“ପୁରୁଷ ଆଖିରେ ନାରୀ ଏକ ଚିର ବିସ୍ମୟ। ସେ ତାକୁ ଭଲପାଏ, ଘୃଣା କରେ, ପୂଜା କରେ, ତିରସ୍କାର କରେ ଓ ଭୟ ମଧ୍ୟ କରେ। ତାର ଏହି ଭାବକୁ ରୂପ ଦେବା ପାଇଁ କେତେବେଳେ ତାକୁ ରାଧା ରୂପରେ କଳ୍ପନା କରିଛି ତ କେତେବେଳେ ପିଙ୍ଗଳା ଅଲକ୍ଷ୍ମୀ ରୂପରେ ଚିତ୍ରିତ କରିଛି।”- ବିଚିତ୍ରବର୍ଣ୍ଣା ଗଳ୍ପ ପୁସ୍ତକ ।

‘ଏମିତି ଆକାଶରେ ଭସା ମେଘ ପରି ବୁଲିଲେ ଚଳିବ ନାହିଁ । ଏଇ ପୃଥିବୀର ମଣିଷ ତମେ । ପୃଥିବୀରେ ବଞ୍ଚିରହିବାକୁ ହେଲେ ପରିଶ୍ରମ କରି ନିର୍ଭରଶୀଳ କୂପଟିଏ ଖୋଳି ତା ଭିତରୁ ବଞ୍ଚିବାର ନିର୍ଝରଟିକୁ ଆବିଷ୍କାର କରିବାକୁ ପଡେ । ଦୈନନ୍ଦିନ ଅନ୍ନସଂସ୍ଥାନ ଓ ପରିବାର ପରିପୋଷଣ ହିଁ ଜୀବନର ଅନ୍ୟନାମ । ସାରାଜୀବନ ଏଇ କୂଅ ଖୋଳି ଯିବାହିଁ ଜୀବନ ।’ -‘ପ୍ରେମ ଓ ସନ୍ନ୍ୟାସ’  ଗଳ୍ପରୁ । 

ଏ ଦୁଇଟି ଉଦ୍ଧୃତାଂଶ କଥାଶିଳ୍ପୀ ରବି ପଟ୍ଟନାୟକଙ୍କର ଗଳ୍ପରୁ । ସେ ଉଭୟ ପୁରୁଷ ଓ ନାରୀର ମନସ୍ତତ୍ତ୍ୱକୁ ନେଇ ଚମତ୍କାର ଗଳ୍ପ ଲେଖିଯାଇଛନ୍ତି । କେବଳ କାହାଣୀ ନୁହେଁ, ବୌଦ୍ଧିକତା ମିଳେ ତାଙ୍କର ପ୍ରତ୍ୟେକଟି ଗପରେ । ପୁଣି ପ୍ରଚଳିତ ପ୍ରଥା ଓ ତଥାକଥିତ ମୂଲ୍ୟବୋଧ ବିରୋଧରେ ତାଙ୍କର ଶାଣିତ ସ୍ୱର ପାଠକଙ୍କ ଚେତନାକୁ ଊର୍ଦ୍ଧ୍ୱଗାମୀ କରାଏ । 

ସେ ଓଡିଆ ସାହିତ୍ୟ ଜଗତର ବିରଳ ବ୍ୟକ୍ତିତ୍ୱ । ଚିରାଚରିତ କାହାଣୀ ରଚନା ଶୈଳୀ ଅନୁସରଣ ନ କରି ସେ ନୂତନ ପରୀକ୍ଷା-ନିରୀକ୍ଷା ବଳରେ କ୍ଷୁଦ୍ର ଗଳ୍ପ ସୃଷ୍ଟିର ଏକ ନୂଆ ଶିଖର ଛୁଇଁପାରିଥିଲେ । ୧୯୩୫ ମସିହା ଅକ୍ଟୋବର ୨୧ତାରିଖରେ ସୁନ୍ଦରଗଡ଼ର ବଣାଇରେ ଜନ୍ମ ହୋଇଥିଲେ ହେଁ ୪-୫ ବର୍ଷ ବୟସରେ ସେ ମୟୂରଭଞ୍ଜର ରାଇରଙ୍ଗପୁରସ୍ଥିତ ପୈତୃକ ଗ୍ରାମକୁ ଫେରିଆସିଥିଲେ । ବାରିପଦାରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ରେଭେନ୍ସାରେ ଅଧ୍ୟୟନ ସମୟରେ ସେ ପୂର୍ବ ଛାତ୍ରାବାସର ମୁଖପତ୍ର ‘ଉର୍ମି’ର ସମ୍ପାଦନା କରୁଥିଲେ । କେନ୍ଦ୍ର ସରକାରଙ୍କ ଅଧୀନରେ ଭୂତତ୍ତ୍ୱ ବିଜ୍ଞାନୀ ରୂପେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା ।

‘ଅସାମାଜିକର ଡାଏରି’, ‘ବନ୍ଧ୍ୟା ଗାନ୍ଧାରୀ’, ‘ହିରଣ୍ୟ ଗର୍ଭା’, ‘ବିଷୁବ ରେଖା’, ‘ରାଗତୋଡି଼’, ବହୁରୂପୀ (୧୯୭୯), ବିଷୁବରେଖା (୧୯୮୩), ରାଜାରାଣୀ (୧୯୮୭), ଅମରିଲତା (୧୯୯୦), ବିଚିତ୍ରବର୍ଣ୍ଣା (୧୯୯୧), ଛାୟା ପୁତ୍ରର କାଳ (୧୯୯୧), ପ୍ରେମ ଓ ପ୍ରତିମା (୧୯୯୩), ମେଘମହ୍ଲାର (୧୯୯୫), ଅବିନଶ୍ୱର (୧୯୯୫), ପ୍ରଜାପତିର ଘର (୧୯୯୬) ଆଦି ଅନେକ ତାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତି । 

ବିଚିତ୍ରବର୍ଣ୍ଣା ଗଳ୍ପ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଆନ୍ତି 1992ରେ । ହିରଣ୍ୟଗର୍ଭ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର ଆଦି ତାଙ୍କ ସୃଜନକଳାକୁ ବହୁ ସ୍ୱୀକୃତି ମିଳିଛି । ୧୯୯୧ ଜୁନ ୩ତାରିଖରେ ମାତ୍ର ୫୫ ବର୍ଷ ବୟସରେ ଏହି କଥାକାରଙ୍କର ପରଲୋକ ଘଟିଥିଲା ।

Related Posts

Leave a Reply

Your email address will not be published. Required fields are marked *