ଅପୌରୁଷେୟ ଦାରୁବ୍ରହ୍ମ

ବିଶ୍ଵେଶ୍ଵର ମାଝୀ

“ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋ ପାରେ ଅପୁରୁଷମ୍‍
ତଦା ରଭସ୍ୱ ଦୁର୍ହଣୋ ତେନଗଚ୍ଛ ପରସ୍ତରମ୍ ।”
(ଋକ୍ ବେଦ: ୧୦-୧୫୫:୩)
ପଣ୍ଡିତ ସାୟଣାଚାର୍ଯ୍ୟ (୧୪ଶ ଶତାବ୍ଦୀ) ତାଙ୍କ ଭାଷ୍ୟରେ ଲେଖିଛନ୍ତି- “ବର୍ତ୍ତମାନ ସମୁଦ୍ରରେ ପୁରୁଷୋତ୍ତମ ନାମ ଦେବତା ଶରୀର ଜଳ ଉପରେ ଭାସୁଛି । ନିର୍ମାଣ ରହିତ ଯୋଗୁଁ ସେ ଅପୌରୁଷ । ଏହି ଦାରୁ ଦେବତାଙ୍କୁ ଉପାସନା କରିବା ଲୋକ ବୈଷ୍ଣବ ଲୋକକୁ ଗମନ କରନ୍ତି ।” ତେଣୁ ଦଶମ ଶତାବ୍ଦୀରେ ଚୋଳଗଙ୍ଗ ଦେବଙ୍କ ଦ୍ଵାରା ନିର୍ମାଣ ଆରମ୍ଭ କରାଯାଇଥିବା ଶ୍ରୀମନ୍ଦିର ପୂର୍ବରୁ ପ୍ରଳୟ କାଳରୁ ବା ସତ୍ୟ ଯୁଗରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ସତ୍ତା ରହିଥିବା ପ୍ରମାଣିତ ।

ପରବର୍ତ୍ତୀ କାଳରେ ଉପରୋକ୍ତ ଋକ୍ ବେଦର ମନ୍ତ୍ରଟି ସ୍କନ୍ଦ ପୁରାଣର ୨୧ ଅଧ୍ୟାୟରେ ପରିବର୍ତ୍ତିତ ରୂପରେ ସ୍ଥାନ ପାଇଛି :
“ଯ(ସ) ଏଷ ପ୍ଳବତେ ଦାରୁଃ-ସିନ୍ଧୁପାରେ ହ୍ୟୁ ପୌରୁଷଃ
ତମୁପାସ୍ୟ ଦୁରାରାଧଂ ମୁକ୍ତିଂ ଯାତି ସୁଦୁର୍ଲଭମ୍‍ ।”

ଉତ୍ତର ରାମାୟଣ ବର୍ଣ୍ଣନା ଅନୁସାରେ ଶ୍ରୀରାମଚନ୍ଦ୍ର ଶ୍ରୀପୁରୁଷୋତ୍ତମ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଲକ୍ଷ୍ମଣ ଓ ହନୁମାନଙ୍କୁ ନିର୍ଦ୍ଦେଶ ଦେଇଥିବାର ବର୍ଣ୍ଣନା ରହିଛି । ଦ୍ଵାପର ଯୁଗରେ ମହାରାଜ ଯୁଧିଷ୍ଠିର ତାଙ୍କ ପତ୍ନୀ ଦ୍ରୌପଦୀ ଓ ଚାରିଭାଇଙ୍କ ସହ ସ୍ୱଜନ ହତ୍ୟା ଜନିତ ପାପ ପ୍ରକ୍ଷାଳନ ପାଇଁ ଶ୍ରୀପୁରୁଷୋତ୍ତମ ଆସି ପଞ୍ଚଲିଙ୍ଗ ପ୍ରତିଷ୍ଠା କରିଥିଲେ । ଶଙ୍ଖକ୍ଷେତ୍ରର ନିମ୍ନ ଭାଗରେ ଶ୍ରୀଲୋକନାଥ, ଅଗ୍ରଭାଗରେ ନୀଳକଣ୍ଠେଶ୍ଵର, ତଥା ମଧ୍ୟ ଭାଗରେ କପାଳମୋଚନ, ଯମେଶ୍ଵର ଏବଂ କେନ୍ଦ୍ରସ୍ଥଳରେ ମାର୍କଣ୍ଡେଶ୍ୱର ଶିବ ଅବସ୍ଥାପିତ ।

