ସ୍ତ୍ରୀଟିଏ ସବୁ ବୁଝେ

ତାପସ ରଞ୍ଜନ ରାଉତ

କାହିଁକି ଆଖିରେ ଆଖି ମିଳେଇ
ଗାଳି କରୁଥିବା ସ୍ୱାମୀଟିଏ
ସହବାସ ସମୟତକ ଆଖି ବୁଜି ଦିଏ …

କାହିଁକି ପୁରୁଷଟିଏ ମୁଁହ ବୁଲେଇ ଦିଏ
ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ
କାହିଁକି ସ୍ଵାମୀଟିଏ ସାରା ଜୀବନ
ସ୍ଵାମୀ ହେଇ ରୁହେ
କାହିଁକି ମାସ ଆରମ୍ଭରୁ ଦରମା ସରିଯାଏ
କାହିଁକି ପୁରୁଷଟିଏ ନା କରିପାରେନି
ଅଚାନକ ଫଳ ସବୁ ଶସ୍ତା ହେଇଯାଆନ୍ତି
ବଜାରରେ ସୁନ୍ଦର ଶାଢ଼ୀ ଗହଣା
କମ ଦାମରେ ମିଳେ
ହଠାତ ଘର ଭିତରେ ନେଟୱାର୍କ ଆସେନି
ଫୋନରେ ପିନ ପଡ଼ିଯାଏ
ଅଫିସରେ କାମ ବଢିଯାଏ
ହଠାତ ଦୂର ସହରରେ
ପୁଣି ଏକ ପୁରୁଣା ବନ୍ଧୁ ମିଳିଯାଏ
କାହିଁକି ଧଳା ଚୁଟି ପୁଣି କଳା ହୁଏ
ସ୍ତ୍ରୀଟିଏ ସବୁ ବୁଝେ …

କାହିଁକି ବାପଟିଏ ଝିଅ ବିଦାବେଳେ ମିଳେନି
କାହିଁକି ମାଆଟି କାନରେ କହିଦିଏ-
‘ପାଟି ଚାପି ସହି ଯିବୁ’
କାହିଁକି ଶ୍ଵଶୁର ବେଶୀବେଶୀ ସମୁଦୀଙ୍କୁ ମନେପକାନ୍ତି
ଗପୁଡ଼ି ଶାଶୂ ଚୁପ୍ ରୁହେ
ହଠାତ ବୋହୂ ପାଇଁ ମାଛ ମୁଣ୍ଡଟି ରଖା ହୁଏ
ନଣନ୍ଦଟି ଟିକେ ଅଧିକ ସାଙ୍ଗ ହୁଏ
ସ୍ୱାମୀଟି କାହିଁକି ଏ.ଟି.ଏମ୍. କାର୍ଡ ମାଗିନିଏ
କାହିଁକି ସବୁ କାମ କରୁଥିବା ବୋହୂଟି
ଭୁଲାମନ ହେଇଯାଏ
କାହିଁକି ବାପଘରୁ ବେଶୀ ଖବର ଆସେନି
କାହିଁକି ଭାଇ ଆଜିକାଲି ଆଉ ଫୋନ କରେନି
କାହିଁକି ବୁଲିବାକୁ ଆସିଥିବା ଭଉଣୀର
ଘରକୁ ଫେରିବାକୁ ଇଛା ହୁଏନି
କାହିଁକି ଶାଢ଼ୀ ଗହଣାକୁ ମନାକରେନି ଲୋକଟା
ଚିଡ଼ଚିଡ଼ା ଲୋକଟି ହଠାତ ନିରବୀ ଯାଏ
ଘରଲୋକଙ୍କ ଆଗରେ କାହିଁକି ଆଜ୍ଞାଧୀନ ପୁତ୍ରଟି
ହଠାତ ଜବାବ୍ ଦେବାକୁ ଆରମ୍ଭ କରେ
କାହିଁକି କଳି ବଢ଼ି ଆସିବା ସମୟରେ ହଠାତ
ଜରୁରୀ କାମ ଆସିଯାଏ
ଡେରିରେ ଫେରିଥିବା ଲୋକଟାର
ଆଖିର ରଙ୍ଗ କାହିଁକି ଲାଲ ଦିଶେ
କାହିଁକି ପିଲାମାନଙ୍କ ସବୁ ଅଳି ବେଳକୁ
ପକେଟରେ ଟଙ୍କା ଥାଏ
ପୁଣି କାହିଁକି ହଠାତ ପିକନିକ୍ ଦିନ
ଜରୁରୀ କାମ ଚାଲିଆସେ
କାହିଁକି ସବୁ ଫିଲ୍ମ ହଠାତ ବେକାର ଆଉ ଫ୍ଲାପ ହେଇଯାଏ
କାହିଁକି ସାବିତ୍ରୀ ଦିନ ଶାଢୀଟିଏ ଆସିପାରେନି
କିନ୍ତୁ ଛାଡ଼ଖାଇରେ ଶାଗୁଆତି ଆସେ
ସ୍ତ୍ରୀଟିଏ ସବୁ ବୁଝେ …

