ସତ୍ୟନାରାୟଣ ଗନ୍ତାୟତ

କିଏ କାହାର ? : ଏହି ଦି’ପଦ ଶୁଣିବା ମାତ୍ରେ ଆମେ ଆମ ପିଲାଦିନକୁ ଚାଲି ଯାଉଛୁ ଏବଂ ମନେପଡ଼ି ଯାଉଛି ଯେ ଆମଠୁ ଦଶ ବର୍ଷ ବଡ଼ ଆମ ନାନୀ ଓ ତାଙ୍କ ସମବୟସୀ ବାନ୍ଧବୀଏ ଏହି ନାମରେ ଥିବା ସେବକାର ଓଡ଼ିଆ ସିନେମାଟି ବୋଉମାନଙ୍କ ସହ ଯାଇ ଦେଖି ସାରି ସିନେମା ହଲରେ ସେ ସମୟରେ ମିଳୁଥିବା ସେଇ ସିନେମାର ଗୀତ ବହିଟିଏ କିଣି ଆଣି ଗୀତ ଗାଇବା ଅଭ୍ୟାସ କରୁଥିଲେ । ଆଉ ଆମେ ଏବେ ଏତିକି ମନେ ରଖିଥିବା ଇ’ ବଡ଼ କଥା, କିଏ କାହାର ଜାଣି ପକାଇବା ତେଣିକି ଥାଉ ।

ତେବେ ଏହି ପ୍ରଶ୍ନ କିନ୍ତୁ ମଣିଷଙ୍କ ସହ ଭିନ୍ନଭିନ୍ନ ଢଙ୍ଗରେ ସଂଶ୍ଳିଷ୍ଟ ହୋଇ ରହି ଆସିଛି । ହଁ, ମଣିଷ ମାତ୍ରେ ଜନମିବାକୁ ବାଧ୍ୟ । କାରଣ ଶୂନ୍ୟରୁ କେହି ଦେହୀ ହୋଇ ଟପ୍ କିନା ଗଳି ପଡ଼ି ନଥାନ୍ତି । ବରଂ ଦଶ ମାସ ଦଶ ଦିନର କୃଛ୍ର ସାଧନାନ୍ତେ ଦୁଇଶ’ ଛଅ ଖଣ୍ଡ ହାଡ଼ ଏକାନଟେ ଭାଙ୍ଗିଗଲାବେଳେ ହେବା ଭଳି ବେଦନା ସହି ଯିଏ ସନ୍ତାନଟିଏକୁ ଜଗତକୁ ଆଣେ ସେ ଜନନୀ ଏବଂ ଏହି କଷ୍ଟକର ଯୋଜନାର ଅନ୍ୟତମ ଅଂଶୀଦାର ଭାବେ ଯିଏ ଆସନ୍ନ ପ୍ରସବା ପତ୍ନୀ ସହ ଯାବତ ଜଞ୍ଜାଳ ମଥାରେ ଭରି ଇତଃସ୍ତତଃ ହେଉଥାନ୍ତି ସେ ଜନକ ! ଏଥିରୁ ଜଣାଗଲା ଯେ ମଣିଷ ଜନ୍ମ ପରେପରେ ପହିଲେ ମାଆବାପାଙ୍କର ସନ୍ତାନ ।

ହେଲେ ଏ ସଂସାର ଯେ ଏକ ରଙ୍ଗମଞ୍ଚ ଓ ଏଠେଇଁ ସଭିଏଁ ଆତଯାତ ହେବା ଭିତରେ କୁଆଡ଼େ ଆପଣା ଆପଣା ଅଭିନୟମାନ କରିବା ଅବଧାରିତ ଅଟଇ । ତେଣୁ ତ’ ବୟସର ସିଡ଼ି ଚଢିବା ସହ ଜଣେ ହୋଇଯାଏ କେତେବେଳେ ସାଙ୍ଗ ପାଇଁ ସାଙ୍ଗ ତ’ କେତେବେଳେ ବନିଯାନ୍ତି ପ୍ରେମିକ ପ୍ରେମିକା । ଏମିତି ହେବା ଭିତରେ କୋଉ ଛଟକରେ ଜଣେ ବନିଯାଏ କାହାର ବଧୂ ବା ଲଳନା ଅନ୍ୟ ଏକ ଘରର ହୋଇ । ଅବିକଳ ଯେମିତି ଘରର ପୁଅ ବାଦ୍ ହେବାକୁ ପଡ଼େ କାହାକୁ ଆଉ ଏକ ଘରର ଜ୍ୱାଇଁ ପୁଅ ! ତଦୁତ୍ତାରେ ପୁଣି ଡିଟୋ ଡିଟୋ ସାଂସାରିକ ଅଭିନୟ ପୁଅରୁ ହୋଇଯାନ୍ତି ବାପା ଓ ଝିଅରୁ ହୋଇଯାନ୍ତି ଝିଅର ମାଆ ! ଏମିତି ଜଗତାଭିନୟ ଭିତରେ ହଜି ସୁଦ୍ଧା ହଜି ନଥାଏ କିନ୍ତୁ କିଏ କାହାର ପ୍ରସଙ୍ଗ !

