ଶରତ କୁମାର ରାଉତ


“ବାବୁ, ମହାମାରୀ ‘କରୋନା’ ଆକ୍ରାନ୍ତରେ ମୋ” ବାପା, ବୋଉ ମରିଗଲେ! ଆମର ବଡ଼ କୋଠାଘର ଥିଲା, ମୋ ବାପା ବଡ଼ ବ୍ୟବସାୟୀ ଥିଲେ! ମୁଁ ମାମୁ ଘରେ ରହି ପାଠ ପଢୁଥିଲି । ଏ ଖବର ପାଇ ମାମୁ ମୋତେ ଧରି ଆମ ଘରକୁ ଆସିଲେ । ସେତେବେଳେ ବାପା, ବୋଉଙ୍କର ଚିକିତ୍ସା ଚାଲିଥିଲା । ଚାହୁଁ ଚାହୁଁ କରୋନା ସେମାନଙ୍କୁ ମାରିଦେଲା । ସେତେବେଳେ ଶୁଣିଲି, ଆମ ଗାଁର ତିନିଜଣ ଲୋକ ମଧ୍ୟ କରୋନାରେ ଚାଲିଗଲେ!” ଏହାଥିଲା ଛିଣ୍ଡା ପ୍ୟାଂଟ ଓ ଗାମୁଛା ଖଣ୍ଡେ ଗୁଡ଼େଇ ହୋଇଥିବା ଏକ ୧୦ ବର୍ଷ ବୟସ ପିଲାର କରୁଣ ଭରା ଅସ୍ପଷ୍ଟ କଥାର ସାରମର୍ମ!
ବାହାରେ ଝିପିଝିପି ବର୍ଷା, ପ୍ରବଳଥଣ୍ଡା । ପିଲାଟି ଥରି ଥରି ଏହି କୋଠାଘର ବାରଣ୍ଡାରେ ଟିକେ ଆଶ୍ରୟ ନେଇଥିଲା । କିନ୍ତୁ ସେଠାରେ ଥିବା ଦୁଇଜଣ ଚପରାଶି ପିଲାଟିକୁ ସେଠାରେ ଛିଡ଼ା କରେଇ ଦେଲେ ନାହି । ଇୟେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା କଲେକ୍ଟରଙ୍କ ବାସଭବନ! ସେମାନେ ନିଜ କର୍ତବ୍ୟ ପ୍ରତି ସଚେତନ । ଏଣୁ ସେମାନେ ତା’ ଉପରେ ଚିଡ଼ି ଉଠି ତାକୁ ଠେଲି ଠେଲି ନେଇ ଯାଇଥିଲେ ବାହାରକୁ । ବର୍ଷାରେ ଭିଜି ତଥାପି ପିଲାଟି ବ୍ୟକ୍ତ କରୁଥିଲା ନିଜର କରୁଣ ଅଭିଳାଷ । ବର୍ଷା ଛାଡ଼ିଲେ, ସେଠାରୁ ଚାଲି ଯିବାକୁ ଅନୁନୟ ହେଉଥିଲା । ତଥାପି ସେମାନେ ପିଲାଟିକୁ ବାରଣ୍ଡା ଚଢ଼େଇ ଦେଉ ନଥିଲେ ।
ପାଟିଗୋଳ ଶଦ୍ଦ ଶୁଣି ସରକାରୀ ପ୍ରକୋଷ୍ଠ ଭିତରେ ବସିଥିବା କଳେକ୍ଟର ଉଠି ପଡ଼ିଲେ ନିଜ ଆସନରୁ । ଦୁଆର ମୁହଁରେ ପରଦା ଆଡ଼େଇ ଅନେଇ ଦେଲେ ପିଲାଟିକୁ । ସେ କହି ଚାଲିଥିଲା ନିଜ ଅସରନ୍ତି ଦୁଃଖର କାହାଣୀ । ଚପରାଶି ଦୁହେଁ ତା’ କଥାରେ ପରିହାସ କରି ନୂଆ କଲେକ୍ଟର ସାହେବ ଜାଣିଲେ, ତାକୁ ଖୁବ୍ ଦଣ୍ଡ ମିଳିବ ବୋଲି ଭୟଭୀତ କରାଉଥିଲେ ।
କିନ୍ତୁ କଲେକ୍ଟର ନିରବ-ନିର୍ବାକ! ତାଙ୍କର ପାଦ ଦୁଇଟି ଆଗକୁ ବଢ଼ି ପାରୁନଥିଲା କି ପଛକୁ । ହୁଏତ ସେ କିଛି ଭାବୁଥିଲେ ବା ନିଜ ଭିତରର ସୁସ୍ଥ-ସବଳ ସ୍କୃତି ଶକ୍ତିକୁ ଜାଗ୍ରତ କରେଇବାକୁ ଚେଷ୍ଟା କରୁଥିଲେ । ସତକୁ ସତ ତାଙ୍କର ସ୍କୃତି ଶକ୍ତି ତାଙ୍କୁ ଫେରାଇ ଆଣିଥିଲା କୋଡ଼ିଏ ବର୍ଷ ତଳକୁ…….
