ଓଡ଼ିଆ ସାହିତ୍ୟ ଜଗତର ସାରସ୍ବତ ସାଧକ: ପଣ୍ଡିତ ଗୋଦାବରୀଶ ମିଶ୍ର

ବିଶ୍ବବିଜୟୀ ଦାଶ

ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରାରେ ଜଣେ ଆଦର୍ଶ ଶିକ୍ଷକ, ଶିକ୍ଷାବିଦ୍, ନିଃସ୍ବାର୍ଥପର ଜନସେବକ,ପ୍ରବୀଣ ରାଜନୀତିଜ୍ଞ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟର ଏକନିଷ୍ଠ ପୂଜାରୀ ଭାବରେ ଏକ ଉତ୍ତୁଙ୍ଗ ଶାସନର ଅଧିକାରୀ।ତାଙ୍କର କାନ୍ତ, କୋମଳ, ଭାବମୟ ତଥା ମଧୁମୟ ଗାଥା ଓ ଗୀତିକବିତା ମାନ ଯୁଗେ ଯୁଗେ ଆମ ସାହିତ୍ୟର ଅମୂଲ୍ୟ ଓ ଅକ୍ଷୟ ସମ୍ପଦ।କବିପ୍ରାଣର ଅନନ୍ତ ବିସ୍ତୁତି,ଜୀବନର ଉଦାରତା, ମାନବତାର ଐଶ୍ବର୍ଯ୍ୟ ଓ ଉତ୍ତୁଙ୍ଗ ଜୀବନାଦର୍ଶରେ ସମୁଜ୍ଜଳ ତାଙ୍କର କାବ୍ୟ ସାହିତ୍ୟ ଅନନ୍ୟ ଓ ଅତୁଳନୀୟ। ସେ ୨୬ ଅକ୍ଟୋବର ୧୮୮୬ ମସିହା ପୁରୀ ଜିଲ୍ଲା ବାଣପୁର ର ଶ୍ରୀନିବାସପୁର ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କର ପିତାଙ୍କ ନାମ ଲିଙ୍ଗରାଜ ମିଶ୍ର ଓ ମାତାଙ୍କ ନାମ ଅପସରା ଦେବୀ। ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରାମ ସ୍କୁଲରେ ସମାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲା ସ୍କୁଲରେ ତାଙ୍କର ଉଚ୍ଚଶିକ୍ଷା ସମାପ୍ତ ହୋଇଥିଲା। ସେ ୧୯୧୦ ରେ ରେଭେନ୍ସା ମହାବିଦ୍ୟାଳୟରୁ ଦାର୍ଶନିକ ବିଭାଗରେ ସ୍ନାତକ ଡ଼ିଗ୍ରୀ ହାସଲ କଲେ।୧୯୧୨ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ରୁ ଅର୍ଥନୀତି ବିଭାଗରେ ସ୍ନାତ୍ତକୋତ୍ତର ହାସଲ କଲେ।
‘ମୁକୁନ୍ଦଦେବ” ଓ “ପୁରୁଷୋତ୍ତମ ଦେବ” ଐତିହାସିକ ନାଟକଦ୍ବୟ ତାଙ୍କ ଉତ୍କଳାନୁଗାରର ସୁସ୍ପଷ୍ଟ ନିଦର୍ଶନ।କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ପୁରସ୍କୃତ ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ ‘ଅର୍ଦ୍ଧଶତାବ୍ଦୀରେ ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ତତ୍କାଳୀନ ଓଡ଼ିଶାର ସାମାଜିକ,ସାଂସ୍କୃତିକ, ରାଜନୈତିକ ତଥା ଆର୍ଥନୈତିକ ଜୀବନଧାରାର ଏକ ସତ୍ୟନିଷ୍ଠ ବିବରଣୀ। ଏହା ବ୍ୟତୀତ ଚ଼ୟନିକା, କବିତାୟନ, ଗୀତାୟନ ଓ କବିତାଗ୍ରନ୍ଥ ଆଦି କେତେକ ପାଠ୍ୟପୁସ୍ତକ ଓ ତତସହ ବହୁ ଶିଶୁ-କବିତା ରଚ଼ନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି।
୧୯୧୯ ମସିହାରେ ସିଂହଭୂମ ଯାଇ ସେଠାରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର କଳ୍ପେ କେତେକ ଉଚ୍ଚବିଦ୍ୟାଳୟ ସମେତ ବହୁ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଥିଲେ।ଚ଼କ୍ରଧରପୁର ବିଦ୍ୟାଳୟ କୁ ସେ ଏକ ଜାତୀୟ ବିଦ୍ୟାଳୟ ଭାବରେ ପରିଣତ କରି ପ୍ରଧାନଶିକ୍ଷକ ଦାୟିତ୍ବ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ବାଣପୁର ନିର୍ବାଚ଼ନ ମଣ୍ଡଳୀ ର ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ। ସେ ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତିଙ୍କ ମତ୍ନୀ ମଣ୍ଡଳରେ ଶିକ୍ଷାମତ୍ନୀ ହୋଇଥିଲେ।ତାଙ୍କରି ଉଦ୍ୟମରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପଣ୍ଡିତ ଗୋଦାବରୀଶ ମିଶ୍ର ୨୬ ଜୁଲାଇ ୧୯୫୬ ମସିହାରେ ମୃତ୍ୟୁବରଣ କରିଥିଲେ।

ଲେଖକ ପରିଚୟ
ସ୍ନାତକ ଡିଗ୍ରୀ ହାସଲ କରିଥିବା ବିଶ୍ବବିଜୟୀ ଦାଶ ଶିକ୍ଷାଦାନରେ ନିୟୋଜିତ ଅଛନ୍ତି ।
ଠିକଣା-
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା।
ପିନ୍- ୭୫୨୦୩୫,
ମୋବାଇଲ ନଂ- ୬୩୭୦୨୦୮୪୨୮

Related Posts

Leave a Reply

Your email address will not be published. Required fields are marked *