ଶ୍ରୀପୁରୁଷୋତ୍ତମ ଧାମରେ ଶ୍ରୀମନ୍ଦିର ନିର୍ମାଣ ତଥା ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଠାର କ୍ରମ ବିକାଶ ଆଦିମ ଅଧିବାସୀଙ୍କ ବୃକ୍ଷ ପୂଜନରୁ ସୃଷ୍ଟି ହୋଇ କୀଳକ ଦାରୁ ହୋଇଥିବା ପରିଲକ୍ଷିତ ହୁଏ । କଳାରେ ଉତ୍କର୍ଷତା ପ୍ରତିପାଦନ କରିଥିବା ବିଜ୍ଞାନୀ ଓଡ଼ିଆ ଜାତି ଦାରୁର ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ପଛର କାରଣଟି ଶ୍ୱେତାଶ୍ୱେତୋପନିଷଦର ଉକ୍ତିକୁ ଯଥାର୍ଥତା ଦେବାକୁ ଉଦ୍ଦିଷ୍ଟ :
“ଅପାଣିପାଦୋ ଜବନ ଗ୍ରହୀତା
ପଶ୍ୟାତ୍ୟଚକ୍ଷୁ ଶ୍ଚଶ୍ରୋତ୍ୟ କର୍ଣ୍ଣ ।
ସ ବେତ୍ତି ବେଦ୍ୟମ୍ ନ ଚ ତସ୍ୟାସ୍ତି ବେତ୍ତା
ତମାହୁରଗ୍ର୍ୟମ୍ ପୁରୁଷଂ ମହାନ୍ତମ୍ ।

ବିଶ୍ଵକର୍ମା ନିର୍ମାଣ କରନ୍ତୁ ବା କାଷ୍ଠ କାରିଗର ବିଶ୍ଵକର୍ମାଙ୍କ ପଦବୀ ପ୍ରାପ୍ତ ହୁଅନ୍ତୁ, ବିଶ୍ଵରେ ବିଚିତ୍ର, ଅପୂର୍ବ, ଅଦ୍ଭୁତ, ଅଧାଗଢା ଦାରୁଦିଅଁ ପୂର୍ଣ୍ଣବ୍ରହ୍ମ ଭାବରେ ସମଗ୍ର ବିଶ୍ଵର ଆରାଧ୍ୟ ଦେବତା ହେବା ବିଧି ଅବଧାରିତ ଥିଲା । ଏହି ବିସ୍ମୟ ମନ୍ଦିର ୬୫ ମିଟର ବା ୨୧୪ ଫୁଟ ଉଚ୍ଚ ହେବା ସହ ଶ୍ରୀମନ୍ଦିର ବା ଲକ୍ଷ୍ମୀଯୁକ୍ତ ମନ୍ଦିର ଭାବରେ ପରିଗଣିତ ହୁଏ ।

ଖ୍ରୀଷ୍ଟପୂର୍ବ ସମୟରୁ ମୌର୍ଯ୍ୟ ସମ୍ରାଟ ଅଶୋକ(ଖ୍ରୀ ପୂ: ୩୦୪~୨୩୨) ଦୟାନଦୀକୁ ରକ୍ତରଞ୍ଜିତ କରି କଳିଙ୍ଗ ବିଜୟ କଲାପରେ ବୌଦ୍ଧ ପ୍ରଚାରକ ଉପମନ୍ୟୁଙ୍କ ଦ୍ଵାରା ପ୍ରଭାବିତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଓ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ସେତେବେଳେ ଉତ୍କଳ ସମେତ ସମଗ୍ର ଭାରତ ବର୍ଷର ରାଜଧର୍ମ ଥିଲା ବୌଦ୍ଧଧର୍ମ । ତେଣୁ ଶ୍ରୀଜଗନ୍ନାଥ ଧାମ, ଲିଙ୍ଗରାଜ ମନ୍ଦିର, ବିରଜା କ୍ଷେତ୍ର ଇତ୍ୟାଦି ସହ ସମଗ୍ର ରାଜ୍ୟ ବୌଦ୍ଧଧର୍ମର ବନ୍ୟାରେ ପ୍ଳାବିତ ହୋଇଥିଲା କାରଣ ବ୍ରାହ୍ମଣ୍ୟ ଧର୍ମର ସ୍ୱେଚ୍ଛାଚାର, ଯଜ୍ଞ, ପଶୁବଳି ତଥା ଜାତିପ୍ରଥାରେ ଜନସାଧାରଣ ଅତିଷ୍ଠ ହୋଇଥିଲେ । ଯାଜପୁର ଜିଲ୍ଲାର ରତ୍ନଗିରି ଓ ଉଦୟଗିରି ଠାରେ ନାଳନ୍ଦା ସମକକ୍ଷ ବିଶ୍ଵବିଦ୍ୟାଳୟ, ଚୈତ୍ୟଗୃହ ଆଦି ଏହାକୁ ପୁଷ୍ଟ କରେ ।