ହଠାତ୍ ଦିନେ ବିକାଶ ଗଣମାଧ୍ୟମରୁ ଜାଣିଲା, ମହାପ୍ରଳୟର ତାଣ୍ଡବରେ ଧ୍ୱଂସ ସ୍ତୂପରେ ପରିଣତ ହୋଇଛି ଓଡ଼ିଶାର ଉପକୂଳବର୍ତୀ ଅଂଚଳ । ଧନ-ଜୀବନ ସବୁକିଛି ସାମୁଦ୍ରିକ ଜୁଆରର ଗର୍ଭ ମଧ୍ୟରେ । ୩୦୦ କିଲୋମିଟର ବେଗରେ ପବନ-ଆଉ ସମୁଦ୍ରରୁ ଉଠି ଆସିଛି ୨୦ ମିଟର ଉଚ୍ଚର ଲୁଣା ଜୁଆର! କେହି ନାହିଁ, କିଛି ନାହିଁ ଇଲାକାରେ ।…….ବିକାଶକୁ ତୁରନ୍ତ ପହଂଚିବାର ଥିଲା ଗାଁରେ । ଦେଖିବାର ଥିଲା ନିଜ ଆଦରର ବାପା, ବୋଉ, ସାନ ଭଉଣୀକୁ । ସେ ଏବେ ଦିଲ୍ଲୀରେ ଅଧ୍ୟୟନରତ । ପଢ଼ାଶେଷ ପରେ ଆରମାସକୁ ଫେରିବାର ଥିଲା ଓଡ଼ିଶା-ନିଜ ଜନ୍ମଭୂଇଁକୁ ।
ଆହା…..ବାପା, ବୁଢ଼ା ବୟସରେ ବି ମାଟି, କାଦୁଅରେ ମିଶି ତାକୁ ବଡ଼ ମଣିଷଟିଏ କରେଇବାକୁ ଯେମିତି ବଦ୍ଧ ପରିକର । ତା’ପାଠପଢ଼ାରେ କିଛି ଅସୁବିଧା ରଖିନାହାନ୍ତି, ତା’ପାଇଁ କଣ ନକରିଛନ୍ତି ବାପା? ଆଉ ବୋଉ! କାନ୍ଧରେ କାନ୍ଧ ମିଳେଇ ଦେଇଛି ଯେମିତି ବାପାଙ୍କ ସହ । ସିଏ ବି ଅଧିକାଂଶ ସମୟ ବାପାଙ୍କ ସହ ବିଲବାଡ଼ିରେ । ତଥାପି ଦୁଃଖ ନଥିଲା ବୋଉ ମନରେ । ବାପା, ମାଙ୍କ ସବୁ ଆଶା-ଭରସା ବିକାଶ ଉପରେ । ପୁଅ ପାଠ ପଢ଼ି ମଣିଷ ହେବ, ଚାକିରି କରିବ ଆଉ ସେମାନଙ୍କ ଦୁଃଖ ଘୁଂଚିବ ।…….
