ପ୍ରତ୍ୟୁଷ କୁମାର ସା

ଆଜି ଯାହା ନୂଆ, କାଲି ପୁରୁଣା । ଅବଶ୍ୟ ଯୁକ୍ତିଟି ବସ୍ତୁବାଦୀ । ନୂଆ-ପୁରୁଣାର ତରାଜୁରେ ଯଦି ଆମେ ପ୍ରେମକୁ ତଉଲିବା, ତାହେଲେ ପ୍ରେମ ସବୁ ବେଳେ ନୂଆ । ଯଦି କିଛି ପୁରୁଣା ହୋଇପାରେ ତାହା କେବଳ ପ୍ରେମିକା ! ଆରେଞ୍ଜ ମ୍ୟାରେଜ୍ କରିଥିବା ବିବାହିତ ପାଇଁ ପ୍ରେମିକା ପୁରୁଣା । ନୂଆ ପ୍ରେମିକା ଆବିଷ୍କାର କରିଥିବା ପ୍ରେମିକ ପାଇଁ ପ୍ରେମିକା, ପୁରୁଣା । ମୁଣ୍ଡକୁ ଭାରି କରିଦେଉଥିବା ଏହି ସବୁ ଯୁକ୍ତି ରାଧୁଆକୁ ବିବ୍ରତ କରି ଦେଉଥିଲା । କାରଣ, ରାଧୁଆର ବିଶ୍ୱାସ-ଯେଉଁ ସଂପର୍କ ଯେତିକି ପୁରୁଣା, ସେହି ସଂପର୍କ ସେତିକି ମଜବୁତ । ସମୟ ସହ ବଦଳିପାରେ ସଂପର୍କର ପରିଭାଷା! ଏକଥା ମାନିବାକୁ ନାରାଜ୍ ।

ଗୋଟିଏ ପଂକ୍ତିରେ ଯଦି ଗୋଟିଏ ଚରିତ୍ରକୁ ବର୍ଣ୍ଣନା କରିବାକୁ କୁହାଯାଏ, ତାହେଲେ ଆମ ରାଧୁଆ ପାଇଁ ଉପଯୁକ୍ତ ଧାଡିଟି ହେବ-ବୋଲକରା ସ୍ୱାମୀ, ସ୍ତ୍ରୀ କଥାରେ ପରିଚାଳିତ ଜଣେ ସାଧାସିଧା ମଣିଷ । ଏମିତି କିଛି ନାହିଁ ଯାହା ସ୍ତ୍ରୀଙ୍କୁ ଅଛପା । ବ୍ରିଟିଶ ଅମଳର ପୁଲିସ ଭଳି ରାଧୁଆ ଉପରେ କଡ଼ା ନଜର । ହେଲେ ଏତେ ସବୁ କଟକଣା ଭିତରେ ଗୋଟିଏ ଗୁପ୍ତ ରହସ୍ୟକୁ ଭେଦ କରି ପାରି ନାହିଁନ୍ତି ଘରଣୀ । ତାହା ହେଲା ବିବାହ ପୂର୍ବର ପ୍ରେମ । ଅର୍ଥାତ୍ ପୁରୁଣା ପ୍ରେମିକା । ବହୁ କଷ୍ଟରେ ଏହି ରହସ୍ୟ ଏବେବି ରହସ୍ୟ ହୋଇ ରହିଛି । ଗୁପ୍ତ ଧନ ସଂପର୍କରେ ସ୍ତ୍ରୀ ପତା ପାଇଯିବେ ସିନା, ପୁରୁଣା ପ୍ରେମିକା ସଂପର୍କରେ ଟେର ପାଇବେ ନାହିଁ ।

ଜୀବନରେ ବେଳେ ବେଳେ ଏମିତି କିଛି ଘଟେ, ଯାହା ଦୀର୍ଘ ଦିନର ଧାରଣାରେ ପରିବର୍ତନ ଆସିବାରେ ବିଳମ୍ବ ଲାଗେନି । ଠିକ୍ ଅନୁରୂପ ଘଟଣାଟିଏ ଘଟିଥିଲା ରାଧୁଆଙ୍କ କ୍ଷେତ୍ରରେ । ଅଫିସ କାମରେ ବେଙ୍ଗାଲୁରୁ ଯିବାର ମୌକାଟିଏ ମିଳିଲା । ପୁରା ପ୍ରସ୍ତୁତିରେ ବାହାରିଥାନ୍ତି ରାଧୁଆ । ସମୟ ପୂର୍ବରୁ ପହଂଚିଗଲେ ବିମାନ ବନ୍ଦର । ଆଉ ବିମାନ ବନ୍ଦରରେ ଦେଖା ହେଲେ ଜଣେ ଭଦ୍ର ମହିଳା । ଯିଏ ନିଜ ପିଲା ଛୁଆ ଧରି କୁଆଡେ ବାହାରିଥାନ୍ତି । ରାଧୁଆଙ୍କୁ ଚିହ୍ନିବାରେ ବିଳମ୍ବ ଲାଗିଲାନି । କାରଣ, ସିଏ ଥିଲେ ତାଙ୍କ ରହସ୍ୟମୟ କାହାଣୀର ନାୟିକା । ମାନେ ସେହି ପୁରୁଣା ପ୍ରେମିକା, ଯାହାକୁ ବହୁ କଷ୍ଟରେ ସନ୍ତକ ଭଳି ସାଇତି ରଖିଥିଲେ । ଚାହୁଁ ଚାହୁଁ ମହିଳା ଜଣକ ରାଧୁଆଙ୍କ ପାଖରେ ପହଂଚିଗଲେ । ରାଧୁଆ ଚିହ୍ନି ପାରୁଛୁ ନା ? ମହିଳା ଜଣକ ଔପଚାରିକ ଭାବରେ ପରିଚୟ ଦେଲେ । ନିଜ କୁନି ପୁଅ ସହ ପରିଚିତ କରି, ଭଦ୍ର ମହିଳା କହିଲେ, ଇଏ ଆମ ଗାଁ ରାଧୁଆ । ତୋ’ ରାଧୁଆ ମାମୁଁ । ନିଜ ଉଦ୍ଦେଶ୍ୟରେ ସଂପର୍କର ଏହି ସଂଜ୍ଞା ନିରୁପଣ ହେଲା ବେଳକୁ ପୁରୁଣା ସମ୍ପର୍କର ପରିଭାଷା ବଦଳି ସାରିଥିଲା । ଆଉ ବୁଝିବାରେ ବିଳମ୍ବ ହେଲା ନାହିଁ ଯେ, ପରିସ୍ଥିତି ପରିବର୍ତନ ଆଣିପାରେ, ସମୟ ସ୍ରୋତରେ ସଂପର୍କର ପରିଭାଷା ବଦଳି ପାରେ ।

ପୋଖରାନ୍ ଭିଲେଜ୍ ଭୁବନେଶ୍ୱର, ମୋବାଇଲ-୯୪୩୭୩-୬୬୯୮୪

Related Posts

Leave a Reply

Your email address will not be published. Required fields are marked *