କେରଳର କଲାଡ଼ି ଗ୍ରାମରେ ୭୮୮ ଖ୍ରୀଷ୍ଟାବ୍ଦରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ବୌଦ୍ଧଧର୍ମର ବନ୍ଧନୀରୁ ବ୍ରାହ୍ମଣ୍ୟ ଧର୍ମର ପୁନଃପ୍ରତିଷ୍ଠା ପାଇଁ ପଦବ୍ରଜରେ ସାରା ଭାରତ ଭ୍ରମଣ କରି ଆପଣାର ସ୍ୱଳ୍ପ ଜୀବଦ୍ଦଶାରେ ଦେଶର ଚାରି ଦିଗରେ ଚାରିଟି ମଠ ସ୍ଥାପନ କରିଥିଲେ । ତନ୍ମଧ୍ୟରୁ ପୁରୀରେ ସ୍ଥାପିତ ଗୋବର୍ଦ୍ଧନ ପୀଠ ଋକ୍ ବେଦର ପ୍ରଚାର ପାଇଁ ଉଦ୍ଦିଷ୍ଟ ଥିଲା । ସେହିପରି କୁହାଯାଏ ମହାବିଷ୍ଣୁ ନିତିପ୍ରତି ପ୍ରାତରୁ ତପ ଧ୍ୟାନ ତଥା ସ୍ନାନ ପଶ୍ଚିମର ଦ୍ଵାରକାରେ, ସାଜ ଶୃଂଗାର ଉତ୍ତରର ବଦ୍ରିନାଥରେ, ଭୋଜନ ପୂର୍ବର ଶ୍ରୀପୁରୁଷୋତ୍ତମରେ ତଥା ଶୟନ ଦକ୍ଷିଣର ରାମେଶ୍ୱରମ୍ ଠାରେ କରିଥାନ୍ତି ।

ସେହି କ୍ରମରେ ଶ୍ରୀପୁରୁଷୋତ୍ତମ ଦାରୁବ୍ରହ୍ମ ବ୍ୟତୀତ ଅନ୍ନବ୍ରହ୍ମ ଭାବରେ ଆଖ୍ୟାୟିତ । ଅନ୍ୟସବୁ ମନ୍ଦିରର ଭୋଗକୁ ପ୍ରସାଦ କୁହାଯାଏ କିନ୍ତୁ ଶ୍ରୀମନ୍ଦିରର ଭୋଗକୁ ମହାପ୍ରସାଦ କୁହାଯାଏ । କାରଣ ଶ୍ରୀଜଗନ୍ନାଥଙ୍କ ପାଖରେ ସମର୍ପଣ ହେଲାପରେ ସେହି ପ୍ରସାଦ ବିମଳାଙ୍କ ପାଖରେ ପୁନଃ ସମର୍ପଣ ହୋଇ ମହାପ୍ରସାଦରେ ପରିଣତ ହୁଏ, ଯାହା ଏକ ବିରଳତମ ବିଧି । ପୁଣି ସେହି ଅନ୍ନ ପ୍ରସାଦକୁ କୈବଲ୍ୟ ଖଳାରେ ଶୁଖାଯାଇ ଆଉଥରେ ଚାଉଳ ପରି ଟାଣ କରାଯାଏ, ଯାହାକୁ ସମସ୍ତ ଭକ୍ତ ନିର୍ମାଲ୍ୟ ବା କୈବଲ୍ୟ ଭାବରେ ଘରେ ସାଇତି ରଖନ୍ତି । ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଛପନଭୋଗୀ କୁହାଗଲେ ମଧ୍ୟ, ବର୍ଷ ସାରା ବିଭିନ୍ନ ଯାନିଯାତ୍ରାରେ ଶତାଧିକ ପ୍ରକାର ଭୋଗ ଅର୍ପଣ କରାଯାଇଥାଏ ।

