ଅରୁଣ କୁମାର ମିତ୍ର

ଆଷାଢ଼ ମାସର ପ୍ରଥମ ଦିବସେ ଘନଘୋର ମେଘ ପୁଞ୍ଜ
ପହିଲି ରଜର ଘନ ଆନନ୍ଦେ
ସଭିଏଁ ସକାଳୁ ସଞ୍ଜ ।
ଝର ଝର ହୋଇ ଝରିଲା ବରଷା
ଶାନ୍ତି ଶୀତଳ ସ୍ଵସ୍ତି
ଝାଳନାଳ କଳେବର ଠାରୁ ଆଜି
ପାଇଲେ ମଣିଷ ମୁକ୍ତି ।
ଘରେଘରେ ଦୋଳି ଖେଳନ୍ତି ପିଲେ
କୋଳାହଳ ଚାରିଆଡ଼େ
ସୁକୁମାରୀ ଦଳେ ରଜ ଦିବସରେ
ଗୀତ ଗାଇ ଦୋଳି ଖେଳେ ।
ପିଠାପଣା ପଣସର ସୁଗନ୍ଧେ
ମହମହ କରେ ପଲ୍ଲୀ
ଗଣପର୍ବର ଶୁଭ ଅବସରେ
ବନ୍ଧା ଯେ ଜୀବନଶୈଳୀ ।
ବର୍ଷରେ ଥରେ ତିନିଦିନ ପାଇଁ
ଫେରନ୍ତି ଗୃହେ ପ୍ରବାସୀ
ଘରେ ତାଙ୍କ ପ୍ରିୟା ଅପେକ୍ଷାରତ
ପହଁଚିଲେ କେତେ ଖୁସି ।
ଅପାର ଆନନ୍ଦ ସ୍ନେହ ଶ୍ରଦ୍ଧା ପ୍ରେମେ
ସଭିଏଁ ଉତ୍କଳବାସୀ
ସ୍ନିଗ୍ଧ ଶୀତଳ ବରଷାରମ୍ଭେ
ପ୍ରକୃତି ଉଠଇ ହସି ।
ଗଗନ ପବନ ବନଭୂମି ସାଥେ
ବାଟ ଘାଟ ନଦୀ କୂଳ
ଗଛ ପତ୍ରର ଶିରା ଉପଶିରା
ଆନନ୍ଦେ ଉଦ୍ଵେଳ ।
ମାଟି ମାଆ ଆମର ପରମ ପୂଜ୍ୟ
ରଜସ୍ଵଳା ତିନି ଦିନ
ଆସ ସମସ୍ତେ ମଥା ନୁଆଁଇବା
ଆସିଛି ସେ ଶୁଭ କ୍ଷଣ ।
ତବ ଶ୍ରୀଚରଣେ ହଜାର ପ୍ରଣାମ
ବନ୍ଦେ ଉତ୍କଳ ଜନନୀ
ଆମ ପରମ୍ପରା ଦୀର୍ଘଜୀବି ହେଉ
ରହିବ ଯେ ଯାଏଁ ଧରଣୀ ।
ଯାଜପୁର ରୋଡ଼, ଯାଜପୁର
ଲେଖକ ପରିଚୟ
କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।
