ପ୍ରତ୍ୟୁଷ କୁମାର ସା
ପାଗଳର ସଂଜ୍ଞା କ’ଣ? ଯଦି ମାନସିକ ସନ୍ତୁଳନ ହରାଇବା ପାଗଳ, କିମ୍ବା ଠିକ୍-ଭୁଲ ନିରୂପଣ କରିବାରେ ଅକ୍ଷମତା ହିଁ ପାଗଳ, ତାହେଲେ ମୁଁ ତ’ ନୁହେଁ । ପାଗଳର ସଂଜ୍ଞା ନିରୂପଣର ପରିଧି ଭିତରେ ଯାହା କିଛି ବି ଆସୁଛି । କୌଣସି ମାପଦଣ୍ଡ ଭିତରେ ମୁଁ ଫିଟ୍ ହେଉନି । ତାହେଲେ ସେ ମୋତେ ପାଗଳ କହିଲା କାହିଁକି? ସେ ମୋତେ ଏମିତି ଏକ ଦ୍ୱନ୍ଦ୍ୱରେ ପକାଇଦେଲା ଯେ, ମୁଁ ଚାହିଁଲେ ବି କାହାଠୁ ଏହି ଶବ୍ଦର ଅର୍ଥ କିମ୍ବା ଶବ୍ଦ ପ୍ରୟୋଗର ଉଦ୍ଦେଶ୍ୟ ବୁଝିବା ସକ୍ଷମ ହେଉନି! କାହାଠୁ ବୁଝିବି ବା କେମିତି ବୁଝିବି? ଯାହାକୁ ବି ପଚାରିବି ହୁଏତ, ସେ ହିଁ ସନ୍ଦେହ ଚକ୍ଷୁରେ ଦେଖିବ । ଦେଖିବା ବି ସ୍ୱାଭାବିକ । କାରଣ ଜଣେ ସୁସ୍ଥ ମସ୍ତିଷ୍କଧାରୀ ମଣିଷ ପାଗଳର ସଂଜ୍ଞା ଖୋଜିବ କାହିଁକି?
ତିନି ଅକ୍ଷରକୁ ନେଇ ଗୋଟିଏ ଶବ୍ଦ-‘ପାଗଳ’ । ଏହି ଶବ୍ଦ ଯେ, ଆଗରୁ ମୋ’ କାନରେ କେବେ ପଡିନି, ତାହା ବି ନୁହେଁ । ସ୍କୁଲଠୁ ଆରମ୍ଭ କରି ସାଙ୍ଗସାଥୀ, ଏହି ନାଁରେ ଅନେକ ଥର ସମ୍ବୋଧନ ବି କରିଛନ୍ତି । ଘରେ କିଛି ଭୁଲ-ଭଟ୍କା କଲେ ବାପା-ମା’, ଏମିତି କି ଭାଇଙ୍କ ପାଟିରୁ ଏହି ଶବ୍ଦ ମୋ ଉଦ୍ଦେଶ୍ୟରେ ଉଚ୍ଚାରିତ ହୋଇଛି । ଅବଶ୍ୟ ତାହା ପିଲା ବେଳର କଥା । ଏବେ ତ’ ମୁଁ ଯୁବକ । ଠିକ୍-ଭୁଲ ହେତୁ କରିବାର ବୟସ ହୋଇସାରିଛି । ପୂର୍ବରୁ ଅଭ୍ୟସ୍ଥ ଥିବା ଏହି ଶବ୍ଦ ମୋତେ ଏତେ ବିଚଳିତ କରିଦେବ ଏକଥା କେବେ କଳ୍ପନା ବି କରିନଥିଲି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ମୋତେ ପାଗଳ କହିଲା କିଏ? ଆଉ ପାଗଳ କହିବାର ପଛର କାରଣଟି କ’ଣ? କହିବା ଯେତେବେଳେ ଆରମ୍ଭ କରିଦେଲେଣି ନକହି ଆଉ ଚାରା ଅଛି । ସେମିତିରେ ବି ମୋ’ ପେଟରେ କଉ କଥା ରହିଛି ଯେ, ଏକଥା ଅଛପା ରହିବ!