ପ୍ରାତର ବାଳଭୋଗ ଠାରୁ ଶ୍ରୀଜୀଉ ପହୁଡ଼ ଯିବା ପର୍ଯ୍ୟନ୍ତ ନିରନ୍ତର ବେଶ ବଦଳା ଓ ପ୍ରସାଦ ଲାଗି ଚାଲିଥାଏ । ସେଇଥିପାଇଁ କଥା ଅଛି, ଶ୍ରୀମନ୍ଦିର ଆସି କେହି ଉପବାସରେ ଫେରେ ନାହିଁ । ସେହିପରି ନିଳଚକ୍ରର ଧ୍ଵଜା ପରିବର୍ତ୍ତନ ନହୋଇ ପ୍ରସାଦ ଅର୍ପଣ କରାଯାଏ ନାହିଁ । ଅର୍ଥାତ୍ ଧ୍ୱଜା ପ୍ରତିଦିନ ପରିବର୍ତ୍ତନ ହୁଏ ତଥା ଭକ୍ତମାନଙ୍କ ଅଭିଷ୍ଟ ଅନୁସାରେ ଦିନରେ ଅନେକଥର ପରିବର୍ତ୍ତନ ହୁଏ ।

ଦାରୁବ୍ରହ୍ମ କାଷ୍ଠ ନିର୍ମିତ ହୋଇଥିବାରୁ କିଛି ବର୍ଷ ଅନ୍ତରରେ ବିଗ୍ରହମାନଙ୍କର ଶ୍ରୀଅଙ୍ଗଫିଟା (ସାମାନ୍ୟ ମରାମତି) ଅଥବା ନବ କଳେବର (ସମ୍ପୂର୍ଣ୍ଣ ବିଗ୍ରହ ପରିବର୍ତ୍ତନ) ଆବଶ୍ୟକ ପଡ଼େ । ସେଥିପାଇଁ ଯେଉଁ ବର୍ଷ ମଳ ଆଷାଢ ବା ଦୁଇ ଆଷାଢୀ (ପୁରୁଷୋତ୍ତମ ମାସ) ପଡ଼େ ସ୍ନାନପୂର୍ଣ୍ଣିମା ଦିନରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଦେଢମାସ ସମୟ ମିଳିଥାଏ । ଏହି ସମୟରେ ଦଇତାମାନଙ୍କ ଦ୍ଵାରା ଦାରୁ ସଂଗ୍ରହ, ନୂତନ ବିଗ୍ରହ ନିର୍ମାଣ, ରଥର ପାର୍ଶ୍ଵଦେବତା ନିର୍ମାଣ କରାଯାଏ । କୃଷ୍ଣ ଚତୁର୍ଦ୍ଦଶୀ ନିଶାର୍ଦ୍ଧରେ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଅନ୍ଧକାର କରି ବ୍ରହ୍ମ ପରିବର୍ତ୍ତନ କରାଯାଏ ତଥା ପୁରାତନ ବିଗ୍ରହମାନଙ୍କୁ କୋଇଲି ବୈକୁଣ୍ଠରେ ଗଭୀର ଗର୍ତ୍ତ କରି ପାତାଳୀ କରାଯାଏ ।

ମୂଳ ପ୍ରସଙ୍ଗ ଅପୌରୁଷେୟ ବିଗ୍ରହ, ନିର୍ଦ୍ଦିଷ୍ଟ ରୂପ ନପାଇଥିବାରୁ ବେଦରେ ସେପରି ବର୍ଣ୍ଣିତ ହୋଇଛି । ଶ୍ରୀମନ୍ଦିରରେ ପୂଜିତ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ମଧ୍ୟ ଅପୌରୁଷେୟ କାରଣ ତାଙ୍କର ଲିଙ୍ଗ ନିରୂପଣ କରାଯାଏ ନାହିଁ । ସେ ଭକ୍ତ ଦୃଷ୍ଟିରେ ଉଭୟ ପୁରୁଷ ଓ ନାରୀ ରୂପରେ ଭଗବାନ । ସେଥିପାଇଁ ତାଙ୍କୁ ଖଣ୍ଡୁଆ ପାଟ ଶାଢୀ ପିନ୍ଧିବାକୁ ଦିଆଯାଏ । ଜନ୍ମାଷ୍ଟମୀ ରାତ୍ରୀରେ ସେ ମାଆ ଦେବକୀ ସାଜି କୃଷ୍ଣଙ୍କୁ ଜନ୍ମ ଦିଅନ୍ତି ଓ ପୁଣି ବାଳକୃଷ୍ଣ ସାଜି ନନ୍ଦ ଉତ୍ସବରେ ଭାଗ ନିଅନ୍ତି । ଅନ୍ୟ ଅର୍ଥରେ ଦୁର୍ଗା ଓ ମାଧବ ଏକ ଆତ୍ମା ଭିନ୍ନ ରୂପ । ଶ୍ରୀଜଗନ୍ନାଥ ମହାବିଷ୍ନୁ, ମହାଭୈରବ ଶିବ ପୁଣି କାମ୍ପିଲ୍ୟ ବାସିନୀ ସୁଭଦ୍ରିକା, କେତେବେଳେ କେଉଁ ଭୂମିକା ନିଅନ୍ତି ତାହା ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଷାରେ:
“ମୋ ମାୟା ମତେ ଅଗୋଚର
କାହୁଁ ଜାଣିବ ନର ଛାର ।”