ଜହ୍ନ ରାତିରେ ଗୁଣୁଗୁଣାଉଥିବା ଲୋକଟା
ହଠାତ ଚୁପ ହେଇଯାଏ
ବର୍ଷାଦିନେ କାହିଁକି ଜଲଦି କାମ ସରିଯାଏ
କାହିଁକି ଘରକୁ ହଠାତ ବନ୍ଧୁ ଆସିବା
ବନ୍ଦ ହେଇଯାଏ
କାହିଁକି ଆଜିକାଲି ସିଗାରେଟର ସଂଖ୍ୟା ବଢିଯାଏ
କାହିଁକି ବିନା ଉପକ୍ରମରେ
ସିଂହ ସବାର ହୁଏ ଅଧ ରାତିରେ
ପୁଣି କାହିଁକି ହଠାତ ହାର ମାନିନିଏ
ଯୁଦ୍ଧ ଶେଷହେବା ଆଗରୁ
ସ୍ତ୍ରୀଟିଏ ଜାଣିଥାଏ କୋଉ ମୁହୂର୍ତ୍ତରେ
ସ୍ଵାମୀଟିଏ ଜୋର କରି କାମୁଡ଼ି ଦିଏ …
କାହିଁକି ଔଷଧ ସବୁ ଲୁଚା ହେଇ ରୁହେ
ଅଫିସ ବ୍ୟାଗରେ
କାହିଁକି ନଜଣାଇ ଚାଷଜମି ବିକ୍ରି ହେଇଯାଏ
କାହିଁକି ହଠାତ ଦୋଳ ଠାକୁରଙ୍କ ଭୋଗଖିଆ ବନ୍ଦ ହେଇଯାଏ
କାହିଁକି ପୁରୁଷଟି ନିଷ୍ଠୁର ହୋଇଉଠେ
ପିଲାମାନଙ୍କ ପ୍ରତି
କାହିଁକି ତା ନିଶ୍ୱାସଟି ହଠାତ ଓଦାଓଦା ଲାଗେ
କାହିଁକି ଜୀବନବିମା ହଠାତ କିଣା ହୁଏ
କାହିଁକି ନାଁ ଆଉ ନୋମିନି ଗୋପନ ରୁହେ
କାହିଁକି ରାକ୍ଷୀପୂର୍ଣମୀରେ ଲୋକଟି ଚିନ୍ତାଗ୍ରସ୍ତ ଦିଶେ
କାହିଁକି ଭାଗବତ ଟୁଙ୍ଗୀ ଏତେ ନିଜର ଲାଗେ
କାହିଁକି ମନ୍ଦିରରୁ ଫେରି
ଲୋକଟି ଆରାମରେ ଶୋଇଯାଏ
ସ୍ତ୍ରୀଟିଏ ସବୁ ବୁଝେ …

କାହିଁକି ମଝିରେ ମଝିରେ ଆଶ୍ରମ ଯିବାକୁ ପଡ଼େ
ଦିନେଦିନେ ବାହାରେ ରହିବାକୁ ପଡ଼େ
କାହିଁକି ରେଶମୀ ଶାଢ଼ୀ ପୁଣି ସୂତା ଶାଢ଼ୀରେ ବଦଳି ଯାଏ
କାହିଁକି ସ୍ୱାମୀଟିଏ ଜନ୍ମଦିନ ଭୁଲିଯାଏ
ନିଜ ପ୍ରିୟ ଗାଡ଼ିଟି ହଠାତ ଚୋରି ହେଇଯାଏ
ହଠାତ ଝିଅ ପାଇଁ ଭଲ ପ୍ରସ୍ତାବଟି ଆସିଯାଏ
ହଠାତ ପୁଅଟି ସାଙ୍ଗ ହେଇଯାଏ
କାହିଁକି ଭୁଲ ନଥାଇ ବି ସଭିଙ୍କ ସାମ୍ନାରେ ସ୍ତ୍ରୀଟିଏ
ଚାପୁଡ଼ା ଉପହାରରେ ପାଏ
ଭୁଲ ବୋଲି ସ୍ୱୀକାର କରିବାକୁ ହୁଏ
ପୁଣି କାହିଁକି ରୁକ୍ଷ ସ୍ୱାମୀଟି ଦିନେ
ହଠାତ ପ୍ରେମିକ ହେଇଯାଏ
ସ୍ତ୍ରୀଟିଏ ସବୁ ବୁଝେ …

