ସ୍ତମ୍ଭ ସଂକଳନ ‘ଆଶ୍ଵିନର ଛିନ୍ନମେଘ’ ଉନ୍ମୋଚିତ

କେନ୍ଦ୍ରାପଡ଼ା : ସାହିତ୍ୟ ଓ ରାଜନୀତି ପରସ୍ପରଠାରୁ ଭିନ୍ନ ନୁହେଁ ବରଂ ପରିପୂରକ । କିନ୍ତୁ ସାହିତ୍ୟିକମାନେ ଯେଭଳି ରାଜନୀତିଠାରୁ ନିଜକୁ ନିରାପଦ ଦୂରତାରେ ରଖୁଛନ୍ତି, ତାହା ସମାଜ ପାଇଁ ଆଦୌ ହିତକର ନୁହେଁ । କାରଣ ଉଭୟ ସାହିତ୍ୟ ଓ ରାଜନୀତିର ଲକ୍ଷ୍ୟ ହେଉଛି ସମୂହ ହିତ ସାଧନା । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନଗଣଙ୍କ ସମୂହ କଲ୍ୟାଣ ପାଇଁ ରାଜନେତାମାନଙ୍କର ଯେଭଳି ଦାୟିତ୍ୱ ରହିଛି, ସାହିତ୍ୟିକମାନଙ୍କର ମଧ୍ୟ ଅନୁରୂପ କର୍ତ୍ତବ୍ୟ ରହିଛି । ସତକୁ ସବୁବେଳେ ଉଜାଗର କରିବା ସହିତ ରାଜନୀତି ଓ ଶାସନ ବ୍ୟବସ୍ଥାରେ ଘଟୁଥିବା ଅଧୋଗତି, ଭ୍ରଷ୍ଟାଚାର ବିରୋଧରେ ଲେଖନୀ ଚାଳନା କରିବା ଦାୟିତ୍ବ ସାହିତ୍ୟିକମାନେ ଗ୍ରହଣ କରିବା ଆବଶ୍ୟକ ବୋଲି ଗରଦପୁର ‘ସମ୍ବାଦ-ସାହିତ୍ୟ ଘର’ର ଦଶମ ବାର୍ଷିକୋତ୍ସବରେ ସମ୍ବାଦର ସମ୍ପାଦକ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

