ଫକୀରମୋହନ ଜାତୀୟ ପୁରସ୍କାର ପାଇଲେ ହିନ୍ଦୀ ଲେଖିକା ଅଳକା ସରାୱଗୀ

ବାଲେଶ୍ଵର : ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୧ ତାରିଖରେ ପାଳନ ହେବ । ଏହି ଅବସରରେ ସୋମବାର ବିଶ୍ଵବିଦ୍ୟାଳୟରେ ଏକ ବୈଠକ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ‘ଫକୀରମୋହନ ଜାତୀୟ ପୁରସ୍କାର-୨୦୨୩’, ‘ବ୍ୟାସଗୌରବ ସମ୍ମାନ’ ଓ ‘ଫକୀରମୋହନ ଯୁବ-ଗାଳ୍ପିକ ପୁରସ୍କାର’ ଦିଆଯିବା ନେଇ ଆଲୋଚନା କରାଯାଇଥିଲା । ଶେଷରେ ପ୍ରସିଦ୍ଧ ଭାରତୀୟ ହିନ୍ଦୀ ଲେଖିକା ଅଳକା ସରାୱଗୀଙ୍କୁ ‘ଫକୀରମୋହନ ଜାତୀୟ ପୁରସ୍କାର-୨୦୨୩’, କଥାକାର ଗୌରହରି ଦାସ ଓ ଶିକ୍ଷାବିତ ସୁଦର୍ଶନ ନନ୍ଦଙ୍କୁ ‘ବ୍ୟାସଗୌରବ ସମ୍ମାନ’ ଏବଂ ଗାଳ୍ପିକ ସଞ୍ଜୟ ପଣ୍ଡାଙ୍କୁ ‘ଫକୀରମୋହନ ଯୁବ ଗାଳ୍ପିକ ପୁରସ୍କାର’ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା ।

ଲେଖିକା ଅଳକା ସରାୱଗୀଙ୍କର ପ୍ରଥମ ଉପନ୍ୟାସ ‘କାଲି କଥା ଭାୟା ବାଇପାସ୍’ ପାଇଁ ୨୦୦୧ରେ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଅଳକା ସରାୱଗୀଙ୍କୁ ୧ ଲକ୍ଷ ଟଙ୍କା ୧ ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯିବ । ସେହିପରି ପ୍ରତିବର୍ଷ ପ୍ରତିଷ୍ଠା ଦିବସରେ ଭଦ୍ରକ ଓ ବାଲେଶ୍ଵରର ୨ ଜଣ କୃତି ସନ୍ତାନଙ୍କୁ ବ୍ୟାସଗୌରବ ସମ୍ମାନ ପ୍ରଦାନ କରାଯାଇଥାଏ । ଗୌରହରି ଦାସ ଓଡ଼ିଆ କଥାସାହିତ୍ୟ କ୍ଷେତ୍ରରେ ସୁପରିଚିତ । ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସୁଦର୍ଶନ ନନ୍ଦ ଆଇ.ଆଇ.ଟି. ଖଡ଼ଗପୁରରେ ଗଣିତ ବିଭାଗ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ କୁଳପତି ରୂପେ ମଧ୍ୟ କାର୍ଯ୍ୟଭାର ତୁଲାଇଛନ୍ତି । ଉଭୟଙ୍କୁ ବ୍ୟାସଗୌରବ ସମ୍ମାନରେ ମାନପତ୍ର ଓ ୨୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ । ସେହିପରି ଗାଳ୍ପିକ ସଞ୍ଜୟ ପଣ୍ଡାଙ୍କ ଗଳ୍ପ ସଂକଳନ ‘ହୁ ବାଇଆ’, ‘ତକିଆ’ ତାଙ୍କ ଗଳ୍ପଗ୍ରନ୍ଥ । ୩୫ ବର୍ଷରୁ କମ ଯୁବ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ପୁରସ୍କାର ବାବଦରେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ୫ ହଜାର ଟଙ୍କା ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ ।

Related Posts

Leave a Reply

Your email address will not be published. Required fields are marked *