ଏ ସମସ୍ତ ସମ୍ପର୍କ ନିଭାଇବାକୁ ଇ’ ହୁଏ । ତଥାପି ନିଃଶଙ୍କ ହୋଇ କହି ହୁଏକି “ଇଏ ମୋର ବା ସିଏ ମୋର ବୋଲି !” ଏଥକୁ ଯାହା ଆପାତତଃ ଦାୟୀ ତାହା ହେଲା ସ୍ୱାର୍ଥ । ଅର୍ଥାତ ଏ କ୍ଷେତ୍ରରେ ଯେଝା ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବାରେ ଆଦୌ ହେଳା କରି ନଥାନ୍ତି । ଦେବା-ନେବାର ଏ ଭବପୁରୀରେ ସୁତରାଂ କେହି ନୁହଁନ୍ତି କାହାରି । ପୁଣି କୁହାଯାଏ : “ସମ୍ପଦ କାଳେ ସର୍ବେ ସଖା, ବିପଦେ କେହି ନଦିଅନ୍ତି ଦେଖା ।” ଏମିତି ଦେଖା ଦେବା ତ ଦୂରେ ଥାଉ ଏବକାଳରେ ଫୋନ କଲ୍ ସୁଦ୍ଧା ଉଠାନ୍ତି ନାହିଁ । ଫେର୍ ଦୁଃଖ ସେତେବେଳେ ଆହୁରି କାହିଁ କେତେ ଗୁଣ ବଢିଯାଏ ଯେତେବେଳେ ଆଗରୁ ତା ବିପଦବେଳେ ଅକୁଣ୍ଠ ସହାୟତା ଲଭିଥିବା ଓ ସେଯାବତ ଆପଣାଇ ଆପଣାର ପ୍ରତେ ହୋଇ ଆସିଥିବା ମଣିଷ ଜଣକ ମଧ୍ୟ ପର ପରି ମୁହଁ ଛପା ଦେଇ ଦୂରେଇ ଯାଏ ।

ଆଉ ବଳ ବୟସ କମିକମି ମଣିଷ ଥମିଗଲେ ତ ଜାଣ ଯେ ସେ କାହାର ନୁହେଁ । କେହିକେହି ବୃଦ୍ଧ ଦମ୍ପତି ଏବେଳେ ପରସ୍ପରର ଜରୁର୍ ହୋଇଥାନ୍ତି । ତା ବି ଦୁର୍ବିସହ ହୋଇପଡ଼େ ଯେବେ ସଂସାର ନିୟମାନୁସାରେ ଜଣେ ଅବଶେଷେ ଏକାକୀ ବା ଏକାକିନୀ ହୋଇଯାନ୍ତି । ବୋଲିବା ବାହୁଲ୍ୟ ପରିଣତ ବୟସ ସୃଷ୍ଟ ଏଭଳି ଯାତନା ହିଁ ତ ଜରାଶ୍ରମ ସଂଖ୍ୟା ବଢିବା ପାଇଁ ଦାୟୀ । କାରଣ ଏଠି କେହି କାହାର ବି, କ୍ୱଚିତ ସ୍ଥାୟୀ ହୋଇ ରହନ୍ତି ।