ତଥାପି ତଳିଆ ଅଂଚଳର କୌଣସି ଖବର ନଥିଲା । ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ । କିନ୍ତୁ ତାକୁ ଯିବାକୁ ହେବ-ତା’ବାପା, ବୋଉ ଓ ସାନ ଭଉଣୀ ଚାହିଁ ରହିଥିବେ ତା’ବାଟକୁ । ହୁଏତ କିଛି ଖାଇ ନଥିବେ ୪ଦିନ ତଳୁ । ଏଇ ବିସ୍କୁଟ ଖୁଆଇ ବଂଚାଇବାକୁ ହେବ ସେମାନଙ୍କୁ । ତାକୁ ଦେଖି ନିଶ୍ଚୟ ଆନନ୍ଦ ବିଭୋର ହୋଇଯିବେ ସେମାନେ! ସେମାନେ କ’ଣ ଭାବୁନଥିବେ ଯେ, ବିକାଶ ପହଂଚିଲେ,ଏଇ ପାଣି ଭିତରୁ ଉଦ୍ଧାର ପାଇ ବଂଚିଯିବେ ସେମାନେ!….ଆଉ ଅଗକୁ ଯାଇ ହେବନି, କେବଳ ପାଣି, ଧରାଶାୟୀ ଗଛ, ମଣିଷ-ପଶୁ-ପକ୍ଷୀଙ୍କ ପଚା ଶବ ଓ ଘରକରଣା ଜିନିଷ । ଏଥର ସେ ଅନୁଭବ କଲା ବାତ୍ୟା ବିଧ୍ୱସ୍ତ ଅଂଚଳର ବାସ୍ତବିକ ଅବସ୍ଥା । ପ୍ରତି ମୁହୂର୍ତରେ ତାର ହୃଦୟ ଯେମିତି ଏକ ପ୍ରଚଣ୍ଡ ବିଭିଷୀକାର ସାମ୍‌ନା କଲା ଭଳି ଅବସ୍ଥାରେ ରହିଥିଲା । ସୁପର ସାଇକ୍ଲୋନ୍‌, ଲୁଣାଜୁଆର, ମୃତ୍ୟୁର ତାଣ୍ଡବ, ତା’ବାପା, ବୋଉ, ଭଉଣୀକୁ ନେଇ ପୁଣି ଜକେଇ ଆସିଲା ତା’ଆଖିରେ ଲୁହ । ଏତେ ଜୋର ପବନ, ଏତେ ଉଚ୍ଚର ସମୁଦ୍ର ପାଣି..ଆହା..କାନ୍ଥ ପଡ଼ିଯାଇଥିବ-ଆଉ ତା’ତଳେ ବାପା, ବୋଉ , ଭଉଣୀ….କି ଆର୍ତ ଚିତ୍କାର କରିଥିବେ ସତେ!…. ଆଉ କିଛି ଭାବି ପାରି ନଥିଲା ସିଏ ।
ବିପନ୍ନଙ୍କ ଅବସ୍ଥାଥିଲା ସାଂଘାତିକ! ମହାବାତ୍ୟା ସହ ସଂଘର୍ଷ କରି ଯେଉଁ ହତଭାଗ୍ୟମାନେ ବଂଚି ଯାଇଥିଲେ, ସମସ୍ତେ ଥିଲେ ଅନାହାର ମୃତ୍ୟୁ ଅପେକ୍ଷାରେ । ଉପରେ ମାଳମାଳ ହେଲିକପ୍ଟର ଓ ତଳେ ଭୋକର ଉତ୍ପାତ ସାଙ୍ଗକୁ କୁଢ଼ କୁଢ଼ ଶବର ପାହାଡ଼ ଓ ପଚା ମାଂସର ଗନ୍ଧ ।
କୌଣସି ପ୍ରକାରେ କେନ୍ଦ୍ରାପଡ଼ା ସହରରୁ କାଙ୍ଗାଳି ରାସ୍ତାରେ ପହଂଚି ପାରିଥିଲେ ହେଁ ନିଜର ଅତି ଆଦରର ଜନ୍ମଭୂମିକୁ ସେ ଠିକ୍‌ରୂପେ ଚିହ୍ନିପାରୁନଥିଲା । ତାଙ୍କ ଗାଁ ସମେତ ଅନେକ ଗାଁ ବୁଡ଼ି ରହିଥିଲା ପାଣିର ଗର୍ଭ ମଧ୍ୟରେ । କଇଁ କଇଁ କାନ୍ଦି ଉଠିଲା ତା’ ମନ ଓ ହୃଦୟ । ଅଧା କିଲୋମିଟର ଦୂରରେ ଜଳ ଜଳ ହୋଇ ତା’ଗାଁର ସେହି ଉଚ୍ଚ ନଡ଼ିଆ ଗଛର ବାଉଁଙ୍ଗାଟା ପାଣି ଉପରକୁ ଦେଖା ଯାଉଥିଲା । ମହାବାତ୍ୟାର ସାତ ଦିନ ପରେ ମଧ୍ୟ ପ୍ରଶାସନିକ କଳ ସ୍ଥଳ ପଥରେ ପହଂଚିବାକୁ ସକ୍ଷମ ହୋଇପାରି ନଥିଲା ବିପନ୍ନ ଅଂଚଳରେ । ତା’ଚାରି ପାଖରେ କେହି ଦେଖା ଯାଉ ନଥିଲେ । କାହାକୁ ପଚାରିବ ସେ ନିଜ ଆତ୍ମୀୟଙ୍କ ଠିକଣା? ନିଶ୍ଚଳ ହୋଇ ବସି ପଡ଼ିଲା ସିଏ ସେଇଠି ।….ହଠାତ୍ ତାର ଖିଆଲ ଆସିଲା, ସିଏ ଛିଡ଼ା ହୋଇଛି ତାଙ୍କ ଗାଁ ମୁଣ୍ଡର ସେହି ଉଚ୍ଚ ଛକ ରାସ୍ତାରେ । ବାଁ ପଟକୁ ତାଙ୍କ ଜମି । ଏଇଠି ଘରଟିଏ ତୋଳିବାକୁ ଇଚ୍ଛା ଥିଲା ବାପା-ବୋଉର । ଆଉ ସମ୍ଭାଳି ପାରିଲାନି ବିକାଶ । କଇଁ କଇଁ କାନ୍ଦି ଉଠିଲା ଅତୀତକୁ ଚାହିଁ ।……ତା’ ଭିତରର ଅନ୍ତରାତ୍ମା ତାକୁ ବାସ୍ତବତା ସଂପର୍କରେ ସୂଚେଇ ଦେଉଥିଲା ।…..