କାହିଁକି ପୁଅଟି ରାତି ଏତେ ସମୟ ବାଥରୁମରେ ରୁହେ
କାହିଁକି ଝିଅ ଆଜିକାଲି ଡେରିରେ ଫେରେ
କାହିଁକି ଏତେଦିନ ପରେ ବାପଘରୁ
ଭାଇର ଡାକରା ଆସେ
ସ୍ତ୍ରୀଟିଏ ବୁଝେ କେଉଁ ମୁହୂର୍ତ୍ତରେ
କିଏ ଦୁର୍ବଳ ଥାଏ
କେଉଁ ମୁହୂର୍ତ୍ତରେ ପୁରୁଷଟି କାନ୍ଦୁଥାଏ
କେଉଁ ମୁହୂର୍ତ୍ତରେ ସେ ଏକାକୀତ୍ୱ ଚାହେଁ
ଆଉ କେଉଁ ମୁହୂର୍ତ୍ତରେ ବାହୁ ବନ୍ଧନୀ …

ସିନେମା, ରାଜନୀତି, କ୍ରୀଡ଼ା, ଅର୍ଥନୀତି
ଧର୍ମ, ବିଜ୍ଞାନ, ରୋଷେଇ, ଜ୍ୟାମିତି, ପରିମିତି
ପ୍ରେମ, ଇତିହାସ, ଭୂଗୋଳ, ଯନ୍ତ୍ରପାତି
ସ୍ତ୍ରୀ କେଉଁଥିରେ ଜ୍ଞାନୀ ଆଉ ଅଜ୍ଞାନୀ
ହେଲେ ପୁରୁଷ ହୁଏ ଖୁସି
ସ୍ତ୍ରୀଟିଏ ସବୁ ବୁଝେ
ଆଉ ଚୁପ୍ ରୁହେ
କାରଣ, ସେ ବୁଝିଥାଏ ଚୁପ୍ ରହି ହିଁ
ସବୁକିଛି କରିବାର ଥାଏ
ଆଉ କିଛି ନକରିବାର ବି ଥାଏ
ଅହରହ ଚାଲୁଥୁବା ଯୁଦ୍ଧ
ତାର ଜିତିବାର ଥାଏ ।

ବିଜିପୁର, ତମାଣ୍ଡୋ, ଖୋର୍ଦ୍ଧା

ଲେଖକ ପରିଚୟ

କଲେଜ ଜୀବନରୁ ଲେଖାଲେଖି ଆରମ୍ଭ କରିଥିଲି ହେଲେ ଅନିୟମିତ ଭାବେ ଯଦିଓ ଅନେକ ପତ୍ରିକାରେ କିଛି ଲେଖା ପ୍ରକାଶିତ ବି ହେଇଛି । ଲେଖିବା ଅପେକ୍ଷା କିନ୍ତୁ ପଢିବାରେ ବେଶୀ ରୁଚି । ମନ ଭିତରେ ଯେତେବେଳେ ଅତ୍ୟଧିକ ଆନ୍ଦୋଳନ ହୁଏ ସେବେଳେ ମୁଁ ଲେଖେ । ତେବେ ଏଯାବତ ଖଣ୍ଡିଏ ଉପନ୍ୟାସ ‘ବିଦାୟ ବେଳାର ସୂର୍ଯ୍ୟ’ ପ୍ରକାଶିତ ହୋଇଯାଇଛି । ‘ପ୍ରତିଭା ରାୟ’, ‘ବିଭୁତି ପଟ୍ଟନାୟକ’ ଏବଂ ‘ଟାଇମ ପାସ’ ପ୍ରିୟ ପାଠକ ପୁରସ୍କାର ସମେତ ୨୦୨୧ ‘ପେନ ଇନ’ ଯୁବ ପୁରସ୍କାର ପାଇ ଖୁସି ହେଇଛି ।

Related Posts

Leave a Reply

Your email address will not be published. Required fields are marked *