ମୋ କାହାଣୀ ସେହି ଦ୍ୱନ୍ଦ୍ୱରେ ଛନ୍ଦା । ଏବେ ଶବ୍ଦକୁ ନେଇ, ସେଦିନ ସଂପର୍କକୁ ନେଇ । ଯଦି ସବୁ ସଂପର୍କର କିଛି ନା’ କିଛି ନାମ ରହିିଛି । ତା’ର-ମୋର ସଂପର୍କର ନାମକରଣ ହେବା ଜରୁରୀ! ଆଉ ଏହି ଅଭିଳାଷା ଭିତରେ ସଂପର୍କର ସଂଜ୍ଞା ନିରୁପଣ ମୋତେ ଦୋ-ଛକିରେ ପକାଇ ଦେଲା । ତା’ ସହ ଦେଖା-ସାକ୍ଷାତ ଓ ପରିଚୟ ହେବା ଭିତରେ ଏତେ ଲମ୍ବା ବ୍ୟବଧାନ ନଥିଲା । ପରିଚୟରୁ ବନ୍ଧୁତ୍ୱ ହେଲା । ଆଉ ଦିନ ଏମିତି ଆସିଲା ଯେ, ବନ୍ଧୁତ୍ୱ ଉର୍ଦ୍ଧ୍ୱକୁ ଆମ ସଂପର୍କ ଚାଲି ଯାଉଥିବା ମୋର ଅନୁଭବ ହେଲା । ମନେ ମନେ ମୁଁ ବି ଖୁସି ହେଲି । ଧରି ନେଲି ସେ ମୋ’ ପ୍ରେମିକା । ସେମିତିରେ ବନ୍ଧୁ ଓ ପ୍ରେମିକା ଭିତରେ ତଫାଦ୍ ଜାଣିବା ବେଳେ ବେଳେ ଭାରି କଷ୍ଟକର ହୋଇପଡେ । ବିଶେଷ କରି ଯେତେବେଳେ ଜନ୍ମଦିନରେ ଠିକ୍ ରାତି ୧୨ଟାରେ ଶୁଭକାମନା ପାଇଁ ଫୋନ୍ ଆସେ । ନୂଆବର୍ଷର ଶୁଭେଚ୍ଛା ଯେମିତି ଜିରୋ ନାଇଟ୍କୁ କାହାର ଅପେକ୍ଷା ଥାଏ । ନିଃସଂକୋଚରେ ଘରକୁ ଚାଲି ଆସି ଠିକ୍ ପରିବାରର ସଦସ୍ୟଟିଏ ଭଳି ମିଳିମିଶି ଯାଏ । କଣେଇଁ ଚାହିଁ ପାଦକୁ ମାଟିରେ ଘସିବା, ଦେଖା କରିବାରେ ଟିକେ ବିଳମ୍ବ ହେଲେ ରାଗ-ରୁଷା, ଅତି ଆପଣାର ଭଳି ଡିମାଣ୍ଡ୍ କରିବା ଏବଂ କିଛି ଊଣା ହେଲେ ଅଭିମାନ କରିବା । ଏହି ସବୁ ଲକ୍ଷଣ କେବଳ ଗୋଟିଏ ଦିଗକୁ ଇସାରା କରୁଥିଲା ।
ଗୋଟିଏ ଝିଅ ଓ ଗୋଟିଏ ପୁଅ, ସବୁ ଦିନ ପାଇଁ ବନ୍ଧୁ ହୋଇ ରହିପାରିବେ ନାହିଁ । ହିନ୍ଦୀ ଫିଲ୍ମର ଏହି ସଂଳାପ ମୋତେ ଯେତେ ପ୍ରଭାବିତ କରିଥିଲା, ତାଠୁ ଅଧିକ ଆତ୍ମବିଶ୍ୱାସ ବଢ଼ାଇଥିଲା । ଏହି ଫିଲ୍ମ ଡାଇଲଗ୍କୁ ଭରସା କରି, ସେଦିନ ମନର କଥା କହିବାକୁ ନିଷ୍ପତି ନେଇ ସାରିଥିଲି । କେବଳ ସୁଯୋଗର ଅପେକ୍ଷା ଥିଲା । ଅପେକ୍ଷା ବି ଏତେ ଲମ୍ବା ନଥିଲା । କାରଣ, ପ୍ରେମର ଦିନଟିଏ ହୋଇ ଆସୁଥିଲା-ଭ୍ୟାଲେନ୍ଟାଇନ୍ ଡେ । ନାଲି ଗୋଲପ ଫୁଲଟିଏ ଧରି ତା’ ପାଖକୁ ପହଂଚିଗଲି । ସାହସ ଜୁଟାଇ କହିଲି- ଆଇ ଲଭ୍ ୟୁ । ମୁଁ ତୁମକୁ ଭଲ ପାଏ । ପ୍ରତିଉତରରେ ଥିଲା କେବଳ ଗୋଟିଏ ଶବ୍ଦ-‘ପାଗଳ’ ।
ଲେଖକ ପରିଚୟ
ପ୍ରତ୍ୟୁଷ ବୈଦ୍ୟୁତିକ ଗଣମାଧ୍ୟମରେ ସାମ୍ବାଦିକତା କରନ୍ତି । ଏହା ସହ ସେ ନିୟମିତ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖୁଛନ୍ତି । ସୃଜନାତ୍ମକ ସାହିତ୍ୟ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ ।
ଠିକଣା- ଗ୍ୟାରେଜ ଛକ, ପୁରୁଣା ଭୁବନେଶ୍ୱର-୦୨, ମୋବାଇଲ-୯୪୩୭୩-୬୬୯୮୪