ଏଥର ହାତଯୋଡ଼ି ପ୍ରଣାମ କଲା ଜନ୍ମମାଟିକୁ-ତା’ଆଦରର ବାପା, ବୋଉ ଓ ସଂପର୍କୀୟଙ୍କୁ । ସମସ୍ତଙ୍କ ଅମର ଆତ୍ମାର ସଦ୍ ଗତି ଉଦ୍ଦେଶ୍ୟରେ ସେହି ଅପରିସ୍କାର ପାଣି ଆଞ୍ଜୁଳାଏ ଧରି ସମର୍ପି ଦେଲା ସୂର୍ଯ୍ୟଙ୍କୁ । ଜୀବନ, ମଣିଷ, ଅବସ୍ଥା, କର୍ମ ଆଉ ଶେଷ ପରିଣତି ବିଷୟରେ ହିଁ ସେ କେବଳ ଭାବୁଥିଲା……… ।
ଏବେ କଲେକ୍ଟର ଫେରିଆସିଛନ୍ତି ବର୍ତମାନକୁ । ତାଙ୍କ ଆଖିରେ ଆଖିଏ ଲୁହ । ଅତୀତ, ବାପା, ବୋଉ, ଭଉଣୀ, ସଂପର୍କୀୟ, ସାଙ୍ଗ ସାଥୀ, ଗାଁର ପର୍ବପର୍ବାଣୀ, ବିଭିନ୍ନ ଉତ୍ସବ, ମହାଦେବ ମନ୍ଦିର ପାଖ ପୋଖରୀ ହୁଡ଼ାରେ ବସି ତାସ ଖେଳ, କାନ୍ଧରେ ବ୍ୟାଗ୍‌ଧରି କାଦୁଅ ରାସ୍ତାରେ ଚାଲି ଚାଲି ସ୍କୁଲ ଯିବାର ଆନନ୍ଦ ଆଉ ମଫସଲିଆ ବିକାଶର ବାଲ୍ୟ ଓ କିଶୋର ଅବସ୍ଥାର ଟିକି ଟିକି ସ୍ୱପ୍ନ କ’ଣ ଫେରାଇ ଦେଇ ପାରିବ ଏଇ କଲେକ୍ଟର ପଦବୀ? କୌଣସି ପଦବୀ କ’ଣ ଫେରାଇ ଦେଇ ପାରେ ମଣିଷର ଅତୀତକୁ..?…
ଏଥର କଳେକ୍ଟର ବାହାରକୁ ଆସିଲେ ଧୀର ପଦକ୍ଷେପରେ । ଅନୁନୟ ଭାବେ ନିଜର ଅସରନ୍ତି ଦୁଃଖ କାହାଣୀ କହି ଚାଲିଥିବା ପିଲାଟିକୁ କୋଳେଇ ନେଇ ସିଧା ଚାଲିଗଲେ ନିଜ ପ୍ରକୋଷ୍ଠ ଭିତରକୁ ।
ଯେଉଁମାନେ କଲେକ୍ଟରଙ୍କର ଭୟ ଦେଖାଇ ପିଲାଟିକୁ ବାରଣ୍ଡା ଚଢ଼େଇ ଦେଉନଥିଲେ, ସେମାନେ ନିର୍ବାକ୍ ଭାବରେ ଚାହିଁ ରହିଥିଲେ ଆଇ.ଏ.ଏସ୍‌. ଅଫିସର ବିକାଶ ରାୟଙ୍କ ଆଖିରେ ପ୍ରଥମ ଥର ପାଇଁ ଲୁହର ବନ୍ୟା ଓ ତାଙ୍କ କୋଳରେ ସେହି ଅପରିଷ୍କାର -ଫୁଙ୍ଗୁଳା ଦେହର ପିଲାଟିର ଭାବଯୁକ୍ତ ମୁହଁର ଭାଷାକୁ ।

କୋରିଆପଲ୍ଲା, ପଟ୍ଟାମୁଣ୍ଡାଇ,କେନ୍ଦ୍ରାପଡା, ମୋ:୯୩୩୭୩୬୯୪୪୮

Related Posts

Leave a Reply

Your email address will not be published. Required fields are marked *