ଯାଇଛି l କ୍ଷମା କରିଦେବ, ମୁଁ ବହୁତ ଜଲଦି ଯିବି ତୁମକୁ ଦେଖା କରିବାକୁ l ଲଭ ୟୁ ବାପା, ଏମିତି କେତେ କଣ…..
ଦୀନା ମାଷ୍ଟ୍ରେ ପଢି ସାରି ଫୋନ କଲେ ନଟକୁ l କହିଲେ “ପାଖରେ ଥିଲେ ତୋ କାନ ମୋଡି ଦିଅନ୍ତି, ବୁଝିଲୁ l କେତେ ଥର ସେ ହର୍ଷ ଇ ଆଉ ଦୀର୍ଘ ଇ ଭୁଲ କରିବୁ ଯେ? ଆଉ ହସ୍ତାକ୍ଷର ଜାଣି ଯିବି ବୋଲି ଟାଇପ କରି ପଠେଇଛୁ l ସତରେ ନଟ ତୁ ବଦଳିନୁ ହେଲେ ବଦଳି ଯାଇଛି ମୋ ପୁଅ l ଏଇ ଦୀନା ମାଷ୍ଟ୍ରେ ଆଜି ଖୁବ ଖୁସି, ସେ ବନେଇଛି ତୋ ଭଳିଆ ମଣିଷ ଟିଏ l ଲଭ ୟୁ ନଟ l”

Dr. Kartikeswar Jena
Burdwan, West Bengal

Related Posts

Leave a Reply

Your email address will not be published. Required fields are marked *