ଅବତାରୀ ଭାବରେ ସେ ଦଶାବତାରର ସ୍ରଷ୍ଟା । ଶ୍ରୀମନ୍ଦିର ସ୍ଥିତ ରୋହିଣୀକୁଣ୍ଡ ଶଙ୍ଖକ୍ଷେତ୍ରର ନାଭି ମଣ୍ଡଳରେ ଅବସ୍ଥିତ ତଥା ସୃଷ୍ଟିର ଉଦ୍ଭବ ଓ ପ୍ରଳୟ ସେହିଠାରୁ ହୋଇଥାଏ । ସେହିପରି କଳ୍ପବଟ ପ୍ରଳୟ ଜଳରୁ ଆଜି ପର୍ଯ୍ୟନ୍ତ ଦଣ୍ଡାୟମାନ । ରତ୍ନ ସିଂହାସନ ସ୍ଥିତ ପରଂବ୍ରହ୍ମଙ୍କ ଦର୍ଶନ ପାଇଁ ଦେବତାଗଣ ମଧ୍ୟ ଲାଳାୟିତ ।

ସମଗ୍ର ବିଶ୍ଵରୁ ସବୁ ମତ, ପନ୍ଥ ବା ବାଦର ଉର୍ଦ୍ଧ୍ଵରେ ଶ୍ରୀଜଗନ୍ନାଥ । ପ୍ରବାଦ ଅନୁସାରେ ଯୀଶୁ ଖ୍ରୀଷ୍ଟ, ନାନକ, କବୀର, ଶଙ୍କରାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ମାଧ୍ୱାଚାର୍ଯ୍ୟ, ନିମ୍ବାକାଚାର୍ଯ୍ୟ, ଶ୍ରୀଚୈତନ୍ୟ, ପଞ୍ଚସଖା, ଭକ୍ତ ସାଲବେଗ, ରଘୁ ଅରକ୍ଷିତ ଆଦି ଧାଇଁ ଆସିଛନ୍ତି ଏହି ଅଦ୍ଭୁତ ତତ୍ତ୍ଵକୁ ପ୍ରତ୍ୟକ୍ଷ କରିବାକୁ ଏବଂ ଏକାକାର ହୋଇଛନ୍ତି ଶ୍ରୀକ୍ଷେତ୍ରରେ । ନୀରିଶ୍ୱରବାଦ, ଅଦ୍ୱୈତବାଦ, ଦ୍ୱୈତବାଦ, ବିଶିଷ୍ଟ ଦ୍ୱୈତାଦ୍ୱୈତବାଦ ସବୁ ପନ୍ଥର ସନ୍ଥମାନେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଶହଶହ ମଠ ସ୍ଥାପନ କରି ନିଜର ଶେଷ ଜୀବନ ଏଠାରେ କଟାଇଛନ୍ତି ।
ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ :
‘ଉତ୍କଳେ ନେତାର ନାହିଁ ପ୍ରୟୋଜନ
ଉତ୍କଳର ନେତା ସ୍ୱୟଂ ନାରାୟଣ ।’

ମର୍ତ୍ତ୍ୟବୈକୁଣ୍ଠରେ ମାନବୀୟ ଲୀଳା ହେତୁ ‘ଯଥା ଦେହେ ତଥା ଦେବେ’ ନ୍ୟାୟରେ ଅଥବା ବିଜ୍ଞାନୀ ଓଡ଼ିଆର ସର୍ବଶ୍ରେଷ୍ଠ ପରିକଳ୍ପନାରେ ସେ ଆମ ଓଡ଼ିଆପୁଅ କାଳିଆ, ଆମ ରାଜା କାଳିଆ ସାଆନ୍ତ, ପୁଣି ଆମ ଆରାଧ୍ୟ କଳା ବାମନ :
“ଦୋଳେ ଚ ଦୋଳଗୋବିନ୍ଦଂ
ଚାପେଶ୍ଚ ମଧୁସୂଦନଂ
ରଥେତୁ ବାମନଂ ଦୃଷ୍ୱା
ପୁନର୍ଜନ୍ମ ନ ବିଦ୍ୟତେ ।”

ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୪୩୭୬୯୭୧୬୧

ଲେଖକ ପରିଚୟ

ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି ।  ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।

Related Posts

Leave a Reply

Your email address will not be published. Required fields are marked *