ସ୍ଥାନୀୟ ପାଟକୁରା କୋରୁଆ ସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାହିତ୍ୟ ଘରର ସଭାପତି ସ୍ତମ୍ଭକାର ହିରଣ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟ୍ଟନାୟକ ଯୋଗ ଦେଇ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପର ଉଦାହରଣ ଦେଇ କହିଥିଲେ, ଏହି ଗପ ଜମିଦାରଙ୍କ ଅତ୍ୟାଚାର, ନାରୀ ଶିକ୍ଷା, ଅନ୍ଧବିଶ୍ଵାସ ସମ୍ପର୍କରେ ବାର୍ତ୍ତା ଦେଉଛି । ଆଜି ମଧ୍ୟ ଆମେ ନାରୀ ସଶକ୍ତିକରଣ ଓ ଅନ୍ଧବିଶ୍ଵାସ କଥା କହୁଛେ । କିନ୍ତୁ ଏପର୍ଯ୍ୟନ୍ତ ଆମେ ଅନ୍ଧବିଶ୍ଵାସକୁ ଦୂର କରିପାରୁନାହୁଁ । ଏବେ ଆଉ ଏକ ବଡ଼ ଉଭା ହେଇଛି ଯାହାର ନାମ ଅନ୍ଧଭକ୍ତି । ଅନ୍ଧଭକ୍ତିର ନମୁନା ହେଲା ମୋ ନେତା କେବେ ଭୁଲ କରିପାରିବ ନାହିଁ । ମୋ ଝିଅ ସବୁଠୁ ସୁନ୍ଦରୀ । ମୋ ମାଆ ସବୁଠୁ ଚରିତ୍ରବତୀ । ମୋ ନେତାର ବିକଳ୍ପ ନାହିଁ । ସବୁ ଦଳରେ ଏହିଭଳି ଅନ୍ଧଭକ୍ତିର ନମୁନା ନଦେଖେଇଲେ ଦଳ ଭିତରେ, ବାହାରେ, ସମାଜରେ କିମ୍ବା ଅନୁଷ୍ଠାନରେ ଆପଣଙ୍କ ସ୍ଥାନ ନାହିଁ । ଯେତେବେଳେ ଏଭଳି ଅନ୍ଧଭକ୍ତିର ନମୁନାକୁ ସଫଳତାର ମାପକାଠି ବୋଲି ଧରି ନିଆଯାଏ ସେତେବେଳେ କଲେଜ, ସ୍କୁଲରେ ତର୍ଜମା ଓ ଯେତେ ବୌଦ୍ଧିକ ଆଲୋଚନା କଲେ ମଧ୍ୟ ତାହାର କିଛି ମାନେ ରହିବ ନାହିଁ । ଆମେ ଉତ୍ତରପିଢିକୁ ଅନ୍ଧଭକ୍ତ ରୂପେ ଗଢିଲେ ସେମାନେ ନା ଏ ଦେଶକୁ ଦାରିଦ୍ର୍ୟରୁ ମୁକ୍ତ କରିପାରିବେ ନା ଅନ୍ଧବିଶ୍ଵାସରୁ ନା ବିକାଶ ମାର୍ଗରେ ଦେଖାଯାଉଥିବା ଅବରୋଧକୁ ଦୂର କରିପାରିବେ । ସୁତରାଂ ଫକୀରମୋହନ ଯେଭଳି ଅନ୍ଧବିଶ୍ଵାସ ବିରୋଧରେ ଏବଂ ନାରୀଶିକ୍ଷା ସପକ୍ଷରେ ଲେଖନୀ ଚାଳନା କରୁଥିଲେ । ଠିକ ସେମିତି ଆଜିର ସାହିତ୍ୟିକମାନେ ଅନ୍ଧଭକ୍ତି ବିରୋଧରେ କଲମ ଉଠାଇବାର ବେଳ ଆସିଛି ବୋଲି ଶ୍ରୀ ପଟ୍ଟନାୟକ ମତପୋଷଣ କରିଥିଲେ ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗାଳ୍ପିକ ତଥା କଥାକାର ଡକ୍ଟର ରାମଚନ୍ଦ୍ର ବେହେରା ଯୋଗଦେଇ କହିଥିଲେ, ସାହିତ୍ୟରେ ଭାବର ସଂକୋଚନ ଘଟିଛି । ବର୍ତ୍ତମାନ ସମୟରେ ଚା’ ପିଇଲାବେଳେ ଦଶ ପନ୍ଦର ମିନିଟ ଭିତରେ ସାହିତ୍ୟ ସୃଷ୍ଟି ହେଇଯାଉଛି । କିନ୍ତୁ ସେଥିରେ ଭାବ ଓ ଆବେଗ ରହୁ ନଥିବା କାରଣରୁ ତାହା ପାଠକଙ୍କୁ ଛୁଇଁପାରୁ ନାହିଁ । ତେଣୁ ଭାବର ସଂପ୍ରସାରଣ ନଘଟିଲେ ସାହିତ୍ୟ ପ୍ରଭାବଶାଳୀ ସାହିତ୍ୟ ହୋଇପାରିବ ନାହିଁ ।

ବିଶିଷ୍ଟ ଅତିଥି ରୂପେ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ନନ୍ଦକିଶୋର ପରିଡ଼ା ସାହିତ୍ୟଘରର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ଆଧାର ନଥିଲେ ସାହିତ୍ୟ ସୃଷ୍ଟି ହୋଇପାରେ ନାହିଁ ବୋଲି କହିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ-ସାହିତ୍ୟ ଘର’ର ମୂଳ ଉଦ୍ଦେଶ୍ୟ ବୋଲି ଡକ୍ଟର ଲେଙ୍କା କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସାହିତ୍ୟ ଘରର ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ ବୋଲି କହିଥିଲେ ।

ଏହି ଅବସରରେ ସ୍ତମ୍ଭକାର ହିରଣ୍ୟ ମହାନ୍ତିଙ୍କ ସ୍ତମ୍ଭ ସଂକଳନ ‘ଆଶ୍ଵିନର ଛିନ୍ନମେଘ’ ଉନ୍ମୋଚିତ ହୋଇଯାଇଛି । ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟିକ ଡ. ଭୂୟାଁଙ୍କ ସମେତ ପ୍ରାଧ୍ୟାପକ ଡକ୍ଟର ଗିରୀଶ ଚନ୍ଦ୍ର ସାହୁ, ପ୍ରଧାନଶିକ୍ଷକ ଗୋପବନ୍ଧୁ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ‘ସମ୍ବାଦ-ସାହିତ୍ୟ ଘର’ର ସମ୍ପାଦକ ତଥା ଗରଦପୁର ବ୍ଲକର ସମ୍ବାଦ ପ୍ରତିନିଧି ନବଘନ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ଡକ୍ଟର ବିଚିତ୍ରମଞ୍ଜରୀ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ ।

Related Posts

Leave a Reply

Your email address will not be published. Required fields are marked *