ହଁ, ଏ ଜଗତର ରଙ୍ଗମଞ୍ଚର ଅଭିନୟ ଏମିତି ଉପରେ ଉପରେ ଇ’ ସତସତିକା । ଅସଲରେ କିନ୍ତୁ ସତତ ମିଛିମିଛିକା ! ସଭିଏଁ ଏମନ୍ତ ଅଭିନୟାନ୍ତେ ବାହୁଡ଼ି ଯିବାକୁ ବାଧ୍ୟ । ଅର୍ଥାତ ମାଆଟି ପାଖରୁ ଜନମି ପୁଣି ମାଟି ମାଆ କୋଳରେ ମିଶିଯିବା ଥୟ । ଏଠି କଥା ଉଠେ ସର୍ଜନାର ଓ ସୃଷ୍ଟିକର୍ତ୍ତାଙ୍କର, ଯିଏ ପଠାଇଥାନ୍ତି ମର୍ତ୍ତ୍ୟଲୀଳା ପାଇଁ । ଏହି କ୍ରମରେ ମଣିଷ ଶରୀରର ବିଲୟ ହୁଏ । ତଦୁତ୍ତାରେ କିନ୍ତୁ ଯାହା ତଥାପି ରହିଥାଏ ତାହା ହେଲା ଆତ୍ମା ।
ଏହି ଜୀବାତ୍ମାର କିନ୍ତୁ ବିଲୟ ନ ଥାଏ । ଏହା ପରମାତ୍ମାଙ୍କ ସହିତ ସ୍ଥାୟୀ ସମ୍ପର୍କର ନିବିଡ଼ ଆଶ୍ଳେଷ ମଧ୍ୟରେ ରହିବା ପାଇଁ ଉଦ୍ଦିଷ୍ଟ । ସୁତରାଂ ପରମାତ୍ମା ହିଁ ଆତ୍ମାର ଏକାନ୍ତ ଆପଣାର ବୋଲି କହି ହେବ ।

ଏମିତି ଦେଖିଲେ କର୍ମ ଏକା କାଳେକାଳେ ଜୀବନର ସହଚର ଓ ମାନଦଣ୍ଡ । ତେଣୁ କର୍ମକୁ ହିଁ ଧର୍ମ ମଣି ତା ପ୍ରତି ଆନୁଗତ୍ୟ ପ୍ରଦର୍ଶନ କଲେ ତାହା ପୁଣ୍ୟ ହୋଇ ରହିଥାଏ । ଅନ୍ୟଥା ଅକର୍ମା ଚିରକାଳ ଏକାକୀତ୍ୱ ବରଣ କରିଥାଏ । ତେଣୁ ନିଜେ ନିଜର ନହୋଇ ନିଜ କର୍ମରେ ବ୍ୟସ୍ତ ନରହିଲେ ଏବକାଳରେ କାହାର ବା ଗରଜ ପଡ଼ିବ ନିଜକୁ ଛାଡ଼ି ଆଉ କାହା ଆଡ଼ିକି ଅନାଇବାକୁ ବି ଯେ !

ଆପଣ ନିଶ୍ଚେ ଭାବୁଥିବେ ଏ “କିଏ କାହାର ?” ବ୍ୟାପାରଟି ସତରେ ବୁଝିବା ବଡ କାଠିକର, ନୁହେଁ ? ଆମେ ବି କହୁଛୁ ସେଇଆ । ତେଣୁ ତ ଏସବୁ ଭାବିବା ବେଳେ ଆମକୁ ବି “ଆସିଛୁ ଏକା ,ଯିବୁ ତୁ ଏକା ,ଏକା ହୋଇ..” ଏବଂ “ମିଛ ମାୟା ଭରା ଏ ସାରା ଦୁନିଆ କେହି ନୁହେଁ ଆପଣାର..” ଜାତୀୟ ସର୍ବଜନାଦୃତ ସିନେମା ଗୀତାଂଶମାନ ମନେପଡ଼ି ଗମ୍ଭୀର କରି ପକାଉଥିଲେ ହେଁ ଆମେ ପିଲାଦିନେ ଏକ ଜନପ୍ରିୟ ପାରିବାରିକ ପତ୍ରିକାର ନିୟମିତ ବିଭାଗ ପାଠକଙ୍କ “ହାଉଳା ପ୍ରଶ୍ନର ବାଉଳା ଉତ୍ତର” କ୍ରମରେ ଥରେ ଜନୈକ ଅତ୍ୟୁତ୍ସାହୀ ପାଠକ ପ୍ରବରଙ୍କ ପକ୍ଷରୁ ସପ୍ରେମ ପୁଚ୍ଛା ଯାଇଥିବା ମହାର୍ଘ ପ୍ରଶ୍ନ “ଏ ଦୁନିଆରେ କିଏ କାହାର?” ର ମାତବରିଆ ଉତ୍ତର କ୍ରମରେ ସରଳାଦପି ସରଳରେ ପ୍ରଦତ୍ତ ମାତ୍ର ଦିଓଟି ଶବ୍ଦ ସମ୍ବଳିତ ସଂକ୍ଷିପ୍ତାଦପି ସଂକ୍ଷିପ୍ତ ଉତ୍ତର “ଯିଏ ଯାହାର”କୁ ମନେ ପକାଇ ନିଜକୁ କିଞ୍ଚିତ ହାଲୁକା କରିବାର ପ୍ରଚେଷ୍ଟାରତ ରହୁଛୁ !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *