ସତ୍ୟନାରାୟଣ ଗନ୍ତାୟତ

ଏଠେଇଁ ‘କର’ ଶବ୍ଦଟି ବିଶେଷ୍ୟ ବୋଲି ଆଉ ଭାବି ପକାନ୍ତୁନି ଆଜ୍ଞା, ଏହା କ୍ରିୟା ପଦଟିଏ । କ୍ରିୟା ଅର୍ଥ ତ କାମ, ନିଶ୍ଚେ ଜାଣିଥିବେ । ଠିକେଠିକେ ସେଇଆ ହିଁ କହିବା କଥା, ମାନେ କାମ କର ! ଏଥର ଉଠିବ କେଉଁ କାମ ? କାମ ମାନେ ତ’ କେତେ କାମ । ଯେମିତି ଆମର ଏଇ ବକବାସ ଜାତୀୟ ଅଳ୍ପାଳାପ, ଆପଣ ଏହା ପଢିବା, ଏପରିକି ଏଭଳି ନାନା କଥା ଅକଥାମାନ କାନରେ ଶୁଣି ଆର କାନରେ ବାହାର କରି ନଶୁଣିଲା ପ୍ରାୟେ ରହିଯିବା, ସବୁ ଗୋଟେଗୋଟେ କିସମର କାମ ନା ନାଇଁ ?

ଏମିତି ଅଗଣନ କାମ ଥାଏ । ଘରେ କାମ, ଅଫିସରେ କାମ ଓ ହାଟ ବଜାରରେ କାମାଦି ନାନା କାମ ସବୁଠି ଥାଏ । କାମରୁ ହିଁ ସକଳ ସମ୍ପର୍କ । କିଏ ଦେହପା’ ପାଇଁ ଲୋଡ଼ା ତ କିଏ ଗାଡ଼ି ପାଇଁ ତ କିଏ କିଣାବିକା ପାଇଁ ନଥିଲେ ନଚଳେ । କିସମକିସମର କାମଙ୍କ ତାଲିକାମାନ ମନରେମନରେ ମହଜୁଦ ରହିଥାଆନ୍ତି । ଏସବୁଙ୍କୁ କେମିତି କରିବି ? ଭାବିଭାବି ମଣିଷ ଧନ୍ଦି ହେଉଥାଏ । ଫେର୍ ଗୋଟେ କାମ ସାରୁସାରୁ ଆଉଗୋଟେ ଆସି ହାଜର । ନିମିଷେ ଥକ୍କା ମେଣ୍ଟାଇ ହୁଏନି । ତେଣୁ ଇଚ୍ଛା ହୁଏ “ହଁ କାମ ତ ଅଛି, କରିବାକୁ ତ ହେବ । କରିବା ନାଇଁ କି ?” ଭାବି ମନ ହୁଏ ଟିକେ ଧୀମେଇ ଟିକିଏ ଥମି ଅଳପ ନରମି ରହିଯିବା ପାଇଁ । ହେଲେ ଆଗରୁ ତ କହି ରଖିଛୁ ଏମିତି ରହିଗଲେ ସିନା ଘଡ଼ିକ ଆରାମ ମିଳିଯାଏ, କିନ୍ତୁ ସେଇ ଘଡ଼ିକ ଭିତରେ ବି ଆଉ ଥୋକେ କାମ କୋଉ ଛଟକରେ ଆସି ଛାଏଁ ଲଦି ହୋଇ ଯାଇଥାଆନ୍ତି । ତେଣିକି ମାମଲା ବଡ଼ ଜଟିଳ ହୋଇଯାଏ ।

ଜୀବନର ଯାତ୍ରା ପଥରେ ସଚରାଚର ଅନୁଭୂତ ଏଭଳି ଜଟିଳତାଙ୍କ ସମାଧାନ ପାଇଁ ବି ଲୋଡ଼ିବା ମାତ୍ରେ ଆପେଆପେ ମିଳିଯିବ କେତେକେତେ ପରାମର୍ଶ ଓ ଦିଶା ନିର୍ଦ୍ଦେଶ । ତେବେ ସେସବୁକୁ ଯଦି ମନଧ୍ୟାନ ପୂର୍ବକ ବିଶ୍ଳେଷଣ କରିବା, ତେବେ ତାହାର ସାରାଂଶ କ୍ରମରେ ଯାହା ମିଳିଥାଏ ତାହା ହେଲା ଏଇ “କର” ! ଅର୍ଥାତ କାମ କରିବାର ଅଛି ବୋଲି ଦୋହରାଇ ହେବା ଛାଡ଼ି ସବୁଠୁ ଆଗରେ ଯାହା କର୍ତ୍ତବ୍ୟ ତାକୁ ବାଛି ନିଅ ଓ କର ! ଥରେ ଏହି ପ୍ରକ୍ରିୟାରମ୍ଭ ହୋଇଗଲା ମାନେ ଅଚିରେ ପରଖି ହେବ କେଉଁ କାମ ଆଗ ଓ କେଉଁ କାମ ତା’ ପଛକୁପଛ କରି ହେବ । ଏପରି ବାଛବିଚାର ଭିତରେ ଅନୁଭବି ହେବ ଯେ ଆମେ ଯେଉଁ କେତେକ କାମକୁ ନେଇ ଧନ୍ଦି ହେଉଥାଉ ସେସବୁ ସୁଦ୍ଦୁ ଅନାଗତ, ବରଂ ଆମ ଚିନ୍ତାରେ ହିଁ ଜମି ରହିଛନ୍ତି । ଅତଃ କିଛି କାମ କଲେ ହିଁ କାମ କମେ ଓ ସେଥିପାଇଁ ତ’ କୁହାଯାଏ ‘କର’ !

ପିଲାଦିନେ ପଢିଥିବା “ରାଜାଙ୍କ ତିନୋଟି ପ୍ରଶ୍ନ” ପାଠରେ କୁହା ଯାଇଥିବା ପରି ସାମନାରେ ଥିବା ବ୍ୟକ୍ତି, ସେଇ ଖାସ୍ ମୂହୁର୍ତ୍ତ ଓ ସେଇ ମୂହୁର୍ତ୍ତର ଆବଶ୍ୟକତାନୁରୂପ କାମ ହିଁ ସର୍ବୋତ୍କୃଷ୍ଟ ଅଟନ୍ତି । ତେଣୁ ତଦନୁଯାୟୀ କାମ କର, ବାସ୍ !

ହେଲେ କିଛି ମଣିଷ ବି ବଡ଼ ସିଆଣିଆ ହୋଇଥାଆନ୍ତି ଆପଣା ପାରିବାପଣିଆ ନେଇ । ସେମାନେ ଆଜିର କାମ କାଲିକି ଓ କାଲିର କାମ ତା ପରଦିନକୁ କରି ଦେବା ପାଇଁ ଭାବି ପକାଇଥାନ୍ତି ! ଏମିତି ବିଚିତ୍ର ବିଚାର ଧାରୀଏ ଆପଣାକୁ ଏ ଧରା ପୃଷ୍ଠର ସ୍ଥାୟୀ ବାସିନ୍ଦା ମଣି ନେଇଥାନ୍ତି ତ’ ! ତେଣୁ ପ୍ରସିଦ୍ଧ ବୋଲାଇ ହେବା ପାଇଁ ଏମିତି କହିଥାନ୍ତି । କିନ୍ତୁ ପ୍ରକୃତ ଧୀମାନ ବ୍ୟକ୍ତି ପାଇଁ କାଲିର କାମ ଆଜି ଓ ଆଜିର କାମ ଏବେ କରିବା ଏକରକମ ଅଭ୍ୟାସ ହୋଇଯାଇ ଥାଏ । ବୋଲିବା ବାହୁଲ୍ୟ, କମ୍ କହି ବା ଆଦୌ ଅଯଥାରେ ପଦିଏ ବି ନକହି ସେମାନେ ତମାମ ଆୟୁଷକୁ ମୂହୁର୍ତ୍ତମୟ ମଣି ପ୍ରତିଟି ମୂହୁର୍ତ୍ତଙ୍କୁ କର୍ମପ୍ରବଣ ହୋଇ ବିତାଇ ଥାନ୍ତି ! ଏମାନେ ହିଁ ଅସଲି କର୍ମବୀର ଓ ଉଦଯୋଗୀ ନନ୍ଦନ ଅଟନ୍ତି ।

ସୁତରାଂ “କର” କେବଳ ଏକ ଶବ୍ଦ ହିଁ ନୁହେଁ, ବରଂ ଜୀବନର ସମସ୍ତ ଜଟିଳତାର ଏକ ସହଜ ଓ ସରଳ ସମାଧାନର ସୂତ୍ର ମଧ୍ୟ । ଏହାର ସମୁଚିତ ସଦୁପଯୋଗ କଲେ ଜୀବନରେ ସକଳ ସଫଳତାର ସୋପାନମାନ ସହଜରେ ଚଢି ଶୀର୍ଷକୁ ଯାଇ ହୁଏ । ସେଯାବତ ବନ୍ଦ ଦ୍ଵାର ମାନ ଆପେଆପେ ଖୋଲିଯାଏ । ତେଣୁ ବ୍ୟକ୍ତିତ୍ୱ ବିକାଶାର୍ଥେ ବର୍ଣ୍ଣିତ ଯାବତ କଳାକୌଶଳ ମାନଙ୍କର ଏକ ସରଳ ଓ ସଂକ୍ଷିପ୍ତ ସାର ହେଉଛି ଏହି “କର” ଶବ୍ଦଟି ! ଏହା ହିଁ ଈଦାନୀଂ ସ୍ଥାନେ ସ୍ଥାନେ “ଆଜିର କାମ ଆଜି କର, ଏବେ କର ଏବଂ ଏହି ମୁହୂର୍ତ୍ତରେ ହିଁ କର” ଲେଖାଥିବା ବ୍ୟାନର ମାନଙ୍କରେ ଦୃଶ୍ୟମାନ ହେବାଭଳି ଲେଖି ବିଭିନ୍ନ କର୍ମ କ୍ଷେତ୍ରରେ ଟଙ୍ଗାଇ ଦିଆଯାଉଛି । କାରଣ “କର”କୁ ନିଷ୍କ୍ରିୟ କରାଇବାକୁ ତା’ର ଦୁଇଟି ପାରମ୍ପରିକ ଶତୃ “ଆଳସ୍ୟ” ଓ “ବିଳମ୍ବ” ସଦା ସଜାଗ ହୋଇ ରହିଥାନ୍ତି । ଏମାନଙ୍କ କବଳିତ ମାନସିକତା ହିଁ ସଫଳତାକୁ ବିଫଳତାରେ ପରିଣତ କରିଥାଏ ।

​କାମ ନକରି କେବଳ କରିବି କରିବି କହି ଭାଳି ହେଉଥିଲେ କାମ କରିବା ସମ୍ଭବ ହୁଏ ନାହିଁ । ବରଂ ଥରେ କରିବାରମ୍ଭ ଅର୍ଥ ଶଂସିତ କାମର ଅର୍ଦ୍ଧେକ କୁଆଡ଼େ ସମାପ୍ତ ହୋଇ ଯାଇଥିବା ପ୍ରାୟେ ପ୍ରତୀୟମାନ ହୋଇ ଆହୁରି ଆହୁରି କାମ କରିବାକୁ ପ୍ରବର୍ତ୍ତାଇ ଥାଏ, ଯାହାର ଫଳଶ୍ରୁତି ସ୍ୱରୂପ କାମଟି ସରିଯାଏ । ସେତେବେଳେ ସେଇ ମୂହୁର୍ତ୍ତରେ ଲାଗେ : ଏଁ, କାମଟି ସତରେ ହୋଇଗଲା ? ଏଥିରୁ ସ୍ପଷ୍ଟ ଯେ ତୁଚ୍ଛା କର୍ମଚିନ୍ତା କ୍ଳାନ୍ତି ଦାୟକ ହୋଇଥିବାବେଳେ କର୍ମପ୍ରବଣତା ଆନନ୍ଦଦାୟୀ ଅଟେ । ଏଥିରେ ସନ୍ନିହିତ ସକାରାତ୍ମକ ଶକ୍ତି, ଚିନ୍ତାକୁ କାର୍ଯ୍ୟରେ ପରିଣତ କରିବାର ସାହସ ଦିଏ । ଥରେ କରିବା ନେଇ ମନ ସଂକଳ୍ପ ବଦ୍ଧ ହୋଇଗଲେ ଆଳସ୍ୟ ଆପଣା ଛାଏଁ କାହିଁ ଉଭେଇ ଯାଇଥାଏ ।

କେତେକ କର କହିଲେ କରିବା ଆଗରୁ କଣ ମିଳିବ ସେ ନେଇ ଏଡ଼େ ଘାଏଁ ମାତି ଉଠନ୍ତି ଯେ କରିବା ଗୌଣ ହେବା ସହ ଆରମ୍ଭ ହିଁ ହୋଇପାରେନି । ହଁ ଭଲ କର୍ମର ଫଳ ନିଶ୍ଚିତ ଭଲ । ଏହା ସତତ ପ୍ରମାଣିତ । ତେବେ ଏ କ୍ଷେତ୍ରର ଦ୍ୱନ୍ଦ୍ୱକୁ ଗୀତାଚାର୍ଯ୍ୟ ଶ୍ରୀକୃଷ୍ଣ ଅତି ସରଳ ଭାବରେ ଫଳ ଚିନ୍ତା ପରିହାର ପୂର୍ବକ କେବଳ କର୍ମ କରିଯିବା ପାଇଁ ପ୍ରବର୍ତ୍ତାଇଛନ୍ତି । ସୁତରାଂ ନିଜସ୍ୱ ଧର୍ମାନୁସାରୀ ହୋଇ କର୍ମ କରିବା ସବୁରି ଧ୍ୟେୟ ହେବା ଚାହି । ନୋହିଲେ ତ ଆଗତୁରା ଫଳ ଚିନ୍ତା କାମ ହିଁ କରାଇ ଦେବନି !

​କରିବା ସହ ଆହୁରି ଅନେକ କଥା ଜଡ଼ିତ । ଯଥା ସମୟରେ ଯଥାର୍ଥ କାମ ନକଲେ ପରେ ତାହା ଦୁରୂହ ହୋଇଥାଏ । ଅତ୍ୟଧିକ ବିଗତ ଅତୀତର ବୃଥା ବିଶ୍ଳେଷଣ ଓ ଅନାଗତ ତଥା ଅଜଣା ଭବିଷ୍ୟତର ଅଯଥା ଆକଳନରେ ବୁଡ଼ି ରହି ପ୍ରତିଶ୍ରୁତିରେ ପରିପୂର୍ଣ୍ଣ ବର୍ତ୍ତମାନର କାମମାନ ନକରିବା ଆଦୌ ସମୀଚିନ ନୁହେଁ । ବର୍ତ୍ତମାନର ସଦୁପଯୋଗ ମଧ୍ୟରେ ଏକ ଚାପମୁକ୍ତ ଆରାମଦାୟୀ ସମୟ ଉପହାର ରୂପେ ରହିଥାଏ । ଏହି ଉପହାର ପାଇବା ପାଇଁ କେବଳ ଏକ ଅତି ସାନ ସର୍ତ୍ତଟେ ଲାଗୁ ,ତାହା ହେଉଛି ଏହି ଗୋଟିଏ ​ଶବ୍ଦ “କର”କୁ ଗୁରୁତ୍ୱ ଦେଇ କାମ କରି ଯିବା !

ହଁ, ଏ କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା “ପରେ କରିଦେବାନି ?” କହି ପଛକୁ ରଖିଲେ ଏ ଅନିତ୍ୟ ସଂସାରରେ ତଥାଚର୍ଚ୍ଚିତ “ପରେ” ହୁଏତ ସର୍ବନିୟନ୍ତା ସମୟ କେବେବି ଦେଇ ନପାରେ ଯେ !

ସୁତରାଂ ନିଶ୍ଚେ “କର”, ଏବଂ ତାହା ବି ଆଜି, ଏବେ ଓ ଏଇ ମୂହର୍ତ୍ତରେ ଇ’ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *